ଆସ ରେ ଅମେ ଗାଁକୁ ଯିବା...

ଆସ ରେ ଅମେ ଗାଁକୁ ଯିବା...

Share :

ଦେବଦତ୍ତ ପତି   ଏବେ କିଛି ଦିନ ତଳେ ସରକର ଆଜ୍ଞା ଠିକ କଲେ କି ସବୁ ସରକାରୀ ବାବୁ ଆଉ ମନ୍ତ୍ରୀମାନେ ଗାଁ କୁ ଯିବେ। ସୋସିଆଲ ମିଡିଆରେ ଚଳପ୍ରଚଳ ହେବେ। ଭଲ କଥା। ମନ୍ତ୍ରୀ, ଯନ୍ତ୍ରୀ ଆଉ ତନ୍ତ୍ରୀ ମାନଙ୍କର ମନ ଭାରି ଖୁସି। ଜଣେ ଟୋକାଳିଆ ମନ୍ତ୍ରୀ ଏକଥା ଶୁଣିଲା ପରେ ଖୁସିରେ କୁରୁଳି ଉଠିଲେ। କିହୋ ଖୁସି ହବନି କିଆଁ? ଗାଁକୁ ଯିବେ ଟି..। ଖୁସିର ଘରକୁ ଆସି ତାଂକ ପତ୍ନିଙ୍କୁ ଟିକେ କଫି କରିବାକୁ କହି ଆରମ ଚେଆରରେ ବସି ଗଲେ। ମନେ ପକାଇ ଚାଲିଲେ, ଗାଁରେ ସେ କ’ଣ  କରିବେ? ଗାଁକୁ ଯିବାରେ ଯୋଉ  ମଜା! ମାନେ ଗାଁରେ ଲମ୍ବା ଲମ୍ବା ଧାନ କ୍ଷେତ, ଗହମ କ୍ଷେତ, ଏବେ ତ ଆମ୍ବ ଆଉ ବଉଳର ସମୟ। ଗାଁ ନଈ କୁଲେ ବୁଲିବେ। ଥଣ୍ଡା ଥଣ୍ଡା ପବନରେ ସେ ଯୋଉ ମଜା.. ଏଠି ସେ ମଜା କାହିଁ? ବହୁତ ଦିନ ହେଲା ଗାଁ ତ ଛାଡିଲେଣି। ଆଉ ସେ ଗାଁର ନଈ କୁଳ, ଗାଁ ବରଗଛ ଓହଳରେ ଦୋଳି ଖେଳ, ଆମ୍ବ ତୋଟାରେ ବୁଲି ବୁଲି ଆମ୍ବ ତୋଳିବା, ଜାମୁ କୋଳି ତୋଳି ଖାଇବା, ଅଣ୍ଟିରେ ଅଣ୍ଟିଏ ପୂରେଇ ଆଣିବା... ସବୁ ମନେ ପଡି ଯାଉଥାଏ। ଏବେ ତ ବସନ୍ତ ଋତୁ। ସକାଳୁ ସକାଳୁ ନିମ ଗଛରେ ହଳଦୀ ବସନ୍ତମାନେ ଯୋଡି ଯୋଡି ହୋଇ ବସିଥିବେ ଫୁଲ ଖାଇବା ପାଇଁ। କି ସୁନ୍ଦର ସେ ଦୃଶ୍ୟ! ସବୁଠୁ ବଡ କଥା ହେଲା ଏ ସବୁର ଫଟୋ ଉଠାଇ ଫେସବୁକରେ ଛାଡିବା। ଓହୋ କେତେ ଲାଇକ୍ ମିଳିବ। ଏବେ ଖେତରେ ହଳ ହଉ ଥିବ, ହଳ ତ ଜୀବନରେ କେବେ କରିନେ। ତ କଣ ହେଲା? କଣ୍ଟିରେ ଟିକେ ହାତ ଲଗେଇ ଫଟୋ ତ ଉଠାଇ ହେବ ନା! ଏଠି ଖାଲି କ୍ରିକେଟ୍ ଖେଳ ଟିଭିରେ ଦେଖି ଦେଖି ମଣିଷ ବହୁତ ଅଳସୁଆ ହେଇ ଗଲାଣି। ସେଠି ତ ଗାଁରେ ବାଗୁଡି, ଗୋବର ଦଣ୍ଡା, ବହୂଚୋରୀ, ରୁମାଲ ଚୋରି, ଗିଲିଦଣ୍ଡା, ତାସ, ପଶା.. କେତେ କ’ଣ ଖେଳ? ଏ ସବୁ ଗାଁ ଲୋକଂକ ସାଂଗରେ ଖେଳିଲେ ଆର ଥରକୁ ଭୋଟଟା ବି ପକ୍କା ଜାଣ। କି ଡାଲି ଦର ବଢିଲା ଯେ ଜନତା ଖାଲି ଡାଲି ଡାଲି ହଉଚନ୍ତି। ପିଆଜ ପିଆଜ କହି ବିଧାନସଭାରେ ଅମ ଆଖିରୁ ଲୁହ ଗଡାଇ ଦେଲେଣି ହୋ। ଏଥର ଗୋଟେ କମ କରିବା। ଗାଁକୁ ଗଲେ ସେଠି ଲୋକଂକ ସଂଗେ ଡାଲି ବୁଣିବା, ପିଆଜ ଓ ରସୁଣ ଲଗାଇବାକୁ ମତେଇବା। ଖାଲି ଏ ଧାନ ଚାଷରେ କୋଉଠି ପେଟ ପୂରେ କିହୋ! ଏଥର ସ୍ଲୋଗାନ ହବ- ଆସ ଚାଷ କରିବା, କଳହଳ ଧରିବା, ବେଳ ଦେଖି ପାଣି ଦେଇ ଚାଷ କାମ ସାରିବା। ଶାଗ ଖାଇବା। ସେ ପୁଣି କେତେ ରକମର ଶାଗ..ପିତାଗମ, ମଦରଙ୍ଗା, କାନଶିରୀ, କଳମ, ସୁନୁସୁନିଆ.. କେତେ ରକମର ଶାଗ। ଏଇ ଯୋଉ ବହୁମୂତ୍ର ରୋଗ ବ୍ୟାପିଲାଣି.. ଏ ଶାଗଫାଗ ଖାଇ କି ରକ୍ତରୁ ଶର୍କରାର ମାତ୍ରା ଟିକେ କମାଇବାକୁ ପଡିବ। ଦି’ ପହରରେ କ୍ଷେତ ଆଡୁ ଆସି ଖିଆପିଆ ସରିଲେ ଖରାବେଳେ ବସିଯିବା କୋଉ ଆମ୍ବ ତୋଟାରେ ଅଥବା କାହା ଚୌପାଢୀରେ। ତା ପରେ ଆରମ୍ଭ ହେଇଯିବ ଟିକେ ହୁକା ପାଣି, ଚିନ୍ତା କରନ୍ତୁ ତ ସେଠି ବସିଥିବା ଜମିଦାର ପରି, ହୁକା ଚାଲି ଥିବ.. ଆଉ ଗାଁ ଲୋକମାନେ ଆଗରେ ବସି ଆହା ଆହା କରୁଥିବେ। ଏ ମଜା କଲିକତା କି ମୁମ୍ବଈର ନାଚଖାନା ରେ ମିଳିବ?? ହଁ, ଲୋକମାନେ ଅସିବେ। କିଏ କହିବ ଗାଁରେ ବିଜୁଳି ନାହିଁ, ଅଥବା ଅଛି ଯେ ଆସୁନି.. ଆମେ କହିବା.. କହିବା କ’ଣ ମ.. ଗାଇ କି ଶୁଣଇ ଦବା ବା.. ସେଇ ଯୋଉ ଗୀତ.. ସଚୀ ରୌତ୍ରରା ନ କା’ର... ଛୋଟ ମୋର ଗାଁଟି, ଆଉଅ ତା’ର କି ମନୋହର ଅନ୍ଧକାର ତା’ଠାରୁ ଭଲ...। ଏହା