ଏମାନେ ସମସ୍ତେ ଅଣବାବୁଆ!

ଏମାନେ ସମସ୍ତେ ଅଣବାବୁଆ!

Share :

ଦେବେନ୍ଦ୍ର ପୃଷ୍ଟି   କଥା ମୋଟେ ଚାରି ଧାଡ଼ି। କିନ୍ତୁ ପ୍ରତିକ୍ରିୟା ଅନେକ। ଶାସକ ବିଜୁ ଜନତା ଦଳ ସଂପର୍କରେ ଜନମତ କିପରି ଦୃଢ଼ ଭାବରେ ଦାନା ବାନ୍ଧିବାରେ ଲାଗିଛି ତାହା ଫେସବୁକର ଏଇ ଛୋଟ ଷ୍ଟାଟସ୍ ଅପଡେଟ ତହିଁ ଉପରେ ଆସିଥିବା ପ୍ରତିକ୍ରିୟାଗୁଡ଼ିକରୁ ଅନୁମାନ କରିହୁଏ। ଏପ୍ରିଲ ୭ ତାରିଖର ଖବରକାଗଜ ପଢ଼ୁପଢ଼ୁ ଗୋଟେ ମଜ୍ଜାଦାର ଖବର ଆଖିରେ ପଡ଼ିଲା। ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଯେ ପ୍ରଫୁଲ୍ଲ ସାମଲ ତାଙ୍କ ବାପା ନୁହନ୍ତି। ତାଙ୍କ ବାପା ହେଉଛନ୍ତି ପ୍ରଦୀପ ସାମଲ। ଏଇ ଖବରଟି ପଢ଼ିଲା ପରେ ପ୍ରଫୁଲ୍ଲ ଓ ପ୍ରୟାସକାନ୍ତିଙ୍କ ସଂପର୍କ ବିଷୟରେ ଜାଣିଥିବା ଲୋକମାନଙ୍କ ମନରେ ରାଜନୀତି କରୁଥିବା ଲୋକଙ୍କ ପ୍ରତି କି ଧାରଣା ସୃଷ୍ଟି ହେବ ତାହା ଏଇ ଫେସବୁକ ପ୍ରତିକ୍ରିୟାରୁ ବେଶ୍ ସ୍ପଷ୍ଟ। ଭଦ୍ରକ, ଯାଜପୁର ଓ ଭୁବନେଶ୍ବରର ପ୍ରାୟ ସମସ୍ତ ନେତା, ବାବୁ ଓ ସାମ୍ବାଦିକ ଜାଣିଛନ୍ତି ଯେ ପ୍ରୟାସକାନ୍ତି ସାମଲ ହେଉଛନ୍ତି ପ୍ରଫୁଲ୍ଲ ସାମଲଙ୍କର ଔରସ ଜାତ ସନ୍ତାନ। ଏହି ଅଧିକାର ପ୍ରୟୋଗ କରି ସେ ବାପାଙ୍କ କ୍ଷମତା ଓ ପ୍ରତିପତ୍ତି ଉପଭୋଗ କରିବାକୁ ଅନେକ ସୁଯୋଗ ପାଇଛନ୍ତି। ସେ ଭଦ୍ରକ ପୌରସଭାର ଅଧ୍ୟକ୍ଷ ହେବା ପରେ ସଂସ୍ଥା ତରଫରୁ କେମିତି ୫ ଟଙ୍କାର ଜିନିଷକୁ ୫୦ ଟଙ୍କାରେ କିଣାଯାଇଥିଲା ସେ ବିଷୟ କାହାକୁ ଅଛପା ନାହିଁ। ବାପା ପ୍ରଫୁଲ୍ଲ ସାମଲ ଦିନେ ବରପଦା ଇଂଜିନିଅରିଂ କଲେଜର ଅଧ୍ୟକ୍ଷ ଥିଲେ। ବାପାଙ୍କ ଅଧିକାର ଓ ପ୍ରଭାବକୁ ପୁଂଜି କରି ପ୍ରୟାସ କିପରି ଏହି କଲେଜର ଅର୍ଥ ତୋଷରପାତ କରି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ରୋଷର ସମ୍ମୁଖୀନ ହୋଇଛନ୍ତି ତାହା ମଧ୍ୟ କାହାକୁ ଅଛପା ନାହିଁ। ତେବେ ନିକଟରେ ତାଙ୍କ ବିରୋଧରେ ଜମି ଜାଲିଆତି ଅଭିଯୋଗ ଉଠିବା ପରେ ସେ ଏହାକୁ ଖଣ୍ଡନ କରିବାକୁ ଯାଇଁ ନିଜ ବାପା ବଦଳେଇଛନ୍ତି। ଜାଲିଆତି କରି ଜମି ବିକିବାବେଳେ ସେ ତାଙ୍କ ବାପା ପ୍ରଦୀପ ସାମଲ ବୋଲି ଦର୍ଶାଇ ତାହା ଠିକ ବୋଲି କହିଛନ୍ତି। କିନ୍ତୁ ତାଙ୍କର ସମସ୍ତ ସୌଖୀନ ଗାଡ଼ି କିଣା କାଗଜପତ୍ରରେ ତାଙ୍କ ବାପାଙ୍କ ନାଁ ପ୍ରଫୁଲ୍ଲ ସାମଲ ବୋଲି ଉଲ୍ଲେଖ ରହିଛି। ବିଜୁ ଜନତା ଦଳର ଅନେକ ଏପରି ଦୁର୍ନୀତିଗ୍ରସ୍ତ ଓ ନ୍ୟସ୍ତସ୍ବାର୍ଥ ନେତାଙ୍କ ପାଇଁ ପ୍ରୟାସକାନ୍ତି ସାମଲଙ୍କର ଏହି ପିତୃତ୍ବ ପରିବର୍ତ୍ତନ ବା ପରିବାର ପରିବର୍ତ୍ତନ ଦାବି କିଛି ନୂଆ ନୁହେଁ। ତାଙ୍କ ପୂର୍ବରୁ ବିଜେଡିର ଅନେକ ନେତା ନିଜର ଅର୍ଥ ଓ କ୍ଷମତା ବଂଚାଇବାକୁ ଯାଇଁ ଏପ୍ରକାର ଦାବି କରିଛନ୍ତି। ଏଭଳି ଧାରାର ଅୟମାରମ୍ଭ କରିଥିଲେ ଭାରତୀୟ ଜନତା ପାର୍ଟିରୁ ବିଜୁ ଜନତା ଦଳକୁ ମାଙ୍କଡ଼ ଡିଆଁ ମାରିଥିବା ଅରବିନ୍ଦ ଢାଲି। ସେ ବିଜେପି ନେତା ଭାବେ ନବୀନ ସରକାରରେ ମନ୍ତ୍ରୀ ରହିବା ପରେ ବିଜେଡିରେ ଯୋଗଦେଇ ବିଧାୟକ ହୋଇଥିଲେ। ସେ ନିଜର ସ୍ବାର୍ଥ ପାଇଁ କେବଳ ଦଳ ବଦଳେଇ ନଥିଲେ। ନିଜ ମାଟିକୁ ବି ପାଶୋରି ପକାଇଥିଲେ। ସେ ବାଂଲାଦେଶରୁ ଆସି ମାଲକାନଗିରିରେ ଥଇଥାନ ହୋଇଥିଲେ। ସେଇଠିକା ଲୋକମାନେ ତାଙ୍କୁ ନେତା କଲେ। କିନ୍ତୁ ସେ ସେମାନଙ୍କୁ ଛାଡ଼ି ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ହେଲେ। କାହିଁକି ନା ସେ ମନ୍ତ୍ରୀ ଥିବାବେଳେ ଏଇ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୦ ଏକରର ଏକ ଫାର୍ମ ହାଉସ୍ କରିଥିଲେ। ତା’ଛଡ଼ା କେଇ ଏକରର ନଈପଠା ମଧ୍ୟ ତାଙ୍କର ହୋଇଯାଇଥିଲା। ଏତେ ବଡ଼ ଲୋକ, ଏତେ ପ୍ରଭାବଶାଳୀ ନେତା, କିନ୍ତୁ ସଂଚିତା ଢାଲି ତାଙ୍କୁ ପିତୃତ୍ବ ପରିଚୟ ମାଗି ବରବାଦ ହେବା ଅବସ୍ଥାକୁ ଖସିଲେ ସିନା ଅରବିନ୍ଦ ମାନିଲେ ନାହିଁ। ନିଜର ପିତୃତ୍ବ ଲୁଚାଇବାକୁ ଯାଇଁ ବରଂ ସେ ଜଣେ ମହିଳାଙ୍କ ଚରିତ୍ର ସଂହାର କଲେ। ସଂଚିତାଙ୍କ ମା’ ବଦନାମ ହେଲେ, ହେଲେ ସଂଚିତାଙ୍କ ବାପା କିଏ ଏଯାଏଁ ସ୍ପଷ୍ଟ ହେଲା ନାହିଁ। ନାରାୟଣଦତ୍ତ ତିୱାରୀଙ୍କ ପରି ଅରବିନ୍ଦଙ୍କର ଡିଏନଏ ପରୀକ୍ଷା ହେଲେ ହୁଏତ ସଂଚିତାଙ୍କ ସହିତ ତାଙ୍କର ସଂପର୍କ କ’ଣ ସାବିତ ହୁଅନ୍ତା। ତେବେ ଭାରତର ନ୍ୟାୟପାଳିକାରେ ବି ନ୍ୟାୟ ବିକ୍ରି ହେଉଥିବା ନେଇ ଅନେକ ଆଡ଼ୁ ଅନେକ ଅଭିଯୋଗ ହୋଇଥାଏ। ସଂଚିତା ହୁଏତ ନ୍ୟାୟ କିଣିପାରୁ ନଥିବେ, ତେଣୁ ଅରବିନ୍ଦଙ୍କ ଡିଏନଏ ପରୀକ୍ଷା ରାୟ ପ୍ରକାଶ ପାଇପାରୁ ନଥିବ! ଅରବିନ୍ଦଙ୍କର ଏହି ପିତୃତ୍ବ-ପାପର ପନ୍ଥା ପାଇଥିଲେ ସ୍ବର୍ଗତ କଳ୍ପତରୁ ଦାସ। ସେ ରାଜ୍ୟସଭା ସଦସ୍ୟ ଥିଲାବେଳେ ଘଙ୍ଗାପାଟଣା ଜମି କେଲେଙ୍କାରି ସମେତ ଏକାଧିକ ପ୍ଲଟ ଓ ଘର ଦୁର୍ନୀତିରେ ଛନ୍ଦି ହୋଇଗଲେ। ଘର ବଂଚାଇବାକୁ ଯାଇଁ ସେ ଏକଦା ଯୁକ୍ତି କରିଥିଲେ ଯେ ତାଙ୍କ ପୁଅ ତାଙ୍କ ପରିବାରର ନୁହେଁ। ଆଇନ ଅନୁସାରେ ପ୍ରଣବ ବଳବନ୍ତରାୟ ତାଙ୍କ ପରିବାରର ସଦସ୍ୟ ନୁହେଁ। ତେଣୁ ତା’ ନାଁରେ ଘର କି ପ୍ଲଟ୍ ରହିଲେ ସେଥିପାଇଁ ସେ ଦାୟୀ ନୁହନ୍ତି କି ତାହା ବେଆଇନ ନୁହେଁ। ଅବଶ୍ୟ କଳ୍ପତରୁଙ୍କ ଦେହାନ୍ତ ହୋଇଯିବା ପରେ ପ୍ରଣବ ହିଁ ତାଙ୍କର ଶୁଦ୍ଧିକ୍ରିୟା ସଂପନ୍ନ କରିଥିଲେ ଓ ବାପାଙ୍କ ପ୍ରଭାବରୁ ଧର୍ମଶାଳା ବିଜେଡି ଟିକଟ ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି। ବାପାଙ୍କ ଯୋଗୁଁ ସେ ଏତେବାଟ ଆସିଛନ୍ତି ବୋଲି ମଧ୍ୟ ଏକ ସାକ୍ଷାତକାରରେ ସେ ସ୍ବୀକାର କରିଥିଲେ। ଏଇ କିଛି ଦିନ ତଳେ ଏଇ ଭଳି କଥା କହିଛନ୍ତି କେନ୍ଦୁଝର ଚମ୍ପୁଆର ବିଧାୟକ ସନାତନ ମହାକୁଡ଼। ମହାକୁଡ଼ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ବି ବିଜେଡି ବାବୁମାନଙ୍କ ସହିତ ତାଙ୍କର ସଂପର୍କ ଯୋଡ଼ ବଡ଼ବିଲ ଅଂଚଳର ଲୁହା ଖଣି ପରି ଅତ୍ୟନ୍ତ ଗଭୀର। କବିତା ମହାକୁଡ଼ ନାମ୍ନୀ ଜଣେ ଯୁବତୀ ସନାତନଙ୍କ ପୁଅ ପଙ୍କଜ ମହାକୁଡ଼ଙ୍କ ପତ୍ନୀ ବୋଲି ଦାବି କରିବାରୁ ସନାତନ ତାହାକୁ ଅସ୍ବୀକାର କରିଥିଲେ। କହିଥିଲେ ଯେ ତାଙ୍କ ବୋହୁ ତାଙ୍କ ଘରେ ଅଛି, କବିତା ମହାକୁଡ଼ କିଏ ସେ ଜାଣନ୍ତି ନାହିଁ। ଅଥଚ କବିତା ଓ ପଙ୍କଜଙ୍କର ଅନେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି ଓ ପୁଲିସ ନିକଟରେ ଦାଖଲ ହୋଇଛି। ଏପରି କି କବିତା ନିଜ ଝିଅର ପିତୃ ପରିଚୟ ପାଇଁ ପଙ୍କଜର ଡିଏନଏ ପରୀକ୍ଷା କରିବାକୁ ବି ଦାବି କରିଛନ୍ତି। କିନ୍ତୁ ସନାତନଙ୍କୁ ସୁରକ୍ଷା ଦେବାକୁ ତତ୍ପର ଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ଅଙ୍ଗ ଓ ଅଧିକାରୀ କବିତା ଓ ପଙ୍କଜଙ୍କ ସଂପର୍କର ମୂଲଚାଲ ଆରମ୍ଭ କରିଛନ୍ତି। କଳ୍ପତରୁଙ୍କ ପରି ବିଜେଡିର ଅନ୍ୟ ଜଣେ ନେତା ହେଲେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ଭୁବନେଶ୍ବରରେ ତାଙ୍କର ପୈତୃକ ଘର ଅଛି। ତଥାପି ସେ ଓଡ଼ିଶା ସରକାରଙ୍କଠାରୁ ଦୁଇଟି ଘର ନେଇ ବିବାଦରେ ପଡ଼ିଛନ୍ତି। ଘର ବଂଚାଇବାକୁ ଯାଇଁ ସେ ଗଣମାଧ୍ୟମ ଆଗରେ ଯୁକ୍ତି କରିଛନ୍ତି ଯେ ତାଙ୍କ ବାପା ତାଙ୍କ ପରିବାରର ନୁହେଁ। ତାଙ୍କ ପରିବାର କହିଲେ କେବଳ ସେ, ତାଙ୍କର ପତ୍ନୀ ଓ ପିଲାମାନେ। ବାପାମା’ଙ୍କ ସହିତ ତାଙ୍କ ପରିବାରର କିଛି ସଂପର୍କ ନାହିଁ। ଏବେ ଆଉ ଜଣେ ପୁଅ ପ୍ରୟାସକାନ୍ତି ମଧ୍ୟ ଏହିପରି ଯୁକ୍ତିରେ ନିଜର ବାପା ବଦଳାଇ ଦେଇଛନ୍ତି। ଏକଥା ମାତ୍ର ଚାରି ଧାଡ଼ିର ଏକ ଷ୍ଟାଟସ୍ ଅପଡେଟ ଭାବରେ ଫେସବୁକରେ ଛଡ଼ା ଯାଇଥିଲା। ଏଇ ଆଲେଖ୍ୟ ଲେଖାଯିବା ସମୟକୁ ଏହାକୁ ୩୩ ଜଣ ବ୍ୟକ୍ତି ଶେୟାର କରିଛନ୍ତି ଓ ଏଇ ପୋଷ୍ଟରେ ୮୪ ଜଣ କମେଣ୍ଟ ବା ପ୍ରତିକ୍ରିୟା ରଖିଛନ୍ତି। ସେହିପରି ଜଣେ ସାମ୍ବାଦିକ ଏହାକୁ ଫେସବୁକ ନ୍ୟୁଜ ସର୍ଭିସ ଗ୍ରୁପରେ ଶେୟାର କରିବା ପରେ ସେଠାରେ ମଧ୍ୟ ପ୍ରାୟ ୨୦ ଜଣ ଏହାକୁ ଶେୟାର କରିଛନ୍ତି ଓ ସମସଂଖ୍ୟକ ନାଗରିକ ପ୍ରତିକିୟା ଦେଇଛନ୍ତି। ଏଭଳି ଅନେକ ପ୍ରତିକ୍ରିୟାର ଅର୍ଥ ହେବ ବିଜେଡିରେ ସମସ୍ତଙ୍କର ବାପା ହେଉଛନ୍ତି ନବୀନ ପଟ୍ଟନାୟକ। କେହିକେହି କହିଛନ୍ତି ବିଜୁବାବୁ ହେଉଛନ୍ତି ବିଜେଡି ନେତାମାନଙ୍କ ବାପାମା’ ସବୁ କିଛି। ଆଉ କେହି କେହି ବି ଏହାକୁ ବିଜୁ ଜାରଜ ଦଳ ଭାବେ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି।

Share :