ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧିକୁ ବିରୋଧ

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧିକୁ ବିରୋଧ

Share :

ସମଗ୍ର ସେଶରେ ଥିବା ଐତିହ୍ୟ ପୀଠଗୁଡ଼ିକୁ ଦର୍ଶନ ପାଇଁ ଯାଇଥିବା ପର୍ଯ୍ୟଟକଙ୍କଠାରୁ ବର୍ଦ୍ଧିତ ହାରରେ ଶୁଳ୍ପ ଆଦାୟ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୩୦ ଟଙ୍କା ଆଦାୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ ଅପ୍ରେଲ ପହିଲାରୁ ବର୍ଦ୍ଧିତ ହାରରେ ଶୁଳ୍କ ଆଦାୟ ହେବା କଥା। କିନ୍ତୁ କେତେକ ସମସ୍ୟା ପାଇଁ ଏହା ସେହି ଦିନ କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ଶନିବାର ସକାଳେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ଟିକଟ କାଉଣ୍ଟରରେ ବର୍ଦ୍ଧିତ ହାରରେ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରୟ କରାଯାଇ ଥିଲା। ଏହି ଖବର ପ୍ରଚାରିତ ହେବା ପରେ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଓ ଅନ୍ୟ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ଟିକଟ ବିକ୍ରୀକୁ ବିରୋଧ କରିବା ସହ ଟିକଟ କାଉଣ୍ଟରକୁ ବନ୍ଦ କରି ଦେଇଥିଲେ। ଟିକଟ କାଉଣ୍ଟର ବନ୍ଦ ହେବା ଦେଖି ସ୍ଥାନୀୟ ଏଏସଆଇ ସଂରକ୍ଷଣ ଅଧିକାରୀ ସୂର୍ଯ୍ୟ ମନ୍ଦିର ପ୍ରବେଶ ଗେଟକୁ ବନ୍ଦ କରି ଦେଇଥିଲେ। ଫଳରେ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ସୂର୍ଯ୍ୟ ମନ୍ଦିର ଚତୁପାର୍ଶ୍ୱରେ ଥିବା ବେଢାରେ ବୁଲି ନିରାଶରେ ଘରକୁ ଫେରିଥିଲେ। ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କର ସୂର୍ଯ୍ୟମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ ଇଂଗ୍ରେଜମାନଙ୍କ ଶାସନ ସମୟରୁ ୧୯୩୮ ମସିହା ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ତୁଲାଇଥିଲା। ୧୯୩୯ ମସିହାରେ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନିଜ ହାତକୁ ନେଇ ଥିବା ବେଳେ ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେଲା। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟକୁ ଉପଭୋଗ ପାଇଁ ବର୍ଷ ତମାମ ଦେଶ ବିଦେଶର ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ। ଏଏସଆଇ ପକ୍ଷରୁ ୧୯୯୬ ମସିହାଠାରୁ ୧୯୯୯ ମସିହା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ୫ ଟଙ୍କା ଆଦାୟ କରାଯାଉଥିଲା। ତେବେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ୨୦୦୦ ମସିହାଠାରୁ ୦୨.୦୪.