ଅପରାଧୀଙ୍କ ଅଡ୍ଶାସ୍ଥଳୀ ପାଲଟିଛି କୋଣାର୍କ

ଅପରାଧୀଙ୍କ ଅଡ୍ଶାସ୍ଥଳୀ ପାଲଟିଛି କୋଣାର୍କ

Share :

ବିଶ୍ୱ ଐତିହ୍ୟ ତଥା ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ପୁଲିସ ନିଷ୍କ୍ରିୟତା ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ମଦ୍ୟପଙ୍କ ଦୌରାତ୍ମ୍ୟ, ଚୋରୀ, ରାହାଜାନୀ, ବିଭିନ୍ନ ଲଜରେ ଦେହ ବ୍ୟବସାୟ, ଧର୍ଷଣ ଏବେ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ନ୍ୟାୟପ୍ରାର୍ଥୀ ଅଭିଯୋଗକାରୀମାନେ ଥାନାରୁ ସହଯୋଗ ନ ପାଇ ନିରାଶରେ ଫେରୁଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ସେମାନଙ୍କୁ ଛାଡି ଦେବା ଘଟଣା ପୁଲିସର କାର୍ଯ୍ୟକଳାପକୁ ସନ୍ଦେହରେ ପକାଉଛି। ଏପ୍ରିଲ ୧୦ ତାରିଖ ବିଳମ୍ୱିତ ରାତିରେ କେତେକ ମଦ୍ୟପ ଯୁବକ ନିଜର କାମଲାଳସା ଚରିତାର୍ଥ କରିବା ପାଇଁ କୋଣାର୍କ ଥାନା ଛକରେ ଦୀର୍ଘ ଦିନରୁ ରହି ଆସୁଥିବା ଜଣେ ପାଗଳୀ ଉପରେ ପାଶବିକ ଅତ୍ୟାଚାର କରିଥିଲେ। ସେହି ଯୁବକମାନଙ୍କ ମଧ୍ୟରୁ ଜେଣ ଯୁବକକୁ ସ୍ଥାନୀୟ ଲୋକେ ଧରି ଥାନାରେ ଦେଇଥିଲେ। ଯୁବକ ଜଣକ କିଛି ସମୟ ଥାନାରେ ବସିବା ପରେ କୁଜି ନେତାଙ୍କ ହସ୍ତକ୍ଷପ ଯୋଗୁଁ ବିନା କାର୍ଯ୍ୟାନୁଷ୍ଠାନରେ ଛାଡ଼ ପାଇଥିଲେ। ସେହିପରି ଏପ୍ରିଲ ୧୨ ତାରିଖ ସୋମବାର ଦିନ ୩ଟା ସମୟରେ କୋଣାର୍କ ଟୁରିଷ୍ଟ ମାର୍କେଟରେ ଜଣେ ଯୁବତୀ ଉତ୍ପାତ କରୁଥିବା ଦେଖି ଲେକେ ସେଠାରେ ଥିବା କୋଣାର୍କ ପୁଲିସ ଆଉଟ ପୋଷ୍ଟକୁ ଖବର ଦେଇଥିଲେ। ଆଉଟପୋଷ୍ଟ ନିକଟରେ କାର୍ଯ୍ୟରତ ଜଣେ ମହିଳା ହୋମ ଗାର୍ଡ ଘଟଣା ସ୍ଥଳରେ ପହଞ୍ଚି ଯୁବତୀକୁ ଉଦ୍ଧାର କରି କୋଣାର୍କ ଥାନାକୁ ଆଣିଥିଲେ। ଏସଆଇ କବିତା ସାହୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଯୁବତୀକୁ ବିନା ସୁରକ୍ଷାରେ ସନ୍ଧ୍ୟା ସମୟରେ ଛାଡି ଦେଇଥିଲେ। ପୁଲିସର ଏଭଳି କାର୍ଯ୍ୟକଳାପ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। କୋଣାର୍କ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଦୈହିକ ମନୋରଂଜନ ନିମନ୍ତେ ଏଠାକୁ ଲଂପଟ ଓ ଯୌନକର୍ମୀମାନଙ୍କର ଆଗମନ ଜାରି ରହିଛି। ସହଜରେ ଅର୍ଥ ଉପାର୍ଜନ କରିବା ପାଇଁ  ରାଜ୍ୟ ଓ ରାଜ୍ୟ ବାହାରୁ  ଯୁବତୀମାନେ ଏଠାକୁ ଆସି ବିଭିନ୍ନ ଲଜରେ ରହିବା