ଓଡ଼ିଆ ଭାଷା ଆଇନ ବିରୋଧରେ ଓଡ଼ିଶା ସରକାର!

ଓଡ଼ିଆ ଭାଷା ଆଇନ ବିରୋଧରେ ଓଡ଼ିଶା ସରକାର!

Share :

    ଓଡ଼ିଆ ଭାଷାକୁ ନେଇ ୮୦  ବର୍ଷ ତଳେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଓଡ଼ିଶା ପ୍ରଦେଶର ବୟସ ଯେତେ ବଢ଼ିବଢ଼ି ଚାଲିଛି ଓଡ଼ିଶାରେ ଓଡ଼ିଆ ଭାଷା ସେତିକି ଅବହେଳିତ ଓ ଅସୁରକ୍ଷିତ ହୋଇପଡ଼ୁଛି। ୧୯୫୪ ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରିବାକୁ ସରକାର ପଛଉଛନ୍ତି। ନିଜ ମାତୃଭାଷାକୁ ବଂଚାଇବା ପାଇଁ ଆଜି ସାରା ରାଜ୍ୟରେ ଗଢ଼ି ଉଠିଛି ଭାଷା ସୁରକ୍ଷା ଆନ୍ଦୋଳନ। ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରି ଏହାକୁ ଏକ ନିର୍ଣ୍ଣାୟକ ସ୍ତରରେ ପହଂଚାଇବାକୁ ହେବ ବୋଲି ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳନ ଅବସରରେ ଡାକରା ଦିଆଯାଇଛି। ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ସାଂସଦ ବୈଷ୍ଣବ ପରିଡ଼ାଙ୍କ ସଭାପତିତ୍ୱରେ ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେ଼ମୀ ଠାରେ ଅନୁଷ୍ଠିତ ଉତ୍କଳ ଦିବସ ସମାରୋହରେ ଯୋଗଦେଇ ବର୍ଷୀୟାନ ରାଜନେତା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ କହିଲେ, ଓଡ଼ିଆ ଭାଷା ଏବେ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି। ଆନ୍ତରିକତାର ଅଭାବରୁ ସରକାରୀ ଭାଷା ଆଇନକୁ ସରକାର କାର୍ଯ୍ୟକାରୀ କରୁନାହାଁନ୍ତି। ଏଥିପାଇଁ ସେ ସରକାର, ରାଜନୈତିକ ଦଳ ଓ ଜନସାଧାରଣଙ୍କୁ ଦାୟୀ କରିଥିଲେ। ଓଡ଼ିଶାରେ ଇଂରାଜୀ ଭାଷାରେ ଶାସନ ଚାଲିଥିବାରୁ ଏବଂ ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ କମି ଯାଉଥିବାରୁ ଲୋକେ ସେମାନଙ୍କ ପିଲାମାନଙ୍କୁ ଇଂରେଜୀ ମାଧ୍ୟମ ସ୍କୁଲକୁ ପଠାଉଛନ୍ତି ବୋଲି ସେ କହିଥିଲେ। ଓଡ଼ିଆ ଭାଷାର ଉନ୍ନତି ପାଇଁ ସରକାର ବାରମ୍ୱାର ଘୋଷଣା କଲେ ମଧ୍ୟ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନମାନଙ୍କର ଅବସ୍ଥା ଆଜି ଦୟନୀୟ ହୋଇପଡ଼ିଛି ବୋଲି ଏହି ଅବସରରେ ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ବକ୍ତବ୍ୟ ରଖି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ କହିଥିଲେ ଯେ, ଓଡ଼ିଶା ପ୍ରଦେଶ ଗଠନର ବୟସ ଯେତେ ବଢ଼ିବଢ଼ି ଚାଲିଛି ଓଡ଼ିଆ ଭାଷାର ଆଦର ଓଡ଼ିଶାରେ ସେତିକି କମିକମି ଯାଉଛି। ଏହା ଆଦୌ ଶୁଭ ସୂଚନା ନୁହେଁ ବୋଲି ସେ କହିଥିଲେ। ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ସହିତ ଛାତ୍ର ଯୁବକମାନଙ୍କୁ ସାମିଲ କରିବା ପାଇଁ ବରିଷ୍ଠ ସାମ୍ୱାଦିକ ରବି ଦାସ ପରାମର୍ଶ ଦେଇଥିଲେ। ପୂର୍ବତନ ପୋଲିସ‌୍‍ ଡିଜି ସୁସାହିତ୍ୟିକ ବିପିନ ବିହାରୀ ମିଶ୍ର ଓଡ଼ିଆ ଭାଷା ପ୍ରତି ସରକାର ଓ ଜନସାଧାରଣ ବୀତସ୍ପୃହ ବୋଲି ବର୍ଣ୍ଣନା କରି ଉଭୟଙ୍କୁ କୁମ୍ଭକର୍ଣ୍ଣ ବୋଲି କହିଥିଲେ। ବିଶିଷ୍ଟ ଭାଷାବିତ ଡ. ବସନ୍ତ କୁମାର ପଣ୍ଡା ବର୍ତ୍ତମାନର ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନକୁ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ସହିତ ତୁଳନା କରିଥିଲେ। ସଭାପତି ସାଂସଦ ବୈଷ୍ଣବ ପରିଡ଼ା ୧୯୫୪ ସରକାରୀ ଭାଷା ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରି ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରିବାକୁ ଦାବୀ କରିଥିଲେ।   ଏହି ସମାରୋହରେ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ଆଡ଼ଭୋକେଟ ଶିବାନନ୍ଦ ରାୟ ପ୍ରମୁଖ ବକ୍ତବ୍ୟ ରଖି ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବାକୁ ଦାବୀ କରିଥିଲେ। ଏଥିରେ ସମ୍ମିଳନୀର ସାଧାରଣ ସଂପାଦକ ଡ. ବିଜୟ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲାବେଳେ ଉପସଭାପତି ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଅର୍ଜ୍ଜୁନ ସାମଲ ଓ ତାଙ୍କ ସହଯୋଗୀମାନେ ଓଡ଼ିଆ ଜାତୀୟତାବୋଧ ସଂଗୀତ ପରିବେଷଣ କଲାବେଳେ ବ୍ୟଙ୍ଗ କବି ଶ୍ରୀ ସତ୍ୟାନାଶ ବ୍ୟଙ୍ଗ କବିତା ଗାନ କରିଥିଲେ। ଭାଷା ସୁରକ୍ଷା ସମ୍ମିଳନୀର ସଂପାଦକ ଅମିତାଭ ଖିଲାର, ନୀଳମାଧବ ସାହୁ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଉତ୍ସବରେ ରାଜଧାନୀର ବହୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Share :