ବିଜୁବାବୁ-କେବଳ କିମ୍ବଦନ୍ତୀ

ବିଜୁବାବୁ-କେବଳ କିମ୍ବଦନ୍ତୀ

Share :

ହଁ, ସେ କେବଳ ଏକ କିମ୍ବଦନ୍ତୀ। ସେଥିରେ ସତ୍ୟର ଭାଗ ବହୁତ କମ୍। ଯେତିକି କରିଛନ୍ତି ତା’ଠୁ ଅନେକ ପ୍ରଚାର ହୋଇଛି। ମନ୍ତ୍ର ଗୋଟିଏ ଯାହାକୁ ଲକ୍ଷ ଲକ୍ଷ ଥର ଜପ କରାଯାଇଛି। ତିନି ତୁଣ୍ଡରେ କୁକୁର ହୋଇଯାଇଛି ଛେଳି। ପରଲୋକ ଗମନ କରିଥିବା ଏକ ଆତ୍ମା ସଂପର୍କରେ ଏ ଧାଡ଼ି କେଇଟି ଅତ୍ୟନ୍ତ କଠୋର ଲାଗିପାରେ। ସମସ୍ତେ ଯେତେବେଳେ ତାଙ୍କର ଭଜନକୀର୍ତ୍ତନ କରୁଛନ୍ତି ସେତେବେଳେ ଏଭଳି ଏକ ନକାରାତ୍ମକ ଅଭ୍ୟବ୍ୟକ୍ତି ଅନେକଙ୍କୁ ପସନ୍ଦ ନହୋଇପାରେ। ମାତ୍ର, କେବଳ ସତ୍ୟର ସନ୍ଧାନ କରିବା ନୁହେଁ ସତ୍ୟର ଦର୍ଶନ କରିବା ମଧ୍ୟ ସମସ୍ତଙ୍କର ଧ୍ୟେୟ ହେବା ଉଚିତ। ବିଜୁ ପଟ୍ଟନାୟକଙ୍କ ନାଁରେ ଗୋଟେ ଦଳ ଓଡ଼ିଶାରେ ୨୦ ବର୍ଷ ଶାସନ କରିବାକୁ ଭୋଟ ପାଇଛି। ସେଥିରୁ ୧୬ ବର୍ଷ ଭୋଗ କରିସାରିଲେଣି ତାଙ୍କର ଜଣେ ପୁଅ-ଓଡ଼ିଆ ନକହି, ଓଡ଼ିଆଙ୍କ ସଙ୍ଗେ ନମିଶି କି କାହା ଘରେ ପଖାଳ ଶୁଖୁଆ ନଖାଇ। ବିଜୁବାବୁଙ୍କ ସହିତ ନବୀନବାବୁଙ୍କୁ ତୁଳନା କଲେ ସତରେ କ’ଣ ମନର କୌଣସି କୋଣରେ ଏକ ପ୍ରଶ୍ନ ଉଠେନି-ଏ କ’ଣ ସତରେ ବିଜୁବାବୁଙ୍କ ପୁଅ? ଠିକ୍ ସେମିତି, ବିଜୁବାବୁଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବର ନିରପେକ୍ଷ ଅନୁଶୀଳନ କରାଗଲେ ନିଶ୍ଚୟ ଏକ ପ୍ରଶ୍ନ ଉଠିପାରେ- ବିଜୁବାବୁ ସତରେ ଓଡ଼ିଶାର କ’ଣ କରିଛନ୍ତି? କ’ଣ କରିବାକୁ ଚାହୁଁଥିଲେ ସେ? କି ସ୍ବପ୍ନ ଦେଖିଥିଲେ ଓଡ଼ିଶା ପାଇଁ? ବିଜୁବାବୁ କ୍ୟାରିଅର୍ ଆରମ୍ଭ କରିଥିଲେ ପାଇଲଟଗିରିରୁ। ସେ ଥିଲେ ଜଣେ ପେସାଦାର ପାଇଲଟ୍। ତା’ପରେ ସେ ହେଲେ ଶିଳ୍ପପତି। ସ୍ବାଧୀନତା ପରେ ଓଡ଼ିଶାରେ ହରେକୃଷ୍ଣ ମହତାବଙ୍କ ଆଶୀର୍ବାଦରେ ବିଜୁବାବୁ ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ତାଙ୍କର ପ୍ରାୟ ସମସ୍ତ ଶିଳ୍ପ ପଛରେ ଥିଲା ହରେକୃଷ୍ଣ ମହତାବଙ୍କର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସହଯୋଗ। ଖାସ୍ ସେଇଥିପାଇଁ ସେ ନବକୃଷ୍ଣ ଚୌଧୁରୀଙ୍କ ପରି ଦେବପ୍ରତିମ ନେତାଙ୍କୁ ଅପମାନିତ କରିବାକୁ ପଛାଇ ନଥିଲେ। ହରେକୃଷ୍ଣ ମହତାବଙ୍କୁ ପୁଣି ଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ବିଜୁବାବୁ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ନବକୃଷ୍ଣ ଚୌଧୁରୀଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ଥିଲେ। ନବକୃଷ୍ଣ ଚୌଧୁରୀ ଓଡ଼ିଶାର ସଂଖ୍ୟାଧିକ ଚାଷୀମୂଲିଆ ଓ କାରିଗରଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ କୃଷି ବିକାଶ ଉପରେ ଜୋର ଦେଉଥିଲେ। ସେ ଦିଗରେ ସେ ଯେଉଁ ଭୂସଂସ୍କାର ଆଇନ ପ୍ରଣୟନ କରିଥିଲେ ତାହାକୁ ତତ୍କାଳୀନ ଭାରତର ସବୁଠୁଁ ପ୍ରଗତିଶୀଳ ଆଇନ ବୋଲି କୁହାଯାଉଥିଲା। ପରେ ଏହି ଆଇନ ଆଧାରରେ ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶ ଆଜି ରାଜ୍ୟରେ ଭୂସଂସ୍କାର ଆଇନ ପ୍ରଣୀତ ହୋଇଥିଲା। ନବକୃଷ୍ଣ ଚୌଧୁରୀ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ସେ ଦେଶ ସେବା ପାଇଁ ନିଜର ସମସ୍ତ ସଂପତ୍ତି ଉତ୍ସର୍ଗ କରିଥିଲେ। ତାଙ୍କର ଅର୍ଥ, ସଂପତ୍ତି ଓ କ୍ଷମତାର ମୋହ ନଥିଲା। କିନ୍ତୁ ବିଜୁବାବୁ ଓ ମହତାବବାବୁ ଥିଲେ ଓଲଟା। ରାଜନୀତିକ କ୍ଷମତା ପାଇଁ ଉଭୟ ବିଜୁ ଓ ମହତାବ ଅନେକ ଅନୈତିକ ଉପାୟ ଅବଲମ୍ବନ କରିଥିବା କଥା ସୁରେନ୍ଦ୍ର ମହାନ୍ତି ଓ ନୀଳମଣି ରାଉତରାୟ ପ୍ରମୁଖ ସ୍ବୀକାର କରିଛନ୍ତି। ତେବେ ହରେକୃଷ୍ଣ ମହତାବ ଅଗରପଡ଼ା ପରି ଏକ ଗ୍ରାମୀଣ ପରିବେଶରୁ ଆସିଥିବାରୁ ସେ ଚାଷୀ ଓ ଚାଷର ମହତ୍ବ ବୁଝିଥିଲେ ଏବଂ ସେଥିପାଇଁ କୃଷି ବିକାଶ ଉପରେ ମଧ୍ୟ ଅନେକ ଗୁରୁତ୍ବ ଦେଇଥିଲେ। ଖଣି ଓ ଶିଳ୍ପ ଉପରେ ବି ତାଙ୍କର ନଜର ଥିଲା। ସିରାଜୁଦ୍ଦିନ କମ୍ପାନୀର ଉନ୍ନତି ତାଙ୍କରି ସମୟର କଥା। କିନ୍ତୁ ୧୯୫୭ ବସିହାରେ ହରେକୃଷ୍ଣ ମୁଖ୍ୟମନ୍ତ୍ରୀ ହେବା ପରେ ବିଜୁବାବୁ ରାତିକ ଭିତରେ ହାତୀ ସୃଷ୍ଟି କରିବାର ଯୋଜନା କଲେ। ସେତେବେଳେ ସେ ଅନେକ ଅସ୍ଥିର ଥିଲେ। ଯାହା ଚିନ୍ତା କରୁଥିଲେ ସାଙ୍ଗେସାଙ୍ଗେ ତାହା କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ସବୁ କଥାରେ ମୁଖ୍ୟମନ୍ତ୍ରୀ ରାଜି ହେବା ସମ୍ଭବ ନଥିଲା। ସେଥିରୁ ଦୁହିଁଙ୍କ ଭିତରେ ଅପଡ଼ ହେଲା। ବିଜୁବାବୁ ନିଜର ରାଜନୀତିକ ଗୁରୁ ହରେକୃଷ୍ଣ ମହତାବଙ୍କ ବିରୋଧରେ ଷଡ଼ଯନ୍ତ୍ର କଲେ ଓ ସଫଳ ହେଲେ। ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ବିଜୁବାବୁ ଓଡ଼ିଶର କୃଷିଭିତ୍ତିକ ଅର୍ଥନୀତିକୁ ଧ୍ବଂସ କରିବା ପାଇଁ ଶିଳ୍ପାୟନ ଉପରେ ଗୁରୁତ୍ବ ଦେଲେ। ତାଙ୍କର ଟାଇଲ ଛପର ଘର, ଦ୍ବିତୀୟ ଇସ୍ପାତ କାରଖାନା, କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ରିଜିଓନାଲ ରିସର୍ଚ୍ଚ ଲାବୋରେଟୋରି, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଆଦି ଅନେକ ଅବଦାନ ତାଙ୍କର ଶିଳ୍ପ ଓ ସହର ଭିତ୍ତିକ ଦୃଷ୍ଟିଭଙ୍ଗୀର ପ୍ରମାଣ ଦିଏ। ଏହି ସମୟରେ ସେ ଓଡ଼ିଶାର କୃଷି ବିକାଶ ପାଇଁ ମଂଜୁର ହୋଇଥିବା ପ୍ରାୟ ୧୮ କୋଟି ଟଙ୍କା ପାରାଦୀପ ବନ୍ଦର ବିକାଶରେ ଖର୍ଚ୍ଚ କରି କାଳକାଳକୁ ନାଁ ରଖିଗଲେ। କିନ୍ତୁ କାଳକାଳକୁ ଓଡ଼ିଶାର ଚାଷ ଉଜୁଡ଼ିଗଲା। ସେହି ସମୟରେ ଭାରତର ଅନେକ ରାଜ୍ୟ ସବୁଜ ବିପ୍ଳବ ଜରିଆରେ ଖାଦ୍ୟ କ୍ଷତ୍ରରେ ଆତ୍ମନିର୍ଭରଶୀଳ ହେବା ସଙ୍ଗେସଙ୍ଗେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିଥିଲେ। କିନ୍ତୁ ବିଜୁବାବୁଙ୍କ ଯୋଗୁଁ କୃଷିଭିତ୍ତିକ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଆସିଥିବା ଟଙ୍କା ପାରାଦୀପ ବନ୍ଦରରେ ଖର୍ଚ୍ଚ ହୋଇ ଓଡ଼ିଶାର ଖଣିଜ ସଂପଦ ଲୁଟ୍ କରିବା ପାଇଁ ପଥ ପ୍ରସ୍ତୁତ କଲା। ତା’ପରଠାରୁ ଏହି ବନ୍ଦର ବାଟେ ପ୍ରଧାନତଃ ଖଣିଜ ଓ ଧାତବ ପଦାର୍ଥ ହିଁ ରପ୍ତାନୀ ହୋଇଚାଲିଛି। ନବୀନବାବୁଙ୍କ ଅମଳରେ ଘଟିଥିବା ୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିରେ ମଧ୍ୟ ଏହି ବନ୍ଦରର ପ୍ରମୁଖ ଭୂମିକା ରହିଛି। ୧୯୭୭ ମସିହାରେ ବିଜୁବାବୁ କେନ୍ଦ୍ରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲାବେଳେ ଏବଂ ୧୯୯୦ ମସିହାରେ ଦ୍ବିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସମୟରେ ମଧ୍ୟ କୃଷି ଓ କୃଷକର ବିକାଶ କଥା ପଛକୁ ପକାଇ ଶିଳ୍ପ ଓ ସହର କଥା ଅଧିକ ଚିନ୍ତା କରୁଥିଲେ। ଦ୍ବିତୀୟ ଇସ୍ପାତ କାରଖାନା ଓ କଳିଙ୍ଗନଗର ଶିଳ୍ପାଂଚଳ ପାଇଁ ସେ ଯେତିକି ଉଦ୍ୟମ କରିଥିଲେ ଓଡ଼ିଶାର କୃଷି ଓ କୃଷକ ବିକାଶ ପାଇଁ ସେତିକି ଉଦ୍ୟମ କରିଥିଲେ ଓଡ଼ିଶା ଲୋକଙ୍କୁ ଆଜି ତାଙ୍କ ପୁଅର ଅନ୍ନଛତ୍ର ଯୋଜନା ଉପରେ ନିର୍ଭର କରିବାକୁ ପଡ଼ୁ ନଥାନ୍ତା। ବିଜୁବାବୁ ହିଁ ଏକକ ଭାବରେ ଓଡ଼ିଶାର କୃଷି ଅର୍ଥନୀତିକୁ ଶିଳ୍ପ ଅର୍ଥନୀତିରେ ପରିବର୍ତ୍ତନ କରିବାର ଦୁର୍ବର ଅଭିଯାନ ଚଳାଇ ସଫଳ ହୋଇଥିଲେ। ତାଙ୍କ ପରେ ଜାନକୀବାବୁ ‘ହଜାରେ ଦିନରେ ହଜାରେ କୋଟି ଟଙ୍କାରେ ହଜାରେ ଶିଳ୍ପ’ର କାର୍ଯ୍ୟକ୍ରମ ଜରିଆରେ ଶିଳ୍ପର ମାହୋଲକୁ ଅଧିକ ଦୃଢ଼ୀଭୂତ କଲେ ଏବଂ କୃଷିର ଭିତ୍ତିଭୂମିକୁ ଆହୁରି ଦୁର୍ବଳ। ଏବଂ ଗଲା ୧୬ ବର୍ଷ ଧରି ନବୀନବାବୁ ମଧ୍ୟ ସେହି ଦୁଇ ଜଣଙ୍କ ବାଟରେ ଚାଲିଛନ୍ତି- ଦ୍ରୁତ ଶିଳ୍ପାୟନ ଜରିଆରେ ନବୀନବାବୁ ଓଡ଼ିଶା କୃଷିର କି କ୍ଷତି ସାଧନ କରିଛନ୍ତି ତାହା କୃଷକମାନେ ହିଁ ଅନୁଭବ କରୁଛନ୍ତି-ଯୋଉଥିପାଇଁ ଓଡ଼ିଶାର ୪.୨୦ କୋଟି ଲୋକରୁ ୩.୨୫ କୋଟି ଲୋକ ଏବେ ପଡ଼ିକାର୍ଡ଼ ଉପରେ ନିର୍ଭରଶୀଳ। ତେବେ ବିଜୁବାବୁଙ୍କ କୁକୀର୍ତ୍ତି ଉପରେ ଓଡ଼ିଶାରେ ଏଯାଏଁ କିଛି ଆଲୋଚନା ହୋଇନାହିଁ। ଯାହା ହୋଇଥିଲା ସେହି ଷାଠିଏ ଦଶକରେ। ମଦ ବୋତଲ କେଉଁଠି, ବିଜୁବୀରେନ ଯେଉଁଠି ଓ କିଏ ଓଡ଼ିଶାର ଛତରା, ବିଜୁ ବୀରେନ ରାଉତରା ପରି ସ୍ଲୋଗାନ ସେତେବେଳେ ଅନେକ ଲୋକଙ୍କୁ ଆନ୍ଦୋଳିତ କରିଥିଲା। କିନ୍ତୁ ତାଙ୍କର ବ୍ୟକ୍ତିଗତ ହାସଲ ଓ ସହାୟତା ଆଦି ସଂପର୍କରେ ଅନେକ ଲୋକ ଅନେକ କଥା ପ୍ରଚାର କରିଛନ୍ତି। ବିଜୁବାବୁ ଏତେ ବଡ଼ ବ୍ୟକ୍ତି, ଏତେ ବିଶାଳ, ଏତେ ମହାନ୍! ତେବେ ତାଙ୍କ ସଂପର୍କର ଇତିହାସ ପ୍ରମାଣିସିଦ୍ଧ ବହିଟିଏ କାହିଁକି କେହି ରଚନା କରି ନାହାନ୍ତି? ନିଜେ ବିଜୁ ତାଙ୍କର ଆତ୍ମଜୀବନୀ ଲେଖି ନାହାନ୍ତି କି ତାଙ୍କର ଜୀବନୀ ଲେଖିବାକୁ କାହାକୁ ଅନୁମତି ଦେଇ ନାହାନ୍ତି। ତାଙ୍କ ପୁଅ ନବୀନ ପଟ୍ଟନାୟକ ମଧ୍ୟ ସେ ଦିଗରେ ନିଷ୍କ୍ରିୟ ବା ଉଦାସୀନ କାହିଁକି? ବାପାଙ୍କର ବଦନାମ ହେବ ବୋଲି? ବିଜୁ-ରହସ୍ୟ ଉପରୁ ପରଦା ହଟିଗଲେ ବିଜୁ ଜନତା ଦଳର ଅପମୃତ୍ୟୁ ହେବା ଆଶଙ୍କାରେ? ବିଜୁବାବୁଙ୍କ ସଂପର୍କରେ ଯାହା କିଛି ଶୁଣାଯାଏ ସବୁ କିଛି ତାଙ୍କ ବନ୍ଧୁ ଓ ଚେଲାଙ୍କର ପ୍ରଚାର। ତାଙ୍କ ସଂପର୍କରେ ଯେତେଟା ସ୍ମରଣିକା ପ୍ରକାଶ ପାଇଛି ସବୁଥିରେ ପ୍ରାୟ ସମାନ ଲେଖା। ଏହିସବୁ ସମାନ ଲେଖା ଆଧାରରେ ଲେଖାଯାଇଛି ଆଉ କିଛି ଲେଖା। ବିଜୁବାବୁଙ୍କ ବନ୍ଧୁ ଓ ଚେଲାମାନେ କ’ଣ ତାଙ୍କ ଜୀବଦ୍ଦଶାରେ ତାଙ୍କ ବିରୋଧରେ କିଛି ସତ କଥା ଲେଖିବାର ସମ୍ଭାବନା ଥିଲା? ଡାକ୍ତର ଦାମୋଦର ରାଉତ, ଡାକ୍ତର କାଳିନ୍ଦୀ ବେହେରା, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ଅଶୋକ ଦାସ, ନଳିନୀ ମହାନ୍ତି, ସୁରେନ୍ଦ୍ର ନାୟକ, ପ୍ରଫୁଲ୍ଲ ଘଡ଼ାଇ, ଭାଗବତ ବେହେରାଙ୍କ ପରି ତାଙ୍କର ମଧ୍ୟମ ଓ କନିଷ୍ଠ ପିଢ଼ିର ଚେଲାଙ୍କ ପୂର୍ବରୁ ବୀରେନ ମିତ୍ର, ନୀଳମଣି ରାଉତରାୟ, ସୁରେନ୍ଦ୍ର ମହାନ୍ତି, ଅଇଁଠୁ ସାହୁ ପ୍ରମୁଖ ବିଜୁବାବୁଙ୍କ ସଂପର୍କରେ ଏମିତି ଅନେକ କଥା ପ୍ରଚାର କରିଯାଇଛନ୍ତି ଯେ ତାହାର କିଛି ଐତିହାସିକ ପ୍ରମାଣ ଥାଉ ବା ନଥାଉ ଲୋକେ ତାହାକୁ ବିଶ୍ବାସ କରିଯାଇଛନ୍ତି। ତେବେ ତାଙ୍କର ବିମାନ ଚାଳନା, ସାଇକେଲ ଯାତ୍ରା, ପୋଲଭଲ୍ଟ ଖେଳ ଆଦି କେତେକ ଦୁଃସାହସିକ କାର୍ଯ୍ୟ ତାଙ୍କୁ ନିଶ୍ଚୟ  ଏକ କିମ୍ବଦନ୍ତୀ ପୁରୁଷରେ ପରିଣତ କରିଛି। ତାଙ୍କ ରାଜନୀତିକ ଜୀବନ ଓ ସରକାର ସଂପର୍କର ଏଯାଏଁ ଗବେଷଣା ହୋଇନାହିଁ।

Share :