ଭଗତ ସିଂହଙ୍କ ସମାଜବାଦୀ କ୍ରାନ୍ତି

ଭଗତ ସିଂହଙ୍କ ସମାଜବାଦୀ କ୍ରାନ୍ତି

Share :

ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା   ଜାତୀୟତାବାଦୀ ଆନ୍ଦୋଳନର ଆଦ୍ୟକାଳରେ ଦେଶର ବିଭିନ୍ନ ପ୍ରାନ୍ତରେ ଗଡ଼ି ଉଠିଥିଲା ସଶସ୍ତ୍ର ମୁକ୍ତି ସଂଗ୍ରାମ ପାଇଁ ବିଭିନ୍ନ ଗୋଷ୍ଠୀ। ଭଗତ ସିଂହ ଏବଂ ତାଙ୍କର ସହଯୋଦ୍ଧାମାନେ ସେମାନଙ୍କର ରାଜନୈତିକ ଜୀବନର ପ୍ରାଥମିକ ଅବସ୍ଥାରେ ଏହି ପଥର ପଥିକ ଥିଲେ। ସ୍ୱାଧୀନତା ଆନ୍ଦୋଳନରେ ସେମାନଙ୍କର କାର୍ଯ୍ୟକାଳ ଥିଲା ଅତ୍ୟନ୍ତ ସଂକ୍ଷିପ୍ତ। ୧୯୩୧ ମସିହା ମାର୍ଚ୍ଚ ୩୧ ତାରିଖରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଫାଶୀଦଣ୍ଡ ପାଇଲେ। ସେତବେଳକୁ ସେମାନଙ୍କର ରାଜନୈତିକ ଦର୍ଶନ ଓ ବିଚାର ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ସ୍ୱତନ୍ତ୍ର ତଥା ଅନନ୍ୟ ସ୍ଥାନ ଅଧିକାର କରି ସାରିଥିଲା। ଭଗତ ସିଂହ ଏବଂ ତାଙ୍କର ଅନୁଗାମୀଙ୍କ ପୂର୍ବରୁ ଏବଂ ପରେ ବହୁ ଦେଶପ୍ରେମୀ ଫାଶୀଖୁଣ୍ଟରେ ଚଢ଼ିଛନ୍ତି ଓ ବ୍ରିଟିଶ ଗୁଳିରେ ପ୍ରାଣ ବଳିଦାନ ଦେଇଛନ୍ତି। ମାତ୍ର ଭଗତ ସିଂହଙ୍କ ଜୀବନୀ ଓ ମୃତ୍ୟୁର କାହାଣୀ ତାଙ୍କୁ ବିଂଶ ଶତାବ୍ଦୀର ଜଣେ ମହାନ କ୍ରାନ୍ତିକାରୀ ଭାବେ ପରିଚିତ କରାଇଥିଲା। ସ୍ୱଳ୍ପ ରାଜନୈତିକ ଜୀବନ ମଧ୍ୟରେ ସେ ଯେପରି ଅନନ୍ୟ ବୌଦ୍ଧିକ, ସୃଜନାମିକ ଚିନ୍ତନର ଅଧିକାରୀ ହୋଇପାରିଥିଲେ ତାହା ଭାରତ ଇତିହାସରେ ବିରଳ। ପ୍ରଖ୍ୟାତ ଲେଖକ ଏ.ଜି. ନୁରାନୀ ତାଙ୍କ ଲିଖିତ ‘ଭଗତ ସିଂହଙ୍କ ଅଦାଲତରେ ବିଚାର -ନ୍ୟାୟର ରାଜନୀତି’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଯେଉଁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ପାଇଁ ଭଗତ ସିଂହ ଦେଶର ସମକାଳୀନ ଦେଶପ୍ରେମୀମାନଙ୍କ ଠାରୁ ନିଆରା ବାରି ହୋଇ ପଡ଼ୁଥିଲେ ତାହା ହେଲା ତାଙ୍କର ଅସାଧାରଣ ବୌଦ୍ଧିକ ଶକ୍ତି। ଗଭୀର ଅଧ୍ୟୟନ, ପ୍ରଚଣ୍ଡ ପୁନଃଚିନ୍ତନ ଶକ୍ତି ଯୋଗୁଁ ହିଁ  ହିଁସାର ପଥ ପରିହାର କରିବାର ସିଦ୍ଧାନ୍ତରେ ପହଞ୍ଚିଥିଲେ ଏବଂ ଶୋଷଣ ଓ ଅତ୍ୟାଚାର ମୁକ୍ତ ଭାରତବର୍ଷ ଗଠନ ପାଇଁ ଯୁବ ସମାଜକୁ ଆହ୍ୱାନ ଜଣାଇଥିଲେ। ବୌଦ୍ଧିକ ଚିନ୍ତନର ନିରନ୍ତର ଉନ୍ମେଷ ମଧ୍ୟଦେଇ ଭଗତ ସିଂହ ଯେଉଁ ପରିବର୍ତ୍ତିତ ମାର୍ଗକୁ ଗ୍ରହଣ କରିଥିଲେ ସାଧାରଣ ପାଠକ ତା ସହିତ ପରିଚୟ ନୁହଁନ୍ତି। ଏପରିକି ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନ ଇତିହାସର ଗବେଷକ ଓ ଭାରତୀୟ ରାଜନୀତିର ଛାତ୍ରଛାତ୍ରୀମାନଙ୍କ ନିକଟରେ ଏବେ ମଧ୍ୟ ଭଗତ ସିଂହଙ୍କ ପରିଚୟ ସଂକୀର୍ଣ୍ଣତାର ଗଣ୍ଡିମଧ୍ୟରେ ଆବଦ୍ଧ ହୋଇ ରହିଛି। ଭଗତ ସିଂହକୁ ଏବେ ମଧ୍ୟ ସନ୍ତ୍ରାସବାଦୀ, ଚରମପନ୍ଥୀ, ବୋମା ଓ ବନ୍ଧୁକର ସଂସ୍କୃତିର ବାହକ ଭାବେ ବିଚାର କରାଯାଏ। ଦିଲ୍ଲୀର ଆସେମ୍ବ୍ଲି କକ୍ଷ ମଧ୍ୟକୁ ଭଗତ ସିଂହ ଏବଂ ତାଙ୍କର ଅନୁଗାମୀମାନେ ବୋମା ନିକ୍ଷେପ କରିଥିଲେ - ଏକଥା ସଭା ଓ ଆଲୋଚନା ଚକ୍ରରେ କହି ତାଙ୍କ ବୀରତ୍ୱ, ଦେଶପ୍ରେମର ଅମର କାହାଣୀକୁ ଯେତିକି ପ୍ରଚାର କରାଯାଏ, ତାଙ୍କର ବିଚାର ଓ ଜୀବନ ଦର୍ଶନ ଉପରେ କମ‌୍‍ ଆଲୋଚକପାତ ହୁଏ। ବୋମା ନିକ୍ଷେପର ତାଳେ ତାଳେ ସେ ଦିନ ସେମାନେ ଯେଉଁ ପ୍ରଚାର ପତ୍ର ବାଣ୍ଟିଥିଲେ ତହିଁର ବିଷୟବସ୍ତୁ ନିରୋଳା ଭାବେ ଯୁବ ଆବେଗର ଓ ଭାବ ପ୍ରବଣତାର ପରିପ୍ରକାଶ ମଧ୍ୟରେ ସୀମିତ ନଥିଲା। ତାତ୍ତ୍ୱିକ ଆଧାର ଉପରେ ବିପ୍ଲବର ବାଖ୍ୟା ଓ ଭାରତବର୍ଷର ସାମାଜିକ-ରାଜନୈତିକ ପୃଷ୍ଠ ଭୂମିରେ ତାର ବାସ୍ତବ ରୂପରେଖ ସଂପର୍କରେ ନିଜର ବିଚାରଧାରା କୋର୍ଟ ଓ ଦେଶ ସମ୍ମୁଖରେ ଉପସ୍ଥାପନା କରିବାରେ ସେ ସକ୍ଷମ ହୋଇଥିଲେ। ଆସେମ୍ଲିକୁ ବୋମା ନିକ୍ଷେପ ଘଟଣାରେ ଗିରଫ ହୋଇସାରିବା ପରେ ଏହା ଉପରେ ଅଦାଲତରେ  ଶୁଣାଣି ଆରମ୍ଭ ହେଲା। ୧୯୨୯ ମସିହା ମେ ୭ ତାରିଖରେ ଭଗତ ସିଂ ଏବଂ ବଟୁକେଶ୍ୱର ଦତ୍ତ ଅଦାଲତ ଗୃହରେ ପ୍ରବେଶ କରି ୩ଟି ଗୁରୁତ୍ୱପୂର୍ଣ୍ଣ ନାରା ଉଚ୍ଚାରଣ କରିଥିଲେ- ବିପ୍ଳବ ଦୀର୍ଘଜୀବୀ ହେଉ, ଶ୍ରମଜୀବୀ ମଣିଷର ବିଜୟ ହେଉ ଏବଂ ସାମ୍ରାଜ୍ୟବାଦର ମୃତ୍ୟୁ ହେଉ। ଏଥି ପୂର୍ବରୁ ଏହି ନାରା କମ୍ୟୁନିଷ୍ଟ ଓ ଅନ୍ୟ ବିପ୍ଳବୀମାନେ ଦେଇଥିଲେ, ମାତ୍ର ତକାଳୀନ ଐତିହାସିକ ପ୍ରେକ୍ଷାପଟରେ ବିପ୍ଳବୀମାନଙ୍କର ଏହି ସ୍ଲୋଗାନ ସମଗ୍ର ଭାରତ ବର୍ଷକୁ  ପ୍ରକମ୍ପିତ କରିଥିଲା ଏବଂ ଏକ ନୂତନ ବୈପ୍ଲବିକ ଜୁଆର ସୃଷ୍ଟିକରିବାରେ ପ୍ରେରଣା ଯୋଗାଇଥିଲା। ୧୯୨୯ ମସିହା ଜୁନ ୬ ତାରିଖରେ ଜିଲ୍ଲା ସେସନ‌୍‍ସ ଅଦାଲତରେ ଭଗତ ସିଂହ ଏବଂ ବଟୁକେଶ୍ୱର ଦତ୍ତ ବୋମା ନିକ୍ଷେପ ସପକ୍ଷରେ ଯେଉଁ ଐତିହାସିକ ବୟାନ ଦେଇଥିଲେ ତାହା ବୈପ୍ଲବିକ ସାହିତ୍ୟ ଓ ଦର୍ଶନର ଭଣ୍ଡାରରେ ଏକ ଅମୂଲ୍ୟ ସଂପଦ ହୋଇ ରହିବ। ବିପ୍ଲବର ଅର୍ଥକୁ ବାଖ୍ୟା କରି ଭଗତ ସିଂହ କହିଥିଲେ ଯେ  କ୍ରାନ୍ତିରେ ହିଂସାତ୍ମକ ସଂଘର୍ଷର ଅନିବାର୍ଯ୍ୟ ସ୍ଥାନ ନାହିଁ କିମ୍ୱା ବ୍ୟକ୍ତିଗତ ଭାବେ ପ୍ରତିଶୋଧ ନେବାପାଇଁ ଏହା ଉଦ୍ଦିଷ୍ଟ ନୁହେଁ। ବିପ୍ଲବ ବା କ୍ରାନ୍ତି ବୋମା କିମ୍ୱା ପିସ୍ତଲର ସଂସ୍କୃତି ନୁହେଁ। କ୍ରାନ୍ତିର ଅର୍ଥ ଆମେ ଏହା ଚାହୁଁଛୁ ଯେ ଅନ୍ୟାୟ ଉପରେ ଆଧାରିତ ବର୍ତ୍ତମାନ ସମାଜ ବ୍ୟବସ୍ଥାର ପରିବର୍ତ୍ତନ ହେବା ଦରକାର। ସେହି ବୟାନରେ ଦେଶର କୃଷକ ଓ ଶ୍ରମଜୀବୀ ମଣିଷର ଦୟନୀୟ ଚିତ୍ରକୁ ତୋଳିଧରି ଭଗତ ସିଂହ କହିଥିଲେ, ଏକ ପକ୍ଷରେ ସମସ୍ତଙ୍କ ପାଇଁ ଖାଦ୍ୟ ଉତ୍ପାଦନକାରୀ କୃଷକ ଭୋକରେ ମରୁଛନ୍ତି। ଅନ୍ୟ ପକ୍ଷରେ ସାରା ଦୂନିଆର ବଜାରକୁ କପଡ଼ା ବୁଣି ଲୁଗା ଯୋଗାଉଥିବା ଶ୍ରମଜୀବୀ ମଣିଷ ନିଜେ ଓ ତାର ପିଲାମାନେ ଲୁଗା ପିନ୍ଧିବାକୁ ପାଆନ୍ତି ନାହିଁ। ରାଜମିସ୍ତ୍ରୀ ଓ ଶ୍ରମିକମାନେ ସୁନ୍ଦର ଅଟ୍ଟାଳିକା ତିଆରି କଲେ ବି ସେମାନେ ପୂତିଗନ୍ଧମୟ ବସ୍ତିରେ ଦିନ କାଟନ୍ତି। ସମାଜର ଏକ ଆମୂଳଚୂଳ ପରିବର୍ତ୍ତନ ଦରକାର। ଆଉ ପାଦେ ଆଗେଇ ଭଗତ ସିଂହ ସ୍ପଷ୍ଟ ରୂପେ ଘୋଷଣା କରିଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଏ ପରିବର୍ତ୍ତନ ନ ଆସିଛି, ସେତେଦିନ ପର୍ଯ୍ୟନ୍ତ ମଣିଷ ଉପରେ ମଣିଷର, ଗୋଟିଏ ରାଷ୍ଟ୍ର ଉପରେ ଅନ୍ୟ ରାଷ୍ଟ୍ରର ଶୋଷଣ, ଭୟ ଓ ଦୁର୍ଦ୍ଦଶାରେ ଜର୍ଜରିତ ସମଗ୍ର ମାନବ ଜାତିକୁ ଏଥିରୁ ରକ୍ଷା କରାଯାଇ ପାରିବ ନାହିଁ। ବିପ୍ଲବର ଅନ୍ତିମ ଲକ୍ଷ୍ୟ ସଂପର୍କରେ ଭଗତ ସିଂହ କହିଥିଲେ, ଏଭଳି ଏକ ସମାଜ ବ୍ୟବସ୍ଥା ପ୍ରତିଷ୍ଠା ହେବା ଦରକାର, ଯାହା ମାନବ ଜାତିକୁ ପୁଞ୍ଜିବାଦର ଦାସତ୍ୱ ଓ ସାମ୍ରାଜ୍ୟବାଦୀ ଯୁଦ୍ଧର ଦୁଃଖଦ ପରିଣତିରୁ ମୁକ୍ତ କରିବ। ଏହି ଆଧାରରେ ସେ ସାମ୍ରାଜ୍ୟବାଦକୁ ମାନବଜାତିର ଚରମ ଶତ୍ରୁ ଭାବେ ଚିହ୍ନଟ କରିଥିଲେ। ସଶସ୍ତ୍ର ମୁକ୍ତି ସଂଗ୍ରାମର ପଥରୁ ବୌଦ୍ଧିକ ଉଦାହରଣ ଘଟାଇ ଭବିଷ୍ୟତ ଭାରତ ବର୍ଷର ରୂପରେଖ ସଂପର୍କରେ ଏକ ସାମାଜିକ-ରାଜନୈତିକ ନକସା ପ୍ରସ୍ତୁତ କରିଥିଲେ ଏବଂ ଏହାର ରୂପାୟନ ପାଇଁ ‘ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ରିକ ସଂଘ’ ନାମରେ ଏକ ରାଜନୈତିକ ସଂଗଠନ ଗଠନ କରିଥିଲେ। ସେହି ସଂଗଠନର ଇସ୍ତାହାରରେ ସ୍ପଷ୍ଟରୂପେ ଘୋଷଣା କରାଯାଇଥିଲା ଯେ ଭାରତର ଶ୍ରମଜୀବୀ ମଣିଷର ମୁକ୍ତିର ପଥ ହେଉଛି ସମାଜବାଦ ଆଧାରରେ ଦେଶକୁ ଗଢ଼ିବା ଯାହା ଜରିଆରେ ଜନଗଣଙ୍କୁ ପ୍ରକୃତ ସ୍ୱାଧୀନତା ମିଳିବ ଏବଂ ସମସ୍ତ ସାମାଜିକ ବୈଷମ୍ୟର ଅବସାନ ଘଟିବ। ଭାରତୀୟ ସମାଜ ଜୀବନରେ ଥିବା ଜାତିବାଦୀ ବ୍ୟବସ୍ଥା ଓ ସାମନ୍ତବାଦୀ ଶୋଷଣର ମୂଳୋତ୍ପାଟନ ପାଇଁ ମଧ୍ୟ ସେ ଯୁକ୍ତି ବାଢ଼ିଥିଲେ। ଜନସାଧାରଣଙ୍କ ମଧ୍ୟରେ ବୈପ୍ଳବିକ ଚେତନାର ବିକାଶ ବିନା ସମାଜର ଆମୂଳଚୂଳ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଭଗତ ସିଂହଙ୍କର ଦୃଢ଼ ମତ ଥିଲା। ସେ କହିଥିଲେ, ଜନସାଧାରଣ ସାଧାରଣତଃ ସମାଜର ପ୍ରତିଷ୍ଠିତ ଚଳଣୀ ସହିତ ଧରାବନ୍ଧା ଭାବେ ଯୋଡ଼ି ହୋଇ ରହିବାକୁ ଚାହାନ୍ତି ଏବଂ କୌଣସି ପରିବର୍ତ୍ତନର ସ୍ୱର ଉଠିଲେ ସେମାନେ ଭୟରେ ଥରହର ହୋଇଯାନ୍ତି। ଜନସାଧାରଣଙ୍କୁ ଆଚ୍ଛାଦିତ କରି ରଖିଥିବା ଚଳତ ଶକ୍ତିହୀନ ସାମାଜିକ ସ୍ଥିତିରୁ ମୁକୁଳେଇ ସେମାନଙ୍କ ମଧ୍ୟରେ ବୈପ୍ଲବିକ ଚିନ୍ତା ଓ ଚେତନାର ଉନ୍ମେଷ ଘଟାଇବାକୁ ହେବ। ତା ନହେଲେ ସମ୍ଭାବ୍ୟ ସାମାଜିକ ଅବକ୍ଷୟ ଏଥିରୁ ଲାଭବାନ ହେବେ ଏବଂ ପ୍ରତିକ୍ରିୟାଶୀଳ ଶକ୍ତିମାନଙ୍କ ଦ୍ୱାରା କବଳିତ ହୋଇ ସମାଜ ବ୍ୟବସ୍ଥା ଧ୍ୱସ୍ତ ବିଧ୍ୱସ୍ତ ହେବ। ବୈପ୍ଳବିକ ଚେତନାର ବିକାଶ ପାଇଁ ନିରନ୍ତର ଅଧ୍ୟୟନ ଅତ୍ୟନ୍ତ ଜରୁରୀ ବୋଲି ‘ମୁଁ କାହିଁକି ନାସ୍ତିକ’ ଶୀର୍ଷକ ଲେଖାରେ ସ୍ପଷ୍ଟଭାବେ ତୋଳି ଧରିଛନ୍ତି। ବିପ୍ଳବୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଆମକୁ ନିରନ୍ତର ପଢ଼ିବାକୁ ହେବ ଓ ଜାଣିବାକୁ ହେବ। ପ୍ରତିପକ୍ଷଙ୍କ ଯୁକ୍ତିକୁ ଖଣ୍ଡନ କରିବା ପାଇଁ ବିଶଦ ଭାବେ ଜାଣିବାକୁ ହେବ। ଅଧିକ ଜ୍ଞାନ ଆହରଣ କରିବାକୁ ହେବ ନିଜର ମତବାଦ ସପକ୍ଷରେ ଓ ତାତ୍ତ୍ବିକ ବିନ୍ୟାସର ସ୍ୱାର୍ଥରେ। ଫଳସ୍ୱରୂପ ମୁଁ ଅତି ଗଭୀର ଭାବରେ ଅଧ୍ୟୟନ କଲି। ଅନେକ ଦିନର ସଞ୍ଚିତ ବିଶ୍ୱାସ ଓ ଧ୍ୟାନ ଧାରଣାର ଆମୂଳ ପରିବର୍ତ୍ତନ ହେବାକୁ ଲାଗିଲା, ପୂର୍ବସୂରୀମାନଙ୍କ ନିକଟରୁ ମୁଁ ପାଇଥିଲି କେବଳମାତ୍ର ହିଂସାମିକ ପନ୍ଥା ସଂପର୍କରେ ଏକ ଆବେଗ, ବର୍ତ୍ତମାନ ସେହି ସ୍ଥାନରେ ସୁଚିନ୍ତିତ ଧାରଣା ଜନ୍ମ ନେଲା। ଭାବବାଦକୁ ବିଦାୟ ଦେଲି, ଅନ୍ଧବିଶ୍ୱାସରୁ ନିଜକୁ ମୁକ୍ତ କଲି। ବସ୍ତୁବାଦୀ ଧ୍ୟାନଧାରଣା ତଥା ଚିନ୍ତାଭାବନା ମୋ ସମ୍ମୁଖରେ ଆଦର୍ଶ ହୋଇ ଛିଡ଼ାହେଲା। ଜଣେ କଳ୍ପନା ବିଳାସୀ ଭାବପ୍ରବଣ ଆଦର୍ଶବାଦୀ ବିପ୍ଳବୀରୁ ନିଜକୁ ବସ୍ତୁବାଦୀ ଦର୍ଶନ ଆଧାରିତ ବୈପ୍ଳବିକ ଧ୍ୟାନ ଧାରଣାରେ ଶିକ୍ଷିତ ଓ ଦୀକ୍ଷିତ କରିବାରେ  ସେ ନିରନ୍ତର ପ୍ରୟାସ କରି ସମର୍ଥ ହୋଇଥିଲେ। ଜେଲ ଜୀବନ କାଳରେ ରୁଷ ଇତିହାସ, ଲେନିନଙ୍କ ଜୀବନୀ ଓ ମାର୍କସବାଦୀ ଦର୍ଶନ ଅଧ୍ୟୟନ ତାଙ୍କୁ ଏ ଦିଗରେ ସହାୟକ ହୋଇଥିଲା। ଭଗତ ସିଂହ ପ୍ରଚଳିତ ସାମାଜିକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଇହଲୋକ-ପରଲୋକ, ପୁନଃଜନ୍ମ, ସ୍ୱର୍ଗ-ନର୍କ, ଇଶ୍ୱର ଅମରତ୍ୱ ଆଦି ଧାରଣାକୁ ପ୍ରତ୍ୟାଖ୍ୟାନ କରି ଏକ ବସ୍ତୁବାଦୀ ବିଜ୍ଞାନ ସମ୍ମତ ଧ୍ୟାନଧାରଣା ଆହରଣ ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ଜଣେ ସଚ୍ଚା ବିପ୍ଲବୀଭାବେ ନିଜକୁ ସଂଶୋଧନ କରିବାରେ, ନିଜର ଭ୍ରାନ୍ତି କାଟିବାରେ ସେ ଅତ୍ୟନ୍ତ ନିଷ୍ଠାପର ପ୍ରୟାସ ଚଳେଇଥିଲେ ଏବଂ ନିରନ୍ତର ନିଜର ରାଜନୈତିକ ଚେତନାକୁ ଶାଣିତ କରିବାପାଇଁ ଆତ୍ମ ଚିନ୍ତନ ଓ ଆତ୍ମ ସମାଲୋଚନାକୁ ଅସ୍ତ୍ରଭାବେ ନିୟୋଜନ କରୁଥିଲେ। ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତାନ୍ତ୍ରିକ ସଂଘର ଅତିରିକ୍ତ ସୈନିକ ବିଭାଗ ଗଠନ ପ୍ରସଙ୍ଗରେ ଉଠିଥିବା ବିବାଦକୁ ସ୍ପଷ୍ଟ କରିବାକୁ ଯାଇ ଯାହା କହିଥିଲେ ତା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ। ତାଙ୍କ ସ୍ୱୀକୋରକ୍ତିରେ ସେ କହିଥିଲେ ଯେ ଉପରେ ଉପରେ ଦେଖିବାକୁ ଗଲେ ମୁଁ ଜଣେ ଆତଙ୍କବାଦୀ ଭଳି କାମକରୁଛି। କିନ୍ତୁ ମୁଁ ଆତଙ୍କବାଦୀ ନୁହେଁ। ମୁଁ ଜଣେ ବିପ୍ଲବୀ ଯାହାର ଏକ ଦୀର୍ଘମିଆଦୀ କର୍ମସୂଚୀ ଭିତ୍ତିକ ମତାଦର୍ଶ ଅଛି। ମୁଁ ଜୋର ଦେଇ କହିପାରେ ଯେ ମୋର ବିପ୍ଲବୀ ଜୀବନର ଆରମ୍ଭରୁ ଅଳ୍ପ କିଛିଦିନ ବାଦଦେଲେ ମୁଁ ଆତଙ୍କବାଦୀ ନଥିଲି ବା ବର୍ତ୍ତମାନ ମଧ୍ୟ ନାହିଁ। ଏ ବିଷୟରେ ମୋର ସ୍ପଷ୍ଟ ଧାରଣା ଯେ ଏହି ପଦ୍ଧତିରେ କାମକରି ଆମେ କିଛି ଅର୍ଜନ କରି ପାରିବୁ ନାହିଁ। ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତାନ୍ତ୍ରିକ ପାର୍ଟିର ଇତିହାସର ତାହା ପୂରାପୂରି ସ୍ପଷ୍ଟ ହୋଇଯାଇଛି। ଦେଶର ବିଭିନ୍ନ ରାଜନୈତି ଶକ୍ତି ଓ ସ୍ରୋତ ସ୍ୱାଧୀନତା ପରେ ଭଗତ ସିଂହ ଓ ତାଙ୍କର ଅନୁଗାମୀ ମାନଙ୍କ ଆଦର୍ଶର ବାସ୍ତବ ଓ ପ୍ରକୃତ ଉତ୍ତରାଧିକାରୀ ଭାବେ ନିଜକୁ ଚିତ୍ରଣ କରିବାପାଇଁ ପ୍ରୟାସ ଚଳାଇଛନ୍ତି। ଏକଥା ଅତ୍ୟନ୍ତ ସ୍ପଷ୍ଟ ଯେ, ଭଗତ ସିଂହ କେବଳ ଭାରତବର୍ଷରୁ ବ୍ରିଟିଶ‌୍‍ ସରକାରଙ୍କୁ ହଟାଇବାକୁ ଚାହୁଁନଥିଲେ। ସ୍ୱପ୍ନ ଦେଖିଥିଲେ ଭାରତକୁ ଏକ ପ୍ରଜାତାନ୍ତ୍ରିକ ସମାଜବାଦୀ ସମାଜ ଭାବେ ଗଢ଼ିବା ପାଇଁ। ଜାତିବାଦୀ ନିର୍ଯ୍ୟାତନା ଓ ସାମ୍ପ୍ରଦାୟିକ ବିଦ୍ୱେଶ ଜନଗଣଙ୍କ ଐକ୍ୟ ଧ୍ୱଂସ ଓ ସମାଜର ପ୍ରଗତିର ପରିପନ୍ଥୀ ବୋଲି ସେ ମତ ଦେଇଥିଲେ। ପୁଞ୍ଜିବାଦୀ ଶୋଷଣ ଓ ସାମନ୍ତବାଦୀ ସାମାଜିକ ନିର୍ଯ୍ୟାତନାର ବିଲୋପ କେବଳ ଶ୍ରମିକ ଓ କୃଷକମାନଙ୍କ ଐକ୍ୟବଦ୍ଧ ସଂଗ୍ରାମ ଦ୍ୱାରା ସମ୍ଭବ ଏବଂ ଯୁବଛାତ୍ର ସମାଜ ଶ୍ରମଜୀବୀ ମଣିଷର ଆନ୍ଦୋଳନ ସହିତ ସଂଶ୍ଲିଷ୍ଟ ହେବାକୁ ସେ ଆହ୍ୱାନ ଜଣାଇଥିଲେ। ସାମାଜ୍ୟବାଦ, ପୁଞ୍ଜିବାଦ, ସାଂପ୍ରଦାୟିକତାବାଦ ଏବଂ ଜାତିବାଦକୁ ଭାରତୀୟ ସମାଜର ଚାରିଟି ପ୍ରମ୍ମୁଖ ଶତ୍ରୁଭାବେ ଯାହା ସେ ଚିହ୍ନଟ କରିଥିଲେ ତାହା ଆଜି ଅଧିକ ପ୍ରାସଙ୍ଗିକ। ସ୍ୱାଧୀନ ଭାରତର ଭବିଷ୍ୟତ ବଂଶଧରଙ୍କ ପାଇଁ ଏହି ମହାନ ବିପ୍ଳବୀ ଓ ତାଙ୍କର ଅନୁଗାମୀମାନଙ୍କ ଜୀବନଦର୍ଶନ ଓ ବିଚାର ମୁକ୍ତିର ବାଟ ପଥଭାବେ ପ୍ରେରଣା ଯୋଗାଇବ। କୋଣାର୍କ ଭଗବତୀ ମହାବିଦ୍ୟାଳୟ, ମୋ: ୯୪୩୯୧୪୩୩୪୫

Share :