ଆହାର ପାହାର ସହୁଚି କିଏ? ଭୋଟ ପୁଣି ଦଉଚି କିଏ?

ଆହାର ପାହାର ସହୁଚି କିଏ? ଭୋଟ ପୁଣି ଦଉଚି କିଏ?

Share :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣଙ୍କ ଅର୍ଥରେ କେତେକ ଶସ୍ତା ଲୋକପ୍ରିୟ ଯୋଜନା ଓ କାର୍ଯ୍ୟକ୍ରମ ଚଳାଇ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ହୋଇପାରିଛନ୍ତି। ଲୋକପ୍ରିୟ ନେତୃତ୍ବ ଲୋକପ୍ରିୟ କାର୍ଯ୍ୟକ୍ରମ ପରି ଶସ୍ତା ହୋଇଥିଲେ ମଧ୍ୟ ଲୋକମାନେ ସେହି ବିଚାରରେ ଭୋଟ ଦିଅନ୍ତି ନାହିଁ। ସେମାନଙ୍କ ପାଁ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ସବୁଠୁ ଦାମୀ ନେତା। କାରଣ ସେମାନ ଦେଖନ୍ତି ସେ ୨୦ କିଲୋମିଟର ଦୂର ଯିବାକୁ ବି ହେଲିକପ୍ଟର ବ୍ୟବହାର କରନ୍ତି। ଅନ୍ୟମାନଙ୍କଠାରୁ ଶୁଣନ୍ତି ସେ କାଳେ ସବୁବେଳେ ବ୍ଲାଗ ଡଗ୍ ପରି ଦାମୀ ମଦ ଓ ୫୫୫ ପରି ଦାମୀ ସିଗାରେଟ ଟାଣନ୍ତି। ନବୀନ ନିବାସ ଓ ସଚିବାଳୟର ଶୀତତାପ ନିୟନ୍ତ୍ରିତ ପରିବେଶ ଛାଡ଼ିଦେଲେ ଓଡ଼ିଶାର କୌଣସି ଗାଁ ଗହଳରେ ୨୦ ବର୍ଷ ଭିତରେ କେବେ ରାତିଟିଏ କଟାଇ ନାହାନ୍ତି। ଆସ୍କାକୁ ନିର୍ବାଚନ ପ୍ରଚାରରେ ଗଲେ ବି ଗୋପାଳପୁର ପାମ୍ ବିଚ୍ ହୋଟେଲରେ ରହନ୍ତି। କୋଡ଼ିଏ ବର୍ଷ ଭିତରେ କୌଣସି ମଳିମୁଣ୍ଡିଆଙ୍କୁ ନବୀନ ନିବାସ ପୂରାଇ ଦେଇ ନାହାନ୍ତି କି ଗରୀବଙ୍କ ସହ କଥା ହୋଇ ନାହାନ୍ତି। ଏମିତିକି ନିଜ ଦଳର ଗରୀବ ଓ ନିରୀହ ବିଧାୟକଙ୍କୁ ମଧ୍ୟ ତାଙ୍କ ପାଖରେ ବସିଥିବାର କେହି କେବେ ଦେଖି ନାହିଁ। ତେଣୁ ନବୀନବାବୁ ହେଉଛନ୍ତି ଦାମୀ ନେତା!  ଏହି ଦାମୀ ନେତା ବୋଲାଇବା ପାଇଁ ନବୀନ ପଟ୍ଟନାୟକ ତାମିଲନାଡ଼ରୁ ଦାମୀ ନେତ୍ରୀ ତଥା ବିଗତ ଦିନର ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀ ଜୟାଲଳିତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଭାୟା ଜଣେ ତାମିଲ ଅଫିସର। ଦି’ ଟଙ୍କିଆ ଏବଂ ଟଙ୍କିକିଆ ଚାଉଳ ପରେ ଗରୀବଙ୍କ ନାଁର ଚାଲିଥିବା ରାଜ୍ୟର ସବୁଠୁଁ ଶସ୍ତା କାର୍ଯ୍ୟକ୍ରମ ହେଉଛି ଆହାର। ସହରକୁ କାମଧନ୍ଦା ସନ୍ଧାନେର ଆସୁଥିବା ଗାଉଁଲୀ ଗରିବ ଲୋକଙ୍କୁ ଶସ୍ତାରେ ମଧ୍ୟାହ୍ନ ଭୋଜନ ଦେବା ପାଇଁ ୫ ଟଙ୍କାରେ ଭାତ ଡାଲମା ଦେବାର କାର୍ଯ୍ୟକ୍ରମ ହେଉଛି ଆହାର ଯୋଜନା। ବର୍ଷକ ତଳେ ୨୦୧୫ ଏପ୍ରିଲ ପହିଲାରେ ଓଡ଼ିଆ ସ୍ବାଭିମାନର ପ୍ରତୀକ ଉତ୍କଳ ଦିବସ ଦିନ ଏହିପରି ଏକ ହୀନିମାନିଆ କାର୍ଯ୍ୟକ୍ରମ ଆରମ୍ଭ କରି ଓଡ଼ିଆଙ୍କର ସ୍ବାଭିମାନ ପରଖି ନେଇଥିଲେ ନବୀନ। ୨୦୧୬ ଏପ୍ରିଲ ୧୪ ତାରିଖରେ ଏହି କାର୍ଯ୍ୟକ୍ରମକୁ ଅଧିକ ଜାଗାକୁ ସଂପ୍ରସାରିତ କରାଗଲା। ଆଗରୁ କେବଳ ରାଜ୍ୟର ପାଞ୍ଚୋଟି ମହାନଗର ନିଗମରେ ଚାଲୁଥିବା ଏହି କାର୍ଯ୍ୟକ୍ରମ ଏଣିକି ରାଜ୍ୟର ସମସ୍ତ ୩୦ ଜିଲ୍ଲା ସଦର ମହକୁମାରେ ଚାଲିବ। ଏହି ଲକ୍ଷ୍ୟରେ ଆଉ ୧୦୦ ଆହାର କେନ୍ଦ୍ର ଖୋଲିଛି। ପ୍ରତି ଆହାର କେନ୍ଦ୍ରରେ ପ୍ରତିଦିନ ୫୦୦ ଲୋକଙ୍କୁ ୫ ଟଙ୍କିଆ ଡାଲମାଭାତ ଯୋଗାଇ ଦିଆଯାଉଛି। କହିବା ବାହୁଲ୍ୟ, ଗରୀବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆହାର କେନ୍ଦ୍ରରେ ସହରର ଅନେକ ମଧ୍ୟବିତ୍ତ, ପେସାଦାର, ଇଂଜିନିଅରିଂ ଛାତ୍ରଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏହା ଛତ୍ରଖିଆ ମନୋଭାବର କିଛି ଲୋକଙ୍କ ପାଇଁ ରିଲିଫ କେନ୍ଦ୍ରର କାର୍ଯ୍ୟ କରୁଛି। ପ୍ରତି ମିଲ୍ ପିଛା ସରକାର ରାଜ୍ୟ ରାଜେକାଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫-୨୦ ଟଙ୍କା ଯାଏଁ ସବସିଡ଼ି ଦେଉଛନ୍ତି। ଏହି ସବସିଡ଼ି ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ନେଇଥିବା ବିଜୁ ଜନତା ଦଳ ସମର୍ଥକ ଠିକାଦାର ବା ସ୍ବେଚ୍ଛାସେବୀ ସଂଗଠନ ପାଉଛନ୍ତି। ଏହି କାର୍ଯ୍ୟକ୍ରମରେ ୬୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ୬୦ ଲକ୍ଷ ଲୋକ ମାନେ ୬୦ ଲକ୍ଷ ଭୋଟର। ନବୀନଙ୍କର ଏହି ଯୋଜନାକୁ ରାଜ୍ୟର ଅନେକ ବୁଦ୍ଧିଜୀବୀ, କୃଷକ ଓ ସଚେତନ ନାଗରିକ ବିଜୁ କାଙ୍ଗାଳିକରଣ ଯୋଜନା ଭାବେ ସମାଲୋଚନା କରୁଥିଲେ ମଧ୍ୟ ବାସ୍ତବତା ହେଉଛି ଆହାର କେନ୍ଦ୍ରଗୁଡ଼ିକ ନିକଟରେ ଭିଡ଼ ବଢ଼ିବାରେ ଲାଗିଛି ଓ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିର ଗହଳି ମଧ୍ୟ ବଢ଼ିଛି। ଆହାର କେନ୍ଦ୍ର ପାଖପଡ଼ିଶାରେ ଥିବା ଅନେକ ଘରର ରୋଷେଇ ବନ୍ଦ ହୋଇଗଲାଣି। ଗାଡ଼ି ନେଇ ଯାଇ ୫ ଟଙ୍କିଆ ଆହାର ଖାଇବାକୁ ଯଦି ଲୋକଙ୍କର ସ୍ବାଭିମାନକୁ ବାଧୁ ନାହିଁ ଏଭଳି ଏକ କାର୍ଯ୍ୟକ୍ରମ ଜରିଆରେ ଭୋଟ୍ ସାଉଁଟିବାକୁ ନବୀନ ପଟ୍ଟନାୟକଙ୍କୁ କାହିଁକି ଖରାପ ଲାଗିବ? କିନ୍ତୁ କଥା ହେଉଛି, ଏଭଳି କାର୍ଯ୍ୟକ୍ରମ ଫଳରେ ରାଜ୍ୟର ସର୍ବ ସାଧାରଣଙ୍କର ଲାଭ ହୋଇଛି ନା କ୍ଷତି ହୋଇଛି? ନବୀନବାବୁ ତାଙ୍କର ୧୬ ବର୍ଷର ଶାସନ ଭିତରେ ସର୍ବ ସାଧାରଣଙ୍କ ଆର୍ଥିକ ସ୍ବଚ୍ଛଳତା ପାଇଁ କି କାର୍ଯ୍ୟ କରିଛନ୍ତି? ନିର୍ଦ୍ଦିଷ୍ଟ ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଯାଇଁ ସେ ସର୍ବ ସାଧାରଣଙ୍କ ଉପରେ ଯୋଜନାର ବୋଝ ବୃଦ୍ଧି କରି ନାହାନ୍ତି ତ? ଏଭଳି କିଛି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ସମସ୍ତଙ୍କୁ ଓଡ଼ିଶାର ବଜାର ଦରର ତର୍ଜମା କରିବାକୁ ପଡ଼ିବ। ଏବେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଖାଉଟି ଦର ସାରା ଦେଶରେ ସର୍ବାଧିକ। ଅର୍ଥାତ ଓଡ଼ିଶାର ସାଧାରଣ ଖାଉଟି କିଣୁଥିବା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଦେଶର ଅନ୍ୟ ସମସ୍ତ ରାଜ୍ୟର ଲୋକଙ୍କଠାରୁ ଅଧିକ ଦର ଦେଉଛି। ଏଇ ଯେମିତି ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ପିଆଜ ଦର କିଲୋ ପ୍ରତି ୨୦ ପଇସା ଥିବାବେଳେ ଓଡ଼ିଶା ବଜାରରେ ପିଆଜର ଖାଉଟି ଦର ହେଉଛି କିଲୋ ପ୍ରତି ୩୦ ଟଙ୍କା। ପଞ୍ଜାବ ଓ ପଶ୍ଚିମ ବଙ୍ଗରେ ଆଳୁର ସର୍ବନିମ୍ନ ଦର ୪-୫ ଟଙ୍କା ଥିବାବେଳେ ଓଡ଼ିଶାରେ ଆଳୁ ଦର ୧୮ ଟଙ୍କା ଯାଏଁ ଚଢ଼ା। ଭାରତର ଅନ୍ୟ ସମସ୍ତ ରାଜ୍ୟରେ ହରଡ଼ ଡାଲି କିଲୋ ୧୩୦ ଟଙ୍କା ତଳେ ଥିବାବେଳେ ଓଡ଼ିଶାରେ ୧୪୫-୧୬୦ ଟଙ୍କାକୁ ଚଢ଼ିଛି। ଅନ୍ୟ ସମସ୍ତ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଏହି ପରି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପରିଚାଳନା ବିଭାଗ ତରଫରୁ ହୋଇଥିବା ଜାତୀୟ ସ୍ତରୀୟ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ଜାତୀୟ ସ୍ତରରେ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ହାର ହାରାହାରି ୪.୮୩ ପ୍ରତିଶତ ଥିଲାବେଳେ ରାଜ୍ୟରେ ଏହି ହାର ହେଉଛି ୭.୯୨ ପ୍ରତିଶତ। ଅର୍ଥାତ ଜାତୀୟ ସ୍ତରର ବଜାର ତୁଳନାରେ ଓଡ଼ିଶାରେ ଖାଉଟି ସାମଗ୍ରୀର ଦର ପ୍ରାୟ ଦୁଇ ଗୁଣ ଅଧିକ। ଯୋଉ ଜିନିଷ ଅନ୍ୟ ରାଜ୍ୟରେ ୫ ଟଙ୍କାରେ ମିଳୁଛି ସେହି ଜିନିଷ ଓଡ଼ିଶାବାସୀ ୧୦ ଟଙ୍କାରେ କିଣୁଛନ୍ତି। ପୁଣି ସହରାଂଚଳ ତୁଳନାରେ ରାଜ୍ୟର ଗାଁଗହଳର ଲୋକମାନେ ଏ ବାବଦରେ ଅଧିକ ଦର ଦେଉଛନ୍ତି। ରାଜ୍ୟର ସହରାଂଚଳରେ ଖାଉଟି ସାମଗ୍ରୀର ଦରବୃଦ୍ଧି ହାର ୩.