ନୈତିକତା ଭୁଲିଗଲେଣି ନବୀନ!

ନୈତିକତା ଭୁଲିଗଲେଣି ନବୀନ!

Share :

ପାଜେରୋ ପ୍ରସଙ୍ଗକୁ କେନ୍ଦ୍ର କରି ବିଜୁ ଜନତା ଦଳରେ ଅଶ୍ୱସ୍ତିକର ପ୍ରତିକ୍ରିୟା ସବୁ ଜମାଟ ବାନ୍ଧିବାରେ ଲାଗିଛି। ଏହି ପ୍ରସଙ୍ଗରେ ଦଳ ବରିଷ୍ଠ ଓ କନିଷ୍ଠ ଭିତ୍ତିରେ ଦୁଇ ଭାଗ ହେଲା ପରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ଜାରି କରିବାକୁ ମନ୍ତ୍ରୀମାନଙ୍କୁ ତାଗିଦ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ତାହାକୁ ମାନି ନାହାନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ତାଙ୍କୁ କେହି ତାଗିଦ କରି ନାହାନ୍ତି ବୋଲି ସେ କହିଛନ୍ତି। ଅର୍ଥତତ୍ତ୍ବ ପାଜେରୋ ପ୍ରସଙ୍ଗେରେ କନିଷ୍ଠ ମନ୍ତ୍ରୀମାନ ଏଯାଏଁ ଚୁପ୍ ଅଛନ୍ତି। ହେଲେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙଙ୍କ ସମେତ ଅନେକ ସାଂସଦ ଏନେଇ ରୋଚକ ମନ୍ତବ୍ୟ ଦେଇ ପରୋକ୍ଷରେ ଯୁବ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରିଛନ୍ତି। ସଂଜୟଙ୍କ ନୈତିକତା ଓ ନବୀନଙ୍କ ନିରପେକ୍ଷତା ନେଇ ଦଳର ଅନେକ ନେତା ମାନସିକ ସ୍ତରେର ଦଳୀୟ ନେତୃତ୍ବଠାରୁ ଦୂରେଇଯିବା ଲକ୍ଷ୍ୟ କରାଯାଉଛି। ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଉଥିବାବେଳେ ଖୋଦ ନବୀନ ଦୁର୍ନୀତି ଅଭିଯୁକ୍ତ କନିଷ୍ଠଙ୍କ ପକ୍ଷରେ ସାମିଲ ହେବା ପରି ବୋଧ ହେଉଛି।   ବିଜେଡି ଦୁଇ ଭାଗ   ଅର୍ଥତତ୍ତ୍ବ ଚିଟ୍‌ ଫଣ୍ଡ ସଂସ୍ଥାରୁ ବିଜେଡି ଯୁବନେତା ତଥା ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମା ପାଜେରୋ ଉପହାର ପାଇଥିବା ଅଭିଯୋଗ ଉପରେ ବିରୋଧୀ ଦଳଗୁଡ଼ିକ ତାଙ୍କର ଇସ୍ତଫା ଦାବି କରିଥିବାବେଳେ ଶାସକ ବିଜେଡିର ଅନେକ ନେତା ମଧ୍ୟ ଏହି ପ୍ରକାର ଇଙ୍ଗିତ ଦେଇଛନ୍ତି। ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ‘ଆଲୋ ସଖୀ, ଆପଣା ମହତ ଆପେ ରଖି’ ମନ୍ତବ୍ୟ ପରେ ସାଂସଦ ଭର୍ତ୍ତୃହରି ମହତାବ ବିରୋଧୀ ଭଲ ପରାମର୍ଶ ଦେଇଛନ୍ତି ବୋଲି କହିଥିଲେ। ଏହା ପରେ ସାଂସଦ ତଥାଗତ ସତପଥୀ କହିଲେ, ଗୋଦାମରେ ଅନେକ ମୂଷା ପଶି ଯାଇଛନ୍ତି। ସେମାନେ ରୁଟ‌ ରୁଟ‌ କରି