ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍ମ ବୃଦ୍ଧି ସ୍ଥଗିତ

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍ମ ବୃଦ୍ଧି ସ୍ଥଗିତ

Share :

ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି, ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନଙ୍କ ପକ୍ଷରୁ ବିରୋଧ ପରେ ପୁରୀ ଜିଲ୍ଲା ପ୍ରଶାସନ ହସ୍ତକ୍ଷପ କରି ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ବର୍ଦ୍ଧିତ କରାଯାଇଥିବା ୩୦ ଟଙ୍କା ଶୁଳ୍କ ଆଦାୟକୁ ସ୍ଥଗିତ ରଖିବା ପାଇଁ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସ୍ଥାନୀୟ ଏଏସଆଇର ସଂରକ୍ଷଣ ସହାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସଆଇ ପକ୍ଷରୁ ୬ ତାରିଖ(ବୁଧବାର) ପ୍ରତ୍ୟୁଷରୁ ଟିକଟ କାଉଣ୍ଟରରେ ୧୦ ଟଙ୍କିଆ ଟିକଟ ବିକ୍ରୀ କରାଯାଇଥିଲା। ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ କୋଣାର୍କ ସୁରକ୍ଷା ସମିତି, ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ, ପର୍ଯ୍ୟଟକଙ୍କ ସମେତ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଏଏସଆଇର ମହାନିର୍ଦେଶକଙ୍କୁ ଏ ସଂପର୍କରେ ଅବଗତ କରାଇଛନ୍ତି। ସେଠାରୁ ଉତ୍ତର ନ ଆସିବା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ବର୍ଦ୍ଧିତ କରାଯାଇଥିବା ୩୦ ଟଙ୍କା ଶୁଳ୍କ ପରିବର୍ତ୍ତେ ୧୦ ଟଙ୍କା ଶୁଳ୍କ ଆଦାୟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଥାଉକି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଅଧୀନରେ ଥିବା ୧୧୬ଟି ଐତିହ୍ୟ ପୀଠରୁ ତିନିଗୁଣା ବର୍ଦ୍ଧିତ ହାରରେ ଶୁଳ୍କ ଆଦାୟ ପାଇଁ  କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେବା ପୂର୍ବରୁ ଏକ ଗେଜେଟ ପ୍ରସ୍ତୁତ ହୋଇ ସଂପୃକ୍ତ ଅଞ୍ଚଳର ପ୍ରଶାସନ ଓ ଜନସାଧାରଣଙ୍କୁ ୪୫ ଦିନ ପୂର୍ବରୁ ଏ ସଂପର୍କରେ ଅବଗତ କରାଇବା କଥା। କିନ୍ତୁ ତାହା ନ କରି ହଠାତ ତିନି ଗୁଣା ବର୍ଦ୍ଧିତ ହାରରେ ଶୁଳ୍କ ଆଦାୟ କରିବା ପାଇଁ ନଷ୍ପତ୍ତି ନିଆ ଯାଇଥିବାରୁ ସଂପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ସମେତ ପର୍ଯ୍ୟଟକମାନେ ପ୍ରଭାବିତ ହୋଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨ ତାରିଖରୁ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ୨୫୦ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ପରିବର୍ତ୍ତେ ୩୦ ଟଙ୍କା ଆଦାୟ କରାଯାଇଥିଲା। ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କର ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଇଂଗ୍ରେଜମାନଙ୍କ ଶାସନ ସମୟରୁ ୧୯୩୮ ମସିହା ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ମନ୍ଦିରର ସଂରକ୍ଷଣ ଦାୟିତ୍ୱ ତୁଲାଇଥିଲା। ୧୯୩୯ ମସିହାରେ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନିଜ ହାତକୁ ନେଇ ଥିବା ବେଳେ ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେଲା। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟକୁ ଉପଭୋଗ ପାଇଁ ବର୍ଷ ତମାମ ଦେଶ ବିଦେଶର ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ। ଏଏସଆଇ ପକ୍ଷରୁ ୧୯୯୬ ମସିହାଠାରୁ ୧୯୯୯ ମସିହା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କË ବାବଦରେ ୫ ଟଙ୍କା ଆଦାୟ କରାଯାଉଥିଲା। ତେବେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ୨୦୦୦ ମସିହାଠାରୁ ୦୨.୦୪.୨୦୧୬ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ଏଏସଆଇ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୨୫୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ପ୍ରବେଶ ଶୁଳ୍କ ବାବଦରେ ଆଦାୟ କରାଯାଉଥିଲା।

Share :