ଭୋକ ଓ ପାଗ ପରିବର୍ତ୍ତନର ସମାଧାନ ଛୋଟ ଚାଷୀ

ଭୋକ ଓ ପାଗ ପରିବର୍ତ୍ତନର ସମାଧାନ ଛୋଟ ଚାଷୀ

Share :

ତପନ ପାଢୀ   ଏସିଆ ମହାଦେଶର ଦକ୍ଷିଣ ଭାଗରେ ବର୍ଷାର କିଛି ଠିକଣା ନାହିଁ। କେଉଁଠି ଆଦୌ ବର୍ଷା ନହେଇ ଚାଷ ଉଜୁଡ଼ି ଯାଉଥିବାବେଳେ କେଉଁଠି ବନ୍ୟା ପାଣି ପ୍ରଳୟ କରିଦେଉଛି। ଗଲା ଅଗଷ୍ଟ ମାସରେ ପାକିସ୍ତାନର ଦକ୍ଷିଣ ଭାଗରେ ପ୍ରଳୟଙ୍କରୀ ବନ୍ୟା ଚାରିଭାଗରୁ ୩ ଭାଗ ଚାଷ ଉଜାଡି ଦେଇଛି। ୧୨ ଲକ୍ଷ ଘରକୁ କ୍ଷତି କରିଛି ଯେଉଁଥି ପାଇଁ ୩ ଲକ୍ଷ ଲୋକଙ୍କୁ ବିପଦକାଳୀନ ଆବାସ ସ୍ଥଳିରେ ରଖାଗଲା ଓ ୮ ଲକ୍ଷ ପରିବାର ବେଘର ହେଲେ। ଓଡ଼ିଶାରେ ୭ଟି ଜିଲାରେ ମରୁଡି ଓ ଦୁଇ ଦଫାରେ ବନ୍ୟା ୨୧ଟି ଜିଲାକୁ ପ୍ରଭାବିତ କଲା। ଜୀବନ ଜୀବିକା ଉଜାଡ଼ି ଦେଲା। ଏ ସବୁ ବିପଦ ପଛକୁ ସ୍ବାସ୍ଥ୍ୟ ସମସ୍ୟା କହିଲେ ନସରେ। ଏଥିରୁ ସ୍ପଷ୍ଟ ଯେ ପ୍ରାକୃତିକ ଦୁର୍ବିପାକକୁ କେବଳ ସାମ୍ନା କରିହୁଏ, ମଣିଷର ଇଚ୍ଛା ଅନୁସାରେ ଏଡ଼େଇ ଦିଆଯାଇ ନପାରେ। ଆମ ଓଡି଼ଶାରେ ପ୍ରତ୍ୟକ ବର୍ଷ ଚାଷୀ ଆତ୍ମହତ୍ୟା କରୁଥିବା ଋତୁରେ ପ୍ରତି ଦୁଇ ଦିନରେ ଜଣେ ଚାଷୀ ଆତ୍ମହତ୍ୟା କରେ। ସରକାରଙ୍କ ଗାଲୁଆ ଭାଷାରେ ଏହା ଚାଷ ଉଜୁଡ଼ିବା ପାଇଁ ନୁହେଁ ବରଂ ଘରର କଳି ବା ଅନ୍ୟାନ୍ୟ ସମସ୍ୟା ପାଇଁ ହୁଏ। ଆତ୍ମହତ୍ୟା କରୁଥିବା ସମସ୍ତ ଚାଷୀ ଛୋଟ, ନାମ ମାତ୍ର ଓ ଭାଗଚାଷୀ ଶ୍ରେଣୀର। ବଡ଼ ଚାଷୀ କେବେ ଆତ୍ମହତ୍ୟା କରେ ନାହିଁ। ଛୋଟ ଚାଷୀଟିଏ ଋଣ ଆଣି ଓ ବହୁତ ପରିଶ୍ରମ କଲା ପରେ ଚାଷ ଉଜୁଡିଲେ ଆମିହତ୍ୟା ହିଁ କରେ। ଏହାକୁ ଆମ ସମସ୍ତଙ୍କୁ ବୁଝିବାକୁ ହେବ। ଚାଷ ଆଉ ପରିବେଶ ସୁରକ୍ଷା ଅଲଗା ଅଲଗା ବିଷୟ ନୁହେଁ। ଏହାକୁ ଯୋଡ଼ିକିଆ ଦାୟିତ୍ବ ବା କାମ ହିସାବରେ ନେବାକୁ ହୁଏ। ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାଣି ପାଇଁ ଆମର ପ୍ରାକୃତିକ ପରିବେଶର ଆବଶ୍ୟକତା ଖୁବ ବେଶୀ। ଖାଦ୍ୟ ନିରାପତ୍ତା କହିଲେ ମୁଁଁ ଏତିକି ବୁଝେ ଯେ ଯେଉଁ ଲୋକକୁ ଯେଉଁ ସମୟରେ ଭୋକ ଲାଗିଲେ ବି ତା’ ପାଖରେ ବା ହାତ ପାଆନ୍ତାରେ ଖାଦ୍ୟ ବା ଖାଦ୍ୟ ପାଦାର୍ଥ ଥିବ ଯାହାକୁ ସେ ଖାଇ ଭୋକକୁ ପୂରାପୂରି ହେଉ କି କିଛି ସମୟ ପାଇଁ ହେଉ ଅଟକେଇ ଦେଇ ପାରିବ। ଏହା ଯଦି ଠିକ ବୋଲି ବିଚାର କରିବା, ଏମିତି ଏକ ଖାଦ୍ୟର ଆବଶ୍ୟକତା ଭୋକରେ ଥିବା ଲୋକକୁ େକବେ ପଡ଼ିବ ନାହିଁ, ଯେତେବେଳେ ସେ କେବଳ ରାନ୍ଧିଲେ ବା ରନ୍ଧା ହେଲେ ଖାଇବ ବା ରନ୍ଧା ହୋଇଥିବା ଖାଦ୍ୟ ଖାଇବ। ସହଜ ଭାବରେ ବୁଝିଲେ ଏମିତି ଖାଦ୍ୟ - କାକୁଡ଼ି, ବିଲାତି ବାଇଗଣ, ପିଜୁଳି, ଆମ୍ବ, ଭେଣ୍ଡି, ରୁମା/ଝୁଡ଼ଙ୍ଗ ଇତ୍ୟାଦିକୁ ବୁଝାଏ ଯାହାକୁ ପିଲା ହେଉ କି ବୁଢା ସାଙ୍ଗେ ସାଙ୍ଗେ ଗଛରୁ ତୋଳି ଖାଇବ ଓ ପେଟର ଭୋକ ମେଂଟିବ। ଯଦି ଏ ପ୍ରକାର ଖାଦ୍ୟ ଖାଇବା ପାଇଁ ଜଣଙ୍କ ବାଡ଼ିରେ ବ୍ୟବସ୍ଥା ଥାଏ ତେବେ ଖାଲି ପେଟ ପୂରିବନି ବରଂ ଦେହକୁ ଯେତିକି ପରିମାଣର ପୁଷ୍ଟି ଓ ଅନାନ୍ୟ ଜୀବସାର ଦରକାର ତାହା ମିଳି ପାରିବ ଓ ପିଲାଟିଏ କୁପୁଷ୍ଟି ବା ପୁଷ୍ଟିହୀନତାର ଶିକାର ହେବନି କି ପେଟ ବେଲା ପରି ଫୁଲିବନି କି ବାଳ ସୁନେଲି ରଙ୍ଗ ଦେଖାଯିବନି। ଆମେ ସମସ୍ତେ ଖାଦ୍ୟ ନିରାପତ୍ତାର ମାନେ କିନ୍ତୁ ଏପରି ବୁଝୁ ଯେ ଭାତ ତରକାରୀ ରନ୍ଧାହେଲେ ଯାଇ ଖାଇବୁ ଓ ଏଥି ପାଇଁ ସବୁ ବ୍ୟବସ୍ଥା ଘରେ ଥିବା ଦରକାର। ଏଣୁ ଭୋଟ ରାଜନିତୀକୁ ପର୍ଦ୍ଦା ପଛରେ ରଖି ଗରିବଙ୍କୁ ୨ ଟଙ୍କିଆ ଚାଉଳ ଦେବାର ଅତି ଛୋଟ କଥା ଟିଏ ରାଜନେତାମାନଙ୍କ ମୁଣ୍ଡକୁ ଜୁଟିଲା। ଚାଉଳରୁ ଭାତ କରି ମେଂଚେ ଖାଇଦେଲେ ପେଟ ତ ଯେନେତେନେ ପୂରିବ କିନ୍ତୁ ଯେଉଁ ପୁଷ୍ଟି ଦରକାର ଦେହ ମୁଣ୍ଡକୁ, ସେଗୁଡ଼ା କେମିତି ମିଳିବ? ଅନେକଙ୍କ ମନରେ ପ୍ରଶ୍ନ ଉଠେ ଗରିବଟିଏ, ତାର ଜାଗାବାଡ଼ି କାହିଁ ସେ ଏତେ ପ୍ରକାର ଫଳଫୁଲୁରୀ ଫଳାଇବ ଓ ଖାଇବ? ଆମେ ଜାଣିନୁ କିମ୍ୱା ଜାଣି ଭୁଲିଯାଇଛୁ ଯେ ବହୁତ କମ ଜାଗାରେ ମଧ୍ୟ ପନିପରିବା, ଶାଗ, ଫଳ ଇତ୍ୟାଦି ଫଳାଇ ହେବ। ଘର ଚାରିପଟେ ବାଡ଼ ଭିତରେ କୁକୁଡ଼ା ଭାଡ଼ି, ଅମୃତ ଭଣ୍ଡା, ସଜନା ଗଛ, ପିଜୁଳି ଗଛ, ବାଡ଼ ଦେହରେ କାକୁଡ଼ି, କଲରା, ଜହ୍ନି, ବରଗୁଡ଼ି ଓ ଝୁଡ଼ଙ୍ଗ, ଖାଲି ଖୋଲା ଜାଗାରେ ଶାଗ, ଭେଣ୍ଡି, ବାଇଗଣ, ଲଙ୍କା ଲଗେଇ ଜଣେ ପରିବାର ଖୁସିରେ ଚଳିପାରିବ। ନିଜ ପରିବାରର ପୁଷ୍ଟି ମେଂଟାଇ ଅନ୍ୟକୁ ମଧ୍ୟ ବିକି ପାରିବ। ଅନ୍ୟାନ୍ୟ ଖାଇବା ଜିନିଷ ଯଥା ତେଲ, ଲୁଣ, ଡ଼ାଲି, ମାଛ ଇତ୍ୟାଦି ପାଇଁ ଯେଉଁ ପଇସା ଦରକାର ସେ ପାଇଁ ଛୋଟ ଓ ନାମମାତ୍ର ଚାଷୀକୁ ଧାନ ଫଳେଇବାର ଆବଶ୍ୟକତା ନାହିଁ। କିଲୋ ପିଛା ୮-୯ ଟଙ୍କାରୁ କେବେବି ବେଶୀ ଦରରେ ବିକ୍ରି ହେଉ ନଥିବା ଏକ ଫସଲ ସେ କାହିଁକି କରିବ? ଧାନ କେବଳ ବହୁତ ବଡ଼ ଚାଷୀ ପାଇଁ ଲାଭଦାୟକ ଯେଉଁଥିରୁ ସେ ତା’ର ସବୁ ଖର୍ଚ୍ଚ ତୁଲେଇ ପାରେ। କିନ୍ତୁ ଗରିବ ଭାଗଚାଷୀ, ଛୋଟ ଓ ନାମମାତ୍ର ଚାଷୀ ଯାହାର ୨ ଗୁଣ୍ଠରୁ ୨ ଏକର ପର୍ଯ୍ୟନ୍ତ ଜମି ଅଛି ସେ ଧାନ କଲେ ନିଜେ ଖାଇବ କେତେ, ବିକିବ କେତେ ଓ କେତେ ପଇସାରେ? ତାକୁ ଏଣୁ ଏମିତି ଫସଲ କରିବାକୁ ହେବ ଯେଉଁଥିରୁ ତା’ ହାତକୁ ଅଧିକ ପଇସା ଆସିବ ଓ ସେ ପଇସାରେ ସେ ତାର ଖାଦ୍ୟ କିଣି ପାରିବ ଓ ଅନ୍ୟାନ୍ୟ ପାରିବାରିକ ଆବଶ୍ୟକତା ମେଣ୍ଟେଇ ପାରିବ। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ବା ଫାଓର କଳନା ଅନୁସାରେ ୨୦୫୦ ମସିହା ବେଳକୁ ପୃଥିବୀରେ ବାସ କରୁଥିବା ସବୁ ମଣିଷମାନଙ୍କର ବର୍ତମାନ ଯେତିକି ଖାଇବା ଜିନିଷ ଦରକାର ପଡ଼ୁଛି ତା’ର ଆହୁରି ୭୦ % ଅଧିକ ଖାଦ୍ୟ ଦରକାର ହେବ। ବର୍ତମାନ ପୃଥିବୀରେ ୧୦୦ କୋଟି ଲୋକ ଦୁର୍ଭିକ୍ଷ ଓ ପୁଷ୍ଟିହୀନତା ମଧ୍ୟରେ ବଞ୍ଚୁଛନ୍ତି ଏବଂ ସେମାନଙ୍କର ୯୮% ବିକାଶଶୀଳ ଦେଶମାନଙ୍କରେ ବାସ କରନ୍ତି। ଏହାର ଅର୍ଥ ଆମ ରାଜ୍ୟର ପ୍ରତ୍ୟକ ଗାଁ, ସହର ଓ ଏମିତି ଭାରତର ସବୁ ଭୋକିଲା ଲୋକଙ୍କୁ ଯଦି ମିଶାଯାଏ ଏ ୧୦୦ ଜଣରୁ କେତେଜଣ ହେବେ? ସେଥିରୁ ୧୬୦ କୋଟି ଲୋକ ପୃଥିବୀରେ ଶୁଖିଲା ଅଂଚଳରେ (ଯେଉଁଠି ଅତିକମ୍ ବର୍ଷା ହୋଇଥାଏ) ବାସକରୁଛନ୍ତି। ବର୍ତ୍ତମାନ ପାଣି ପାଇଁ ସବୁ ଆଡେ଼ ହାହାକାର। ଆସନ୍ତା ୪୦ ବର୍ଷ ଭିତରେ ବଡ଼ ଆକାରର ଚାଷ ଓ ଶିଲିଂ ଆଧାରରେ ଚାଷ ପାଇଁ ୭୦ରୁ ୯୦ ପ୍ରତିଶତ ଅଧିକ ପାଣି ଦରକାର ହେବ ପୃଥିବୀରେ। ଏଠି ପ୍ରଶ୍ନ ଉଠେ ଯେତେ ଯେତେ ହିସାବ ବଡ଼ ବଡ଼ ସଂସ୍ଥା ଓ ସରକାରମାନଙ୍କ ଦ୍ୱାରା ଆମକୁ ଦିଆଯାଉଛି ଏହା ପଛରେ ମୂଳ କାରଣ କ’ଣ? ଯେତେ ଜିନିଷ ଆମକୁ ଖାଇବାକୁ ଅଛି, ପିନ୍ଧିବାକୁ, ବ୍ୟବହାର କରିବାକୁ ଦରକାର ପଡ଼ୁଛି ସେ ସବୁର ଅଭାବ କାହିଁକି ହେଉଛି? ତା’ର କାରଣ (୧) ପୃଥିବୀରେ ଯେତିକି ଜମି ଥିଲା ଚାଷ ପାଇଁ ତାହା ଘରଦ୍ବାର, ରାସ୍ତା ଘାଟ, କଳକାରଖାନା, ଖେଳପଡ଼ିଆ, ପାର୍କ ତିଆରିରେ ଲଗାଯାଇ କମାଇ ଦିଆଯାଇଛି, (୨) ପ୍ରକୃତି ଆମକୁ ଯେଉଁ ସବୁ ଧନ, ସମ୍ବଳ (ଜଙ୍ଗଲ, ନଇ, ପବନ, ପାଣି, ଜନ୍ତୁ) ଦେଇଛି ତାକୁ ସବୁ ଆମେ ବିକାଶ ନାମରେ ଧ୍ବଂସ କଲୁଣି, (୩) ବିଭିନ୍ନ ଜିନିଷର ବ୍ୟବହାର ଓ ଚାହିଦା ମେଂଟାଇବା ପାଇଁ ମଣିଷ ସବୁ ସମ୍ବଳକୁ ଅଧିକ ମାତ୍ରାରେ ଶିଳ୍ପ କାରାଖାନା ଜରିଆରେ ବ୍ୟବହାର କରିଚାଲିଛି। ଏତେ ସବୁ ଚାହିଦା ଓ ଆବଶ୍ୟକତା କ’ଣ ପାଇଁ? ଏହାର ମୂଳ କାରଣ ହେଉଛି ପୃଥିବୀର ଲୋକ ସଂଖ୍ୟା। ଗୋଟିଏ ପରିବାରରେ ୪ ଜଣ ଲୋକ ଥିଲେ ଯେତିକି ଖାଦ୍ୟ ଓ ଜିନିଷର ଦରକାର ପଡ଼ନ୍ତା; ୯ ଜଣ ହେଇଗଲେ ଅଧିକ ତ ନିଶ୍ଚୟ ଦରକାର ହେବ। ଗୋଟିଏ ପଟେ ସମ୍ୱଳ ଯେତିକି ଥିଲା ସେତିକି, କିନ୍ତୁ ଅନ୍ୟ ପଟେ ଆବଶ୍ୟକତା ଅଧିକ। ଚାଷ ଏକାକୀ ସବୁ ସବୁଜ ଗୃହ ବାଷ୍ଫ ବା ଗ୍ରୀନ ହାଉସ୍ ଗ୍ୟାସର ୧୪ ପ୍ରତିଶତ ଛାଡ଼ୁଛି ବାୟୁମଣ୍ଡଳକୁ। କମ ରୋଜଗାର କରୁଥିବା ଦେଶମାନେ ବାୟୁମଣ୍ଡଳକୁ ଛାଡୁଥିବା ମୋଟ ଗ୍ୟାସର ୪ ଭାଗରୁ ୩ ଭାଗ କେବଳ ଚାଷ କ୍ଷେତ୍ର ଦ୍ୱାରା ଛାଡୁଛନ୍ତି (ଡଚ୍ ବ୍ୟାଙ୍କର ଗବେଷଣା ଅନୁସାରେ)। ଏହା ମଧ୍ୟ ଆହୁରି ବଢିବ। କାରଣ ଲୋକସଂଖ୍ୟା ବଢୁଛି ଓ ରୋଜଗାର ବଢିବା ହେତୁ ଖାଇବା ଓ ବ୍ୟବହାର କରିବାର ଧାରା ମଧ୍ୟ ବଦଳୁଛି। ବଢୁଥିବା ଲୋକସଂଖ୍ୟା ପାଇଁ ଖାଲି ବହୁତ ଖାଦ୍ୟ ଉତ୍ପାଦନ କରିଲେ ହେବ ତାହା ନୁହେଁ, ବରଂ କେମିତି ଅମଳ ସମୟର କ୍ଷତିକୁ କମାଯାଇ ପାରିବ ଓ ଅମଳ ପରେ ଖାଦ୍ୟ ନଷ୍ଟକୁ ରୋକାଯାଇ ପାରିବ ଏହା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ପୃଥିବୀର ମୋଟ ଖାଦ୍ୟ ପଦାର୍ଥର ୩ ଭାଗରୁ ୧ ଭାଗ ନଖାଇ ଫୋପଡ଼ା ଯାଉଛି। ଖାଦ୍ୟ ସାଇତି ରଖିବା ପାଇଁ ସୁବିଧା ଓ ସବୁ ଛୋଟ ଚାଷୀ ଏକାସାଙ୍ଗରେ ଅମଳ କରି ଗୋଟିଏ ଗାଡ଼ିରେ ଧାନ, ଫଳ, ପନିପରିବା ନେଲେ ଖାଦ୍ୟ କମ ନଷ୍ଟ ହେବ ଓ ଖର୍ଚ୍ଚ କମାଇ ହେବ। ବାହାରୁ ମଜୁରିଆ ନଆଣି ନିଜ ଭିତରେ ବଦଳ କରି ପରସ୍ପରର ଜମିରେ କାମ କଲେ ଖର୍ଚ୍ଚ କମାଇ ହେବ। ସେ ସବୁ ଫସଲ ପାଇଁ ଉପଯୁକ୍ତ ବିକ୍ରୀ ବ୍ୟବସ୍ଥା ମଧ୍ୟ ସରକାରଙ୍କ ତରଫରୁ ହେବା ଉଚିତ। ଆମ ଓଡ଼ିଶାରେ ଏପ୍ରକାରର ସମସ୍ତ ଚାଷୀଙ୍କ ଫସଲକୁ ଓମଫେଡ଼ ଜରିଆରେ ଯେମିତି କେଉଁ ନିପଟ ଅପହଞ୍ଚ ଗାଁରୁ ଦୁଧର କିଣାବିକା ବ୍ୟବସ୍ଥା ହେଉଛି, ସେମିତି ଯେଉଁ ଯେଉଁ ଚାଷୀ ଯେତେ ପରିମାଣର ଫସଲ ବିକ୍ରୀ କରିବାକୁ ଚାହିଁବ, ତା’ର ଜିନିଷକୁ ସରକାର କିଣିଆଣି କାହିଁକି ବିକ୍ରୀ କରିପାରିବେନି? ଏହା ଦ୍ବାରା କେତେ ଚାଷୀଙ୍କର ଜୀବିକା ସୁରକ୍ଷିତ ହୋଇଯାନ୍ତା ଓ ଖାଉଟିମାନେ ଗୋଟିଏ ନିର୍ଦ୍ଦଷ୍ଟ ଦରରେ ଖାଦ୍ୟପଦାର୍ଥ ପାଖରେ ପାଇପାରନ୍ତେ। ଛୋଟଚାଷୀଙ୍କ ଫସଲକୁ ବଡଚାଷୀଙ୍କ ଫସଲ ବିକ୍ରୀ କରିବାର ସୁବିଧା ସୁଯୋଗ ସହ ଯୋଡାଯାଇ ପାରିଲେ କମ ଉଉତ୍ପଦନ କରୁଥିବା ଚାଷୀ ଉପକୃତ ହେବ। ନାମ୍ବିଆ ପରି ଉପ-ସାହାରା ଦେଶରେ ଏହା ସଫଳତା ଆଡକୁ ଗତି କରୁଛି। ଆମ ରାଜ୍ୟ ଓ ଦେଶର ଠିକାଚାଷକୁ ଆମେ ବିରୋଧ କରୁଛୁ କିନ୍ତୁ ତା ବଦଳରେ ଆମେ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ବାଟ ଦେଖେଇଛୁ କି? ଯଦି ନା, ତେବେ ବଡ ବଡ ଚାଷୀ ବା ଠିକା ଚାଷ କରି ଉତ୍ପାଦ ବଢାଇବାକୁ ଚାହୁଁଥିବା ଘରୋଇ ସଂସ୍ଥାମାନଙ୍କୁ ଆମେ ବିରୋଧ କରିବାର କି ଅଧିକାର ଅଛି? ଏତେ ଲୋକଙ୍କୁ ଖାଇବାକୁ ଦେବାକୁ ଫସଲ କାହିଁ? କମ ଫସଲ ଉତ୍ପାଦନ ହୋଇ ଦରଦାମ ବଢିଲେ କିଣିବାକୁ ସାଧାରଣ ଲୋକଟି ହାତରେ ନଗଦ ଟଙ୍କା କାହିଁ? ଆଉ ଗୋଟେ ଗୁରୁତ୍ବପୁର୍ଣ କଥା ହେଉଛି ଏହି ଛୋଟ ଚାଷୀମାନଙ୍କ ପାଖରେ ଚାଷକୁ ଠିକ ବାଟରେ କରିବା ପାଇଁ ପଇସା ଓ ଜ୍ଞାନର ଅଭାବ। ଆମର ଏପରି ବ୍ୟାଙ୍କ ନୀତି ଓ କୃଷିନୀତି ହେବା ଉଚିତ ଯେମିତି ସେମାନେ ସହଜରେ ଆବଶ୍ୟକ ପୁଞ୍ଜି ଓ ଜ୍ଞାନ ପାଇବେ। ପୃଥିବୀର ଖାଦ୍ୟ ସଙ୍କଟ ଓ ଜଳବାୟୁଭିତ୍ତିକ ଅନ୍ୟାନ୍ୟ ଅସୁବିଧାଗୁଡିକ ପାଇଁ ଖାଲି ଭାବିଲେ ହେବନି। ଆମ ଗାଁରେ ଏ ପ୍ରକାର ସମସ୍ୟାକୁ ଦୂର ବା ପ୍ରତିହିତ କରିବା ପାଇଁ ଯୁବସମାଜ ଚାକିରୀ ପଛରେ ନ ଗୋଡାଇ ଚାଷ ପାଇଁ ଆଗେଇ ଆସିବା ଦରକାର। କାରଣ ଆମ ଗାଁ ସ୍ତରରେ ଯେଉଁ କେତେ ଜଣ ଗରିବୀ ଓ ଭୋକରେ ଅଛନ୍ତି ସେମାନେ ପୃଥିବୀର ମୋଟ ଭୋକିଲା ଲୋକଙ୍କ ସଂଖ୍ୟା ଭିତରେ ଅଛନ୍ତି। ଯଦି ଗାଁରେ ଏମାନଙ୍କ ସଂଖ୍ୟା ଆମେ କମାଇପାରିବା ତେବେ ପୃଥିବୀର ମୋଟ ଭୋକିଲାଙ୍କ ସଂଖ୍ୟା କମିବ। ଏବେ ସବୁଆଡେ ଆଲୋଚନା ହେଉଛି ଯେ କେମିତି ଭଟ୍ଟା ଅମଳର ଚାଷ କରିବା ଉପାୟକୁ ଛାଡି ନୂଆ ଜ୍ଞାନକୌଶଳ ରେ ଚାଷ ହେବ, ଚାଷୀ ଲାଭବାନ ହେବ ଓ ଜଳବାୟୁ/ପରିବେଶକୁ କ୍ଷତି ହେବ ନାହିଁ। ଏଥିପାଇଁ ଆମକୁ ପ୍ରକୃତି ଦେଇଥିବା ବସବାସ ପରିବେଶ, ପ୍ରକୃତିକୁ କ୍ଷତି ନ କରି କେମିତି ଖାଦ୍ୟ ଫସଲ ଉପୁଜାଇ ପାରିବା? ଏଇଠି ମୁଁ ଢେଙ୍କାନାଳ ଜିଲ୍ଲାରେ ଜନ୍ମ ଆମେରିକାର ଜଣେ ଚାଷୀ ଓ କୃଷି ବୈଜ୍ଞାନିକ ଡଃ ସୁଭାଷ ମହାପାତ୍ରଙ୍କର ରାସାୟନିକ ସାର ବ୍ୟବହାର କରି କେମିତି ପ୍ରାକୃତିକ ଉପାୟରେ ଚାଷ କରି ଗରିବୀ ଓ ଭୋକିଲା ପେଟରେ କଷ୍ଟ କମାଇ ହେବ ସେ ବିଷୟରେ ଟିକେ ଧାରଣା ଦେବାକୁ ଚାହୁଛଁି। ତାଙ୍କର ପ୍ରଯୁକ୍ତି ବିଦ୍ୟା ବା ଚାଷ ବିଷୟରେ ସୂକ୍ଷ୍ମ ବୁଦ୍ଧିଟି ହେଉଛି (୧) ମାଟି ବ୍ୟବହାର ନକରି ଚାଷ, (୨) ମାଟି ସ୍ତରର ଉପରକୁ ଉପରକୁ ଚାଷ ଓ (୩) ପରିବେଶକୁ ନିଜ ହାତ ମୁଠାରେ/ଅକ୍ତିଆରରେ ରଖି ଚାଷ। ତାଙ୍କ ପାଖରୁ ଗତ ୭ ବର୍ଷ ଭିତରେ ତାଲିମରୁ ଓ ନିଜେ ଚାଷ କରି ନିଜେ ଯାହା ଶିଖିଲି ଓ ମୋର ପେସାରେ, ଗଲା ୨୬ ବର୍ଷ ଧରି ଯାହା ଅଭିଜ୍ଞତା ହେଲା - ମୋଟା ମୋଟି କହିବାକୁ ଗଲେ ଜଣେ ଗରିବ ଲୋକ ଓ ଅତି ଛୋଟଚାଷୀକୁ ଯଦି ୫ ପ୍ରକାର ଚାଷଜ୍ଞାନ ଯୋଗେଇ ଦିଆଯାଏ ତେବେ ଗରିବୀ ଓ ଭୋକର ସ୍ତର ୩୦-୪୫ ଦିନ ଭିତରେ ୭୦% ରୁ ଅଧିକ କମାଇ ଦେଇହେବ। ସେଗୁଡିକ ହେଲା - (୧) ଶାଗ, (୨) ଲଙ୍କା (୩) ଚାରା ଉତ୍ପାଦନ, (୪) ମାଂସ ପାଇଁ କୁକୁଡା ପାଳନ ଓ (୫) ଛତୁ ଛାଷ। ଏ ସବୁ ୩୦-୪୫ ଦିନ ଭିତରେ ଜଣକୁ ଭଲ ରୋଜଗାର ଦେଇପାରିବ। କାରଣ ସବୁ ଗୁଡିକ ୩୦-୪୫ ଦିନ ଭିତରେ ହିଁ ଖାଇବା/ବିକ୍ରି କରିବା ପାଇଁ ଠିକ ହୋଇଯାଇଥାଏ। ଏସବୁ ଚାଷ କରିବା ପାଇଁ ବହୁତ କମ ପଇସା ବା ପୁଞ୍ଜି ଦରକାର ହୁଏ। ଆଗରୁ ଲେଖିଛି ଯେ ଯିଏ ବଡଚାଷୀ ସେ ଧାନ ଚାଷ କଲେ ଲାଭବାନ ହେବ। କାରଣ ସେ ଏକାଥରରେ ବହୁତ ଧାନକୁ ୧୦ ଟଙ୍କା ହିସାବରେ ବିକିଲେ ତା’ ହାତକୁ ବହୁତ ପଇସା ଆସିବ ଓ ସେ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଜିନିଷ ସବୁ କିଣିପାରିବ। କିନ୍ତୁ ଯଦି ଛୋଟ ଚାଷୀଟିଏ ଧାନ କରେ ତେବେ କମ ପରିମାଣରେ ଧାନ ବିକିଲେ ତା’ ପାଖକୁ କମ ପଇସା ଆସିବ ଓ ସେ ଦରକାର କରୁଥିବା ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଓ ବ୍ୟବହାର ଜିନିଷ ସବୁ କିଣିପାରିବ ନାହିଁ। ଏଣୁ ସେ କେଜି ପିଛା ୨୦-୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରିପାରୁଥିବା ଫସଲ ଫଳାଇବା ଉଚିତ। ତାକୁ ବିକି ସେ ଚାଉଳ ସହିତ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ, ଲୁଗା, ଔଷଧ ମଧ୍ୟ କିଣିପାରିବ। ଲଙ୍କା ଗୋଟିଏ ଏମିତି ପରିବା ଯାହା କେବେ ୪୦ ଟଙ୍କାରୁ କମରେ ବିକ୍ରି ହୁଏନି। ଯଦି ଗଛରୁ କଂଚା ବେଳେ ବିକ୍ରି ନହେଲା ତେବେ ପାଚିଲେ ଶୁଖେଇ କରି ମଧ୍ୟ ବିକ୍ରି କରାଯାଇପାରେ। ଏଥିରେ ଚାଷୀର ଆଦୌ କ୍ଷତି ନଥାଏ। ଡାକ୍ତର ସୁଭାଷ ମହାପାତ୍ରଙ୍କ ବୁଦ୍ଧିରେ ଯଦି ଚାଷୀ ରାସାୟନିକ ସାରକୁ ତରଳ ଅବସ୍ଥାରେ ଚାଷରେ ବ୍ୟବହାର କରନ୍ତେ ଓ ପ୍ଲାଷ୍ଟିକ ମୁଣି ଓ ଲମ୍ୱା ପ୍ଲାଷ୍ଟିକ ଜରିରେ ବାଲି ଭର୍ତି କରି ସବୁ ପ୍ରକାର ଚାଷ କରିପାରନ୍ତେ ତାହେଲେ ପ୍ରକୃତିକୁ କୌଣସି କ୍ଷତି ନକରି ଛୋଟ ଚାଷୀମାନ ତାର ଗରିବୀ ଓ ପେଟର ଭୋକକୁ ରୋକିପାରନ୍ତେ। ଏହି ଚାଷ ପଦ୍ଧତି ଦ୍ବାରା ପରିବେଶ ନଷ୍ଟ ହୁଏନି କି ମାଟିତଳେ ଥିବା ପାଣି ବି ବିଷାକ୍ତ ହୁଏନି। ଏହାଦ୍ବାରା କମ ଗ୍ୟାସ ବାହାରି ଥାଏ ଓ ଚାଷ ପାଇଁ ବହୁତ କମ ପାଣି ଦରକାର ହୋଇ ଥାଏ। ଏହା ହିଁ ପ୍ରାକୃତିକ ଚାଷ। ଏହି ଚାଷ ପ୍ରଣାଳୀକୁ ବ୍ୟବହାର କରି ମୁଁ ନିଜେ ଛାତ ଉପରେ ବାଇଗଣ, ବିଲାତି, ଶାଗ, କଖାରୁ, ବିନ୍ସ, କଲରା, ମକା, ପୋଟଳ, ଭେଣ୍ଡି, ଲଙ୍କା, ଇତ୍ୟାଦି ସଫଳତାର ସହ ଫଳାଇଛି ଓ ବହୁତ ଚାଷୀଙ୍କୁ ତାଲିମ ମଧ୍ୟ ଦେଉଛି। ବୈଜ୍ଞାନିକ ଡଃ. ମହାପାତ୍ର ବିମାନଘାଟି ଅଞ୍ଚଳରେ ଥିବା ଘର ଛାତ ଉପରେ ଲେମ୍ୱୁ, ଲଙ୍କା, ଶାଗ ଓ ଧାନ ମଧ୍ୟ ସଫଳତାର ସହ ଫଳାଇ ସାରିଛନ୍ତି ଏବଂ ତାଙ୍କର କୁଣ୍ଡରେ ମାଗୁର ମାଛ ମଧ୍ୟ ଚାଷ କରି ଖାଇବା ସହ ଲୋକଙ୍କୁ ଶସ୍ତାରେ ଖୁଆଇଛନ୍ତି। ପ୍ରତ୍ୟେକ ବର୍ଷ ୩ ମାସ ଧରି ସେ ୭୦ ବର୍ଷ ବୟସରେ ସାରା ଓଡିଶାରେ ବୁଲି ଚାଷୀମାନଙ୍କ ଉନ୍ନତି ପାଇଁ ତାଙ୍କର ସମୟ ଓ ଜ୍ଞାନ ବାଣ୍ଟନ୍ତି। ୨-୩ ପର୍ଯ୍ୟାୟରେ ମଧ୍ୟ ସେ ତାଙ୍କ ଗାଁ ଢେଙ୍କାନାଳର ବରକୋଳିରେ ସ୍ଥାପନ କରିଥିବା ତାଲିମ କେନ୍ଦ୍ରରେ ୩ ଦିନିଆ ଆବାସିକ ତାଲିମ ଦିଅନ୍ତି। ଯେତେଥର ତାଲିମ ନେଲେବି ସବୁଥର ନୂଆ ନୂଆ ଜ୍ଞାନ ସହ ଅନୁଭୂତି ମଧ୍ୟ ମିଳେ। ତାଙ୍କ ଚାଷ ପ୍ରଣାଳୀରେ ୧୦-୧୨ ଇଂଚ ବାଲି (ବିନା ମାଟିରେ ଚାଷ) ପଲିଥିନ ଜରିରେ ଗୋଟିଏ ପଟକୁ ଅପେକ୍ଷାକୃତ ଢାଲୁ କରି ରଖି ଚାଷ ପାଇଁ ପଟାଳି ପ୍ରସ୍ତୁତ କରାଯାଏ ଓ ଚାରା ଗଛଟିକୁ ସେହି ବାଲିରେ ପୋତି ତରଳ ସାରକୁ ପଟାଳିର ଗୋଟିଏ ମୁଣ୍ଡରେ ବୁନ୍ଦା ଜଳସେଚନ (ହାଣ୍ଡିର ତଳେ ଛୋଟ କଣା କରି) ବା ମଗରେ ଢାଳି ଚାଷ କରାଯାଏ। ବାଲିକୁ ୪-୫ ଦିନରେ ଟିକେ ଉଖାଡି ଦେଖିଲେ ଯଦି ବାଲିର ବତର କମ ଏ ତେବେ ପୁଣି ସାରପାଣି ଦିଆଯାଏ। ବାଲି ବହୁତ ଦିନ ପର୍ଯ୍ୟନ୍ତ ସାରପାଣିକୁ ଧରିରଖେ ଓ ଗଛ ନିଜେ ଦରକାର ଅନୁସାରେ ସାରପାଣି ଟାଣି ବଢେ ଓ ଫସଲ ଫଳାଏ। ବଜାରରେ ଚାଷ ପାଇଁ ମିଳୁଥିବା ସ୍ବତନ୍ତ୍ର ପ୍ରକାରର ପଲଥିନ ମୁଣି ଓ ୫ କେଜି ଅଟା ଜରି ମଧ୍ୟ ସମାନ ପ୍ରଣାଳୀରେ ଚାଷ ପାଇଁ ବ୍ୟବହାର କରାଯାଇ ପାରିବ। ଆହୁରି ମଧ୍ୟ ଗୋଟିଏ ଖୁଣ୍ଟରେ କିଛି କିଛି ବ୍ୟବଧାନରେ ୩-୪ ଫୁଟ ଲମ୍ୱର କାଠ/ବାଉଁଶ ବଲ୍ଲା ଉପରକୁ ଉପରକୁ ବାନ୍ଧି (ମାଟି ସ୍ତରର ଉପରକୁ ଉପରକୁ ଚାଷ ପ୍ରଣାଳୀ) ସେଥିରେ ପଲଥିନ ବା ଛୋଟ ପ୍ଲାଷ୍ଟିକ ବାଲଟି/ପାତ୍ର ଟଙ୍ଗାଇ ପରିବା, ଫୁଲ, ଫଳ ମଧ୍ୟ ଚାଷ କରାଯାଇ ପାରିବ। ଏ ପ୍ରଣାଳୀରେ ଚାଷ କଲେ ବେଶୀ ଜାଗା ଦରକାର ହୁଏନି, ବେଶି ପାଣି ଦରକାର ହୁଏନି କି ବେଶି ସାର ଦରକାର ହୁଏ ନାହିଁ। ସାଧାରଣ ଗରିବ ପରିବାରଟିଏ (ଗାଁରେ ହେଉ କି ସହର ତଳି ଅଞ୍ଚଳରେ) ନିଜ ପରିବାର ପାଇଁ ଫସଲ ଫଳାଇ ଗରିବୀ ଓ ଭୋକ କମାଇ ପାରିବ, ଏଥିରେ ସନ୍ଦେହ ନାହିଁ। ବୈଜ୍ଞାନିକ ମହାପାତ୍ରଙ୍କର ମାଟିକୁ ବ୍ୟବହାର କରି ଚାଷ କରିବାର ପ୍ରଣାଳୀ ମଧ୍ୟ ବେଶ ଅଲଗା, ଯାହା ଗଛକୁ ଭଲ ଭାବରେ ବଢ଼ିବାକୁ ଦିଏ ଓ ଅଧିକ ଫଳାଏ। ଆମ ଚାଷୀ ୨ ପ୍ରକାରର ଭୁଲ ସବୁବେଳେ କରିଥାଏ। ୧- ଜମି ଢ଼ାଲୁ ଥିବା ଦିଗର ବିପରୀତରେ ସିଆର କରେ ପାଣିକୁ ଗଛମୂଳେ ଅଟକାଇ ରଖିବା ପାଇଁ। ଯାହାଦ୍ବାରା ଗଛମୂଳରେ ପାଣି ଜମି ଚେରକୁ ବାହାର

Share :