ଅଖା କାଟି ଚାଉଳ, ଚିନି, ଗହମ ଆଦି ଖାଇ ଯାଉଛନ୍ତି। ସେମାନଙ୍କୁ ଜନ୍ତା ବସାଇ ଧରିବା ପରେ ଖରାରେ ଥୋଇଦେଲେ କଳାକାଠ ପଡ଼ିଯିବେ। ସେହିପରି ଦଳର ଅନ୍ୟତମ ସାଂସଦ ନଗେନ୍ଦ୍ର ପ୍ରଧାନ ନବୀନଙ୍କୁ ପରାମର୍ଶ ଦେବା ଛଳରେ କହିଥିଲେ ଯେ ସୀତାଙ୍କର କୌଣସି ଦୋଷ ନଥିିବା ଜାଣି ମଧ୍ୟ ରାମ ତାଙ୍କୁ ନିର୍ବାସିତ କରିଥିଲେ। ଏମାନଙ୍କର ଏପରି ବୟାନ ଇସ୍ତଫା ଦେବା ପାଇଁ ସଂଜୟଙ୍କ ଉପରେ ଚାପ ରାଜନୀତି ହୋଇଥିବାବେଳେ ଏହି ଚାପକୁ ଅଧିକ ଭାରି କରିଛନ୍ତି ସାଂସଦ ବୈଷ୍ଣବ ଚରଣ ପରିଡ଼ା ଓ ଲଡ଼ୁ କିଶୋର ସ୍ୱାଇଁ। ରାଜ୍ୟସଭା ସଦସ୍ୟ ବୈଷ୍ଣବ ପରିଡ଼ା ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ କହିଛନ୍ତି ଯେ ସେ ଇସ୍ତଫା ଦେବେ କି ତଦନ୍ତ ଶେଷ ହେଲା ଯାଏଁ ଅପେକ୍ଷା କରିବେ ତାହା ତାଙ୍କ ଉପରେ ନିର୍ଭର କରେ। ନୈତିକତାର ବିଚାର ତାଙ୍କର ସଂପୂର୍ଣ୍ଣ ନିଜର ଅଧିକାର। ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ସେ ସେହି ସାହସ ଦେଖାଇ ନାହାନ୍ତି। ଦେଖାଇଲେ ଭଲ। ତାଙ୍କର ବୟସ ଅଛି। ପରେ ବିବାଦ ମୁକ୍ତ ହେଲେ ଏଇ ଲୋକେ ତାଙ୍କୁ ଫୁଲମାଳ ଦେବେ। ରାଜ୍ୟସଭା ସଦସ୍ୟ ପରିଡ଼ା ଏପରି କଥା କହିଥିବାବେଳେ ଆସ୍କାର ଲୋକସଭା ସଦସ୍ୟ ଲଡ଼ୁ କିଶୋର ସ୍ୱାଇଁ କହିଛନ୍ତି, ଆମ ଦଳରେ କେତେ ପ୍ରକାର ଲୋକ ଅଛନ୍ତି। ସମସ୍ତଙ୍କର ନୀତନୈତିକତା କ’ଣ ସମାନ? ଆମ ଦଳରେ ସମସ୍ତେ କ’ଣ ସାଧୁ? ନେତା ନବୀନ ପଟ୍ଟନାୟକଙ୍କ ଯୋଗୁଁ ବିଜେଡି ଭୋଟ ପାଉଛି। ଏ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ। ସେ କଥା ମାଜିଲେ ମୋଟ ହେବ ବୋଲି କହିବା ସହିତ ବରିଷ୍ଠ-କନିଷ୍ଠ ବିବାଦରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶ୍ନ ଛଳରେ ସେ ପଚାରିଛନ୍ତି ଯେ ସଂଜୟ ଓ ଅତନୁଙ୍କ ବୟସ କେତେ? ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ କହିଛନ୍ତି ଯେ ଗୋଟେ ପ୍ରସଙ୍ଗ ଉଠିଲେ ତାହାର ଉତ୍ତର ଯିଏ ଦେବା କଥା ନଦେଲେ ତଳ ସ୍ତରକୁ ଗୋଟେ ବାର୍ତ୍ତା ପଳାଏ। ତେଣୁ ପ୍ରସଙ୍ଗ ଉଠିଲା ମାତ୍ରେ ଉତ୍ତର ଦିଆଯିବା କଥା। ଦଳର ଏହି ବରିଷ୍ଠ ନେତାମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂଜୟଙ୍କୁ ଇସ୍ତଫା ଦେବା ପାଇଁ ଇଙ୍ଗିତ ଦେଇଛନ୍ତି। ତେବେ ବରିଷ୍ଠ ମନ୍ତ୍ରୀ ଡାକ୍ତର ରାଉତ ଦେଇଥିବା ଏକ ପୂର୍ବ ମନ୍ତବ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ କହିଲେ ମନ୍ତ୍ରୀମାନେ ଇସ୍ତଫା ଦିଅନ୍ତି। ଏଭଳି ମନ୍ତବ୍ୟ ଜରିଆରେ ସେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ଭୂମିକା ସଂପର୍କରେ ସୂଚେଇ ଦେଇଛନ୍ତି। ଅନ୍ୟପକ୍ଷରେ ଦଳର ଯୁବ ମନ୍ତ୍ରୀମାନେ ଏଯାଏଁ ଏ ନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ପାଜେରୋ ପ୍ରସଙ୍ଗ ଉଠିବା ପରେ ପରେ ଯୁବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ ବିବାଦୀୟ ମନ୍ତ୍ରୀ ସଂଜୟ ଦାସବମାର୍ଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେମାନେ ସେଠାରେ କ’ଣ କଥା ହେଲେ ତାହା ସେମାନେ ପ୍ରକାଶ କରି ନାହାନ୍ତି। ତେବେ ଶୁଣାଯାଉଛି ସେମାନେ ସଂଜୟଙ୍କୁ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେମାନେ କିଛି କହି ନଥିଲେ ବି ନବୀନଙ୍କ ମନୋନୀତ ଦଳର ଯୁବ ମୁଖପାତ୍ରମାନେ ଗଣମାଧ୍ୟମରେ ସଂଜୟଙ୍କୁ ସୁରକ୍ଷା ଦେବା ସହିତ ବରିଷ୍ଠଙ୍କ ବିରୋଧରେ ତୀର୍ଯ୍ୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଖପାତ୍ର ସମୀର ଦାଶ ଓ ପ୍ରତାପ ଜେନା ସିଧାସଳଖ ଭାଷାରେ ସଂଜୟଙ୍କ ସପକ୍ଷରେ ବିବୃତି ଦେବା ସହିତ ଏଭଳି ପରିସ୍ଥିତିରେ ପୂର୍ବରୁ କେତେ ଥର ବରିଷ୍ଠ ନେତାମାନେ ଇସ୍ତଫା ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଦଳର ପୂର୍ବତନ ମୁଖ୍ୟ ପରାମର୍ଶଦାତା ତଥା ବର୍ତ୍ତମାନର ଅସଲଂଗ୍ନ ରାଜ୍ୟସଭା ସଦସ୍ୟ ପ୍ୟାରୀ ମୋହନ ମହାପାତ୍ର ଚିଟ୍‌ ଫଣ୍ଡ ଦୁର୍ନୀତିରେ ସଂଜୟ ଗୋଟେ ଛୋଟ ମାଛ ବୋଲି ମନ୍ତବ୍ୟ ଦେଇ ତାଙ୍କ ସପକ୍ଷରେ ବାହାରିଛନ୍ତି। ବିଜେଡିରେ ବହୁତ ବଡ଼ମାଛ ଏହି ଦୁର୍ନୀତିରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ପାଜେରୋ ପ୍ରସଙ୍ଗରେ ସଂଜୟଙ୍କୁ ନେଇ ଦଳ ଭିତରେ ଓ ବାହାରେ ଏଭଳି ବାକ୍ପଟୁତା ଚାଲିଥିବାବେଳେ ସାମଗ୍ରିକ ଭାବରେ ଏହାର ପ୍ରଭାବ ଯେ ଦଳ ଓ ଦଳର ନେତାଙ୍କ ଭାବମୂର୍ତ୍ତି ଉପରେ ନପଡ଼ିବ ତାହା ଗ୍ୟାରେଣ୍ଟି ମାରି କହିହେବ ନାହିଁ।   ମୁଖ୍ୟମନ୍ତ୍ରୀ ଚିନ୍ତିତ   ଏହି ପ୍ରସଙ୍ଗ ବିଭିନ୍ନ ଗଣମାଧ୍ୟମରେ ଅଗ୍ରାଧିକାର ଭିତ୍ତିରେ ଚର୍ଚ୍ଚିତ ହେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ଭାବମୂର୍ତ୍ତି ନେଇ ଚିନ୍ତିତ ହୋଇପଡ଼ିବା ସ୍ବାଭାବିକ। ତେବେ ସେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ନଦେଇ ଏ ବିଷୟରେ କହି ତୁଣ୍ଡ ନଖୋଲିବାକୁ ବରିଷ୍ଠ ମନ୍ତ୍ରୀମାନଙ୍କୁ ତାଗିଦ କରିଥିଲେ। ଏପ୍ରିଲ ୧୯ ତାରିଖ କ୍ୟାବିନେଟ୍ ବୈଠକ ସରିବା ପରେ ସେ ମନ୍ତ୍ରୀମାନଙ୍କୁ ଗାଳିଫଜିତ କରିବା ସହିତ ନିଜ ବିଭାଗ ବ୍ୟତିତ ଅନ୍ୟ କୌଣସି ବିଷୟରେ ଗଣମାଧ୍ୟମରେ ମତ ନରଖିବାକୁ ତାଗିଦ କରିଥିଲେ। ଦଳୀୟ ବ୍ୟାପାର ସଂପର୍କର ଗଣମାଧ୍ୟମରେ କହିବା ପାଇଁ ମୁଖପାତ୍ର ଅଛନ୍ତି। ମନ୍ତ୍ରୀମାନେ ସେ ବିଷୟରେ ମୁଣ୍ଡ ନପୂରାଇବାକୁ ସେ ସମସ୍ତଙ୍କୁ କଡ଼ା ଭାଷାରେ କହିଥିଲେ। ଅନ୍ୟ କୌଣସି ବିଷୟରେ କିଛି କହିବାର ଥିଲେ ତାଙ୍କ ସହିତ ପରାମର୍ଶ କରି ଅନୁମତି ପାଇଲା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ସେ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।    ‘ତାଗିଦ’ ମାନିଲେନି ଦାମ   ନିଜ ବିଭାଗ ବିଷୟ ଛାଡ଼ି ଅନ୍ୟ କୌଣସି ବିଷୟରେ ଗଣମାଧ୍ୟମରେ ମନ୍ତବ୍ୟ ନଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ କିମ୍ୱା ପରାମର୍ଶକୁ ମାନି ନାହାନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀ ତାଙ୍କୁ ତାଗିଦ କରି ନାହାନ୍ତି ଓ ଯେଉଁମାନେ ଏପରି କହୁଛନ୍ତି ସେମାନେ ବେଇମାନ ବୋଲି ଏକ ଘରୋଇ ଟେଲିଭିଜନ ଚାନେଲରେ କହିଛନ୍ତି ଦାମ। ଅନ୍ୟପକ୍ଷରେ ଏପ୍ରିଲ ୧୯ ତାରିଖର କ୍ୟାବିନେଟ‌ ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ସହଯୋଗୀମାନଙ୍କୁ କ’ଣ କହିଲେ ସେ ବିଷୟରେ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିବା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଯେ ସେ କିଛି ଭୁଲ କହି ନାହାନ୍ତି। ଏପ୍ରିଲ ୧୯ ତାରିଖ ଶନିବାରର କ୍ୟାବିନେଟ‌ ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ମନ୍ତ୍ରୀ ସହଯୋଗୀମାନଙ୍କୁ କଡ଼ା ଭାଷାରେ ତାଗିଦ କରିବା କଥା ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଧାୟକ ଶଶିଭୂଷଣ ବେହେରା। ଏପ୍ରିଲ ୨୦ ତାରିଖେର କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଥିଲେ ଯେ ଶଶିଭୂଷଣ ବେହେରା କ୍ୟାବିନେଟ ମନ୍ତ୍ରୀ ନୁହନ୍ତି। କ୍ୟାବିନେଟ‌ରେ ଯାହା ଆଲୋଚନା ହୋଇଥାଏ ତାହା ଗୋପନୀୟ। ସେଠି କ’ଣ ଘଟିଲା ତାହା ଶଶି ବେହେରା କେମିତି ଜାଣିଲେ ବୋଲି ଦାମ ଓଲଟି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ତାଙ୍କୁ କେହି ତାଗିଦ କରି ନାହାନ୍ତି। ଯେଉଁମାନେ ଏପରି କହୁଛନ୍ତି ସେମାନେ ବେଇମାନ। ଆଉ ପାଦେ ଆଗକୁ ଯାଇଁ ଦାମ କହିଥିଲେ ଯେ ଆଗରୁ ନିଷ୍ପତ୍ତି ଅଛି ସରକାର ସଂପର୍କରେ କେବଳ ମନ୍ତ୍ରୀ ବିକ୍ରମ ଆରୁଖ କହିବେ ଏବଂ ଦଳ ସଂପର୍କରେ ମୁଖପାତ୍ରମାନେ କହିବେ। ଏହା ବ୍ୟତିତ ଆଉ କ’ଣ କିଛି ବିଷୟ ନାହିଁ? ମୋତେ ପଚାରିଲେ ମୁଁ କହିବି। ସେହିପରି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପ୍ରସଙ୍ଗରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମଧ୍ୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ ତାଙ୍କ ଢଙ୍ଗରେ କହିଛନ୍ତି ଗୋଟିଏ ହଳରେ କ’ଣ ବୁଢ଼ା ବଳଦ ଓ ଟୋକା ବଳଦ ଠିକ୍ ଭାବେ କାମ କରିପାରିବେ? ତେବେ ମୁଖ୍ୟମନ୍ତ୍ରୀ ଦଳ ବିଷୟରେ କିଛି ନକହିବା ପାଇଁ ମନ୍ତ୍ରୀମାନଙ୍କୁ କହିଥିବା କଥା ସେ ସ୍ୱୀକାର କରିଥିଲେ। ‘ତାଗିଦ’ ଦଳରେ ଅସନ୍ତୋଷ ସୃଷ୍ଟି କରିବା ପରେ ମୁଖପାତ୍ର ପ୍ରତାପ ଜେନା କଥାଟାକୁ ବୁଲେଇବାକୁ ଚେଷ୍ଟା କରିଥିଲେ। କ୍ୟାବିନେଟ‌ ବୈଠକ ନେଇ ଡାକ୍ତର ରାଉତ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ମନ୍ତବ୍ୟ ଦେବା ସହିତ କହିଥିଲେ ଯେ ଗଣମାଧ୍ୟମରେ ଦଳ ଓ ସରକାର ସଂପର୍କରେ ନକାରାତ୍ମକ ମନ୍ତବ୍ୟ ନଦେବା ପାଇଁ ମୁଖ୍ୟମନ୍ତ୍ରୀ ଦଳର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ ‘ପରାମର୍ଶ’ ଦେଇଛନ୍ତି। ପୂର୍ବର ‘ତାଗିଦ’ ‘ପରାମର୍ଶ’ରେ ପରିଣତ ହେବା ପରେ ରାଜନୀତିକ ମହଲରେ ଏନେଇ ସ୍ବାଭାବିକ କୌତୁହଳ ଲାଗି ରହିଛି। ମୁଖ୍ୟମନ୍ତ୍ରୀଙ୍କ ‘ତାଗିଦ‍୍‌’ ବା ‘ପରାମର୍ଶ’ ଉଲ୍ଲଙ୍ଘନ କରି ଦାମ ପୁଣି ପ୍ରତିକ୍ରିୟୀଶୀଳ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କନିଷ୍ଠମାନେ ଫେରାଦ ହେବେ କି ନାହିଁ ସେ ସଂପର୍କରେ ଚର୍ଚ୍ଚା ବନ୍ଦ ହୋଇନାହିଁ।   ନବୀନଙ୍କ ନୈତିକତା   ଏହି ପରିସ୍ଥିତିରେ ଦଳର ସାଧାରଣ ସଂପାଦକ ହୁସେନ ରବି ଗାନ୍ଧୀ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ବିସ୍ଫୋରକ ଚିଠି ଲେଖି ତାଙ୍କର ପୂର୍ବ ନୈତିକତା କୁଆଡ଼େ ଗଲା ବୋଲି ପରୋକ୍ଷରେ ପଚାରିଛନ୍ତି। ସେ କହିଛନ୍ତି ଯେ ଆଗରୁ ନବୀନ ଅନେକ ମନ୍ତ୍ରୀ ଓ ନେତାଙ୍କ ବିରୋଧରେ ବିନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେତେବେଳେ ସେ ଅଭିଯୋଗ ପ୍ରମାଣିତ ହେଲା ଯାଏଁ ଅପେକ୍ଷ କରି ନଥିଲେ। ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ପାଇଁ ଧକଉଛନ୍ତି? ତାଙ୍କର ଏପ୍ରକାର ଚିଠିରୁ ବୁଝାପଡ଼ୁଛି ସଂଜୟ ଓ ନବୀନଙ୍କ ଭିତରେ କିଛି ଅଛି! ସୂଚନାଯୋଗ୍ୟ ଯେ ନବୀନ ପଟ୍ଟନାୟକ ୨୦୦୨ ମସିହାର ବିନା ଅଭିଯୋଗରେ ବିଜେଡିର ତତ୍କାଳୀନ କାର୍ଯ୍ୟକାରୀ ସଭାପତି ତଥା ପୂର୍ତ୍ତମନ୍ତ୍ରୀ ନଳିନୀକାନ୍ତ ମହାନ୍ତି,  ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର କମଳା ଦାସ ଓ ବିଜେପିର ପ୍ରତିନିଧିତ୍ବ କରୁଥିବା ପ୍ରଶାନ୍ତ ନନ୍ଦଙ୍କୁ ‘ଦୁର୍ନୀତିର ଛାଇ’ରେ ଥିବା ଅଭିଯୋଗ ଉଠାଇ ବହିଷ୍କାର କରିଥିଲେ। ସେହିପରି ଦୁର୍ନୀତି ଭିନ୍ନ ଅନ୍ୟ ଅଭିଯୋଗରେ ମଧ୍ୟ ସେ ଅନେକ ମନ୍ତ୍ରୀଙ୍କୁ ଯୂପକାଠରେ ଚଢ଼ାଇ ଭାବମୂର୍ତ୍ତିର ମଜ୍ଜା ନେଇଛନ୍ତି। ବିଭିନ୍ନ ଅପ୍ରମାଣିତ ଅଭିଯୋଗରେ ୨୦୧୪ ଭିତରେ ସେ ଅମର ଶତପଥୀ, ରବି ନନ୍ଦ, ବିଷ୍ଣୁ ଦାସ, ପ୍ରମିଳା ମଲ୍ଲିକ, ଦେବାଶିଷ ନାୟକ, ରଘୁନାଥ ମହାନ୍ତି, କାଳିନ୍ଦୀ ବେହେରା ପ୍ରମୁଖ ଅନେକ ମନ୍ତ୍ରୀଙ୍କୁ ବଳି ପକାଇଥିବାବେଳେ ସଂଜୟ ଦାସବର୍ମାଙ୍କ ପ୍ରତି ତାଙ୍କର ନରମ ଆଭିମୁଖ୍ୟ ତାଙ୍କ ଦୁର୍ନୀତିରେ ନବୀନ ସହଭାଗୀ ବୋଲି ସନ୍ଦେହ ସୃଷ୍ଟି କରୁଛି।

Share :