ଅନ୍ଧାରରେ ଚନ୍ଦ୍ରଭାଗା

ଅନ୍ଧାରରେ ଚନ୍ଦ୍ରଭାଗା

Share :

    ଚନ୍ଦ୍ରଭାଗା ବଜାରରେ  ଓଡ଼ିଶା ପର୍ଯଟନ ବିଭାଗ ପକ୍ଷରୁ ୮ ଲକ୍ଷ ଟଙ୍କା ବ୍ୟୟରେ  ଲଗାଯାଇଛି ହାଇମାଷ୍ଟ ଲାଇଟ। ଏହି ହାଇମାଷ୍ଟ ଲାଇଟର ସୁଇଚ ପ୍ୟାନେଲ ବକ୍ସଟି ଖୋଲା ଆକାଶତଳେ ରହୁଥିବାରୁ ଲୁଣା ପବନର ପ୍ରଭାବରେ ଆସି ବାରମ୍ୱାର ଖରାପ ହେଉଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ଗତ ମାଘ ମେଳା ସମୟରେ କାମ ହୋଇଥିବା ଏହି ହାଇମାଷ୍ଟ  ଲାଇଟ ଅନେକ ଦିନ ହେଲା ଜଳୁ ନ ଥିବାରୁ ସନ୍ଧ୍ୟା ପରେ ଚରନ୍ଦ୍ରଭାଗାକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ୩ କିଲୋମିଟର ଦୂରତାରେ ଦୁଇ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ-ପୁରୀ ବେଳାମାର୍ଗରେ ପଡେ଼ ଚନ୍ଦ୍ରଭାଗା। ଏହି ବେଳାମାର୍ଗ ଦେଇ ଯାଉଥିବା ପର୍ଯ୍ୟଟକ କିଛି ସମୟ ପାଇଁ ଅଟକିଯାନ୍ତି ଏଠାରେ ପ୍ରକୃତିର ନୈସର୍ଗିକ ଶୋଭା ଉପଭୋଗ କରିବା ପାଇଁ। ଚନ୍ଦ୍ରଭାଗା ବେଳାଭୁମିରେ ପରିଭ୍ରମଣ, ସାଗର ସ୍ନାନ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦର୍ଶନ ନିମନ୍ତେ ବର୍ଷ ତମାମ ହଜାର ହଜାର ପର୍ଯ୍ୟଟକଙ୍କ  ସମାଗମ ହୋଇଥାଏ ଏଠାରେ। ପ୍ରତ୍ୟୁଷରେ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ, ସଂକଳ୍ପ ଓ ହୋମଯଜ୍ଞ ନିମନ୍ତେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାଠାରେ ରାତି ୩ଟାରୁ ଉପସ୍ଥିତ ରହିଥାନ୍ତି। ଏତଦ ବ୍ୟତୀତ କାର୍ତ୍ତିକ ମାସ, ପବିତ୍ର ମାଘମେଳା ଓ ବୋଇତବନ୍ଦାଣ ଉତ୍ସବ ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତୀର୍ଥ ପଡ଼ିଆ ଓ ବେଳାଭୂମିରେ ରାତ୍ରିଯାପନ କରିଥାନ୍ତି। ଏଠାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଉପସ୍ଥିତିକୁ ଲକ୍ଷ ରଖି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୮ ଲକ୍ଷ ଟଙ୍କା ବ୍ୟୟରେ ଏକ ଉଚ୍ଚ ଶକ୍ତିସଂପନ୍ନ ହାଇମାଷ୍ଟ ଲାଇଟ ୨୦୦୫ ମସିହା ଡ଼ିସେମ୍ୱର ମାସରେ ଚନ୍ଦ୍ରଭାଗା ବଜାରଠାରେ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତି ଅବସ୍ଥାରେ ଏହି ଲାଇଟର ରକ୍ଷଣାବେକ୍ଷଣା ଦାୟିତ୍ୱ କୋଣାର୍କ ଏନଏସିକୁ ହସ୍ତାନ୍ତର କରାଯାଇଥିଲା। ହାଇମାଷ୍ଟ ଲାଇଟର ୨୪ଟି ହାଲୋଜେନ ମଧ୍ୟରୁ ବିଭିନ୍ନ ସମୟରେ ଗୋଟିଏ ପରେ ଗୋଟିଏ ଅଚଳ ହୋଇ ଆଲୋକ ପ୍ରଦାନରେ ବିଭ୍ରାଟ ସୃଷ୍ଟି ହୋଇଛି। ଅନ୍ଧକାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ମଦ୍ୟପଙ୍କ ଉତ୍ପାତ ଯୋଗୁଁ ସନ୍ଧ୍ୟାପରେ ପର୍ଯ୍ୟଟକମାନେ ଏଠାକୁ  ଆସିବାକୁ ଉଚିତ ମଣୁନାହାନ୍ତି। ଚନ୍ଦ୍ରଭାଗା ବଜାର ଉପରେ ନିର୍ଭରଶୀଳ ବ୍ୟବସାୟୀ ଓ ଫଟୋଗ୍ରାଫର ବ୍ୟବସାୟ ବିନା ହାତବାନ୍ଧି ବସିଛନ୍ତି। ଏହି ସମସ୍ୟା ସଂପର୍କରେ କୋଣାର୍କ ଏନ.ଏ.ସି. କତ୍ତୃର୍ପକ୍ଷଙ୍କୁ ପଚାରିବାର ସେ କହିଛନ୍ତି ଯେ ଲୁଣାପବନର ପ୍ରଭାବରେ ବାରମ୍ୱାର ହାଇମାଷ୍ଟ  ଲାଇଟର ପାନେଲ ବୋର୍ଡ଼ଟି ନଷ୍ଟ ହୋଇଯାଉଛି। ଆମେ ଅତିଶିଘ୍ର ନୂଆ ପାନେଲ ବୋର୍ଡ଼ବୋର୍ଡକୁ ମରମତି କରିବାସହ ଜଳୁନଥିବା ହାଲୋଜେନକୁ କାର୍ଯ୍ୟକ୍ଷମ କରାଇବୁ।

Share :