ନମୋ-ନବୀନ ଭେଟଘାଟର ରହସ୍ୟ କ’ଣ?

ନମୋ-ନବୀନ ଭେଟଘାଟର ରହସ୍ୟ କ’ଣ?

Share :

ଦେବେନ୍ଦ୍ର ପୃଷ୍ଟି   ଆଗରୁ କିଛି ସୋର୍ ଶବ୍ଦ ନଥିଲା। ହଠାତ ଏପ୍ରିଲ ୮ ତାରିଖରେ ସରକାରୀ ଭାବେ ଘୋଷଣା ହେଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। କିନ୍ତୁ ସେ କ’ଣ ପାଇଁ ଦିଲ୍ଲୀ ଯାଉଛନ୍ତି, ଗସ୍ତ କାଳରେ କେଉଁ କେଉଁ ମନ୍ତ୍ରୀଙ୍କୁ ଭେଟିବେ, କି କି ସଭାରେ ଯୋଗଦେବେ ତାହାର ବିସ୍ତୃତ ବିବରଣୀ ପ୍ରକାଶ ପାଇନଥିଲା। ଯଦିଓ ସମସ୍ତେ ଜାଣିଥିଲେ ଯେ ମୁଖ୍ୟମନ୍ତ୍ରୀ ସାଗରମାଳା ପ୍ରକଳ୍ପ ସମ୍ବନ୍ଧୀୟ ବୈଠକରେ ନିଶ୍ଚୟ ଯୋଗଦେବେ। ତେବେ ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ବିଷୟରେ ତାଙ୍କ ଦପ୍ତର କାହାକୁ କିଛି ଜଣାଇ ନଥିଲେ। ସେମିତି କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇ ନଥିଲା। ଗସ୍ତର ତିନି ଦିନ ପରେ ଅର୍ଥାତ ଏପ୍ରିଲ ୧୧ ତାରିଖ ସନ୍ଧ୍ୟାରେ ହଠାତ ଏକ ଘରୋଇ ଟିଭି ଚାନେଲକୁ ଜଣାଇ ଦିଆଗଲା ଯେ ଏପ୍ରିଲ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ବାସ୍, ସେତିକି। କ’ଣ ପାଇଁ ନବୀନଙ୍କର ହଠାତ୍ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ଆବଶ୍ୟକତା ପଡ଼ିଲା, ଏହି ଭେଟଘାଟ ସଂପର୍କର ଉଭୟ ନେତାଙ୍କ ମଧ୍ୟରେ କି କି ବିଷୟରେ ଆଲୋଚନା ହେବ ତାହା କିଛି କୁହାଗଲା ନାହିଁ। ଅଫିସରମାନେ ବି କେମିତି ଜାଣନ୍ତେ! ଜଣେ ପ୍ରଗଳ୍ଭ ପ୍ରଧାନମନ୍ତ୍ରୀଙ୍କ ସହିତ ଜଣେ ମୂକପ୍ରାୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କି ପ୍ରକାର ଭାବର ଆଦାନପ୍ରଦାନ ହେବ ତାହା ଜାଣିବା ନିଶ୍ଚୟ ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀଙ୍କ ପକ୍ଷରେ ମଧ୍ୟ ଅତ୍ୟନ୍ତ ମୁସ୍କିଲ୍। ତେବେ ଏହା ଘୋଷଣା ହେବା ପରେ ଓଡ଼ିଶାର ରାଜନୀତି ସଚେତନ ଅନେକ ବ୍ୟକ୍ତି ଆଶା କରୁଥିଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅବସରରେ ନବୀନ ନିଶ୍ଚୟ ଓଡ଼ିଶା ପ୍ରତି ଲଗାତାର ଭାବେ ହେଉଥିବା କେନ୍ଦ୍ର ଅବହେଳା କଥା ଉଠାଇବେ। ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା, ପୋଲାଭରମ ପ୍ରକଳ୍ପ, ମରୁଡ଼ି ସହାୟତା, ନର୍ଲା ରେଳଡବା କାରଖାନା, ପସ୍କୋ ଓ ବେଦାନ୍ତ ସମେତ ଅନ୍ୟ ବହୁ ରାଜ୍ୟସ୍ବାର୍ଥ ସଂପର୍କୀତ ପ୍ରସଙ୍ଗ ବିଷୟରେ ନବୀନ ନିଶ୍ଚୟ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଆଶା କରିବେ। କିନ୍ତୁ ହେଲା କ’ଣ? ଏସବୁ ବିଷୟ କିଛି ଉଠିଲା ନାହିଁ। ବରଂ ମୁଖ୍ୟମନ୍ତ୍ରୀ ଜଣେ କର୍ପୋରେଟ୍ ଲବିଷ୍ଟ ପରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଖଣି, କୋଇଲା ଓ ଶକ୍ତି କମ୍ପାନୀଙ୍କ ସ୍ବାର୍ଥ କଥା ଉଠାଇଲେ। ଅବଶ୍ୟ ଏଇ ଭାଷାରେ ନୁହେଁ। ସେ ଏସବୁ ପ୍ରସଙ୍ଗ ଉଠାଇବା ପାଇଁ ବି ରାଜ୍ୟସ୍ବାର୍ଥର ବାହାନା ନେଲେ। ରାଜ୍ୟରେ ଅଧିକ ଖଣି ନିଲାମ ହେଲେ ସେଥିରେ ରାଜ୍ୟ ଯାହା ପାଉ ନପାଉ ନେତା ଓ ଅଫିସରମାନେ ମଧ୍ୟ ଅନେକ କିଛି ପାଇବେ। ଚୋରା କାରବାର ବଢ଼ିବ। ଚାନ୍ଦାଭେଦା ବଢ଼ିବ। ସେହିପରି ଓଡ଼ିଶା ଖଣି ନିଗମ ନାଁରେ ଦି’ଚାରିଟା କୋଇଲା ଖଣି ନେଇ ଆସିଲେ ସେଥିରୁ ମଧ୍ୟ ଭଲ କେଇ କୋଟି ଆଦାୟ କରିହେବ। ଆଉ ଏନଟିପିସି ଏବଂ କମ୍ପାନୀଗୁଡ଼ିକର ପ୍ରସ୍ତାବିତ ତାପଜ ଶକ୍ତି ପ୍ରକଳ୍ପର ଅଗ୍ରଗତି ଘଟିଲେ ମଧ୍ୟ ଜମି, ଜଳ, ଜଙ୍ଗଲ ଓ ଖଣି ଆଦି କାରବାର ବୃଦ୍ଧି ପାଇବା ଭିତ୍ତିରେ କିଛି ଲୋକଙ୍କର ନିଶ୍ଚୟ କିଛି ହାତ ଚିକ୍କଣ ହେବ। ଭଲ କଥା। ଆର ବର୍ଷ ପଂଚାୟତ ନିର୍ବାଚନ। ଭୋଟ ଖଣ୍ଡ ସର୍ବନିମ୍ନ ୫୦୦ ଟଙ୍କା ହିସାବରେ କୋଟିଏ ଭୋଟ ପାଇଁ ୫୦୦ କୋଟି ସଂଗ୍ରହ କରିବାକୁ ପଡ଼ିବ। ହେଲେ ଯେଉଁସବୁ ପ୍ରସଙ୍ଗକୁ ବିଜୁ ଜନତା ଦଳ ଜପାମନ୍ତ୍ର କରିଛି ସୁଯୋଗ ପାଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସେସବୁ କହିବାରେ ଅସୁବିଧା କ’ଣ ହେଲା? ବିଜେଡିର ନିର୍ବାଚନ ଇସ୍ତାହାରରେ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗ ଗଲା ୧୯ ବର୍ଷ ଧରି ରହି ଆସିଛି। ଅଟଳ ବିହାରୀ ବାଜପେୟୀଙ୍କର ୬ ବର୍ଷ ଓ ମନମୋହନ ସିଂହଙ୍କର ୧୦ ବର୍ଷ ଭିତରେ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ଥିଲା ବିଜୁ ଜନତା ଦଳର ମୁଖ୍ୟ ରାଜନୀତିକ ଆହାର। ଏପରିକି ଏହି ଦାବିରେ ଉପା ସରକାରର ଶେଷ ଆଡ଼କୁ ନବୀନବାବୁ ବିଜେଡି କର୍ମୀଙ୍କୁ ନେଇ ଦିଲ୍ଲୀରେ ଏକ ସ୍ବାଭିମାନ ସମାବେଶ ଆୟୋଜିତ କରାଇଲେ। ସେହି ସମାବେଶ ଫୁସକି ଗଲା, ତାହା ଅବଶ୍ୟ ଅଲଗା କଥା। ନରେନ୍ଦ୍ର ମୋଦି ସରକାର ଆସିବା ପରେ ମଧ୍ୟ ନବୀନ ଓ ତାଙ୍କ ସହଯୋଗୀମାନେ ମଝିରେ ମଝିରେ ଏହି ପ୍ରସଙ୍ଗ ଉଠାଇ ଏହାକୁ ଉଜ୍ଜୀବୀତ କରି ରଖିଛନ୍ତି। ଏଇ ନିକଟରେ ଶେଷ ହୋଇଥିବା ସଂସଦର ବଜେଟ ଅଧିବେଶନର ପ୍ରଥମ ଭାଗରେ ମଧ୍ୟ ବିଜେଡି ତରଫରୁ ଲୋକସଭାରେ ଏ ପ୍ରସଙ୍ଗ ଉଠିଥିଲା। ତଥାପି ଓଡ଼ିଶାର ଏହି ସ୍ବାର୍ଥ ଓ ସ୍ବାଭିମାନ ସମ୍ବଳିତ ପୁରୁଣା ଦାବି ସଂପର୍କରେ ନରେନ୍ଦ୍ର ମୋଦିଙ୍କୁ କିଛି କହିଲେ ନାହିଁ ନବୀନ ପଟ୍ଟନାୟକ। ସେହିପରି ପୋଲାଭରମ ପ୍ରକଳ୍ପ ହେଉଛି ବିଜୁ ଜନତା ଦଳର ଅନ୍ୟ ଏକ ଜପାମାଳି। ରାଜ୍ୟ ସରକାରଙ୍କ ବିରୋଧରେ କିଛି ଗୋଟେ ରାଜନୀତିକ ପ୍ରସଙ୍ଗ ଉଠିଲା ମାତ୍ରେ ସେଥିରୁ ନଜର ହଟାଇବା ପାଇଁ ବିଜେଡି ତରଫରୁ ପୋଲାଭରମ ଅଷ୍ଟ ପ୍ରହରୀ ସଂକୀର୍ତ୍ତନ କରାଯାଏ। କେନ୍ଦ୍ର ସରକାର କିପରି ଓଡ଼ିଶାର ଆଦିବାସୀଙ୍କ ସ୍ବାର୍ଥ ବିରୋଧରେ ଆନ୍ଧ୍ରକୁ ସହାୟତା କରୁଛନ୍ତି ତାହାର ପୁରୁଣା କ୍ୟାସେଟ୍ ବଜାଯାଏ। ସେମିତି ମୋଦି ସରକାର ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲାରେ ପ୍ରସ୍ତାବିତ ରେଳ ଡବା କାରଖାନା ପ୍ରକଳ୍ପକୁ ରଦ୍ଦ କରିଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି।       ସୂଚନା ଅଧିକାର ଆଇନ ବଳରେ ଜଣେ ସାମାଜିକ କର୍ମୀ ଏହି ତଥ୍ୟ ହାସଲ କରିଛନ୍ତି। ଏ ବିଷୟରେ ସିଧାସଳଖ କହିଲେ କାଳେ ମୋଦି ସରକାର ରାଗିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅତି ନମ୍ର ଭାଷାରେ ଚିଠିଟିଏ ଲେଖି ଚୁପ୍ ରହିଛନ୍ତି। ସେ ଲେଖିଛନ୍ତି, ମୁଁ ଆଶା କରୁଛି କି ଗଣମାଧ୍ୟମର ରିପୋର୍ଟ ଭୁଲ ହୋଇଥିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିବା ପାଇଁ ଏମିତି ଅନେକ ପ୍ରସଙ୍ଗ ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ କିଛି କହିଲେ ନାହିଁ। ଖଣି, କୋଇଲା ଓ ଶକ୍ତି ପ୍ରକଳ୍ପ କଥା ସଂପୃକ୍ତ ବିଭାଗର ମନ୍ତ୍ରୀମାନଙ୍କୁ ଭେଟି କୁହାଯାଇ ପାରିଥାନ୍ତା। ମାତ୍ର, ଏସବୁ ବିଷୟ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ହେଲା। କାହିଁକି? କାରଣ କ’ଣ? ନବୀନଙ୍କ ନିକଟରୁ ଅନୁଧ୍ୟାନ କରୁଥିବା କେତେକ ରାଜନୀତି ବିଶାରଦଙ୍କ ମତରେ ତାଙ୍କ ଏବ ଚିଟ୍ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଚିନ୍ତା ଘାରିଛି। ସେହି ଦୁର୍ନୀତିରେ ବିଜୁ ଜନତା ଦଳର ବହୁ ନେତା ସଂପୃକ୍ତ ଅଛନ୍ତି। ଧରା ମଧ୍ୟ ପଡ଼ିଲେଣି ଡଜନେ ଉପରେ। ଏବେ ଜଣେ ମନ୍ତ୍ରୀଙ୍କ ପାଜେରୋ ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ଖାଲି ଉଠୁଛି ପଡ଼ୁଛି। ଏଭଳି ଏକ ସମୟରେ ସିବିଆଇ ଯାହାଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ପରିଚାଳିତ ହେଉଛି ତାଙ୍କୁ ନଭେଟିଲେ ହେବ କେମିତି? କାଳେ କିଛି କାଳକ୍ଷେପଣର ବରଦାନ ମିଳିଯିବ! ଚକେ ଗଲେ ବାର ହାତ! ସେହିପରି ରାଜ୍ୟରେ ଭାରତୀୟ ଜନତା ପାର୍ଟିର କେତେକ ନେତା ଆଉ ସମ୍ଭଳା ପଡ଼ୁନାହାନ୍ତି। ନିଇତି ସକାଳ ହେଲାରୁ ସେମାନେ ବିଜେଡି ସରକାର ବିରୋଧରେ ଆପାତଃ ପ୍ରମାଣ ଥିବା ଅଭିଯୋଗ ଉଠାଇ ସରକାର ଏବଂ ତାଙ୍କ ଅଫିସରମାନଙ୍କୁ କଲବଲ କରିପକାଉଛନ୍ତି। ଏମିତିକି ସେହି ନେତାମାନେ ବିଜେପି ସଭାପତି ଅମିତ ଶାହା ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଆଡ଼େଇ ଯାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। କିଛି ଦିନ ତଳେ ଏ ଖବର ଫଟୋ ସହିତ ପ୍ରକାଶ ପାଇଥିଲା। ସେମାନେ ଯଦି ସବୁ ତଥ୍ୟପ୍ରମାଣ ନେଇ ନରେନ୍ଦ୍ର ମୋଦିଙ୍କୁ ଦେବେ ଏବଂ କହିବେ ଯେ ଜମି, ଜଳ, ଜଙ୍ଗଲ, ବିହନ, ଡାଲି ଆଦି ଅନ୍ୟ ଦୁର୍ନୀତି କଥା ଛାଡ଼ନ୍ତୁ, କେବଳ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ, ଓଡ଼ିଶା ସରକାର କେମିତି ଜେଲ୍ ଯିବେ ତାହା ଦେଖିବେ, ତେବେ ଅବସ୍ଥା କ’ଣ ହେବ? ଆରେ ବାବା, ଭୟଙ୍କର ବିପଦ! ନା, କିଛି କରିବାକୁ ହେବ। ସେମାନେ ମୋଦିଙ୍କୁ ଫୁସୁଲେଇ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଆରମ୍ଭ କରାଇବା ପୂର୍ବରୁ ମୋଦିଙ୍କୁ ହିଁ କ୍ଷମତାର ଲାଳସା ଓ ଅନ୍ୟାନ୍ୟ ବାସନା ଭିତରେ ବାନ୍ଧି ପକାଇବାକୁ ହେବ। ବୋଧହୁଏ ଏଇ ଚିନ୍ତା ଥିଲା ନମୋ-ନବୀନ ସଦ୍ୟ ସମାପ୍ତ ଭେଟଘାଟର ଅସଲ ଉଦ୍ଦେଶ୍ୟ।

Share :