କୋଣାର୍କ ସୌନ୍ଦର୍ଯ୍ୟକରଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

କୋଣାର୍କ ସୌନ୍ଦର୍ଯ୍ୟକରଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

Share :

ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳ କୋଣାର୍କର ସୂର୍ଯ୍ୟମନ୍ଦିର ଓ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମି ପରିଦର୍ଶନ କରିବାକୁ ବାର୍ଷିକ ୨୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ଯଦ୍ୱାରା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଶିଳ୍ପ ସମେତ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ବେଶ ପ୍ରଭାବିତ ହୋଇଛି। ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବାବଦକୁ ବର୍ଷକୁ ପ୍ରାୟ ୨ କୋଟିର ଅଧିକ ଟଙ୍କାର ରାଜସ୍ୱ କେନ୍ଦ୍ରସରକାରଙ୍କୁ ମିଳୁଛି। ଅଥଚ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୂଜର ପ୍ରମୁଖ ଅଙ୍ଗରୂପେ ବିବେଚିତ କୋଣାର୍କର ପର୍ଯ୍ୟଟକମାନଙ୍କୁ ନ୍ୟୁନତମ ମୌଳିକ ସୁବିଧା ଯୋଗାଇ ଦେବାରେ ସରକାର ଏଯାବତ ସମର୍ଥ ହୋଇ ପାରି ନାହାନ୍ତି। ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ କୌଣସି ସୁଦୂରପ୍ରସାରୀ  ବ୍ୟବସ୍ଥିତ ଯୋଜନା ଏଠାରେ କାର୍ଯ୍ୟକାରୀ ହୋଇପାରି ନାହିଁ। ବିଗତ ୨୫ ବର୍ଷ ଧରୀ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ପ୍ରଶାସନିକ ବଡପଣ୍ଡାମାନଙ୍କର କୋଣାର୍କରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଛି। ତେବେ ସମସ୍ତ ପ୍ରକାର ନିଷ୍ପତ୍ତି ନାଲିଫିତା ତଳେ ପଡ଼ିରହିଛି। ବାସ୍ତବ କ୍ଷେତ୍ରରେ ଏହାର କାର୍ଯ୍ୟାନ୍ବୟନ ହୋଇପାରି ନାହିଁ। ଇଣ୍ଡିଆନ ଅଏଲ ଫାଉଣ୍ଡେସନ (ଆଇଓଏଫ) ପକ୍ଷରୁ ୩୬ କୋଟି ଟଙ୍କା ଅନୁଦାନରେ କାର୍ଯ୍ୟକାରୀ ହେବାକୁ ଥିବା ବହୁଚର୍ଚ୍ଚିତ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାର ଅଗ୍ରଗତି ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଗତ ୨୦୧୩ ମସିହା ଜୁଲାଇ ୨୮ ତାରିଖରେ ଏହି ପ୍ରକଳ୍ପର ହାଇପ୍ରୋଫାଇଲ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବାର ଦୁଇ ସପ୍ତାହ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଭିନ୍ନ ସମସ୍ୟାକୁ ନେଇ ସୌନ୍ଦର୍ଯ୍ୟକରଣ  କାର୍ଯ୍ୟରେ ବାଧା ଉପୁଜିବାରୁ ନିର୍ମାଣ କାର୍ଯ୍ୟକୁ ୨ ମାସ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିଲା। ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସାରିବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲା। କିନ୍ତୁ ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାମ ସରି ନାହିଁ। ମୂଳ ଠିକାଦାର ପ୍ରାୟ ଏକ ତୃତୀୟାଂଶ କାମ କରି କାର୍ଯ୍ୟ ବନ୍ଦ କରିଦେଇଛି। ସୌନ୍ଦର୍ଯ୍ୟକରଣ ଯୋଜନାର ସମସ୍ତ କାର୍ଯ୍ୟ ୨୦୧୫ ମସିହା ଫେବୃୟାରୀ ମାସରେ ସଂପୂର୍ଣ୍ଣ ହେବା କଥା। କିନ୍ତୁ ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟର ଏକ ତୃତୀୟାଂଶ କାର୍ଯ୍ୟ ଶେଷ ନ କରି  ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ  କାର୍ଯ୍ୟକୁ ଛାଡି ଦେଇଛି। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅସଂପୂର୍ଣ୍ଣ କାର୍ଯ୍ୟର ଆକଳନ କରି ଟେଣ୍ଡର ପାଇଁ ପେପର ପ୍ରସ୍ତୁତ କରୁଥିବା ଜଣା ପଡିଛି। ଟେଣ୍ଡର ପରେ କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରକଳ୍ପର କାର୍ଯ୍ୟ କେବେ ଶେଷ ହେବ ଏ ପ୍ରଶ୍ନର ଉତ୍ତର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କାର୍ଯ୍ୟରେ ଜଡିତ ଥିବା ଅଧିକାରୀଙ୍କ ନିକଟରେ ନାହିଁ। ଏ ନେଇ କୌଣସି ସନ୍ତୋଷଜନକ ଉତ୍ତର ଆଇଓଏଫର ଅଧିକାରୀମାନେ ଦେଇପାରୁ ନାହାନ୍ତି। ଦୀର୍ଘ ୧୯ ବର୍ଷ ଧରି କୋଣାର୍କ ସୁରକ୍ଷା ସମିତି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରତ୍ୟକ ଶନିବାର ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ କରିବା ପାଇଁ ଆନ୍ଦୋଳନ ହୋଇ ଆସୁଥିବା ବେଳେ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାର ହାଇପ୍ରୋଫାଇଲ ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିବା  କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଚନ୍ଦ୍ରେଶ କୁମାରୀ କଟୋଚ ସମର୍ଥନ କରି ଘୋଷଣା କରି କହିଥିଲେ ଏହି ଫାଇଲ ବିଭାଗୀୟ ମନ୍ତ୍ରଣାଳୟରେ ମଞ୍ଜୁର ଅପେକ୍ଷାରେ ରହିଛି। ଖୁବ୍ ଶୀଘ୍ର ଏହି ସମସ୍ୟା ସମାଧାନ ହୋଇଯିବ। ବିଭାଗୀୟ ମନ୍ତ୍ରୀଙ୍କର ଏହି ଘୋଷଣାକୁ ଇତିମଧ୍ୟରେ ୩୬ ମାସ ବିତିଯାଇଥିଲେ ମଧ୍ୟ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇ ପାରି ନାହିଁ। ସେଥିପାଇଁ ପଯଆ୍ୟଟକ ମହଲ ଓ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଅନ୍ୟପକ୍ଷରେ ଉପଯୁକ୍ତ ସଂରକ୍ଷରଣ ଓ ସୁରକ୍ଷା ଦିଗରେ ଏଏସଆଇ ଓ ସରକାରଙ୍କ ଉଦାସୀନତା ଯୋଗୁଁ ଆଜି ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୁକ୍ଷ୍ମ କାରୁ କାର୍ଯ୍ୟ ଲୌହ ପାଇପ ଭାରାର ଆବଧରେ ଆଚ୍ଛାଦିତ ହୋଇ ରହିଛି। ୨୦୦୨ ମସିହାରେ ପ୍ରଶାସନ ପକ୍ଷରୁ ସୁର୍ଯ୍ୟମନ୍ଦିର ସମ୍ମୁଖରେ ହସ୍ତଶିଳ୍ପ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ସ୍ଥାୟୀ ଥଇଥାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟାକାରୀ ହୋନାହିଁ। ୨୦୧୪ ମସିହା ଜାନୁୟାରୀ ୨୫ ତାରିଖଠାରୁ  ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ବ ବ୍ୟବସାୟ ପାଇଁ ନିଷିଦ୍ଧାଞ୍ଚଳ ହୋଇଥିଲେ ମଧ୍ୟ ସ୍ଥାନୀୟ ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘର ୧୬୪ ଜଣ ବ୍ୟବସାୟୀ  ହସ୍ତଶିଳ୍ପ ସାମଗ୍ରୀ ଦୋକାନ ଖୋଲି ବସିଛନ୍ତି। ଉପଯୁକ୍ତ ଥଇଥାନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତି ଏହି ହସ୍ତଶିଳ୍ପ ବ୍ୟବସାୟୀମାନେ ଏଠରୁ ହଟିବେ ନାହିଁ ବୋଲି ସୂଚନା ଦେଇଚନ୍ତି। ପର୍ଯ୍ୟଟକମାନଙ୍କ ନିମନ୍ତେ ସର୍ବସାଧାରଣ ସ୍ଥଳରେ ପିଇବା ପାଣି, ଆଲୋକ, ଗାଡି ପାର୍କିଂ, ସାଇନେଜ, ସୂଚନା ପ୍ରଦାନ କକ୍ଷ, ଅଭିଯୋଗ ଶୁଣାଣି କକ୍ଷ, ସାମୟିକ ବିଶ୍ରାମ କକ୍ଷ, ରାତ୍ରୀରହଣି ନିମନ୍ତେ ମନପସନ୍ଦର ଲଜ, ହୋଟେଲ ଓ ରେସ୍ତୋଁରା, ଚିକିତ୍ସା ସୁବିଧା ଓ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏଠାରେ ଏଯାବତ ଉପଲବ୍ଧ ହୋଇପାରି ନାହିଁ। ଓଟିଡିସି ଓ ଅନ୍ୟ କେତେକ ଘରୋଇ ସଂସ୍ଥା ପକ୍ଷରୁ ଏଠାରେ ଯେଉଁସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଅଛି, ସେଗୁଡିକର ଜରାଜୀର୍ଣ୍ଣ ଅବସ୍ଥା ଓ ଅବ୍ୟବସ୍ଥା କୋଣାର୍କ ଭଳି ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳପ୍ରତି ଉପହାସ ସଦୃଶ ହୋଇଛି। ଏହି ଦୃଷ୍ଟିରୁ ପର୍ଯ୍ୟଟକମାନେ ଏଠାରେ ରାତ୍ରିରହଣି କରିବାକୁ ନାପସନ୍ଦ କରୁଛନ୍ତି। ଏଠାରେ ପର୍ଯ୍ୟଟକମାନଙ୍କୁ ଆଧାର କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ଛୋଟବଡ ବ୍ୟବସାୟୀ, ଫଟୋଗ୍ରାଫର, ଗାଇଡ ଓ ପ୍ୟାକେଜ ଟୁର ଅପରେଟରମାନେ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରି ଆସୁଛନ୍ତି। ‘ଅତିଥି ଦେବୋ ଭବ’ ଦୃଷ୍ଟିରେ ପର୍ଯ୍ୟଟକମାନଙ୍କ ପ୍ରତି ଆଚରଣ କରିବାର ଦୃଷ୍ଟିଭଙ୍ଗୀ ସ୍ଥାନୀୟ ଲୋକମାନଙ୍କ ମନରେ ଏଯାବତ ସୃଷ୍ଟି ହୋଇପାରି ନାହିଁ। କୋଣାର୍କକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବାବେଳେ ତଦନୁଯାୟୀ ମୁଣ୍ଡ ଟେକିଥିବା ସମସ୍ୟାର ସମାଧାନ ଦିଗରେ ସରକାର ସଫଳ ହୋଇପାରି ନାହାନ୍ତି।

Share :