୪୫ ପ୍ରତିଶତ ଥିଲାବେଳେ ଗ୍ରାମାଞ୍ଚଳରେ ୯.୫୭ ପ୍ରତିଶତ। ଏହା ମଧ୍ୟ ଜାତୀୟ ସ୍ତରରେ ସର୍ବାଧିକ। ସାରା ଦେଶରେ ଗ୍ରାମାଞ୍ଚଳ ଖାଉଟି ସାମଗ୍ରୀ ମୂଲ୍ୟବୃଦ୍ଧି ହାର ହେଉଛି ୫.୭ ପ୍ରତିଶତ। ଏହି ପ୍ରକ୍ରିୟାରେ ଦିନକୁ କେତେ ଟଙ୍କା ଲୁଟେଇ ହେଉଛନ୍ତି ନିର୍ବୁଦ୍ଧିଆ ଓଡ଼ିଆ ତାହାର ହିସାବ କେହି ରଖିଛି? ଓଡ଼ିଶାରେ ଚାଉଳ ଓ ଗହମ ସହିତ ବିରି, ମୁଗ, ହରଡ଼, ମସୁର ଆଦି ଡାଲି ଜାତୀୟ ଶସ୍ୟ ବା ଏହାର ଉତ୍ପାଦ, ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ, ଫଳ, ପରିବା, ଖାଇବା ତେଲ, ଚିନି ଓ ମସଲା ଆଦିର ଦର ଜାତୀୟ ହାର ତୁଳନାରେ ଢେର ଅଧିକ। ଏହା ବ୍ୟତୀତ ଲୁଗାପଟା, ବ୍ରାଣ୍ଡେଡ ପୋଷାକ, ଜୋତା ଓ ଚପଲ, ବିଭିନ୍ନ ଗୃହୋପରକରଣ ସାମଗ୍ରୀ, ଶିକ୍ଷା ଓ ସ୍ବାସ୍ଥ୍ୟ ଖର୍ଚ୍ଚ ମଧ୍ୟ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅଧିକ। ଓଡ଼ିଶାର ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଗ୍ରାମାଂଚଳ ଖାଉଟି ସାମଗ୍ରୀ ଦରବୃଦ୍ଧି ହାର ୮.୯୬  ପ୍ରତିଶତ ଥିଲାବେଳେ ଛତିଶଗଡ଼ରେ ୭.୯୪, ଝାଡ଼ଖଣ୍ଡରେ ୭.୬୫, କର୍ଣ୍ଣାଟକରେ ୭.୮୨ ଓ ଗୁଜରାଟରେ ୭.୬୭ ପ୍ରତିଶତ ରହିଛି। ଅଥଚ ପଞ୍ଜାବରେ ଏହି ହାର ୨.୬, ଉତ୍ତରାଖଣ୍ଡରେ ୨.୯୬, ହରିଆନାରେ ୪.୨୮, ଦିଲ୍ଲୀରେ ୪.୩୬, ରାଜସ୍ଥାନରେ ୪.୩୮ ଓ ମହାରାଷ୍ଟ୍ରରେ ୫.୪୫ ପ୍ରତିଶତ ରହିଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ମିଶାଇ ସାରା ଦେଶରେ ଖାଉଟି ସାମଗ୍ରୀ ଦରବୃଦ୍ଧି ହାର ୪.୮୩ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ଏହା ୭.୯୨ ପ୍ରତିଶତ ବୋଲି ହିସାବ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶରେ ଏହି ହାର ୭.୭୬, କର୍ଣ୍ଣାଟକରେ ୬.୪୧, ଛତିଶଗଡ଼ରେ ୬.୨୮ ଓ ଝାଡ଼ଖଣ୍ଡରେ ୬.୧୨ ପ୍ରତିଶତ ରହିଛି। ଅନ୍ୟ ରାଜ୍ୟଗୁଡ଼ିକର ଦରବୃଦ୍ଧି ହାର ଏହାଠାରୁ ତଳେ। ଏ ହିସାବ କି ସଂକେତ ଦେଉଛି? ନବୀନ ପଟ୍ଟନାୟକ ସରକାର ଓଡ଼ିଶାବାସୀଙ୍କର ମଙ୍ଗଳ କରିଛନ୍ତି ନା ଅମଙ୍ଗଳ? ସର୍ବସାଧାରଣଙ୍କୁ ଲୁଟି ନିର୍ଦ୍ଦିଷ୍ଟ ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ କରିବା କ’ଣ ଜନ ମଙ୍ଗଳ କାର୍ଯ୍ୟକ୍ରମ?  

Share :