୨୦୧୬ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ଏଏସଆଇ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୨୫୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ଆଦାୟ କରାଯାଉଥିଲା। ଦୈନିକ ଲକ୍ଷ ଲକ୍ଷ ଟଙ୍କା ପ୍ରବେଶ ଶୁଳ୍କ ବାବଦେରେ ପର୍ଯ୍ୟଟକଙ୍କ ପାଖରୁ ଆଦାୟ କରାଯାଉଥିଲେ ମଧ୍ୟ ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ପାଇଁ ମନ୍ଦିର ପରିସରରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ମନ୍ଦିର ପରିସରେ ସ୍ୱାଚ୍ଛ ପାନୀୟ ଜଳର ସୁବ୍ୟବସ୍ଥା ନଥିବା ବେଳେ ଆଶ୍ରୟ ସ୍ଥଳିଟିଏ ନଥିବାରୁ ଖରା ଓ ବର୍ଷାରୁ ରକ୍ଷା ନିମନ୍ତେ ବୃଦ୍ଧବୃଦ୍ଧା ଓ ଅସହାୟ ପର୍ଯ୍ୟଟକମାନେ ବିଶ୍ରାମ ନେଇ ପାରୁ ନାହାନ୍ତି। ସୂର୍ଯ୍ୟମନ୍ଦିର ପରିସରରେ ଅଭିଯୋଗ ପ୍ରକୋଷ୍ଠ ଟିଏ ମଧ୍ୟ ନାହିଁ। ସୁରକ୍ଷା ଆଳରେ ମନ୍ଦିର ଚତୁପାର୍ଶ୍ୱକୁ କଳଙ୍କିଲଗା ଲୁହା ପାଇପ ଦ୍ୱାରା ଆବଦ୍ଧ କରାଯାଇଥିବାରୁ ମନ୍ଦିର ସୁକ୍ଷ୍ମ କାରୁ କାର୍ଯ୍ୟକୁ ଦେଖିବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ।  ବିଭିନ୍ନ ସମୟରେ ମନ୍ଦିର ପରିସରରେ ବୁଲା କୁକୁର, ମାଙ୍କଡ଼, ମହୁମାଛି ଓ  ବିଷଧର ସାପଙ୍କୁ ଦେଖି ପର୍ଯ୍ୟଟକମାନେ ଭୟଭୀତ ହେଉଛନ୍ତି। ମନ୍ଦିର ନିକଟରେ ଉନ୍ନତମାନର ଶୌଚାଳୟ ନଥିବାରୁ ପର୍ଯ୍ୟଟକମାନେ ବିଭିନ୍ନ ସ୍ଥାନରେ ଶୌଚକରିବା ଯେଗୁଁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏଏସଆଇର ସଫେଇ କର୍ମଚାରୀଙ୍କ ଦ୍ୱାରା ସଫେଇ ନ ହେବାରୁ  ମନ୍ଦିର ଚତୁଃପାର୍ଶ୍ୱରେ କୁଡକୁଡ ଅଳିଆ ଆବର୍ଜନା ପଡି ରହି ପରିବେଶକୁ ପ୍ରଦୂଷିତ କରୁଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଗତ ବର୍ଷ ମନ୍ଦିର ପରିସରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ତାହା କାମରେ ଆସୁ ନାହିଁ। ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ପର୍ଯ୍ୟଟକଙ୍କୁ ଯାଞ୍ଚ କରିବା ପାଇଁ ଏକ ମେଟାଲ ଡିଟେକ୍ଟର ଲଗାଥିଲେ ମଧ୍ୟ ତାହାର କାର୍ଯ୍ୟକାରିତା ସଂପର୍କରେ ଅନଭିଜ୍ଞ ଏଏସଆଇର କର୍ମଚାରୀମାନେ ଜାଣି ନାହାନ୍ତି। ମନ୍ଦିର ପରିସରରେ ପର୍ଯ୍ୟଟକମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ନ ଦେଇ ବର୍ଦ୍ଧିତ ହାରରେ ପ୍ରବେଶ ଶୁଳ୍କ ଆଦାୟ କରାଯାଉଥିବାରୁ କୋଣାର୍କ ସୁରକ୍ଷା ସମିତି ସମେତ ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି। ଭାରତ ସରକାର ଓ ବିଭାଗୀୟ ଅଧିକାରୀ ଏହି ଭୁଲ ନିଷ୍ପତ୍ତି ପ୍ରତ୍ୟାହାର କରି ତୁରନ୍ତ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି କୋଣାର୍କ ସୁରକ୍ଷା ପକ୍ଷରୁ ଚେତାବନୀ ଦିଆଯାଇଛି।

Share :