ଚିଟ୍ ଫଣ୍ଡ- ଗ୍ଲିଜ୍, ଗ୍ଲାମର୍‌ ଓ ପଲିଟିକ୍ସ

ଚିଟ୍ ଫଣ୍ଡ- ଗ୍ଲିଜ୍, ଗ୍ଲାମର୍‌ ଓ ପଲିଟିକ୍ସ

Share :

    କିଏ ଚଢ଼ୁଛି ପାଜରୋ। କିଏ ଚଢ଼ୁଛି ଅଡ଼ି। କିଏ କିଣିଛି ବିଏମଡବ‍୍‌ଲ୍ୟୁ। କିଏ ପାଇଛି ଫର୍ଚୁନର୍‌। ପୁଣି କିଏ ଉଡ଼ିଛି ହେଲିକପ୍ଟରରେ। ଚିଟ୍‌ ଫଣ୍ଡ ଟଙ୍କାରେ ବ୍ୟକ୍ତିଗତ ବିଳାସ। କିଏ ଯାଇଛି ଥାଇଲାଣ୍ଡ। ଥାଇ ଯୁବତୀ ସହିତ କରିଛି ଜଳକ୍ରୀଡ଼ା। ହୋଟେଲ‌ରେ ମସ୍ତି। କିଏ ପୁଣି ସାଙ୍ଗ କରିଛି ମୁମ୍ୱାଇ ମଡେଲ। ପ୍ରଯୋଜନା କରିଛି ଟିଭି ସିରିଆଲ। ଆଉ କିଏ ସଭାକୁ ଆଣିଛି ବଲିଉଡ଼୍ ବିୟୁଟି। ଚିଟ୍‌ ଫଣ୍ଡ ଟଙ୍କାରେ ବ୍ୟକ୍ତିଗତ ବିଳାସର ଅନ୍ୟ ଏକ ଫର୍ଦ୍ଦ। ଓଡ଼ିଆ ଫିଲ୍ମରେ ଚିଟ୍‌ ଫଣ୍ଡ ଟଙ୍କା। ଓଡ଼ିଆ ଟିଭି ସିରିଆଲ‌ରେ ଚିଟ୍‌ ଫଣ୍ଡ ଟଙ୍କା। ରିୟଲ ଇଷ୍ଟେଟ‌ରେ ଚିଟ୍‌ ଫଣ୍ଡ ଟଙ୍କା। ଜମି କିଣାରେ ଚିଟ୍‌ ଫଣ୍ଡ ଟଙ୍କା। ଯାତ୍ରା ପାର୍ଟିରେ ଚିଟ୍‌ ଫଣ୍ଡ ଟଙ୍କା। ହୋଟେଲ୍‌ ବ୍ୟବସାୟରେ ଚିଟ୍‌ ଫଣ୍ଡ ଟଙ୍କା। ଲୋକଙ୍କ ଟଙ୍କାରେ ହୋରିଖେଳ। ଏବେ ଲୋକଙ୍କ ଟଙ୍କା ନଫେରାଇବାକୁ ରାଜନୀତି। ପ୍ରଥମେ କ୍ରାଇମ ବ୍ରାଞ୍ଚ ତଦନ୍ତ। ତା’ପରେ ବିଚାର ବିଭାଗୀୟ ତଦନ୍ତ। ତା’ପରେ ଟଙ୍କା ଫେରେଇବାକୁ ଆଇନ। ପୁଣି ଆଇନରେ ସଂଶୋଧନ। ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ। ଥୁକୁଲ। ପୁଣି ନୂଆ ପ୍ରକ୍ରିୟା। ପ୍ରଥମେ ଚିଟ୍‌ ଫଣ୍ଡ ସଂସ୍ଥାଙ୍କ ସଂପତ୍ତି ଜବତ ହେଲା। ତା’ପରେ କୋର୍ଟ ନିଦ୍ଦେର୍ଶରେ ବ୍ୟାଜ୍ୟାପ୍ତ ହେଲା। ନିଲାମ ପାଇଁ ନିଦ୍ଦେର୍ଶ ଦିଆଗଲା। ଥୁକୁଲ। ଟଙ୍କା କାହାକୁ ଦିଆଯିବ? କେମିତି ଦିଆଯିବ? କେତେ ଦିଆଯିବ? ଏମିତି ଚାଲିଛି ଚିଟ୍‌ ଫଣ୍ଡ ଦୁର୍ନୀତିର ଅନ୍ଧକୂପ ସାଇକେଲ୍‌ ଖେଳ। ଶାସନ ଭୁଆଁ ବୁଲୋଉଛି କି ଭୁଆଁ ବୁଲୁଛି ଲୋକେ ଜାଣୁ ନାହାନ୍ତି। ପ୍ରଶାସନ ଭୁଆଁ ବୁଲୋଉଛି କି ଭୁଆଁ ବୁଲୁଛି ଲୋକେ ଜାଣୁ ନାହାନ୍ତି। କୋର୍ଟ ଓ କମିଶନ ଶୀଘ୍ର ନ୍ୟାୟ ଦେଉଛନ୍ତି କି ବିଳମ୍ୱ କରି ଅନ୍ୟାୟ କରୁଛନ୍ତି ଲୋକେ ଜାଣୁ ନାହାନ୍ତି। ଲୋକେ କେବଳ ଜାଣୁଛନ୍ତି ଚିଟ୍‌ ଫଣ୍ଡ ଦୁର୍ନୀତିରେ ମନ୍ତ୍ରୀଙ୍କ ଇସ୍ତଫା ଦାବି, ବରଖାସ୍ତ ପରାମର୍ଶ, ଭାବମୂର୍ତ୍ତି ଉଦ୍ଧାର କାର୍ଯ୍ୟକ୍ରମ। ଏପରିକି ଲୋକେ ଏକଥା ବି ଜାଣୁ ନାହାନ୍ତି ଯେଉଁମାନଙ୍କୁ ଚିଟ୍‌ ଫଣ୍ଡ ଦୁର୍ନୀତି ନାଁରେ ଗିରଫ କରି ଦୁଇ ବର୍ଷ ହେଲା ଜେଲ‌ରେ ରଖାଯାଇଛି ସେମାନେ ଦୋଷୀ ନା ନିର୍ଦୋଷ? ସେମାନେ ଦୋଷୀ ବୋଲି ଏଯାଏଁ ସାବ୍ୟସ୍ତ ହୋଇନି। କାରଣ ତଦନ୍ତ ତ ସରୁନି, ଚୂଡ଼ାନ୍ତ ଚାର୍ଜସିଟ୍‌ ହେବ କେବେ, ଶୁଣାଣି ସରି ରାୟ ବାହାରିବ କେବେ? ଓକିଲମାନେ ଧମକେଇ କେଇ ଜଣଙ୍କ ଜାମିନ୍‌ ମଂଜୁର କରାଇବା ପରେ କୋର୍ଟ ବି ଆଉ ଜାମିନ୍‌ ଦେଉନି। ଦୋଷୀ ସାବ୍ୟସ୍ତ ହୋଇଥିଲେ ଯେତେ ଦିନ ଜେଲ୍‌ ଭୋଗିଥାନ୍ତେ ବିଚାର ବିଭାଗୀୟ ହାଜତ ନାଁରେ ତା’ଠାରୁ ଅଧିକ ଦିନ ଜେଲ‌ରେ ରହିଲେଣି ଅଭିଯୁକ୍ତ। ଏକଥା ତ’ କେଉଁ ନେତା କାହିଁକି ଉଠାଉ ନାହାନ୍ତି? ଦୋଷୀ ସାବ୍ୟସ୍ତ ନହୋଇ ବି ବର୍ଷାଧିକ କାଳ ଜେଲ‌ରେ ରହିବା କ’ଣ ମାନବାଧିକାର ଉଲ୍ଲଙ୍ଘନ ନୁହେଁ? ପୁଣି ଚିଟ୍‌ ଫଣ୍ଡ ଠକେଇରୁ ଯେଉଁମାନେ ଅଧିକ ଭାଗ ପାଇଛନ୍ତି ସେମାନଙ୍କୁ ଧରିବାକୁ କାତକୋରଳ ପାଉନି। ତେୟାଳିଶ ଚିଟ୍‌ ଫଣ୍ଡ ସଂସ୍ଥାଙ୍କ ସିବିଆଇ ତଦନ୍ତ ନିଦ୍ଦେର୍ଶ ଦେଇଥିଲେ ସୁପ୍ରିମ କୋର୍ଟ। ଅଧେ ସଂସ୍ଥାଙ୍କ ଅଫିସ ଓ ମାଲିକଙ୍କ ଘରେ ଏଯାଏଁ ଖାନ‍୍‌ତଲାସ ବି ହୋଇନି। କିଏ ନାଇଜେରିଆ ପାର୍‌ ହୋଇଗଲାଣି। କିଏ ଟଙ୍କା ନେଇ ସିଙ୍ଗାପୁରରେ ବ୍ୟବସାୟ ଖୋଲିଲାଣି। କିଏ ରାଜନୀତିରେ ନୂଆ ପଦପଦବୀ ପାଇଲେଣି। ଦଳିତ, ଆଦିବାସୀ ଓ ପଛୁଆ ବର୍ଗର କେତେ ଜଣ ଅଭିଯୁକ୍ତଙ୍କୁ ଠୁଙ୍କିଛନ୍ତି। ଉଚ୍ଚ ବର୍ଗର ଯେଉଁ କେଇ ଜଣଙ୍କୁ ଗିରଫ କରାଯାଇଛି ସେମାନେ ଦୁର୍ବଳ। ବ୍ୟବସାୟରେ ବୁଡ଼ି ଯାଉଥିଲେ, ସେମାନଙ୍କୁ ଧରି ଆଣି ଜେଲ‍୍‌ରେ ପୂରେଇଛନ୍ତି। କାରଣ ସେମାନେ କୁଜି ଅସରପା। କାଣି ବିଲେଇ ହୋଇଛି କ୍ରାଇମ ବ୍ରାଞ୍ଚ ଓ ସିବିଆଇ। ଯେଉଁମାନେ ରସ ପିଇଲେ, ସର ଖାଇଲେ, ସରପୁଳି ଖାଇଲେ, ସେମାନେ ମନ୍ତ୍ରୀ, ସାଂସଦ, ବିଧାୟକ, ଶିଳ୍ପପତି ଓ ବ୍ୟବସାୟୀ। ଦିନ ଗଡ଼ି ଯାଉ। ତଦନ୍ତ ନସରୁ। ରାଜନୀତି ଚାଲିଥାଉ। ଏଇ ବୋଧ ହୁଏ ଚିଟ୍‌ ଫଣ୍ଡ ପ୍ରସଙ୍ଗର ଅସଲ ଉଦ୍ଦେଶ୍ୟ। ଚିଟ୍‌ ଫଣ୍ଡ ଟଙ୍କାର ପ୍ରାୟ ୪୦ ପ୍ରତିଶତ ନେଇଥିବା ଏଜେଣ୍ଟମାନେ ଏବେ ଜମାକାରୀଙ୍କ ସ୍ୱାର୍ଥ ନାଁରେ ନେତା। କେଇ ଜଣ ଦୁର୍ବଳ-ଚିତ୍ତ ଅବଶ୍ୟ ଲୋକଙ୍କୁ ଡରି ଋଣଗ୍ରସ୍ତ ଚାଷୀଙ୍କ ପରି ସ୍ୱର୍ଗରେ। ଆଉ କେଇ ଜଣ ମାଡ଼ ଖାଇ ଦେଶାନ୍ତରୀ। ନେତାଙ୍କ ଅଭିଯୋଗ ଓ ପ୍ରତ୍ୟାଭିଯୋଗର ବାଗାଡମ୍ୱର ସରୁ ନାହିଁ କି ପ୍ରକୃତ ଦୋଷୀ ଦଣ୍ଡ ପାଉନି।

Share :