ସହ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁବା ସାଧାରଣରେ ଅଭିଯୋଗ ହୋଇଛି। ପୁଲିସର ଉଦାସିନତା ଯୋଗୁଁ ଅନୈତକ କାର୍ଯ୍ୟରେ ଲିପ୍ତ ରହୁଥିବା ଯୁବତୀ ଓ ଲଜ ମାଲିକଙ୍କୁ ସୁହାଉଛି। ଦେହଜୀବୀ ଯୁବତୀଙ୍କ ପାଇଁ କୋଣାର୍କ ଏବେ ନିରାପଦ ସ୍ଥାନ ପାଲୋଟିଛି। ପ୍ରତ୍ୟହ ପାଠପଢୁଆ ଯୁବକ ଯୁବତୀମାନେ ନିଜର କାମଲାଳସା ଚରିତାର୍ଥ କରିବା ସହିତ ସହଜ ଅର୍ଥ ଉପାର୍ଜନ ପାଇଁ ଏଠାକୁ ଆସିଥାନ୍ତି। ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ପାଇଁ ବର୍ଷତମାମ ଦେଶବିଦେଶର ହଜାର ହଜାର ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି। ମାଘସପ୍ତମୀରେ ଚନ୍ଦ୍ରଭାଗା ବୁଡ, ବୋଇତ ବନ୍ଦାଣ ଉତ୍ସବ, କୋଣାର୍କ ନୃତ୍ୟ ସଂଗୀତ ଉତ୍ସବ, କୋଣାର୍କ ଉତ୍ସବ, ଏବଂ ବିଭିନ୍ନ ସମୟରେ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରିଣୀ ଓ ମହୋଦଧିରେ ବୁଡ ପକାଇବା ପାଇଁ  ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏହିସବୁ ସମୟରେ ଏଠାରେ ଦେହ ବ୍ୟବସାୟ ବୃଦ୍ଧି ପାଇଥାଏ। ଏହି ଉତ୍ସବ ମାନଙ୍କରେ କୋଣାର୍କ ଥାନାଧିକାରୀଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଲା ପରିସ୍ତିତି, ସୁରକ୍ଷା ବ୍ୟବସ୍ଥା ଓ ଭିଡ ନିୟନ୍ତ୍ରଣ କରାଯାଇଥାଏ। ଏବେ କୋଣାର୍କ ଥାନାଧିକାରୀ ସସ୍ମିତା ବେହେରା ମାତୃତ୍ବ ଛୁଟିରେ ଅଛନ୍ତି।  କୋଣାର୍କ ଭଳି ଏକ ସମ୍ୱେଦନଶୀଳ ଥାନାରେ ସ୍ୱତନ୍ତ୍ର ଥାନାଧିକାରୀ ନିଯୁକ୍ତ ନ କରି ସରକାର ରାମଚଣ୍ଡୀ ଥାନାଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କୁ ଥାନା ପରିଚାଳନା ପାଇଁ ଅତିରିକ୍ତ ଦାଇତ୍ବ ଦିଆଯାଇଛି। ଦୁଇଟି ଥାନାର ଦାଇତ୍ବରେ ଥିବା ଥାନାଧିକାରୀ ଶ୍ରୀ ତ୍ରିପାଠୀ ବିଭିନ୍ନ ସମୟରେ କୋଣାର୍କ ଥାନାରେ ଅନୁପସ୍ଥିତ ରହୁଥିବା ଯୋଗୁଁ ଅଭିଯୋଗକାରୀମାନେ ଥାନାରୁ ଉପଯୁକ୍ତ ସହଯୋଗ ନ ପାଇ ନିରାଶରେ ଫେରୁଥିବା ଅଭିଯୋଗ ହେଉଛି। ଥାନାରେ ଥାନାଧିକାରୀ ଶ୍ରୀ ତ୍ରିପାଠୀଙ୍କ ଅନୁପସ୍ତିତର ସୁଯୋଗ ନେଇ ଅନ୍ୟ କର୍ମଚାରୀମାନେ ନିଜ ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ କର୍ମଚାରୀମାନେ ଥାନାକୁ ଆସୁ ନ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚେୟାର ଖାଲି ପଡିରହୁଛି। ଫଳରେ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଥାନାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ପୁଲିସ ଓ ଅପରାଧୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିଭିନ୍ନ ସମୟରେ ଅପରାଧୀମାନେ ଖୁଲମ ଖୁଲା ବୁଲୁଛନ୍ତି। ଅପରାଧୀ, ଚୋରା ମଦ, ଗଞ୍ଜେଇ, ଅଫିମ, ଚରସ, ବ୍ରାଉନସୁଗାର କାରବାର କରୁଥିବା ବେପାରୀ ଓ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଲଜଗୁଡ଼ିକରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ପୁଲିସ ଚୁପ ବସୁଥିବା ଅଭିଯୋଗ ହେଉଛି। ଯେଉଁଠି ପୁରୁଷ ପୁଲିସ କର୍ମଚାରୀମାନେ ଅପରାଧୀମାନଙ୍କୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ସେଠାରେ ମହିଳା କର୍ମଚାରୀ କ’ଣ କରିବେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି। ଥାନାରେ ନୂତନ ଭାବେ ନିର୍ମାଣ ହୋଇଥିବା ମହିଳା ପ୍ରକୋଷ୍ଠ ଓ ବ୍ୟାରାକ ଏଯାବତ ଉଦଘାଟିତ ହୋଇ ନ ଥିବା ବେଳେ ଥାନାଟି ଏବେ ଦଲାଲଙ୍କ ଇଙ୍ଗିତରେ ଚାଲିଛି। ପୁଲିସର କୋହଳ ମନୋବୃତ୍ତି ଯୋଗୁଁ ଥାନା ମଧ୍ୟରେ ମଦ୍ୟପ, ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଛି। ପୁଲିସ ଅପରାଧୀଙ୍କୁ ନିୟନ୍ତ୍ରଣ  ଓ ରାତ୍ରିକାଳୀନ ପାଟ୍ରୋଲିଂ ଠିକରେ ନ କରିବା ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ରାତିରେ ମଦ୍ୟପମାନେ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରିଣୀ, ସମୁଦ୍ରକୂଳ, ହେଲିପ୍ୟାଡ, ଭଗବତୀ ରୋଡ, କଲେଜ ପଡିଆ ସମେତ କେତେକ ହୋଟେଲରେ ବସି ନିର୍ଭୟରେ ମଦ୍ୟପାନ କରୁଥିବା ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଅନେକ ସମୟରେ ପର୍ଯ୍ୟଟକମାନେ ସେମାନଙ୍କ ହାବୁଡ଼ରେ ପଡ଼ି ହଇରାଣ ହରକତ ହେଉଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସୂର୍ଯ୍ୟ ମନ୍ଦିର ପରିସରରେ ପୁଲିସ କର୍ମଚାରୀ ମୁତୟନ ହେବା କଥା। କିନ୍ତୁ ତାହା ବି ହେଉ ନାହିଁ। ଫଳରେ ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଗଣ୍ଡଗୋଳ, ମାରପିଟର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

Share :