ପରେ କି ତାଳି! ଚିନ୍ତା କଲେ! ହା ହା ହା। ଏଇ ଯୋଉ ରାହାଗିରି ଚାଲିଚି ଭୁବନେଶ୍ବର ଆଉ ପୁରୀରେ.. ତା’ର କିଛି ଫଟୋ ନେଇ ସେ ଗାଁ ଟୋକାଗୁଡ଼ାଙ୍କୁ ଦେଖାଇଦବା। ତା’ ପରେ ଆରମ୍ଭ କରିବା ସେଠି ରାହାଗିରି। ଦେଖେଇଦବା କି ତୁମ ଗାଁରେ ଯୋଉ ବୁଢାବୁଢୀମାନେ ସକାଳୁ ସକାଳୁ ଗାଁରେ ଖରକାଖାରକି କରୁଛନ୍ତି ସେଗୁଡା କିଛି ନୁହେଁ। ତା’ ପରେ ତ ଗାଁରେ ଗାଈଗୋରୁମାନେ ଅପରିସ୍କାର କରିଦଉଚନ୍ତି। ଗାଈଗୋରୁମାନନ୍କୁ ଆଉ ନିର୍ବିଘ୍ନରେ ବାହାରେ ନା ଛାଡି ସେମାନଙ୍କୁ ଗୋଶାଳାରେ ରଖିବା। କ୍ଷୀର ତ କ୍ଷୀର.. ଗୋବର ବି ବିକ୍ରୀ କରିବା। ଜଣେ ପାରିବାର ମନ୍ତ୍ରୀ ଯିଏ କି କେନ୍ଦ୍ରରେ ତେଲ ବିଭାଗରେ ଅଛନ୍ତି କହିଚନ୍ତି ପରା ଗୋବର ବି ବିକିଲେ ସିଏ ନେଇ ଯିବେ, କି ଗ୍ୟାସଫ୍ୟାସ୍ ବାହର କରିବେ। ହଁ ଭୁଲି ଗଲି। ସେମାନଙ୍କୁ ଦେଖେଇ ଦବା.. ଦେଖ ମାସର ପ୍ରତି ରବିବାର ଆମେ କେମିତି ରହାଗିରି କରୁଚୁ। ପୂରାପୂରୀ ରାସ୍ତା ତ ଆମର ସେଦିନ। ଗାଈଗୋରୁ ମାନଂକ ପାଇଁ ନୁହେଁ। ସେଠି ଗାଁ ରାସ୍ତାରେ ଆରମ୍ଭ କରିବା ନାଚଗୀତ, ଚିତ୍ରାଙ୍କନ। ଗାଁର ଛୋଟ ଛୋଟ ପିଲା ଝିଅବୋହୂମାନେ ଆସିବେ, ନାଚଗୀତରେ ହୁଲସ୍ତୁଲ କରି ଦବା ଗାଁ ରାସ୍ତାକୁ। ସଫାସଫି କରି ସଜେଇ ରଙ୍ଗେଇ ଚମକେଇ ଦବା ଗାଁ ରାସ୍ତାକୁ। ତା ପରେ ସେ ବୁଢାବୁଢୀମାନେ କେତେ ସଫା କରୁଛନ୍ତି କରନ୍ତୁ। ଏବେ ତ ସରକାର କେତେ କାମ କରୁଚି, ଗାଁ ଗାଁରେ ମଦ ଦୋକାନ, ରାସ୍ତା, ଡାକ୍ତରଖାନା, ବିଦ୍ୟାଳୟ, ବନ୍ୟା ଆଶ୍ରୟ ସ୍ଥଳ, ବାତ୍ୟା ଅଶ୍ରୟ ସ୍ଥଳ, ବୈଦ୍ୟୁତିକ ଚୁଲା- ମାନେ ଆଗେ ଯୋଉ କିଏ ମରିଗଲେ ଲୋକମାନେ ନେଇ ମଶାଣିରେ ପୋଡ଼ୁଥିଲେ ସେଥିରେ କେତେ କାଠ ଖର୍ଚ ହଉଥିଲା, ପ୍ରଦୂଷଣ ହଉଥିଲା, ଏଥିରେ ତାହା ହବନି, ବିଦ୍ୟୁତ ଚୁଲାରେ ପୋଡ଼ିହବ। ଏ ସବୁ କଥାବାର୍ତ୍ତା ଗାଁରେ ଚାଲୁଥିଲା ବେଳେ ହଠାତ ନିଶକୁ ଫୁଲେଇ ଜଣେ କାଶାଲିଆ ବୁଢାଲୋକ ଅସିଯିବେ। ସିଧା ମନ୍ତ୍ରୀଙ୍କୁ ପଚାରିବେ, ଆହେ, ସରକାର ତ ଗାଁକୁ ଅସିବେ, କଳ କାରଖାନା କରିବେ, ରାସ୍ତା କରିବେ, ଡାକ୍ତରଖାନା କରିବେ, ତୁମେ ସବୁ ବାଳୁଙ୍ଗା ଟୋକାଏ ଆସି ଏଠି ରାହାଗିରି କରିବ, ଗାଈଗୋରୁଙ୍କୁ କାଞ୍ଜିଆହୁଦାକୁ ନେବା। ହେଲେ ବାପ ମୋତେ ଗୋଟେ କଥା କହିଲୁ, ମୁଁ ଯେତେବେଳେ ମରିଯିବି ମୋ ପାଟିରେ ଗଙ୍ଗାଜଳ ଟିକେ କିଏ ଦବ? ମୋ ଶବକୁ ତମର ସେ ଏଲେକ୍ତ୍ରି ଚୁଲାକୁ ନେଲାବେଳେ ଚାରି ଜଣ ଲୋକ କାହୁଁ ଆଣିବ? ସେଠୁ ଅମ୍ଭେ ତାଙ୍କୁ କହିବୁ କି ସତରେ ଆଜ୍ଞା, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି ଆଉ ଆମକୁ ଗାଁକୁ ପଠାଇଚନ୍ତି ସରକାରଙ୍କ ଯୋଜନା ସବୁ କାମରେ ଲଗାଇବାକୁ। ଏଠାରେ ବହୁ  କାମ ହବ। ଗାଁର ଚିତ୍ର ବଦଳିଯିବ। ଫେସବୁକ୍, ଟୁଇଟର ଓ ହ୍ବାଟସଆପରେ ତୁମ ଗାଁର ଫଟୋ ଛଡାଯିବ। ଦେଶବିଦେଶରେ ସବୁ ଦେଖିବେ। ଗାଁ ଆଉ ଗାଁ ହୋଇ ରହିବ ନାହିଁ। ସହର ହୋଇଯିବ। ସେଠୁ ବୁଢା ମତେ ପ୍ରଶ୍ନ କଲା, ଆଉ ମୁଁ ମରିଗଲା ପରେ ଗୋବର ଟିକେ କାହୁଁ ଆଣିବ ମୋ ଶବ ପାଖରେ ଛିଞ୍ଚିବା ପାଇଁ? ଠୋ କିନା ମୋ କର୍ଣ୍ଣମୂଳରେ କିଏ ଚାପୁଡ଼ାଏ ମାରିଲା ପରି ଲାଗିଲା। ମୁଁ ଖୁବ ଜୋରରେ ହାତ ଉଠାଇ ଦବାରୁ ଗରମ କଫିଟା ଢାଳି ହୋଇଗଲା। ତା’ ପରେ ପତ୍ନୀଙ୍କ ଚିତ୍କାରରେ ମନ୍ତ୍ରୀଙ୍କ ଗାଁ ନିଶା ଛାଡିଗଲା। କାନମୁଣ୍ଡ ଆଉଁସି ଆଉଁସି ଚାଲିଲେ ବିଧାନ ସଭା ଆଡେ। ବନ୍ଦାଳୋ, ମଂଜୁରୀ ରୋଡ଼, ଭଦ୍ରକ, ମୋ-୯୬୬୮୬୭୪୫୦୭

Share :