ଦାମୋଦରଙ୍କ ମହତର ମୂଲ୍ୟ

ଦାମୋଦରଙ୍କ ମହତର ମୂଲ୍ୟ

Share :

ସଂପ୍ରତି ଚିଟ୍ ଫଣ୍ଡ ଦୁର୍ନୀତିରେ ଉଠିଥିବା ପାଜେରୋ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସବୁଠୁ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କର ସହଯୋଗୀ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଉଦ୍ଦେଶ୍ୟରେ ଉପଦେଶାତ୍ମକ ଢଙ୍ଗରେ କହିଛନ୍ତି- ଆଲୋ ସଖୀ, ଆପଣା ମହତ ଆପେ ରଖି। ବାକ୍ ଚାତୁରୀର ବିଶେଷ ଦକ୍ଷତା ରଖିଥିବା ଦାମ ଉଭୟ ପକ୍ଷକୁ ଜଗି କଥାବାର୍ତ୍ତା କରନ୍ତି। ଏହି ପ୍ରସଙ୍ଗରେ ସେ ଏକଥା ମଧ୍ୟ କହିଛନ୍ତି ଯେ ଏଯାଏଁ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ। ତିନି ତୁଣ୍ଡରେ ଛେଳି କୁକୁର। ଆଗରୁ ରାଜନୀତି ଥିଲା ସେବା ଓ ତ୍ୟାଗର କର୍ମ। ଏବେ ସଂପତ୍ତି ଓ କ୍ଷମତା ଆହରଣ ହୋଇଯାଇଛି ରାଜନେତାଙ୍କର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ସେବା ଓ ତ୍ୟାଗ ଏବଂ ରାଜନୀତିକ ମୂଲ୍ୟବୋଧ କଥା ଉଠାଇ ସେ ପରୋକ୍ଷରେର ସଂଜୟ ଦାସବର୍ମା ଏବଂ ତାଙ୍କ ପରି ଅନ୍ୟ ମନ୍ତ୍ରୀମାନଙ୍କୁ ସମାଲୋଚନା କରିଛନ୍ତି। ସେମାନେ କେବଳ ଅର୍ଥ ଓ କ୍ଷମତା ପାଇଁ ରାଜନୀତି କରୁଛନ୍ତି ବୋଲି ଦାମ ଇଙ୍ଗିତ ଦେଇଛନ୍ତି। ସେହିପରି ଆଲୋ ସଖୀ, ଆପଣା ମହତ ଆପେ ରଖି ଉପଦେଶ ଜରିଆରେ ସେ ସଂଜୟଙ୍କୁ ଇସ୍ତଫା ଦେବାକୁ ଇଙ୍ଗିତ ଦେଇଛନ୍ତି ବୋଲି ରାଜନୀତି ଭାଷ୍ୟକାରମାନେ ଅର୍ଥ ବାହାର କରୁଛନ୍ତି। ଡାକ୍ତର ରାଉତ ଏଭଳି ମନ୍ତବ୍ୟ ଦେବାର ଦିନକ ପରେ ସଂଜୟ ଦାସବର୍ମାଙ୍କକୁ ପୁରୀର କଳାପତାକା ପ୍ରଦର୍ଶନ କରାଗଲା। ଏପ୍ରିଲ ୧୪ ତାରିଖରେ ସେ ପୁରୀ ଯାଇଥିବା ସମୟରେ କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ପ୍ରଦର୍ଶନ କରିବା ସହିତ ତାଙ୍କର ଇସ୍ତଫା ଦାବି କଲେ। ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଓ ବିଜେପି ନେତାମାନେ ମଧ୍ୟ ଦାମଙ୍କ ‘ମହତ’ କଥା ଉଠାଇ ସଂଜୟଙ୍କ ଇସ୍ତଫା ଦାବି କଲେ। କିନ୍ତୁ ଇତିମଧ୍ୟରେ ତିନି ଦିନ ଚୁପ୍ ରହିଥିବା ସଂଜୟ ଦାମଙ୍କ ‘ତିନି ତୁଣ୍ଡରେ ଛେଳି କୁକୁର’ ସଂକେତ ବୁଝିପାରି ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗ ପ୍ରମାଣିତ କରିବାକୁ ଆହ୍ବାନ ଦେଲେ। ସେ କହିଲେ, ସେ ତାଙ୍କ କାଗଜପତ୍ର ଦାଖଲ କରି ସାରିଛନ୍ତି। ଅଭିଯୋଗ ନେଇ ବିରୋଧୀ ଦଳ ପାଖରେ ଯଦି କାଗଜପତ୍ର ଅଛି ତେବେ ତାହା ସିବିଆଇରେ ଦାଖଲ କରାଯାଉ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ବୋଲି ମଧ୍ୟ ସେ ଦୃଢ଼ୋକ୍ତି ପ୍ରକାଶ କଲେ। ଅର୍ଥତତ୍ତ୍ବ୍ ଚିଟ୍ ଫଣ୍ଡ ସଂସ୍ଥା ମାଲିକ ପ୍ରଦୀପ ସେଠୀ ଗିରଫ ହେବା ପରେ କାଳେ ସିବିଆଇକୁ ଦେଇଥିବା ବୟାନରେ କହିଥିଲେ ଯେ ସଂଜୟ ଦାସବର୍ମାଙ୍କୁ ସେ ଏକ ପାଜେରୋ ଗାଡ଼ି ଉପହାର ଦେଇଛନ୍ତି। ଏହି ବୟାନ ସଂପର୍କରେ ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଥିଲେ ମଧ୍ୟ ବୟାନର ଦେଢ଼ ବର୍ଷ ଭିତରେ ସିବିଆଇ ଅଧିକାରୀମାନେ ସଂଜୟଙ୍କୁ ଜେରା ନକରି ଛାଡ଼ିଦେଲେ। ଏବେ ଏହି ଗାଡ଼ିର କାଗଜପତ୍ର ଦାଖଲ କରିବାକୁ ତାଙ୍କ ଉପରେ ନୋଟିସ ହୋଇଥିଲା। ସେ ନିଜେ ନଯାଇଁ ନିଜ ଓକିଲ ଜରିଆରେ ଗାଡ଼ି କାଗଜପତ୍ର ସିବିଆଇରେ ଦାଖଲ କରିସାରିଛନ୍ତି। କଥା ଶେଷ। ଏହାକୁ ନେଇ ରାଜନୀତି କରିବାର ଅବସର ନାହିଁ କହିଲେ ଚଳେ। ଏ ମାମଲା ଏବେ କୋର୍ଟରେ ବିଚାରାଧୀନ। ସିବିଆଇ ତଦନ୍ତ ଆହୁରି ସରି ନାହିଁ। ସଂଜୟ ଯଦି ଗାଡ଼ି ନେଇଛନ୍ତି ଏବଂ ତାହା ଯଦି ଦୋଷାବହ ତେବେ ସିବିଆଇ ତାଙ୍କୁ ଗିରଫ କରିବ ଏବଂ କୋର୍ଟ ତାଙ୍କୁ ଦଣ୍ଡ ଦେବ। ତା’ପୂର୍ବରୁ ତାଙ୍କୁ ବରଖାସ୍ତ କରିବାକୁ ବିରୋଧୀ ଦଳଗୁଡ଼ିକ ଯେଉଁ ଦାବି କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁପ୍ରିମ କୋର୍ଟ କ୍ଷମତା ହସ୍ତାନ୍ତର କରିବା ପରି କଥା ହୋଇଛି। ସଂଜୟ ନିଜଆଡ଼ୁ ଇସ୍ତଫା ଦେବା ତାଙ୍କ ଉଚ୍ଚ ମୂଲ୍ୟବୋଧର ପରିଚାୟକ ହେବ। କିନ୍ତୁ ବରଖାସ୍ତ କରିବା ଦ୍ବାରା ନବୀନ ପଟ୍ଟନାୟକଙ୍କର ମଳିନ ପଡ଼ି ଆସୁଥିବା ଭାବମୂର୍ତ୍ତି ଉଜ୍ଜ୍ବଳ ହେବ। ଉଭୟ ଘଟଣାରେ ବିରୋଧୀ ଦଳର କିଛି ଫାଇଦା ହେବାର ନାହିଁ। ତଥାପି ତାହାକୁ ନେଇ ରାଜନୀତି ଚାଲିଛି। ସଂଜୟ ଦାସବର୍ମା ଇସ୍ତଫା ଦେଲେ ବା ନବୀନବାବୁ ତାଙ୍କୁ ବରଖାସ୍ତ କଲେ ବିରୋଧୀ ଦଳଗୁଡ଼ିକ ଅଧିକ ଭୋଟ ପାଇବେ କି? ତେବେ, କଥା ହେଉଛି ସଂଜୟ ତାଙ୍କର ନିଜର ତିକ ମୂଲ୍ୟବୋଧ ଓ ମାନ ମହତ ରଖିବେ କି ନାହିଁ ତାହା ତାଙ୍କ ନିଜ ଉପରେ ନିର୍ଭର କରେ। ଏହା ତାଙ୍କର ନିହାତି ବ୍ୟକ୍ତିଗତ କଥା। ଡାକ୍ତର ରାଉତ ସେଇ କଥା କହିଛନ୍ତି। ସଂଜୟ ନିଜ ଆଡ଼ୁ ଇସ୍ତଫା ଦେଲେ ନବୀନଙ୍କଙ୍କୁ ଖରାପ ଲାଗିବ ନାହିଁ। ଏଭଳି ପରାମର୍ଶ ଦେଇ ଡାକ୍ତର ରାଉତ ନବୀନ ପଟ୍ଟନାୟକଙ୍କର ସଚ୍ଚା ଶୁଭାକାଙକ୍ଷୀ ସାଜିଛନ୍ତି। ଦାମବାବୁ ନିଜେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଖୁସିରେ ନାହାନ୍ତି। ସେ ଏକଥା ଅନେକବାର ତାଙ୍କର ସ୍ବଭାବସୁଲଭ ଢଙ୍ଗରେ ପ୍ରକାଶ କରି ସାରିଛନ୍ତି। ଅବକାରୀ ଓ ସମବାୟ ବିଭାଗ ପାଇଲା ଦିନ ସେ କହିଥିଲେ, ଖୁସି କାହିଁକି ହେବିନି! ନାଲିବତୀ ତ ଲାଗିଲା! ବାସ୍ତବରେ ସେତେବେଳେ ସେ ତାଙ୍କପରି ବରିଷ୍ଠ ମନ୍ତ୍ରୀଙ୍କୁ ଏଭଳି ଗୁରୁତ୍ବହୀନ ବିଭାଗ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକଟ କରିଥିଲେ। କିନ୍ତୁ ସେ ନିଜର ମାନମହତ ନରଖି ମନ୍ତ୍ରିମଣ୍ଡଳରେ ରହିଲେ। ଏ ଦୁଇ ବର୍ଷ ଭିତରେ ସେ ଏମିତି ଅନେକ ଥର ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତଥାପି ନିଜର ମହତ ନିଜେ ନରଖି ନବୀନ ପଟ୍ଟନାୟକ ବା ତାଙ୍କର ଅମଲାତାନ୍ତ୍ରିକ ଉପଦେଷ୍ଟାଙ୍କ ହାତକୁ ଟେକି ଦେଇଛନ୍ତି। ବିଜୁ ଜନ୍ମ ଶତ ବାର୍ଷିକୀ ଆୟୋଜନ ନେଇ ସେ କହିଥିଲେ, ଛାତି ଫାଟି ଯାଉଛି। କିନ୍ତୁ ତାଙ୍କ ଛାତି ଫାଟିଲା ନାହିଁ। ଏବେ ବି ଠିକ୍ କାମ କରୁଛି। ଚିଟ୍ ଫଣ୍ଡ ଦୁର୍ନୀତିରେ ତାଙ୍କ ବିରୋଧରେ ବି ଅଭିଯୋଗ ହୋଇଛି। ସେ ଏଭଳି ଅଭିଯୋଗ ବିରୋଧରେ ବାକ୍ ବିସ୍ଫୋରଣ ଘଟାଇଛନ୍ତି ସିନା ମହତ ରଖି ଇସ୍ତଫା ଦେଇ ନାହାନ୍ତି। ଚାଷୀ ଆତ୍ମହତ୍ୟା ଓ ଶୀତଳ ଭଣ୍ଡାର ପ୍ରସଙ୍ଗରେ ସେ କହିଲେ ସମବାୟ ରେଜିଷ୍ଟ୍ରାର୍ ତାଙ୍କ କଥା ଶୁଣୁ ନାହାନ୍ତି। ଏଭଳି କହି ସେ ତାଙ୍କର କେଉଁ ମହତ ରଖିଲେ ଜଣାପଡ଼ୁ ନାହିଁ। ଆଳୁ ପ୍ରସଙ୍ଗରେ ସେ କହିଥିଲେ ମନ୍ତ୍ରିମଣ୍ଡଳରେ ସମନ୍ବୟ ନାହିଁ। ଆଉ ଥରେ କହିଲେ ସରକାରରେ ଯୁବ ମନ୍ତ୍ରୀମାନେ ବରିଷ୍ଠ, ବରିଷ୍ଠମାନେ ବୟସ୍କ। କହିବାର ଅର୍ଥ ଥିଲା, ଯୁବମନ୍ତ୍ରୀଙ୍କୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ କ୍ଷମତା ଦିଆଯାଇଛି କିନ୍ତୁ ତାଙ୍କ ପରି ଦକ୍ଷ, ଅଭିଜ୍ଞ ଓ ବରିଷ୍ଠ ମନ୍ତ୍ରୀଙ୍କୁ ସେଭଳି ଗୁରୁତ୍ବ ଦିଆଯାଉ ନାହିଁ। ଦାମଙ୍କର ଏଭଳି ଆବେଗ ଓ ଅସହାୟପୂର୍ଣ୍ଣ ଅଭିବ୍ୟକ୍ତି ଅବଶ୍ୟ ଅମୂଳକ ନୁହେଁ। ନବୀନଙ୍କ ମନ୍ତ୍ରିସଭାରେ ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ, ଅରୁଣ ସାହୁ ପ୍ରମୁଖଙ୍କ କ୍ଷମତା ଓ ପ୍ରଭାବଠାରୁ ଦାମ ଏବେ କାହିଁ କେତେ ତଳେ! ଏଥିରେ ଅବଶ୍ୟ ତାଙ୍କର ମାନମହତ ଉଜୁଡ଼ିଲା ବୋଲି ସେ ଭାବୁ ନାହାନ୍ତି। କାରଣ କ୍ଷମତା ଛାଡ଼ିବାକୁ ତାଙ୍କର ବି ମନ ନାହିଁ।

Share :