ଭବିଷ୍ୟତ ପାଇଁ ଶୋକବାର୍ତ୍ତା ଲେଖିବା ପୂର୍ବରୁ

ଭବିଷ୍ୟତ ପାଇଁ ଶୋକବାର୍ତ୍ତା ଲେଖିବା ପୂର୍ବରୁ

Share :

ପରଂବ୍ରହ୍ମ ତ୍ରିପାଠୀ   ବେଳେ ବେଳେ ଅଲଗା ଦେଖା ଯିବା ପାଇଁ ମୁଁ ଜିନ୍ସ ଉପରେ କୁର୍ତ୍ତାଟିଏ ପିନ୍ଧି ଦିଏ। ଆଉ ସେ ନୂଆ ଲୁକକୁ ନେଇ ଆରମ୍ଭ ହେଇଯାଏ ସାଙ୍ଗଙ୍କ ଟାହି ଟାପରା। କିଏ ମତେ ନୂଆଯୁଗର କମ୍ୟୁନିଷ୍ଟ କୁହେ ତ କିଏ କହେ ଟୋପିଟେ ଲଗେଇ ଦେ ପୁରା ଝାଡୁ ମାର୍କା ନେତା ଦେଖାଯିବୁ। କିଛି ବନ୍ଧୁ ମୋ ପୋଷାକ ପରିପାଟୀକୁ ଆଉ ଟିକେ ପାଖରୁ ନିରେଖି ଦେଖନ୍ତି। ତାଙ୍କୁ ଦେଖା ଯାଏ ମୋ କୁର୍ତ୍ତା ଆଉ ଘଣ୍ଟାର ବ୍ରାଣ୍ଡ। ତାପରେ ଆରମ୍ଭ ହେଇଯାଏ ମୋ ଉପରେ ଛଦ୍ମ ପୁଞ୍ଜିବାଦୀର ଆରୋପ। ବୋଉ ଦେଇଥିବା ବଳାଟି ମତେ କେବେ ସମ୍ପ୍ରଦାୟିକ କରିଦିଏ ତ କବାଲି ଶୁଣିବାର ନିଶା କେବେ କିଛି ବନ୍ଧୁଙ୍କ ଆଗରେ ମତେ ସିକ୍ୟୁଲାର(ସେକୁଲାରର ନୂଆ ପରିଭାଷା ମ) ସଜାଏ। ଦେଶ ବିଷୟରେ କଥା ହେବାକୁ ବି ଡର ଲାଗିଲାଣି ଆଜ୍ଞା। ମୋ ମୁହଁ ଉପରେ କୁହନ୍ତୁ କି ନାହିଁ, ଦେଶ ବିଷୟରେ କିଛି ଆଲୋଚନା କଲା ମାନେ କିଛି ବନ୍ଧୁ ଭାବୁଛନ୍ତି ମୁଁ କାଳେ ସ୍ବୟଂର ସେବା କରୁଥିବା ଲୋକଟା। ଆଉ ସେ ଡରରେ ଯଦି ଯେଉଁ ଜାଗାରେ ଦେଶ ବିଷୟରେ କଥାବାର୍ତ୍ତା ଚାଲୁଥାଏ  ସେଠି ମୁଁ ଚୁପ ରହେ, ତାହାଲେ ସିଧା ସଳଖ ଟ୍ୟାଗ ଲାଗେ ଡ୍ୟାସ ଡ୍ୟାସ ଦେଶଦ୍ରୋହୀ। ଭୀଷଣ ଦ୍ବିଧା ଅଜ୍ଞା, ଭୀଷଣ ଦ୍ବନ୍ଦ୍ବ। ବେଶୀ ପୁରୁଣା କଥା କହୁନି ଆଜ୍ଞା। ୨୦୦୩ ମସିହା, ମୁଁ ସ୍ନାତକ ଶେଷ ବର୍ଷର ଛାତ୍ର। ଫକିରୁଦ୍ଦିନ ମୋର ଭାରି ଭଲ ସାଙ୍ଗଟେ। ଦିନେ ସକାଳୁ ସକାଳୁ ତା ଘରକୁ ଯାଇଥିଲି। ସେ ନଥିଲା। କୁଆଡେ ଯାଇଛି ବୋଲି ପଚାରିବାରୁ ତା ସାନ ଭଉଣୀ କହିଲା, ଭାଇଜାନ ଆମ ମନ୍ଦିରକୁ ଯାଇଛନ୍ତି। ବୁଝି ପାରିଲେ? ମୁଁ ଇଦରେ ଯେତିକି ଉତ୍ସାହର ସହ ସାମିଲ ହେଇଛି, ବିରିଆନୀ ଖାଇଛି, ଫକିରୁଦ୍ଦିନ ସେତିକି ଆଗ୍ରହର ସହ ଆମ ଘରକୁ ରଜ, ଦୋଳ, ଦଶରା ଓ ରାକ୍ଷୀରେ ଆସିଛି। ହଁ, ଏଠି ଆଉ ଗୋଟେ କଥା କହି ରଖୁଛି ଯେ ତା ପାଇଁ ଆମ ଘରେ ଅଲଗା ବାସନ ଥାଏ ଓ ଫକିରୁଦ୍ଦିନ ଖାଇ ସାରିଲା ପରେ ନିଜେ ସେ ବାସନକୁ ଟିକେ ପିଛୁଳେଇ ଦିଏ। ଏ ନେଇ ପ୍ରଥମେ ପ୍ରଥମେ ମୁଁ ପ୍ରତିବାଦ କରିଥିଲି। ଦିନେ ଫକିରୁଦ୍ଦିନର ମାଆ ତାକୁ କହିବାର ଶୁଣିଲି, ବ୍ରାହ୍ମଣ ଘର, ମାଉସୀ ସୁଦଶା ବ୍ରତ କରୁଥିବେ, ନିଜ ଅଇଁଠା ବାସନ ନିଜେ ଧୋଇ ଦଉଥିବୁ, ମାଉସୀଙ୍କୁ ଉଠେଇବାକୁ ଦବୁନି। ଫକିରୁଦ୍ଦିନ ମାଆଙ୍କ ଏଇ କଥା ପଦକୁ ଆପଣ ବୁଝାମଣା ବୋଲି କହି ପାରନ୍ତି । ହେଲେ ମୋ ପାଇଁ ସେଇଟା ହିଁ ମଣିଷପଣିଆର ପରିଭାଷା। ସମସ୍ତେ ମିଶି ରହିବା ଓ ଆମ ପାଇଁ ଅନ୍ୟ କାହାର ଭାବନା ଆଘାତ ପାଇବ ନାହିଁ- ୟା ଠୁଁ ମାନବିକତାର ବଡ ମନ୍ତ୍ର ନା ମୁଁ କେଉଁ ବହିରୁ ପଢିଛି କି କେଉଁ ସାଧୁ ମହାତ୍ମା ଠାରୁ ଶୁଣିଛି। ହେଲେ ଆଜି ତ ଫେସବୁକ ଭଳି ଅନଲାଇନ ମାଧ୍ୟମରେ ବି ଇଦ ମୁବାରକ ଲେଖିଲା ବେଳକୁ ହଜାରେ ଥର ଭାବିବାକୁ ପଡୁଛି। ସମସ୍ତ ଦ୍ବନ୍ଦ୍ବ ପରେ ଯଦି ଲେଖି ବି ଦେଉଛି, ଉତ୍ତର ପାଉଛି ଯେ ମୁଁ କାହିଁକି ରଥଯାତ୍ରା କି ଦୁର୍ଗାପୂଜାର ଅଭିନନ୍ଦନ ମୋ ଫେସବୁକ ବନ୍ଧୁମାନଙ୍କୁ ଦେଇ ନଥିଲି? ଏଇ ଅଳ୍ପ କିଛି ଦିନ ହେଲା ଅସହିଷ୍ଣୁତା ଆସି ଯାଇଛି ବୋଲି କହି ମୁଁ ଅମିର ଖାନ ହେବାକୁ ଚାହୁଁନି। ହେଲେ ଆପଣ ନିଜେ ଭାବୁ ନାହାନ୍ତି, ଆପଣଙ୍କ ଚାରିପାଖ ଓ ସାମାଜିକ ପରିବେଷ୍ଟନୀକୁ ସମରସତାରେ ବାନ୍ଧି ରଖିଥିବା ଦଉଡିଟି ଟିକେ ପୋକରା ହେଇଯାଇଛି କି ନାହିଁ? ପୋକରା ହୁଏତ ଭାରୀ ଶବ୍ଦଟେ ହେଇପାରେ, ସତ କହିଲେ ସେ ଦଉଡି ଟା ଟିକେ ହୁଗୁଳା ହେଇଛି ନା ନାହିଁ? କିଛି ବନ୍ଧୁ କହୁଛନ୍ତି ଯେ ଦେଶରେ ନବଜାଗରଣ ଆସୁଛି, ତ କିଛି କହୁଛନ୍ତି ଏ ଦେଶର ସଭ୍ୟତା ଓ ସଂସ୍କୃତି ଏତେ ଦୃଢ ଯେ ତାକୁ ଏ ସାମୟିକ ଭୁଲ ବୁଝାମଣା ନଷ୍ଟ କରିପାରିବନି। ଉଭୟଙ୍କୁ ମୁଁ ମନ ଦେଇ ଶୁଣୁଛି, ଆଉ ଚାରା କଣ ଯେ? ମୋ ପୂର୍ବ ପୁରୁଷ ବିଭାଜନ ଦେଖିଛନ୍ତି, ୮୪ ଦେଖିଛନ୍ତି ଆଉ ମୁଁ ବି ଗୁଜୁରାଟ ଦେଖିଛି। ସେମାନେ ବି ଚୁପ ଥିଲେ, ମୁଁ ବି କେଉଁଠି ନା କେଉଁଠି ଚୁପ ହିଁ ଅଛି। ମୁଁ ମୋ ପାଇଁ ଆଦୌ ବ୍ୟସ୍ତ ନୁହେଁ ଆଜ୍ଞା। ମୁଁ ବ୍ୟସ୍ତ ମୋର, ଆପଣଙ୍କର ଆଉ ଆମ ସମସ୍ତଙ୍କ ପର ପିଢୀ ପାଇଁ। ମୁଁ ବ୍ୟସ୍ତ ତାଙ୍କ ପାଇଁ ଆମେ କେଉଁ ଭଳି ଭାରତ ଛାଡି କି ଯିବା? ଆପଣ କ’ଣ ଚାହୁଁଛନ୍ତି ଯେ ଆପଣଙ୍କ ଭବିଷ୍ୟତ ବଂଶଧର ମାନେ ଗୀତଟେ ଶୁଣିବା ପୂର୍ବରୁ, ବହିଟେ ପଢିବା ପୂର୍ବରୁ ବା ଫିଲିମଟେ ଦେଖିବା ପୂର୍ବରୁ ଗାୟକ, ଲେଖକ ବା ନାୟକର ଧର୍ମ ବିଷୟରେ ପ୍ରଥମେ ଅବଗତ ହେବେ? ପଇତା, ତାବିଜ, ପଗଡି କି କ୍ରସ୍ ଦେଖି ବନ୍ଧୁ ବାଛିବେ? ଆମେ କ’ଣ ଏତେ ଛୋଟ ଆଉ ସଙ୍କୁଚିତ ଭାରତଟେ ଆମ ବଂଶଧରଙ୍କ ପାଇଁ ଛାଡିଦେଇ ଯିବା??? ଆଉ ମୋର ଏହି ଭାବନାକୁ ଦେଶପ୍ରେମ କି ଦେଶଦ୍ରୋହ ସହ ନଯୋଡିବାକୁ ଅନୁରୋଧ ଆଜ୍ଞା। ନିହାତି ସ୍ବାର୍ଥପର ମଣିଷଟେ ମୁଁ, ଭବିଷ୍ୟତ ବଂଶଧର ମାନେ କେମିତି ଭଲରେ ରହି ପାରିବେ ସେହି କଥା ହିଁ ଭାବୁଛି, ତା’ଠୁ ବେଶୀ କିଛି ନୁହେଁ।

Share :