ପ୍ରେସ୍- ବାବୁମିଆଁର ଖାସି ମାଂସ

ପ୍ରେସ୍- ବାବୁମିଆଁର ଖାସି ମାଂସ

Share :

ରବି କାନୁନଗୋ   ବାଜି ମାରି କହିପାରିବୁ ଯେ ଆମ ବାବୁ ମିଆଁ ଖାସି-ମାଂସ ଭରସା ବିତରଣ କରିବାକୁ ଗରାଖଙ୍କୁ ଯେତିକି ଆଖି ମାରିଥିବ ବା କାୟାଙ୍ଗିତ (ବଡି-ଲାଙ୍ଗୁଏଜ୍) ଜରିଆରେ ଠକିଥିବ, ଆଉ କେହି ସାରାଜୀବନ ପ୍ରେମ କରିବାକୁ ବି ସେତିକି ହୁକୁହୁକୁ ହୋଇ ନଥିବ। ବାବୁ ମିଆଁ ଠକେ ତ ନିଶ୍ଚୟ, ହେଲେ ସେ ଚୋର ନୁହେଁ। ଖୋଲାରେ ଛେଳି କାଟେ ଓ ଖୋଲମଲା ବିକେ। ସମସ୍ତେ ଦେଖୁଥିବା ପରି ସେ ଆଖିରେ ଆଙ୍ଗୁଠି ଗେଞ୍ଜେ। ଖାସି ମାଈ ବୁଢ଼ୀ ମେଣ୍ଢାା ମିଶେଇ ଏମିତି ଯେତିକି ହନନୀୟ ପଶୁ ଆଣିଥାଏ, ସବୁ କାଟି ବିକ୍ରିଟିକ୍ରି ସାରି ଘରକୁ ଗଲାବେଳେ ସେ ଖୁସ୍। ବାବୁମାନେ ‘ଖାସି’ ମାଂସ ପାଇଥିବାରୁ ଖୁସ୍! ଏହାର ମିମାଂସା-ତତ୍ତ୍ୱ ଗୋଟିଏ। ଠକେଇ ହେବାକୁ ଚାହୁଁଥିବା ଲୋକକୁ ଠକିଲେ ଦୋଷ କ’ଣ? ଭାରତୀୟ ଗଣତନ୍ତ୍ରରେ ସବୁଠାରୁ ବଡ଼ ବିପତ୍ତି କ’ଣ? ତାଲିକା କରିବାକୁ କୁହାଗଲେ ପ୍ରମୁଖକୁ କିଏ ଆସିବ ଏହାର ସ୍ଥୂଳ କି ନିରପେକ୍ଷ ଉପସ୍ଥାପନା ପ୍ରାୟ ସମ୍ଭବ ନୁହେଁ। ରାଷ୍ଟ୍ରରେ କିଏ ଅଧିକ ଗଣତନ୍ତ୍ର ବୁଝେ ବା କାହା ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ, ସେପରି ବିବାଦର ସୂତ୍ରପାତ ବାରମ୍ୱାର ହେଉଛି। ସଜାଡ଼ିବା ଅସୁବିଧା। ତେଣୁ ସେଠୁ ବାଟ କାଟିବାର ସହଜ ଉପାୟମାନ ମଧ୍ୟ ମିଳୁଛି। ଦୁର୍ନୀତି, ଆଇନଶୃଙ୍ଖଳା, ସାମାଜିକ ନୈତିକତା ଓ ମୂଲ୍ୟବୋଧର ସୁରକ୍ଷା - ଏମିତି ଦି’ ଚାରିଟା କଥା ଉଠେଇଲେ, ବାବୁମିଆଁମାନେ ଖୁସ୍, ଲୋକେ ବି ଖୁସ୍। ଜୁଡ଼ିସିଆରି, ଏକ୍କ୍ୟୁଟିଭ ଏବଂ ବ୍ୟବସ୍ଥାପକ ସଭା ଉପରୁ ଲୋକଙ୍କର ପତିଆରା ତୁଟି ଗଲାଣି। ବରଂ ଆମେ କହିବୁ ଯେ ଏମିତି କରିବାକୁ ଏକପ୍ରକାର ସମନ୍ବିତ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ତାହା କିପରି ବନ୍ଦ ହେବ - ସେଥିପାଇଁ ବାଟ ମିଳୁନାହିଁ। କିନ୍ତୁ ସବୁଠୁଁ ଆଶ୍ଚର୍ଯ୍ୟ କଥା ଯେ ଗଣତନ୍ତ୍ର ଚାଲିଛି! ଯାହା ଚାଲିଛି ତାହା ଗଣତନ୍ତ୍ର ନା ତା’ର ପ୍ରେତରୂପ - ଏକଥା ବିଚାରିବାକୁ ଲୋକେ ଉପାୟହୀନ ପରି ଲାଗୁଛନ୍ତି। କେତୋଟି ଆଦର୍ଶର ଚୂଡ଼ାନ୍ତ ଅନ୍ୱେଷଣ ପାଇଁ ମଣିଷ ଗଣତନ୍ତ୍ର ପରି ଏକ ବ୍ୟବସ୍ଥା ଖୋଜିଛି। ତାହା ଆମେମାନେ ପୁରାଣରୁ ଖୋଜୁ ବା ୟୁରେପୀୟମାନେ ପ୍ରାମାଣିକ ଇତିହାସରୁ ଦେଖାନ୍ତୁ, ସେହି ସନ୍ଧାନଟି ହେଲା - ମଣିଷ କବଳରୁ ମଣିଷ କେମିତି ରକ୍ଷା ପାଇବ? ଏହି ପ୍ରକ୍ରିୟା କଦାପି ଶେଷ ହେବ ନାହିଁ। ଯୁଗ ବଦଳୁଥିବ। ମଣିଷ ବଦଳିବ। ତା ବଞ୍ଚିବାର ଗତିପଥ ଓ ପ୍ରମୁଖତା ମଧ୍ୟ ବଦଳିବ। ଅଥଚ ତା ମନରେ ଗଣତାନ୍ତ୍ରିକ ଇଚ୍ଛା ବଦଳିବ ନାହିଁ। ଇଏ କି ଯୁକ୍ତି? ପୁରୁଣା ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଥିବାବେଳେ ସେଥିରୁ କେତୋଟି ମହତ ଅଭ୍ୟାସ ଓ ଧାରଣାକୁ ସାଙ୍ଗରେ ନେଇ ମଣିଷ କେତେ ଆଗକୁ ଏବଂ କିପରି ଚାଲି ପାରିବ - ଧର୍ମ ଓ ସଂସ୍କୃତି ନାଁରେ ଏକଥା ସବୁବେଳେ ଆଲୋଚନା ହେଉଥାଏ। ନାନାଦି ମନସ୍ତାତ୍ତ୍ୱିକ ବିବଶତା ଯୋଗୁ ଲୋକେ ଆଶ୍ରା କରନ୍ତି ବୋଲି ଧର୍ମ ଓ ସଂସ୍କୃତିରେ ଜନ ସହଯେଗ ଅବଶ୍ୟ ମିଳୁଥାଏ। କିନ୍ତୁ, ପଦାକୁ ସୁଠାମ ତଥା ପ୍ରଚଣ୍ଡ ଆଇନ ସଙ୍ଗତ ପରି ଦେଖାଯାଉଥିବା ଗଣତନ୍ତ୍ରର ବିଗିଡ଼ା ରୂପକୁ ସଜାଡ଼ିବା ସକାଶେ ସେମିତି ଲୋକଙ୍କ ସହଯୋଗ ବା ଉଦବେଗ ଦେଖିବାକୁ ମିଳେନାହିଁ। ଅଜବ ଆମର ଇଚ୍ଛା। ଚାହୁଁ ଯେ ଯିଏ ନେତା ସେ ମହର୍ଷି ବାଲ୍ମିକୀଙ୍କ ପରି ସନ୍ଥ ସ୍ବଭାବର ହେବା ଉଚିତ ଏବଂ ଏକାସାଙ୍ଗରେ ରତ୍ନାକର ପରି ସବୁ ପାପ ନିଜ ମୁଣ୍ଡକୁ ନେଇ ଆମକୁ ପୋଷିବା ଦରକାର। ତେବେ ଯାଇ ଆମେ ତାକୁ ଭୋଟ୍ ଦେଉ। ଏ କ୍ଷେତ୍ରରେ ସମସ୍ତଙ୍କ ମାନସିକତା ହେଲା - ଉଡ଼ି ଯାଉଚି ଲିଆ ତ ଗୋବିନ୍ଦାୟ ସ୍ବାହା। ନାଁ ଗଣତନ୍ତ୍ର, ଅଥଚ ଲୋକେ ସେଥିରେ ମିଶିବେନି ବା ମିଶିବାର ରୂପ ଇତସ୍ତତଃ ହେଉଥିବ। ଏହା ବହୁ ବିଭ୍ରାଟ ସୃଷ୍ଟି କରିବ। ଜନସାଧାରଣଙ୍କ ପ୍ରତିନିଧିତ୍ବ କରି ସେପରି ଶୂନ୍ୟସ୍ଥାନ ‘ସୂଚନା ଅଧିକାର’ ପରି ବ୍ୟବସ୍ଥା ଜରିଆରେ ସମ୍ବାଦପତ୍ର (ବା ଇଲେକ୍ଟ୍ରୋନିକ ମିଡ଼ିଆ) ପୂରଣ କରିପାରିବ ବୋଲି ଆଶା କରାଯାଇଥିଲା। ତେଣୁ ‘ଚତୁର୍ଥ ସ୍ତମ୍ଭ’ କୁହାଯାଉଥିଲେ ସୁଦ୍ଧା, ପ୍ରେସକୁ କୌଣସି ସ୍ବତନ୍ତ୍ର ଅଧିକାର ଦିଆଯାଇ ନଥିଲା ବା ନାହିଁ। ପ୍ରତିକାର ସମ୍ଭବ ନହେଉ ବରଂ, ଅନ୍ୟ ତିନୋଟି ସ୍ତମ୍ଭର ଗୁଣବତ୍ତା ପରଖିବାର ଏବେ ବି ଉପାୟମାନ ଅନ୍ତତଃ ରହିଛି। ମାତ୍ର ଜନ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଅଖଣ୍ଡ କ୍ଷମତାକୁ ମିଡ଼ିଆ କେତେ ଉପଯୋଗ ବା ଦୁରୁପଯୋଗ କରିଛି, ଯୁଗଧାରାରେ ସେତିକି ପରଖିବା ଉପାୟ ନାହିଁ। ତେଣୁ ଭାରତ ଆଜି ଦ୍ବିଧାଗ୍ରସ୍ତ। ଉଇଲିଅମ କୋପରଙ୍କ ଅନବଦ୍ୟ ପଦ: How shall I speak thee or thy power to address / Thou God of our idolatry, the press / By thee religion liberty and laws / Exert their influence, and advance their cause." ଗଣତନ୍ତ୍ରର ବାବୁମିଆଁମାନଙ୍କ ତାଲିକାରେ ପ୍ରେସ୍ ଅନ୍ତଭୁର୍କ୍ତ ହୋଇ ଖୁସ୍ ଅଛି ପରି ଲାଗୁଛି ଓ ଲୋକେ ‘ଖାସି’ ଖାଇବାରେ ମସଗୁଲ୍।

Share :