ବଡ଼ରୋଗର ବଡ଼ବ୍ୟଥା!

ବଡ଼ରୋଗର ବଡ଼ବ୍ୟଥା!

Share :

ସନ୍ଦୀପ କୁମାର ପଟ୍ଟନାୟକ   ଗତବର୍ଷ ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ୍ ସଦର ମହକୁମାଠାରୁ  ପ୍ରାୟ ୭ କିମି ଦୂର ଭୋଇପଡ଼ା ଗ୍ରାମରେ ଭାଲୁ ନାଗ ନାମ୍ନୀ ଜଣେ ବୃଦ୍ଧା ଅତି ଅସହାୟ ଅବସ୍ଥାରେ ମୃତ୍ୟୁବରଣ କଲେ। କାରଣ ଥିଲା ଯେ ସେ କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିବାରୁ ସଂପର୍କୀୟମାନେ ତାଙ୍କୁ ବାସନ୍ଦ କରି ଗ୍ରାମଠାରୁ ଦୂର ଏକ ପାହଡ଼ ତଳେ ଏକାକୀ ଛାଡ଼ି ଦେଇଥିଲେ। ଏଇଭଳି ଅନେକ ଦୃଷ୍ଟାନ୍ତ ଅଛି, କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ପରିବାର ଓ ସମାଜରୁ ବାସନ୍ଦ ହୋଇ ଗ୍ରାମ ଓ ସହରରୁ ଦୂରରେ ନିଃସଙ୍ଗ ହୋଇ ଜୀବନ ବିତାଉଛନ୍ତି। ସମାଜ ଏହାକୁ "ବଡ଼ରୋଗ’  ବୋଲି ଆଖ୍ୟା ଦେଇଛି। ଆଜିର ଆଧୁନିକ ସମାଜରେ କୁଷ୍ଠରୋଗକୁ ପୂର୍ବଜନ୍ମର ଅଭିଶାପ ଭାବେ ବିବେଚନା କରି ରୋଗୀକୁ ପରିବାର ଓ ସମାଜରୁ ବାସନ୍ଦ କରିବା ଏକ ଲଜ୍ଜାଜନକ କଥା ନୁହେଁ କି? ଏହା କଦାପି ମହାରୋଗ ନୁହେଁ। ଅନେକ ରୋଗଭଳି କୁଷ୍ଠ ଏକ  ସାଧାରଣ ରୋଗ ଏବଂ ତା’ର ପ୍ରତିକାର ବ୍ୟବସ୍ଥା ଅଛି। ଏକ ସମୟରେ ହଇଜା ଓ ବସନ୍ତ  ରୋଗକୁ "ମା ଠାକୁରାଣୀ’ଙ୍କ କୋପ ବୋଲି ଆଖ୍ୟା ଦିଆଯାଉଥିଲା। କିନ୍ତୁ ଔଷଧର ଆବିଷ୍କାର ପରେ ଜନମାନସରୁ ଏହି ଭ୍ରାନ୍ତ ଧାରଣା ଅପସରିଗଲା। ବୈଜ୍ଞାନିକ ସୂଚନାର ଅଭିବୃଦ୍ଧି ଓ ସାମାଜିକ ପ୍ରଚେଷ୍ଟା ସତ୍ତ୍ବେ କୁଷ୍ଠରୋଗୀଙ୍କର ସଂଖ୍ୟା ଓ ତତହିତ ଜନମାନସରେ ସେହି ରୋଗକୁ ନେଇ ଅନ୍ଧବିଶ୍ୱାସକୁ ନ ଦୂରେଇ ପାରିବା ଆମ ବିଫଳତାର ପ୍ରତିଫଳନ। ପୃଥିବୀରେ କୁଷ୍ଠ ଏକ ସର୍ବ ପୁରାତନ ରୋଗ ଭାବେ ଚିହ୍ନଟ ହୋଇଛି। ଖ୍ରୀଷ୍ଟପୂର୍ବ ୬୦୦ରେ, ଆୟୁର୍ବେଦ ଶାସ୍ତ୍ରରେ କୁଷ୍ଠରୋଗ କଥା ଉଲ୍ଲେଖ ଅଛି। ବିଡ଼ମ୍ୱନା ଯେ ଏତେ ପୁରାତନ ରୋଗ ହୋଇଥିଲେ ବି ଏହାକୁ ନେଇ ବୈଜ୍ଞାନିକ ତଥ୍ୟ ଓ ଦୃଷ୍ଟିକୋଣ ଖୁବ୍ ସୀମିତ। ମୁଖ୍ୟତଃ ଏହି ରୋଗର କାରଣ, ନିରାକରଣ ଓ ସଂକ୍ରମଣ ବାବଦରେ  ଜନମାନସରେ ବିଭିନ୍ନ ଭ୍ରାନ୍ତ ଧାରଣା ରହିଆସିଛି। ଉଦାହରଣ ସ୍ୱରୂପ ଏକ ଧାରଣା ଅଛି ଯେ କୁଷ୍ଠ ରୋଗ ଏକ ବଂଶଗତ ଓ ଅତି ସଂକ୍ରାମକ ରୋଗ। ଆଉ ଏକ ଧାରଣା ଯେ କୁଷ୍ଠରୋଗ, ଖାଦ୍ୟ ଓ ଜଳ ଦ୍ବାରା ସଂକ୍ରମିତ ହୁଏ। ଏହାକୁ ଚିହ୍ନଟ କରିବା କଷ୍ଟ। ଏପ୍ରିଲ,୨୦୧୫ ମସିହାର ଲ’ କମିଶନ ରିପୋର୍ଟ ଅନୁଯାୟୀ ଏହା ସବୁ ଭ୍ରାନ୍ତ ଧାରଣା ଓ ତଥ୍ୟ ଆଧାରିତ ନୁହେଁ। ପ୍ରକୃତରେ କୁଷ୍ଠରୋଗର ଭୁତାଣୁ ବାୟୁ ଦ୍ବାରା ସଂକ୍ରମିତ ହୋଇଥାଏ। ପାଖାପାଖି ୮୫ ପ୍ରତିଶତରୁ ଅଧିକ ପରିମାଣର ଲୋକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ବି ସେମାନେ କୁଷ୍ଠ ରୋଗର ଭୁତାଣୁ ସଂକ୍ରମଣ କରନ୍ତି ନାହିଁ। ପ୍ରାୟ ୯୯ ପ୍ରତିଶତରୁ ଅଧିକ ଲୋକଙ୍କର କୁଷ୍ଠରୋଗର ଭୁତାଣୁକୁ ପ୍ରାକୃତିକ ଉପାୟରେ ପ୍ରତିରୋଧ କରିବାର ସାମର୍ଥ୍ୟ ଅଛି। ଏହି ରୋଗର କାରଣ ସମ୍ୱନ୍ଧରେ ନରୱେ ଦେଶର ଡାକ୍ତର ହାନସେନଙ୍କ ଦ୍ବାରା ୧୮୭୩ ମସିହାରେ ଆବିଷ୍କାର କରାଯାଇଥିଲା। କୁଷ୍ଠରୋଗକୁ ଚିହ୍ନଟ କରିବା ବା ପ୍ରତିକାର କରିବା କଷ୍ଟସାଧ୍ୟ ନୁହେଁ। ରୋଗର ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇ ବହୁବିଧ ଔଷଧ (ଏମ.ଡି.ଟି.) ଦ୍ୱାରା ଚିକିତ୍ସିତ ହେଲେ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏ ଏବଂ ରୋଗୀ ବିକଳାଙ୍ଗ ହୁଏ ନାହଁି। ଗତ ଦୁଇ ଦଶନ୍ଧି ମଧ୍ୟରେ ୧୫୦ ଲକ୍ଷରୁ ଅଧିକ ଲୋକ ଏମ.ଡି.ଟି. ଦ୍ବାରା ଆରୋଗ୍ୟ ଲାଭ କରିଛନ୍ତି। କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କର ସମ୍ମାନଜନକ ଭାବେ ଜୀବନ ବିତେଇବାର ପ୍ରତିବନ୍ଧକ ହେଲା ଜନମାନସରେ ଥିବା କ୍ରୁର ଅନ୍ଧବିଶ୍ବାସ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣର ଅଭାବ। ଯଦି କୌଣସି ବ୍ୟକ୍ତି ପ୍ରାଥମିକ ଅବସ୍ଥାରେ ଡାକ୍ତରଙ୍କର ପ୍ରରାମର୍ଶ ନେବା ଆରମ୍ଭ କରେ; ତେବେ ସମାଜ ତାକୁ ଅଲଗା କରିଦିଏ। ତେଣୁ ଏହି ଭୟରେ ପ୍ରଭାବିତ ଲୋକମାନେ ରୋଗକୁ ଲୁଚାଇ ରଖନ୍ତି। ଏତଦ୍ବାରା ରୋଗ ବୃଦ୍ଧି ହୋଇ ଶରୀରକୁ ବିକଳାଙ୍ଗ କରିଦିଏ। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମର ସର୍ବେକ୍ଷଣ ଅନୁଯାୟୀ ୨୦୦୫ ରୁ ୨୦୧୪ ମସିହା ମଧ୍ୟରେ ପ୍ରାୟ ପ୍ରତିବର୍ଷ ୧.