ଉଚ୍ଚଶିକ୍ଷା ସ୍ଥିତିକୁ ନେଇ ନବୀନଙ୍କୁ ଜବାବ ତଲବ

ଉଚ୍ଚଶିକ୍ଷା ସ୍ଥିତିକୁ ନେଇ ନବୀନଙ୍କୁ ଜବାବ ତଲବ

Share :

ଗତ ସୋମବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଭାରତୀୟ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟର ଚିହ୍ନବର୍ଣ୍ଣ ନ ଥିବାରୁ ରାଜ୍ୟର ଉଚ୍ଚ ଶିକ୍ଷାର ସ୍ଥିତିକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ଏବଂ ଗଂଗାଧର ମେହେର କଲେଜ ଭଳି ଶିକ୍ଷାନୁଷ୍ଠାନ ଜାତୀୟସ୍ତରରେ ବେଶ୍ ପ୍ରତିଷ୍ଠା ଲାଭ କରିଥିଲା। ତେବେ ଏଥର ଏମାନେ କେନ୍ଦ୍ର ସରକାରଙ୍କ ସର୍ଭେରେ ଭାଗ ବି ନେଲେ ନାହିଁ। ନବୀନବାବୁଙ୍କ ୧୭ ବର୍ଷର ଶାସନକାଳରେ ଓଡ଼ିଶାର ସବୁ ପ୍ରତିଷ୍ଠିତ ଅନୁଷ୍ଠାନର ଅବକ୍ଷୟ ହୋଇଛି। ନବୀନବାବୁ ଏ ସବୁ ବିଷୟରେ ବୁଝିବା ବା କିଛି କରିବା ପରିସ୍ଥିତିରେ ନାହାନ୍ତି। ଓଡ଼ିଶାରେ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କର ଏଭଳିି ଦୁର୍ଦଶା ପାଇଁ ରାଜ୍ୟ ସରକାର ହିଁ ଦାୟୀ ଏବଂ ସେଥିପାଇଁ ରାଜ୍ୟବାସୀଙ୍କୁ ଉତ୍ତର ଦେବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଇଂଜିନିୟରିଂ କଲେଜ ତାଲିକାରେ ଏନ୍ଆଇଟି, ରାଉରକେଲା ବର୍ତ୍ତମାନ ୧୯ତମ ସ୍ଥାନରେ ପହଞ୍ଚିଲାଣି। ପୂର୍ବରୁ ଏହା ଭାରତର ପ୍ରଥମ ୧୦ଟି ଇଂଜିନିୟରିଂ କଲେଜ ମଧ୍ୟରେ ରହୁଥିଲା ଏବଂ ଏହି ଅନୁଷ୍ଠାନଟି ମଧ୍ୟ କେନ୍ଦ୍ର ସରକାରଙ୍କ ଅର୍ଥରେ ପରିଚାଳିତ ହୁଏ। ପ୍ରତ୍ୟେକ ଓଡ଼ିଆ ଓଡ଼ିଶାର କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟ ଦେଶର ପ୍ରଥମ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ମାନ୍ୟତା ନ ପାଇଥିବା ଯୋଗୁଁ ଦୁଃଖିତ ଓ ଲଜ୍ଜିତ ଅନୁଭବ କରୁଛନ୍ତି। କିନ୍ତୁ ନବୀନବାବୁ ଏଥିପ୍ରତି ବେଫିକର। କାରଣ ସେ ପ୍ରକୃତରେ ଓଡ଼ିଆ ନୁହନ୍ତି କି ଓଡ଼ିଶାକୁ ଭଲ ପାଆନ୍ତି ନାହିଁ। ଛାତ୍ର କଂଗ୍ରେସ କର୍ମୀମାନଙ୍କ ଗରିଫଦାରୀକୁ ଦୃଢ଼ ନିନ୍ଦା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ହଜାରହଜାର କୋଟି ଟଙ୍କାର ଖଣି, ଚିଟ ଫଣ୍ଡ ଲୁଟେରା ଏପରିକି ଡି ବ୍ରଦର୍ସ-ଲିଙ୍କ୍ ଥିବା ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି। ପୁଣି ବିଜେଡ଼ି ସଂପୃକ୍ତ ଅପରାଧୀମାନଙ୍କର ସୁରକ୍ଷା କବଚ ସାଜିଛି। ଅପରପକ୍ଷରେ ନବୀନବାବୁଙ୍କ ଓଡ଼ିଆ ଭାଷା ବିରୋଧୀ ମନୋଭାବ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଥିବା ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗିରଫ କରି ଜେଲ୍ ପଠାଇବା ଅତ୍ୟନ୍ତ ନିନ୍ଦନୀୟ ଏବଂ ହିଟଲରି ଶାସନର ନମୂନା। ନବୀନବାବୁ ନିରଙ୍କୁଶ କ୍ଷମତା ବଳରେ ଅନ୍ଧ ହୋଇ ପ୍ରତିବାଦର ସ୍ୱରକୁ ଚାପି ଦେବାକୁ ଚାହୁଁଛନ୍ତି। ଓଡ଼ିଶାବାସୀ ଆଗାମୀ ଦିନରେ ତାର ଉପଯୁକ୍ତ ଜବାବ୍ ଦେବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

Share :