ରାଜଭବନରେ ସଭାଗାର ନିର୍ମାଣ କାହା ସ୍ୱାର୍ଥରେ?

ରାଜଭବନରେ ସଭାଗାର ନିର୍ମାଣ କାହା ସ୍ୱାର୍ଥରେ?

Share :

ପ୍ରତାପ ଚନ୍ଦ୍ର ଷଡଙ୍ଗୀ   ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜଭବନ ପରିସରରେ ଏକ ବିରାଟ ସଭାଗାର ଅଭିଷେକ କମ୍ ବାକ୍ବେ ହଲ୍ ବା କନଭେନ୍ସନ ହଲ ନିର୍ମାଣ  ହେବ ଓ ଏଥିପାଇଁ ସରକାରୀ ତହବିଲରୁ ଚଉଦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଶୁଣିବାକୁ ପାଇ ବିଚଳିତ ହେଲି। ଯଦି ଏହି ସମ୍ୱାଦ ସତ୍ୟ ହୋଇଥାଏ ଏହା କାହା ସ୍ୱାର୍ଥରେ ହେଉଛି ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ନିଶ୍ଚୟ  ରହିଛି। ଏପ୍ରିଲ ୭ ତାରିଖରେ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ବୋଲି ସ୍ଥିରୀକୃତ ହୋଇଥିବାର ଶୁଣିବାକୁ ପାଇଲୁ। ପ୍ରୋଟୋକଲ ଦୃଷ୍ଟିକୋଣରୁ ଏହା ଯଥାର୍ଥ କି? ଦ୍ୱିତୀୟତଃ ଏହି ସଭାଗାରର ଆବଶ୍ୟକତା କ’ଣ? ରାଜ୍ୟର ଘୋର ଆର୍ଥିକ ସଙ୍କଟ ସମୟରେ, ଯେତେବେଳେ ସରକାର ଏକ ପୂର୍ଣ୍ଣାଙ୍ଗ ବଜେଟ‌୍‍ ଆଣି ନପାରି କାମଚଳା ବଜେଟ‌୍‍ ଆଣୁଛନ୍ତି ସେତେବେଳେ ଏହିପରି ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣର ଆବଶ୍ୟକତା କେତେ? ରାଜଭବନ ପରିସରରେ ବର୍ଷରେ ପ୍ରାୟତଃ ଦୁଇଟି ଉତ୍ସବ ହୋଇଥାଏ। ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ। ଏହି ଉତ୍ସବରେ କେତେ ଅତିଥି ସାମାନ୍ୟତଃ ଆସଥାନ୍ତି। ଏମାନଙ୍କ ପାଇଁ ରାଜଭବନର ସଭାଗାରରେ ସ୍ଥାନାଭାବ ହେଉଅଛି କି? ପାଞ୍ଚବର୍ଷରେ ଥରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ (ଅଭିଷେକ) ଉତ୍ସବ ହୋଇଥାଏ। ଏହା ସାମନ୍ୟତଃ ଖୋଲା ସ୍ଥାନରେ ହୋଇଥାଏ। ଏଥିପାଇଁ ଚଉଦ କୋଟି ଟଙ୍କା ବ୍ୟୟକରି ବିଳାସପୂର୍ଣ୍ଣ ସଭାଗାର ନିର୍ମାଣ କରିବାର ଯଥାର୍ଥତା କେତେ? ଆମ ରାଜ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ବିବିଧ କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ। ଅର୍ଥାଭାବରୁ ଜଳସେଚନ କ୍ଷମତା ବଢାଯାଇ ପାରୁନି। ଏଣୁ ମରୁଡିରେ ଚାଷୀର ସର୍ବନାଶ ହେଉଛି। ଆବଶ୍ୟକ କୃଷି ଉପକରଣ ଯଥେଷ୍ଟ ସଂଖ୍ୟାରେ ଚାଷୀକୁ ଯୋଗାଇ ଦିଆଯାଇ ପାରୁନି। ଆବଶ୍ୟକ କୃଷି ଉପକରଣ ଯଥେଷ୍ଟ ସଂଖ୍ୟାରେ ଚାଷୀକୁ ଯୋଗାଇ ଦିଆଯାଇ ପାରୁନି। ଅର୍ଥାଭାବରୁ ବିଦ୍ୟାଳୟ ମାନଙ୍କରେ ଘର, ପାଇଖାନା, ପାଇପ‌୍‍ ଜଳ ଯୋଗାଣ, ପାଠାଗାର, ଖେଳ ପଡିଆ, ପାଚେରୀ ଆଦି  କରାଯାଇ ପାରିନାହିଁ। ଲକ୍ଷାଧିକ ଶିକ୍ଷକ ପଦବୀ ଖାଲି ଅଛି। ଡାକ୍ତରଖାନା ଓ ମେଡିକାଲ କଲେଜମାନଙ୍କରେ ରୋଗୀମାନଙ୍କ ପାଇଁ ଘର ଓ ଶଯ୍ୟା ଅଭାବରୁ ତଳେ ଅତି ଅସ୍ୱାସ୍ଥ୍ୟକର ଅବସ୍ଥାରେ ପଡି ପଡି ହାଜର ହଜାର ରୋଗୀ ସଂକ୍ରମଣର ଶିକାର ହେଉଛନ୍ତି। ମାତ୍ର ସ୍ଥାନ ସଂଖ୍ୟା ବଢାଯାଇ ପାରୁନି। ଡାକ୍ତର ଖାନାରେ ଆବଶ୍ୟକତା ଅନୁସାରେ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ନାହାଁନ୍ତି। ଯାହାଫଳରେ ରୋଗୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗାଁ ଏପରିକି ସହରମାନଙ୍କରେ ଶୁଦ୍ଧ ପାନୀୟ ଜଳର ଘୋର ଅଭାବ। ଗାଁମାନଙ୍କରେ  ଲୋକମାନେ ଚୁଆପାଣି ଓ ନଦୀନାଳର ଅପରିଷ୍କାର ପାଣି ପିଇ  ରୋଗରେ ପଡୁଛନ୍ତି।  ଏହା ଏକ ଅପରାଧ ନୁହେଁ ତ କଣ? ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସରକାରଙ୍କର ପ୍ରାଥମିକ ଦାୟିତ୍ୱ। ଏହା ତୁଲାଇବାରେ ସରକାର ପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି। ଶିକ୍ଷକମାନେ ଦରମା ନପାଇ ରାଜରାସ୍ତାରେ ବସି ରହିଛନ୍ତି। ସରକାର ତାଙ୍କ କଥା ଶୁଣୁ ନାହାଁନ୍ତି। ସମସ୍ତଙ୍କୁ ଘର ଖଣ୍ଡିଏ ବା ଜାଗା ଖଣ୍ଡିଏ ଦିଆଯାଇ ପାରିନି। ଫୁଟପାଥରେ ପୋକମାଛି ପରି ଅନେକ ଲୋକ ପଡି ରହିଛନ୍ତି ଓ ଅନେକ ପିଲା ମଧ୍ୟ ଜନ୍ମ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏପରି ଏକ ବିଳାସପୂର୍ଣ୍ଣ ଅଟ୍ଟାଳିକା ନିର୍ମାଣ କାହା ସ୍ୱାର୍ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିବେ କି? ସବୁଠାରୁ ହୃଦୟ ବିଦାରକ ବିଷୟ ହେଲା ଯେ, ରାଜଭବନ ପରିସରର ଥିବା ଅତି ମୂଲ୍ୟବାନ ଛାୟାଅଶିଟି ଗଛ ଏହି ଭବନ ନିର୍ମାଣ ପାଇଁ  କଟାଯିବ। ଏଥିପାଇଁ ଜଙ୍ଗଲ ବିଭାଗ, ପରିବେଶ ବିଭାଗଠାରୁ ଅନୁମତି ନିଆଯାଇଛି କି? ଯଦି ହଁ, ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ସମୂହ ସାର୍ଥରକ୍ଷା ସକାଶେ ହେଉଥିବା କାର୍ଯ୍ୟରେ ଅନୁମତି ଦେଉନଥିବା ଏହି ବିଭାଗମାନେ  ଏହି କାର୍ଯ୍ୟ ପାଇଁ ଏତେ ଅବାଞ୍ଛିତ ବ୍ୟଗ୍ରତା ଦେଖାଇବାର କାରଣ କ’ଣ? ଯଦି ଅନୁମତି ମିଳି ନାହିଁ ତେବେ ଏହି ନିର୍ମାଣ କ’ଣ ବେଆଇନ ଭାବେ ହେବ କି? ଭୁବନେଶ୍ୱର ଦେଶର ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା ବେଳେ ଏହି ବୃକ୍ଷକର୍ତ୍ତନ ସମୀଚୀନ କି? ଏହା ଦ୍ୱାରା ଘୋର ପରିବେଶଗତ ସଂକଟ ସୃଷ୍ଟି ହେବ ନାହିଁ କି? ମାନ୍ୟବର ବିଧାୟକମାନେ ଏ ବିଷୟକୁ ଗୁରୁତ୍ୱର ସହ ବିଚାର କରି ସରକାରଙ୍କୁ ଏହିପରି ଏକ ଅପରିଣାମଦର୍ଶୀ କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ ପରାମର୍ଶ ଦେବେ କି? ବୁଦ୍ଧିଜୀବୀ, ନାଗରିକ ସମାଜର ବ୍ୟକ୍ତିମାନେ ଏ ଦିଗରେ ଜନମତ ଜାଗ୍ରତ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବେ କି ? ଏହି ନିଷ୍ଠୁର କାର୍ଯ୍ୟ ପାଇଁ ଇତିହାସ ଏହି ସରକାରଙ୍କର କଠୋର ମୂଲ୍ୟାଙ୍କନ କରିବ। ଏହା କେବଳ କଣ୍ଟ୍ରାକ୍ଟର ଓ କାଠ ମାଫିଆଙ୍କୁ ମାଲାମାଲ କରି ସେମାନଙ୍କ ମାଧ୍ୟମରେ ହାତ ଚିକ୍କଣ କରିବା ସହିତ ନିର୍ବାଚନ ପାଣ୍ଠି ଯୋଗାଡ ଉଦ୍ଦେଶ୍ୟରେ କରାଯାଉନାହିଁ ତ? ଦରିଦ୍ର କରଦାତାଙ୍କ ଅର୍ଥର ଏପରି ଦୁରୁପଯୋଗ ଅକ୍ଷମଣୀୟ ଅପରାଧ। ଓଡିଶାବାସୀଙ୍କୁ ଭାବିବାକୁ ପଡିବ ସେମାନେ କେତେଦିନ ଚୁପ‌୍‍ ହୋଇ ଏ ସବୁ ଅନ୍ୟାୟକୁ ସହି ଚାଲିବେ? ଲୋକ ସଚେତନତା ନିର୍ମାଣ ଓ ଦୁର୍ବାର ଜନ ଆନ୍ଦୋଳନ ପାଇଁ ଆମମାନଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଭଗବାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓ ସରକାରଙ୍କୁ ସଦ‌୍‍ବୁଦ୍ଧି ଦିଅନ୍ତୁ। ଦୁଷ୍ଟ ପରାମର୍ଶଦାତାଙ୍କ କବଳରୁ ତାଙ୍କୁ ରକ୍ଷା କରାଯାଉ। ନିର୍ଦ୍ଦୟତା ପୂର୍ବକ ଏହି ବୃକ୍ଷ କର୍ତ୍ତନ କରାନଯାଉ। କିମ୍ୱା ଏହି ଅନାବଶ୍ୟକ କାର୍ଯ୍ୟରେ ଦରିଦ୍ର କରଦାତାଙ୍କ ଅର୍ଥର ଦୁରୁପଯୋଗ କରାନଯାଉ। ରାଜଭବନକୁ କିଛି ଦୁର୍ନୀତିଗସ୍ତ କଣ୍ଟ୍ରାକଟର ଓ କାଠ ମାଫିଆଙ୍କ ଚରାଭୂଇଁରେ ପରିଣତ କରାନଯାଉ। ରାଜ ଭବନର ବହୁ ମୂଲ୍ୟବାନ ଗଛ ଏପରିକି ଅନେକ ଚନ୍ଦନ ଗଛ ଅତୀତରେ ଏମାନଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରିନାହିଁ। ଏହି ଗଛ ଚୋରମାନଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ପାରିନାହିଁ। ରାଜଭବନର ସିକ୍ୟୁରିଟ ଷ୍ଟାଫ‌୍‍ ଓ ଅନ୍ୟାନ୍ୟ ଷ୍ଟାଫ‌୍‍ଙ୍କ ସହାୟତା ବିନା ଏହି ଚୋରି ସମ୍ଭବ କି? ଅନ୍ୟାୟ କରିବା  ଓ ଅନ୍ୟାୟକୁ ସହନ କରିବା ଉଭୟ ହିଁ ଅପରାଧ ଅଟେ। ଏଣୁ ଆସନ୍ତୁ ଏହାର ସଙ୍ଗଠିତ ପ୍ରତିବାଦ କରିବା। ପୂର୍ବତନ ବିଧାୟକ, ନୀଳଗିରି, ମୋ-୯୪୩୭୦୩୩୨୧୬

Share :