୨୫ରୁ ୧.୩୫ ଲକ୍ଷ ନୂଆ ରୋଗୀ ଉତ୍ପନ୍ନ ହୋଉଛନ୍ତି। ୨୦୧୩ରୁ ୨୦୧୪ ମସିହା ମଧ୍ୟରେ ଭାରତବର୍ଷରେ ୧.୨୭ ଲକ୍ଷ ଲୋକଙ୍କୁ ନୂଆ କରି ଚିହ୍ନଟ କରାଯାଇଛି। ୨୦୧୪ ମସିହା ସୁଦ୍ଧା ନୂଆ କରି ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୫୮ ପ୍ରତିଶତ ଲୋକ କେବଳ ଭାରତରେ ଅବସ୍ଥାନ କରୁଛନ୍ତି। ଏହା ଦର୍ଶାଉଛି ଯେ ଆମଦେଶ ପାଇଁ କୁଷ୍ଠରୋଗ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କେବଳ ନୁହେଁ ସେମାନଙ୍କର ପରିବାରକୁ ମଧ୍ୟ ଆମ ସମାଜ ବାସନ୍ଦ କରାଏ ଓ ଘୃଣା ଦୃଷ୍ଟିରେ ଦେଖେ। ଯେପରିକି ସେମାନଙ୍କର ପିଲାମାନେ କୁଷ୍ଠ ରୋଗ ଦ୍ୱାରା ଆକ୍ରାନ୍ତ ହୋଇନଥିଲେ ବି ଏହି ବାସନ୍ଦ ବା ବାଛବିଚାରର ସମ୍ମୁଖୀନ ହୁଅନ୍ତି।  ଝିଅର ବାହାଘର ପାଇଁ ବରପାତ୍ରଟିଏ ଯୋଗାଡ଼ କରିବା କଷ୍ଟକର ହୋଇପଡେ଼। ରାତ୍ରିଯାପନ କରିବା ପାଇଁ ହୋଟେଲ ମିଳିବା କଷ୍ଟକର  ହୋଇପଡେ଼। ଉଦବେଗର ବିଷୟ ହେଲା ଗ୍ରାମ ବା ସହରରୁ ବିଛିନ୍ନ ହୋଇ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ବଞ୍ଚିବାକୁ ପଡେ଼। ବିଶେଷ କରି ସରକାରୀ ଜମି, ଜଙ୍ଗଲ ଜମି, ରେଳପଥର ଦୁଇପାର୍ଶ୍ୱରେ ଥିବା ଜମି ବା କିଛି ଘରୋଇ ଜମିରେ ବସବାସ କରିବାକୁ  ପଡେ଼। ଏକ ଗବେଷଣା ଅନୁସାରେ ସାରା ଭାରତ ବର୍ଷରେ ଏଭଳି ୮୫୦ଟି ବସ୍ତିରେ କୁଷ୍ଠ ରୋଗୀମାନେ ବସବାସ କରିଆସୁଛନ୍ତି। ଏହି ଜମିରେ ବସବାସ କରିଆସୁଥିଲେ ମଧ୍ୟ ଜମି ଉପରେ ତାଙ୍କର ମାଲିକାନା ନଥିବାରୁ ସର୍ବଦା ଜମିରୁ ଉଚ୍ଛେଦ ହେବାର ଭୟ ଥାଏ। କୁଷ୍ଠ ରୋଗ ଆକ୍ରାନ୍ତ ହେଉଥିବା ବ୍ୟକ୍ତିମାନଙ୍କର ଆବଶ୍ୟକ ସାମର୍ଥ୍ୟ ଓ କ୍ଷମତା ଥିଲେ ବି ଚାକିରୀ କ୍ଷେତ୍ରରେ ସୁଯୋଗ ମିଳେ ନାହିଁ। ରୋଗ ଜଣା ପଡ଼ିଲା ପରେ ଚାକିରୀରୁ ବହିଷ୍କାର କରାଯାଏ। ବିଡ଼ମ୍ବନା ଯେ ସାମାଜିକ ପ୍ରଥା ବ୍ୟତୀତ ଭାରତବର୍ଷରେ ଏପରି ବହୁତ ଆଇନ ଅଛି ଯାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୁଷ୍ଠରୋଗୀଙ୍କ ପ୍ରତି ବିଭେଦ କରିବାପାଇଁ ସ୍ବୀକୃତି ଦେଉଛି। ଉଦାହରଣ ସ୍ବରୂପ ବିଭିନ୍ନ ପର୍ସନାଲ୍ ଲ’ ଯଥା ହିନ୍ଦୁ ବିବାହ ଆଇନ,  ମୁସଲିମ୍ ବିବାହ ଆଇନ, ଖ୍ରୀଷ୍ଟିୟାନ ବିବାହ ଆଇନ, ସ୍ବତନ୍ତ୍ର ବିବାହ ଆଇନ ଅନୁସାରେ କୁଷ୍ଠ ଏକ ଭୟଙ୍କର ରୋଗ ଓ ତାର ନିରାକରଣ ନାହିଁି। ଏହି ଆଇନ ଅନୁସାରେ ଦୁଇବର୍ଷରୁ ଅଧିକ ସମୟ ଧରି କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିଲେ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇପାରିବ। ଓଡ଼ିଶା ମୁନିସିପାଲ ଆଇନ ୧୯୫୦ ଅନୁଯାୟୀ କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିର୍ବାଚିତ ହୋଇ କୌଣସି ପଦପଦବୀରେ ରହିପାରିବେ ନାହିଁି। ରେଳପଥ ଆଇନ ୧୯୮୯ ଅନୁଯାୟୀ କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ରେଳପଥରେ ଯାତ୍ରା କରିବା ପାଇଁ ବାରଣ କରାଯାଇଛି। ଭିନ୍ନକ୍ଷମ ଆଇନ ୧୯୯୫ ଅନୁଯାୟୀ କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇଥିବା ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ବୋଲି ଅନ୍ତର୍ଭୁକ୍ତ କରାଯାଇ ନାହିଁ। ମଟରଯାନ ଆଇନ ୧୯୮୮ ଅନୁଯାୟୀ କୁଷ୍ଠରୋଗୀଟିଏ ଗାଡ଼ି ଚଳେଇବା ପାଇଁ ଲାଇସେନ୍ସ ପାଇବାର ଅନୁମତି ମଧ୍ୟ ନାହିଁ। ଏହା ଫଳରେ ଯେଉଁମାନଙ୍କର ସାମର୍ଥ୍ୟ ଅଛି ବା ଚିକିତ୍ସିତ ହୋଇ ଭଲ ହୋଇଛନ୍ତି  ସେମାନେ ଗାଡ଼ି ଚଳେଇବାରୁ ବଞ୍ଚିତ ହେଉଛନ୍ତି। ଜୀବନ ବୀମା ଆଇନ ଅନୁ‌‍ଯାୟୀ ରୋଗୀଙ୍କୁ ଅଧିକ ପ୍ରିମିୟମ୍ ଦେବାକୁ ପଡ଼ିବ। ଏପରିକି ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଧୀରେନ୍ଦ୍ର ପାଣ୍ଡୁଆ ଓ ଓଡ଼ିଶା ସରକାରଙ୍କ କେସରେ ଉଲ୍ଲେଖ କରିଛନ୍ତି ଯେ କୁଷ୍ଠରୋଗର ଉପଶମ ନାହିଁି। ଏହା ଏକ ସଂକ୍ରାମକ ରୋଗ ତେଣୁ ଏମାନଙ୍କୁ ଅଲଗା ଚିକିତ୍ସା ଦରକାର। ଏହିଭଳି ବିଭେଦ ସୃଷ୍ଟିକାରୀ ଆଇନ କେବଳ ଭାରତବର୍ଷରେ ନୁହେଁ, ପୃଥିବୀର ଅନ୍ୟ ଦେଶ ଯଥା ଜାପାନ, ମାଲେସିୟା, ଫିନଲାଣ୍ଡ, ଇଜିପ୍ଟ, ଗ୍ରୀସ୍ ଭଳି ଦେଶମାନଙ୍କରେ ମଧ୍ୟ ରହିଆସିଛି। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦେଶଗୁଡିକ ବିଭେଦ ସୃଷ୍ଟିକାରୀ ଆଇନ ଗୁଡିକରେ ପରିବର୍ତ୍ତନ ଆଣୁଛନ୍ତି। ଉଦାହରଣ ସ୍ବରୂପ ଦକ୍ଷିଣ କୋରିଆ ସରକାର ୨୦୦୭ ମସିହାରେ ଆଇନ ପ୍ରଣୟନ କରି କୁଷ୍ଠ ରୋଗୀମାନଙ୍କ ପ୍ରତି ହୋଇଥିବା ଅବିଚାର ଓ ଅନ୍ୟାୟ ପାଇଁ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ମହାତ୍ମା ଗାନ୍ଧୀ ଓ ମଦର ଟେରେସାଙ୍କ ଦେଶ ଭାରତରେ କିନ୍ତୁ ସେଭଳି କିଛି ପରିବର୍ତ୍ତନ ଆଣିବାର ପ୍ରୟାସ ନହେବା ଏକ ଦୁଃଖଦ ବିଷୟ। ଜନମାନସରେ କୁଷ୍ଠରୋଗ ପ୍ରତି ଭ୍ରାନ୍ତଧାରଣା ଓ ଘୃଣା ଭାବକୁ ଦୂରେଇ ଏକ ବୈଜ୍ଞାନିକ ଦୃଷ୍ଟିକୋଣ ବୃଦ୍ଧି କରାଇ ରୋଗ ଓ ରୋଗୀକୁ ସମ୍ମାନ ଦେବା ତଥା ରୋଗକୁ ସମୂଳ ବିନାଶ କରିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଓ ଆହ୍ୱାନ ରହିଛି। କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କର ଆବଶ୍ୟକତା ଓ ଅଧିକାରକୁ  ମାନ୍ୟତାଦେଇ ବାଛବିଚାରପୂର୍ଣ୍ଣ ଉପରୋକ୍ତ ଆଇନର ଧାରାଗୁଡିକୁ ବଦଳାଇବା ବା ରଦ୍ଦ କରିବା ନିହାତି ଜରୁରୀ। ଏପ୍ରିଲ ୨୦୧୫ ମସିହାରେ ଲ କମିଶନ ତାଙ୍କ ରିପୋର୍ଟରେ ଏକ ଆଇନ ଆଣିବା ପାଇଁ ସୁପାରିଶ କରିଛନ୍ତି। କମିଶନ କୁଷ୍ଠରୋଗୀ ରହୁଥିବା ଜମି ଉପରେ ସେମାନଙ୍କୁ ମାଲିକାନା ସ୍ୱତ୍ତ୍ୱ ପ୍ରଦାନ କରିବା ବା ସେମାନଙ୍କ ପାଇଁ ଚିରସ୍ଥାୟୀ ବନ୍ଦୋବସ୍ତ କରିବା ପାଇଁ ସୁପାରିଶ କରିଛନ୍ତି। ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାକିରୀ କ୍ଷେତ୍ରରେ ଆବଶ୍ୟକୟ ସୁବିଧା ସୁଯୋଗ ସୃଷ୍ଟି କରେଇବା, ଭିନ୍ନକ୍ଷମ ଆଇନ ୧୯୯୫ରେ ବ୍ୟାପକ ସଂଶୋଧନ ଅଣାଯାଇ କୁଷ୍ଠ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା, ସରକାରୀ ପରିବହନରେ ସସମ୍ମାନେ ଯାତ୍ରା ସୁବିଧା କରିବା ଓ ସାମର୍ଥ୍ୟ ଅନୁଯାୟୀ ଗାଡ଼ି ଚଲେଇବା ପାଇଁ ଲାଇସେନ୍ସ ପ୍ରଦାନ କରିବା ପାଇଁ ମଧ୍ୟ ସୁପାରିଶ କରିଛନ୍ତି। ଏହି ବଞ୍ଚିତ ଶ୍ରେଣୀ ନିଜର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଅନ୍ବେଷଣ ଓ ଧନ୍ଦାମୂଳକ ତାଲିମ ଇତ୍ୟାଦି ପାଇଁ ବିଶେଷ କରି ସରକାରୀ ପରିବହନ ଯଥା ବସ୍ ଆଦି ଉପରେ ନିର୍ଭରଶୀଳ। କିନ୍ତୁ ସେମାନେ ସେଥିରେ ମଧ୍ୟ ବାଛବିଚାରର ସମ୍ମୁଖୀନ ହେଉଥାନ୍ତି। ଏକ ସମ୍ମାନଜନକ ଜୀବନ ବଞ୍ଚିବା ପାଇଁ ଏହି ବିଭେଦକୁ ଦୂର କରାଯାଇ ସେମାନଙ୍କୁ ଆବଶ୍ୟକ ସୁବିଧା ଓ ସୁଯୋଗ ଦିଆଯିବାର ଆବଶ୍ୟକତା ଅଛି। ମହାରାଷ୍ଟ୍ର ସରକାର, ସରକାରୀ ପରିବହନ ଯଥା ବସରେ ଯାତାୟତ ଭଡ଼ାରେ ୭୫ ପ୍ରତିଶତ ରିହାତି ସେବା ଯୋଗାଇ ଦେଉଛନ୍ତି। ସରକାରଙ୍କର ତରଫରୁ କୁଷ୍ଠରୋଗର ବିଲୋପ ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। କିନ୍ତୁ ତାର ଫାଇଦା ପହଞ୍ଚୁ ନାହଁି ପ୍ରକୃତ ରୋଗୀଙ୍କ ପାଖରେ। ଭାରତ ସରକାରଙ୍କ ଦ୍ୱାରା ମୁକ୍ତ ଭାବେ କୁଷ୍ଠରୋଗୀମାନଙ୍କୁ ମାଗଣା ଔଷଧ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାରର ରିହାତି ଓ ଅନୁକମ୍ପା ରାଶି ଯୋଗାଇ ଦିଆଯାଉଛି। ଏହା ଉପରେ ଅଧିକରୁ ଅଧିକ ଗବେଷଣା ହେଉଛି। ସର୍ବୋପରି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକ ସଚେତନା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ନେବା ଆବଶ୍ୟକ। ଯଥା, ଶୀଘ୍ର ଲ’ କମିଶନର ସୁପାରିଶଡ଼ିକ ସଂସଦରେ ବ୍ୟାପକ ତର୍ଜମା କରି ଆଇନ ଆଣିବାର ଯଥେଷ୍ଟ ଆବଶ୍ୟକତା ଅଛି। ଆଶା କରାଯାଏ  ଏହି ପ୍ରସ୍ତାବିତ ଆଇନ ଅଣାଗଲେ ସମାଜରେ ଭ୍ରାନ୍ତ ଧାରଣା ଏବଂ କଳଙ୍କିତ ଅଧ୍ୟାୟକୁ ମୂଳୋତ୍ପାଟନ କରିବାରେ ସହାୟକ ହେବ। ସମ୍ବିଧାନରେ ଉଲ୍ଲେଖ ଥିବା ମୌଳିକ  ଅଧିକାର ଓ ସ୍ବାଧୀନତାକୁ ଆଧାର କରି,  ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଓ ତାର ପରିବାରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କଲେ ସେମାନେ ଏକ ସମ୍ମାନଜନକ ଜୀବନଯାପନ କରିପାରିବେ। ଉପରୋକ୍ତ ସମସ୍ୟା ଓ ସମାଧନର ସୂତ୍ର ପାଇଁ ଜନମାନସର ଦୃଷ୍ଟିଭଙ୍ଗୀ ବଦଳାଇବା ପାଇଁ ବ୍ୟାପକ ସଚେତନତା ବୃଦ୍ଧିର ଆବଶ୍ୟକତା ଅଛି। କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କର ମତରେ "ହାତ କିମ୍ବା ଗୋଡ଼ରେ କ୍ଷତ ହୋଇଯାଏ, ତାହେଲେ ମଁୁ ସହ୍ୟ କରି ପାରିବି କିନ୍ତୁ ସମାଜ ଯେମିତି ଆମକୁ ବହିଷ୍କାର କରି ଆସୁଅଛି ତାହା ଅସହ୍ୟ। ଏହିଭଳି ସ୍ଥିତି ଆମ ସମସ୍ତଙ୍କ ପାଇଁ ଏକ ଲଜ୍ଜାକର ସ୍ଥିତିକୁ ଟାଣିନେଉଛି। ସାମାଜିକ କର୍ମୀ ଓ ସ୍ତମ୍ଭକାର, ଚଳଭାଷ- ୮୭୬୩୨୧୦୬୦୮

Share :