ମାର୍.. ମନୁଆଁ ମାର୍...

ମାର୍.. ମନୁଆଁ ମାର୍...

Share :

ହୃଷୀକେଶ ପଣ୍ଡା   ଗୁଡ଼ାଏ ଲୋକଙ୍କ ପାଟିତୁଣ୍ଡ, ହଇଚଇରେ ଭୋରରୁ ନିଦ ଭାଙ୍ଗିଗଲା। ପାନଦୋକାନ ବାରଣ୍ଡାରେ କଡ଼ ଲେଉଟେଇ,  ଦି’ହାତ ଆଙ୍ଗୁଳିରେ ଆଖିରୁ ଲେଞ୍ଜରା ପୋଛି, ଗୋଟାଏ ବେପରୱା ହାଇମାରି ଆଖି ଖୋଲିଲା ମନୁଆଁ। ଦି’ବର୍ଷ ପାଖାପାଖି ହବ ସେ ଏଇ ଦୋକାନ ବାରଣ୍ଡାରେ ଆସ୍ଥାନ ଜମେଇ ରହି ଆସୁଚି। ଦିନସାରା ବଜାରରେ ବୁଲି ବୁଲି ସମୟ କଟେ, ନହେଲେ କେବେ କୁଆଡେ ଉଭାନ‌୍‍ ହେଇଯାଏ, ପୁଣି ରାତି ହେଲେ, ଦୋକାନବଜାର ବନ୍ଦ ହବାବେଳକୁ ଆସି ହାଜର ହେଇଯାଏ ନିଜ ଆସ୍ଥାନରେ। କି ଖରା କି ବର୍ଷା କି ଶୀତ, ସେଇ ଖୋଲା ବାରଣ୍ଡାରେ ସାରାରାତି ପଡ଼ିଥାଏ ଚାରିକାତ ମେଲେଇ। କେତେବେଳେ ତାରା ଭର୍ତ୍ତି ଖୋଲା ଆକାଶର ମନମତାଣିଆ ପବନରେ ମସଗୁଲ୍ ହେଇ ତ, କେତେବେଳେ ଜହ୍ନର ତୋଫା ଆଲୁଅରେ ମନକୁ ମନ ମୁରୁକି ହସି ହସି। ପୁଣି କେବେ ଆକାଶରେ ତାଣ୍ଡବ ସୁରୁ ହେଲେ, କଳା ମଚମଚ ବଜାରଟା ବିଜୁଳି ଝଟରେ ଚିରି ଫାଳଫାଳ ହେଇଗଲେ, ରାତି ତମାମ ବଜ୍ରପାତରେ ବଜାରଟା ବାଉଳିଚାଉଳି ହେଲାବେଳେ, ମନୁଆଁ ସେମିତି ପଡ଼ିଥାଏ ନିଧଡ଼କ, ନିର୍ବିକାର। ଜାଡ଼ ପଡ଼ିଲେ ଜାକିଜୁକି ହେଇ, ନହେଲେ କେବେ କେମିତି କାଗଜ ଟୁକୁରାରେ ନିଆଁ ଲଗେଇ ଦେହକୁ ଉଷୁମ୍ କରି ରାତି ବିତାଏ। ଋତୁ ବଦଳୁଥାଏ ରୀତିମତ, ହେଲେ ମନୁଆଁ ଯେମିତିକୁ ସେମିତି। କିଛି ବି ପରିବର୍ତ୍ତନ ହୁଏନି ତା’ ଜୀବନରେ, ତା’ ଦିନଚର୍ଯ୍ୟାରେ। ସମୟ ଆଉ ମନୁଆଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଯେମିତି। କେହି କାହାକୁ ଅପେକ୍ଷା କରିବାର ନାହିଁ। ପଛକୁ ଫେରି ଚାହିଁବାର ବି ନାହିଁ। ସବୁକିଛି ବଦଳୁଥାଏ, ଆଗପଛ ହଉଥାଏ, ହେଲେ ମନୁଆଁଠି ସେସବୁର କିଛି ପ୍ରଭାବ ପଡେ଼ନି। ଅସର୍ ବି ହୁଏନି। ବୟସ ବେଶି ନୁହେଁ, ଏଇ ତିରିଶି କି ପଇଁତିରିଶି ପାଖାପାଖି। ଚଉଡ଼ା ବପୁ, କଳା ମଚମଚ ଚେହେରା। ଦେଖିଲେ ଲାଗେ ଦେହରେ ବହୁତ ଶକ୍ତି ଏଯାଏ ବି ମହଜୁଦ ଅଛି। ଖରାବଷାର୍ରେ, ଶୀତକାକରରେ ଦେହର ସତେଜତା ନଷ୍ଟ ହେଇଯାଇଚି ସିନା, ବଳବୟସ ସେମିତି ଅକ୍ଷୂଣ୍ଣ ରହିଚି। କାହାକୁ ମାର‌୍‍ଧର କରେନି, ଉତ୍ପାତ ଉତ୍ପୀଡନ କରେନି କି କାହାକୁ ଭୟଭୀତ କରେଇବାକୁ ଚେଷ୍ଟା କରେନି। ସବୁବେଳେ ମଇଳା ଛିଣ୍ଡା ପ୍ୟାଣ୍ଟସାର୍ଟ ତା’ ଦେହରେ ଦୋହୁଲୁ ଥାଏ। କେବେ ବିବସ୍ତ୍ର ହେଇ ବୁଲୁଥିବାର କେହି ଦେଖିନାହିଁ। ସେ ତା’ର ଚୁପଚାପ‌୍‍ ଗୋଟାଏ ଲୁଗା ଗଣ୍ଠିଲି, ଯାହାକି ତା’ର ଅମୂଲ୍ୟ ସମ୍ପତ୍ତି, ସେଇଟାକୁ କେବେ ହାତଛଡ଼ା ନକରି ତା’ କାମରେ ବ୍ୟସ୍ତଥାଏ। ସବୁଠୁ ବଡ଼କଥା ହେଲା, ପାଗଳାଟା ଏଇ ବଜାରକୁ ଆସିବା ପରଠାରୁ କୋଉଠି ଗୋଟେ କାଗଜ ଟୁକୁରାବି ପକେଇବାକୁ ଦିଏନି। ସକାଳୁ ଉଠି ବଜାରଯାକର ଅଳିଆ ସଫାକରେ। ଜରି, କାଗଜ ଟୁକୁରା ଯାହାବି ପାଏ ସିମେଣ୍ଟ ଅଖାରେ ଭର୍ତ୍ତିକରି ରଖେ। ସେ କେବଳ ସେତିକି ବେଳେ ଭୟଙ୍କର ଦେଖାଯାଏ, ଯେତେବେଳେ କେହି ସେ ଅଖାରେ ହାତମାରେ କି ନେଇଯିବାକୁ ଚେଷ୍ଟାକରେ। ଅଖାଗୁଡ଼ାକୁ ଥାକମାରି ରଖି ତାକୁଇ ଦିନସାରା ଏପଟସେପଟ କରୁଥାଏ। ଯେମିତି ସେଇ ଅଖାଗୁଡ଼ାକ ତା’ର ସଂସାର, ସଂପତ୍ତି, ସବୁକିଛି। ଦିନକର ଘଟଣା। ସକାଳୁ ସକାଳୁ ମ୍ୟୁନିସିପାଲିଟି ଗାଡ଼ି ଆସି ଅଖାଗୁଡ଼ାକୁ ନେଇ ଚାଲିଗଲା। ପାଗଳା ଦେଖିଲା ତା’ ସଂସାର ଉଜୁଡ଼ି ଯାଇଚି, ସର୍ବସ୍ୱ ଲୁଟ୍ ହେଇଯାଇଛି। ସେଦିନ ସେ ଏତେ ଭୟଙ୍କର, ଏତେ ବିକଟାଳ ଗର୍ଜନ କରି ବଜାରଟା ଯାକ ଛିନଛତ୍ର କରିପକେଇଲା ଯେ, ଲୋକମାନେ ତା’ ପ୍ରକୋପ ଦେଖି ଡରିଗଲେ। ଯାହାକୁ ଦେଖୁଥାଏ, ତା’ ଅଖାକଥା ହିଁ ପଚାରୁଥାଏ। ମନକୁ ମନ କାନ୍ଦୁଥାଏ। ଏଗଳି ସେଗଳି ଦଉଡ଼ୁଥାଏ। ମଝିରେ ମନଦୁଃଖରେ ବସି ମୁଣ୍ଡବାଳକୁ ଟାଣିଓଟାରି ପ୍ରତିକ୍ରିୟା ପ୍ରକାଶ କରୁଥାଏ। ସେଦିନର ସେଇ ଘଟଣାକୁ ଭୁଲିବାକୁ ତାକୁ ପ୍ରାୟ ଦଶ କି ପନ୍ଦର ଦିନ ଲାଗିଗଲା। ପୂର୍ବରୁ ତା’ର ଏପରି ପ୍ରଚଣ୍ଡ ପ୍ରତିକ୍ରିୟାତ୍ମକ ଏବଂ ଆକ୍ରମଣାତ୍ମକ ଚେହେରା କେହି ଦେଖିନଥିଲେ। ମୋଟାମୋଟି ଭାବେ ପାଗଳଟି କାହା ପାଇଁ ମୁଣ୍ଡବ୍ୟଥାର କାରଣ ନଥିଲା କି ତାକୁ କେହି ଭୟ ବି କରୁନଥିଲେ। ବରଂ ବଜାରର ପରିମଳ ବ୍ୟବସ୍ଥାରେ ତା’ର ସହଯୋଗ ଲୋକଙ୍କ ମନରେ ତା’ ପ୍ରତି ଆଦର ଏବଂ ସମବେଦନା ଭରି ଦେଇଥିଲା। ଦୋକାନୀମାନେ ସ୍ୱଇଚ୍ଛାରେ ତାକୁ ଖାଇବାକୁ, କେହି ପୁରୁଣା ଜାମା କି ପ୍ୟାଣ୍ଟଟାଏ, ଶୀତଦିନେ ଚାଦରଟାଏ କି କମ୍ୱଳଟାଏ ଦବାକୁ କୁଣ୍ଠା କରୁନଥିଲେ। ସବୁଠୁ ବଡ଼କଥା ହେଲା, ବିନା ଚୌକିଦାରରେ, ବିନା ରାତି ଜଗୁଆଳିରେ ବଜାରଟା ନିରାପଦରେ ନିଃଶ୍ୱାସ ମାରିପାରୁଥିଲା। ଲୋକମାନେ ଆଦରରେ ତା’ ନାଁ ଦେଇଥିଲେ ମନୁଆଁ ପାଗଳା। ମନୁଆଁ ଏଇଥିପାଇଁ ଯେ ସେ ଭାରି ଚୁପଚାପ୍, ଖୁମାଣ ସ୍ୱଭାବର ଥିଲା ଏବଂ ପାଗଳ ଏଇଥିପାଇଁ ଯେ ତା’ର ଜୀବନନିର୍ବାହ ଜଣେ ସ୍ୱାଭାବିକ ମଣିଷ ପରି ନଥିଲା। ସେଇ ନାଁରେ ସେ ପୂରା ବଜାରଟାରେ ପରିଚିତ ଥିଲା। ସକାଳୁ ସକାଳୁ ଲୋକମାନେ ବଜାରଟାରେ ଭିଡ଼ ଜମେଇଚନ୍ତି। ବସ୍ ଥୁଆ ହେଇଚି। ଆଗରେ ବ୍ୟାନର୍ ଟଙ୍ଗା ହେଇଚି। ଲୋକମାନଙ୍କ ମନରେ ଉତ୍ସାହ, ଉଦ୍ଦୀପନା ଭରପୂର। ରାଜଧାନୀରେ ବିରାଟବଡ଼ ଶୋଭାଯାତ୍ରା। ସାରା ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଆସିବେ। ବଡ଼ ବଡ଼ ନେତାମାନେ ଆସିବେ। ଖାଇବା ପିଇବା, ଯିବାଆସିବା ସବୁ ମାଗଣା। ତା’ ସାଙ୍ଗକୁ ରହିଚି ହାତଖର୍ଚ୍ଚ। ରାଜଧାନୀର ଲୋଭନୀୟ ରାସ୍ତା, ବଡ଼ବଡ଼ କୋଠାବାଡ଼ି, ଲିଙ୍ଗରାଜ ମନ୍ଦିର, ସଚିବାଳୟ ଏମିତି କେତେ କ’ଣ ଦେଖାହବ। ଗୋଟାଏ ମାଗଣା ଆମୋଦଦାୟକ ପିକନିକ କହିଲେ ଚଳେ। ମନୁଆଁ ପାଗଳା ବଲବଲ୍ କରି ଚାହିଁଥିଲା ସେମାନଙ୍କୁ। କେତେ ଭେଣ୍ଡା, କେତେ ବୁଢା, ଦରବୁଢା ଚଇନିଚିକ୍କଣ ହେଇ ନଟରପଟର ହଉଚନ୍ତି। ବରଯାତ୍ରୀ ଶୋଭାଯାତ୍ରାରେ ଗଲାବେଳେ ୟେ ବଜାରରେ ଏମିତି ଭିଡ଼ ଜମିବାର ସେ ଦେଖିଚି। ପାଣିପାଉଚ, ଜଳଖିଆ ପ୍ୟାକେଟ, ମଦବୋତଲ‌୍‍ ଯାହାକୁ ଯେତେ। କୋଉଥିରେ ଅଭାବ ନାହିଁ। କେବେ କେମିତି ସେମାନେ ତାକୁ ପାଣି ପାଉଚଟେ, ପ୍ୟାକେଟରେ ବଳିଥିବା ବରା କି ସିଙ୍ଗଡାଟେ ନହଲେ ପାଗଳାକୁ ବେହାଲ ନଚେଇବା ପାଇଁ ବୋତଲରୁ କିଛି ଧରେଇ ଦିଅନ୍ତି। ସେମାନଙ୍କ ସହ ମତୁଆଲା ହେଇ ସେ ବି ନାଚେ। ନାଚିନାଚି ବେଦମ‌୍‍ କରିଦିଏ ସମସ୍ତଙ୍କୁ। ବାଜା ସରିଯାଏ ହେଲେ ତା’ ନାଚ ସରେନି। ମନୁଆଁ ପାଗଳା ସାଙ୍ଗରେ ଥିଲେ ପ୍ରସେସନ‌୍‍ର ଭରପୂର ମଜା ମିଳେ। ହେଲେ ଆଜି ଏତେ ଲୋକ, ଏତେ ସଜବାଜ, ଯେମିତି କ’ଣ ଗୋଟେ ବଡ଼ ଶୋଭାଯାତ୍ରା ବାହାରିବ କି କ’ଣ ? ଅଗତ୍ୟା ମନୁଆଁ ଅଣ୍ଟା ସଳଖି, ଝାଡ଼ିଝୁଡ଼ି ହେଇ, ତା’ର ଚିରାଚରିତ ଢଙ୍ଗରେ ସେମାନଙ୍କୁ ଦେଖି ମନକୁ ମନ ଦାନ୍ତ ନିକୁଟି ହସିଲା। ସେମାନଙ୍କ ଆନନ୍ଦ, ଉତ୍ସାହରେ ନିଜକୁ ସାମିଲ କରି ମଜା ଲୁଟୁଥିବାର ଅଭିନୟ କଲା। ସେ ବି ଭାରି ବ୍ୟସ୍ତ ଥିଲାପରି ଲୋକମାନଙ୍କ ଭିତରେ ପଶି ଏପଟ ସେପଟ ହେଲା। ବଜାରର କିଛି ଚିହ୍ନା ମୁହଁଙ୍କୁ ଦେଖି ତା’ର ଖୁସି ଜାହିର କଲା। ସେମାନଙ୍କ ଭିତରେ ଜଣେ ବୋଲି ଜଣେଇବାକୁ ଚେଷ୍ଟା କଲା। ଜଣେ କିଏ କହିଲା - ଚାଲବେ ମନୁଆଟାକୁ ସାଙ୍ଗରେ ନେଇଯିବା। ବସ‌୍‍ ଭିତରେ ଭାରି ମଜା ହବ। ଶଳାକୁ ଟିକେ ବିଦେଶୀ ପିଆଇଦେଲେ ଯେତେ ନଚଉଥିବୁ ନଚଉଥା। ହସି ହସି ତମ ପାଟି ଦରଜ ହେଇଯିବ ପଛେ ତା’ ନାଚ ସରିବନି। ଏପର୍ଯ୍ୟନ୍ତ କାହା ମୁଣ୍ଡରେ ପଶିନଥିଲା ଏଇ ଆଇଡିଆଟା। ସମସ୍ତେ ଫଟାଫଟ‌୍‍ ରାଜି ହେଇଗଲେ। ଘରକୁ ଦଉଡ଼ିଯାଇ ଜଣେ କିଏ ମନୁଆ ପାଇଁ ପୁରୁଣା ସାର୍ଟଟାଏ, ଆଉ କିଏ ପ୍ୟାଣ୍ଟଟେ, କିଏ ଚପଲ ହଳେ ନେଇ ଆସିଲା। ନହେଲେ ପାଗଳାଟା ବୋଲି ଧରା ପଡ଼ିଯିବ ନି ? ମନୁଆଁ ପ୍ୟାଣ୍ଟସାର୍ଟ ପିନ୍ଧି ଭାରି ସୁନ୍ଦର ଦେଖାଗଲା ଅନ୍ୟମାନଙ୍କ ପରି। ଆଉ ପାଞ୍ଚ ପଚାଶଙ୍କ ପରି ସିଏ ବି ମଣିଷ ମେଳରେ ମିଶିଗଲା। ହଜିଗଲା। ମିଳେଇଗଲା। ଦେଖିଲେ କିଏ କହିବ ମନୁଆଁଟା ଗୋଟେ ପାଗଳା ବୋଲି?  ଲାଗିଲା, ସିଏବି ଏତେ ଲୋକଙ୍କ ଭିତରେ, ସମାଜର ମୁଖ୍ୟ ସ୍ରୋତରେ ସାମିଲ‌୍‍ ଜଣେ ଦାୟିତ୍ୱବାନ‌୍‍ ସୁନାଗରିକ। ସମସ୍ତଙ୍କ ପରି ସେ ରାଜଧାନୀ ଯିବ। ବିକ୍ଷୋଭରେ ସାମିଲ‌୍‍ ହବ। ସରକାର ବିରୋଧରେ ନାରା ଲଗେଇବ। ବ୍ୟାରିକେଡ଼ ଭାଙ୍ଗି ବିଧାନସଭା ଘେରଉ କରିବ। ରାଜଧାନୀର ସୁଉଚ୍ଚ ଅଟ୍ଟାଳିକା, ପ୍ରଶସ୍ତ ଚଉଡ଼ା ରାସ୍ତା, ଭଳି ଭଳି ଲୋକ, ଦୋକାନବଜାର, ଠାକୁରମନ୍ଦିର ଦେଖିବ। କେତେ କ’ଣ ଅପାଶୋରା ସ୍ମୃତି ଆଉ ଅନୁଭୂତି ନେଇ ଫେରିଆସିବ ତା’ ଛୋଟ ବଜାରକୁ। ପାନ ଦୋକାନର ଅଣଓସାରିଆ ସେଇ ଆପଣାର ଆସ୍ଥାନକୁ। ହୋ-ହା ଭିତରେ, ଠେଲାପେଲା ଭିତରେ ଗାଡ଼ି ଚଢିଲା ବେଳେ ମନୁଆଁ ପଛକୁ ବୁଲି ଚାହିଁଲା। ବାରଣ୍ଡାର ଗୋଟେ କଣକୁ ଠେସା ହେଇ ରହିଚି ତା’ ଗଣ୍ଠିଲି। ଭାରି ବ୍ୟସ୍ତ ଲାଗିଲା ତାକୁ। ଭାବିଲା ଓହ୍ଲେଇପଡ଼ି ନେଇ ଆସିବ। ହେଲେ ଲୋକମାନେ ତାକୁ ଠେଲିଠେଲି ନେଇଗଲେ ଭିତରକୁ। ଖୁନ୍ଦିଦେଲେ ନେଇ ମଝିରେ। ସେଇ ଠେଲାପେଲା ଭିତରେ, ହୋ-ହା ଭିତରେ ମନୁଆଁ ନିମିଷକରେ ହଜିଗଲା, ମଜ୍ଜିଗଲା, ଅନ୍ୟମାନଙ୍କ ସାଙ୍ଗରେ ଗୋଟାପଣେ ସାମିଲ‌୍‍ ହେଇଗଲା। ବରା, ସିଙ୍ଗଡ଼ା ଖାଇଲା। ପାଉଚ‌୍‍ ପାଣି ପିଇଲା। ସିଗାରେଟ‌୍‍ ଫୁଙ୍କିଲା। ଅନ୍ୟମାନଙ୍କୁ ଅନୁକରଣ କରି କୁଣ୍ଡଳୀ କାଟି ଧୂଆଁ ଛାଡ଼ିଲା। ଯାହାର ଯାହା ବଳିଲା, ମନୁଆଁ ହାତକୁ ବଢେଇଦେଲେ। ମନୁଆଁତ ନିର୍ବିକାର, ନିର୍ଲିପ୍ତ। ସିଏ ‘ପଦ୍ମପତ୍ରମିବାମ୍ଭସା’ ପରି ସଦା ଛଳଛଳ, ଢଳଢଳ। ସବୁଥିରେ ଅଛି, ହେଲେ କୋଉଥିରେ ନାହିଁ। ତା’ର କୋଉଥିରେ ଆସକ୍ତି ନାହିଁ କି ଆକର୍ଷଣ ନାହିଁ। ଲେନ୍ ନାହିଁ କି ଦେନ୍ ନାହିଁ। ସେ ଏଇ ଅଛି ଏଇ ନାହିଁ। ଯୋଉଥିରେ ମିଶେଇଦେଲେ ମିଶିଯିବ, ଯୋଉଥିରେ ଫେଣ୍ଟିଦେଲେ ଫେଣ୍ଟି ହେଇଯିବ। ତାକୁ ଖୋଜିଲେ ମିଳିବ, ନଖୋଜିଲେ ସେଇଠି ଥାଇବି ମିଳିବନି। ଉଭାନ୍ ହେଇଯିବ। ନାଁ ପଚାରିଲେ ନିର୍ବାକ‌୍‍ ନେଫଡେ଼ଇବ ଦାନ୍ତଭାଡ଼ି। ତା’ର କୋଉ ଠିକଣା ଅଛି ଯେ ବତେଇବ। ଯୋଉଠି ବସିପଡ଼ିଲା ସେଇଟା ତା’ ପାଇଁ ବାଇଶିପାହାଚ। ଯୋଉଠି ଶୋଇପଡ଼ିଲା ସେଇଟା ତା’ ପାଇଁ ଶରଧାବାଲି। ଯୋଉଠି ଗାଧେଇଲା ସେଇଟା ତା’ ପାଇଁ ମହୋଦଧି। ତାକୁ ପାଉଚ‌୍‍ ଦେଲେ କେତେ, ବରା ଦେଲେ କେତେ, ମଦ ଦେଲେ କେତେ, ନଦେଲେ କେତେ ? ତା’ର କୋଉଥିରେ କିଛି ଯାଏଆସେ ନାହିଁ। ଦେଲେ ହସହସ ବଦନରେ ସବୁ ଗ୍ରହଣ କରିବ ଆଉ ନଦେଲେ ଓଠଖୋଲି ଥରୁଟାଏ ବି ମାଗିବନି। ବିକଳ ଭାବ ପ୍ରକଟ କରିବନି। ତା’ର କିଛି ବୋଲିତ ନାହିଁ, କାହିଁକି କୋଉଥିରେ କବଳିତ ହବ ? କେବଳ ଯାହା ସେଇ ଗଣ୍ଠିଲିଟା, ତା’ର ସଂସାର। ତା’ ପାଇଁ ବିଶ୍ୱବ୍ରହ୍ମାଣ୍ଡ। ତାକୁ ସେ ନିତି ଖୋଲେ, ନିତି ଦେଖେ ପୁଣି ବାନ୍ଧିବୁନ୍ଧି ରଖିଦିଏ। ସେ ରହସ୍ୟ ସିଏ ଏକା ଜାଣିଚି, ତା’ଛଡ଼ା ଆଉ କେହି ନୁହେଁ। ତା’ ଭିତରେ କ’ଣ ଅଛି କ’ଣ ନାହିଁ, କେହି ଦେଖିନାହିଁ। ଦେଖି ବା ଲାଭ କ’ଣ ? ବସ‌୍‍ ଚାଲିଥାଏ। ଗାଡ଼ିର ଭିତର ବାହାର ରହି ରହି ସ୍ଳୋଗାନରେ ଫାଟି ପଡ଼ୁଥାଏ। ଆଜି ଦିନଟାତ ପୂରାପୂରି ସେଇମାନଙ୍କର। ଯାହା ଚାହିଁବେ ସେୟା କରିବେ। ଗାଡ଼ି ତାଙ୍କର, ରାସ୍ତା ତାଙ୍କର। ଯେମିତି ଚାହିଁବେ ଚଲେଇବେ। ଯୋଉଠି ଚାହିଁବେ ଅଟକିପାରିବେ। ଆଜି ବାଁ ନାହିଁକି ଡାହାଣ ନାହିଁ। ନିୟମ କାନୁନ‌୍‍ କିଛି ନାହିଁ। ଯେମିତି ଯୋଉଠି ଚାହିଁବେ ଧସେଇ ପଶିଯିବେ। ମନ ଯୋଉଠି କହିବ ବାହାରିଯିବେ। ଟ୍ରାଫିକ୍ ତା’ ବାଟରେ, ସିଗନାଲ‌୍‍ ତା’ ରାସ୍ତାରେ। ପାର୍ଟି ଆଗ, ପଲିଟିକ୍ସ ଆଗ। ଆଉ ସବୁକିଛିକୁ ମାର୍ ଗୁଲି। ସେମାନେ ରଣହୁଙ୍କାର ଦେଲେ ରାଜଧାନୀର ଛାତି ଫାଟିଯିବ। ସଚିବାଳୟ ଦୁଲୁକି ଉଠିବ। ସରକାରର ହାର୍ଟଷ୍ଟ୍ରୋକ‌୍‍ ବଢିଯିବ। ରାଜଧାନୀଟା କେବଳ ସେଇମାନଙ୍କର। ସେମାନେ ରାଜଧାନୀକୁ ଯେମିତି ନଚେଇବେ ସେମିତି ନାଚିବ। ଯେମିତି ଖେଳେଇବେ ସେମିତି ଖେଳିବ। ରାଜଧାନୀର କେବଳ ଆକାର ଅଛି. ଆକୃତି ଅଛି। ଅଙ୍ଗପ୍ରତ୍ୟଙ୍ଗ ନାହିଁ, ସ୍ନାୟୁଶିରା କିଛି ନାହିଁ। ପିଣ୍ଡପ୍ରାଣ କିଛି ବି ନାହିଁ। ଥିଲେ ସିନା ପ୍ରତିବାଦ କରିବ ? ଯନ୍ତ୍ରଣା ଦେଖେଇବ ? କ୍ଷତ ଦେଖେଇବ ? ଉପଚାର ଲୋଡ଼ିବ ? ସିଏ ତ କେବଳ ଗୋଟେ କାଠ କଣ୍ଢେଇ। ସେଇମାନଙ୍କ ହାତରେ ନାଚସୂତା। ଯେମିତି ନଚେଇବେ ସେମିତି ନାଚିବ। ଯେମିତି ହସେଇବେ ସେମିତି ହସିବ। ଯେମିତି କନ୍ଦେଇବେ ସେମିତି କାନ୍ଦିବ। ବସ୍ ଭିତରେ ଖୁନ୍ଦାଖୁନ୍ଦି ଲୋକ। ରାଜଧାନୀର ମୋହରେ ମୁଗ୍ଧ ଗୁଡ଼ାଏ ନିର୍ଲଜ୍ଜ ମଣିଷ। ରାଜନୀତିର ପଶାପାଲିରେ ଫସିବାକୁ ଗୋଡ଼ କାଢିଥିବା କିଛି କୃପଣ ଚରିତ୍ର। ମାଗଣା ଖାଦ୍ୟ ଆଉ ଖୋରାକୀର ଖାପ‌୍‍ଚାରେ ପଡ଼ି ବାଟ ହୁଡ଼ିଥିବା ଦଳେ ଦୟନୀୟ ଚେହେରା। ଜାଣିଶୁଣି ରାଜନୀତିର ଯନ୍ତା ଭିତରକୁ ପଶିବାକୁ ଉଦ୍ୟତ ହଉଥିବା ପପ୍ତାଏ ପ୍ରଲୁବ୍ଧ ପୁରୁଷ। ଏଇମାନଙ୍କ ବରାଦୀ ଚିତ୍କାରରେ ଆଜି କମ୍ପିବ ରାଜଧାନୀର ଛାତି। ଟେକାପଥର ମାଡ଼ରେ ଲହୁଲୁହାଣ ହେବ ନିରୀହ ମଣିଷ। ପାଣିମାଡ଼, ଟିୟରଗ୍ୟାସ୍, ଦରକାର ହେଲେ ଫାଙ୍କା ଗୁଳିଚାଳନା ବି ହବ। ଭ୍ରମଣର ମଜା ଉଠେଇବାକୁ କେତେ ଉତ୍ସାହରେ ଘରୁ ଗୋଡ଼ କାଢିଥିବା ଅବୁଝା ମଣିଷଗୁଡ଼ାକ ହେବେ କ୍ଷତାକ୍ତ। ଗୁଡ଼ାଏ ତିକ୍ତ ଅନୁଭୂତି ନେଇ ଘରକୁ ଫେରିବାକୁ ବ୍ୟାକୁଳ ହେବେ ସେମାନେ। ଫେରିଲା ବେଳେ ରାଜଧାନୀକୁ ଅତିକଷ୍ଟରେ ଗୁଡ଼ବାଏ କହୁଥିବେ। ସେଇ ମଣିଷଗୁଡ଼ାକ ଗାଡ଼ି ଭିତରେ ଗମାତରେ ଗାଧେଇ ପଡ଼ୁଚନ୍ତି ଯେମିତି। ଥଟ୍ଟାତାମସା, ନୀଚଗୀତ, ମଝିରେ ମଝିରେ ବରାଦୀ ସ୍ଳୋଗାନ‌୍‍ରେ ଗାଡ଼ିଭିତର ଉଠୁଚିପଡ଼ୁଚି। ମନୁଆଁଟାକୁ ରହି ରହି ଟେହୁଚନ୍ତି। ମନୁଆ ମତୁଆଲା ହଉଚି। ମଉଜମସ୍ତିରେ ମୂର୍ଚ୍ଛା କରିପକଉଚି ସମସ୍ତଙ୍କୁ। ସତରେ ମନୁଆଁଟାକୁ ଆଣିନଥିଲେ, ମେହେଫିଲ‌୍‍ଟା ପୂରା ଫିକା ଲାଗିଥାନ୍ତା। ଜମାରୁ ଜମିନଥାନ୍ତା ଯାତ୍ରାଟା। ରାଜଧାନୀର ପ୍ରଶସ୍ତ ଛାତିରେ ପାଦ ଥାପିବା ବେଳକୁ ରାସ୍ତାଘାଟ ଜନାକୀର୍ଣ୍ଣ। ବିଭିନ୍ନ ଜିଲ୍ଲାରୁ, ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକ ରୁଣ୍ଡ ହେଇଚନ୍ତି ଆସି। ପ୍ରତି ମୁହୂର୍ତ୍ତରେ ଜନଗହଳି ବଢି ଉଠୁଚି। ଏତେ ଲୋକ, ଏତେ ନେତା, ଏତେ ସ୍ଫୁର୍ତ୍ତି, ଏତେ ଉଦ୍ଦାମତା, କେମିତି ସାମ୍ନା କରିବ ରାଜଧାନୀ ଏମାନଙ୍କୁ ? କେମିତି ସହିବ ଏତେ ବିକ୍ଷୁବ୍ଧ ମଣିଷଙ୍କ ବିପ୍ଳବ ? କେମିତି ପ୍ରତିରୋଧ କରିବ ଏତେ ବିକ୍ଷିପ୍ତ ମଣିଷଙ୍କ ପ୍ରତିବାଦ ? ରାଜଧାନୀର ଏସବୁ ଦିହସୁହା। ନିତିଦିନର ସୁଆଙ୍ଗ। ବର୍ଷବର୍ଷ ଧରି ଦେଖିଆସୁଚି ଏମିତି କେତେ ପ୍ରତିବାଦ, ବିକ୍ଷୋଭ, ଶୋଭାଯାତ୍ରା, ଧର୍ମଧଟ। ନିଧଡ଼କ ତା’ ଛାତି। ନିର୍ବିକାର ତା’ର ଚେହେରା। ଓଲଟି ରାଜଧାନୀ ହସୁଚି, ହସିହସି ଫାଟିପଡ଼ୁଚି। ଏତେ ଗୁଡ଼ାଏ ନିର୍ବୋଧ ଲୋକଙ୍କ ନିର୍ଳଜ୍ଜପଣକୁ ଦେଖି। ରାଜଧାନୀର ମାୟାରେ ମୋହଗ୍ରସ୍ତ ସେଇ ମଣିଷଗୁଡ଼ାଙ୍କ କଥା ଭାବି। ଗୁଡ଼ାଏ ସରଳ, ନିଷ୍ପାପ ଲୋକ କେମିତି ଖାଦ୍ୟ ଆଉ ଖୋରାକୀର ଖାପ୍ଚାରେ ପଡ଼ି ବାଟ ହୁଡ଼ିଚନ୍ତି। ପାର୍ଟି ଆଉ ପଲିଟିକ୍ସର ଫନ୍ଦିଫିକରରେ ଫସି ବରାଦୀ ଫେରାଦରେ କଣ୍ଠ ଫଟଉଚନ୍ତି। ନେତାମାନେ ନୈତିକତାର ନାରା ଲଗେଇ ନିମ୍ନଗାମୀ କରଉଚନ୍ତି ସେଇ ନିରୀହ ମଣିଷମାନଙ୍କୁ। ନୀତି, ଆଦର୍ଶକୁ ନିଲାମ କରୁଚନ୍ତି ନିଲଠା ହସ ହସି। ମନୁଆଁ ବିଚରା, ଗୋଟେ ଛୋଟକାଟର ବଜାରର ବେତାଜ ବାଦଶାହା, ବାଇଚଢେଇ ବସାରେ ଦୋହୁଲୁଥିବା ଅବୋଲକରା ପବନ ପରି ବେପରୱା, ବେଧଡ଼କ ପାଗଳାଟା। ଯିଏ ପାର୍ଟିପଲିଟିକ୍ସର ଫନ୍ଦିଫିକର ବୁଝେନି, ଦାବୀ ପ୍ରତିବାଦର ଅର୍ଥ ବୁଝେନି, ନୀତିଆଦର୍ଶର ନିଷ୍ଠା ପରାକାଷ୍ଠା ଜାଣେନି। ସତମିଛ, ସ୍ୱର୍ଗନର୍କ, ପାପପୁଣ୍ୟର ସୀମା ସରହଦ ଦେଖିନି। ଅଗଣିତ ଲୋକଙ୍କ ଭିତରେ ଭର୍ତ୍ତି ହେଇ ଭାରି ଭାରି ପାହୁଣ୍ଡ ପକେଇ ବୀରଦର୍ପରେ ଆଗେଇ ଚାଲିଚି ସେଇ ମନୁଆଁ। ମନତେ ତା’ର ଅଫୁରନ୍ତ ଉତ୍ସାହ, ଦେହରେ ଅମାପ ଶକ୍ତି। ଜନସ୍ରୋତ ସାଙ୍ଗରେ ମନୁଆଁ ସାମିଲ୍ କରିଦେଇଚି ନିଜକୁ। ସେ କିଛି ବୁଝୁନି ସେ ସ୍ଳୋଗାନ‌୍‍ର ଅର୍ଥ, ଜିନ୍ଦାବାଦ ମୁର୍ଦ୍ଦାବାଦର ମାନେ। ଲୋକମାନଙ୍କ ଭାବଭଙ୍ଗୀକୁ କେବଳ ଅନୁକରଣ କରି ଚାଲୁଚି। ମଝିରେ ମଝିରେ ବେଜାଏ ଆନନ୍ଦରେ ବିହ୍ୱଳ ହେଲାପରି ଉପରକୁ ହାତଟେକି ଲଣ୍ଠ ମାରୁଚି। ମନକୁ ମନ ଡେଉଁଚି, କୁଦା ମାରୁଚି, ବିଭିନ୍ନ ଅଙ୍ଗଭଙ୍ଗୀ ଦେଖେଇ ଦଉଡ଼ୁଚି ଏଣେତେଣେ। ଜନସମୁଦ୍ର ଭୟଙ୍କର ରୂପ ଧାରଣ କରୁଚି। ରାଜଧାନୀ ଲୋକାରଣ୍ୟ। ବିଶାଳ ପ୍ରାନ୍ତର ମୂର୍ଛିତ ପ୍ରାୟ ପ୍ରତାପୀ ମଣିଷଙ୍କ ପାଦଭାରରେ। ଆଗରେ ପ୍ରତିରୋଧର ବିଶାଳ ପ୍ରାଚୀର ଦୃଶ୍ୟମାନ । ରାଜଧାନୀର ଛାତିରେ ସ୍ପନ୍ଦନ ବଢି ଉଠୁଚି। ମନୁଆଁ କିନ୍ତୁ ନିଧଡ଼କ ଧପାଲୁଚି ଆଗକୁ। ଜନସମୁଦ୍ରକୁ ଟପି ସବା ଆଗକୁ। କାହା ସାଙ୍ଗରେ ଆସିଥଲା, କାହିଁକି ଆସିଥିଲା, କ’ଣ କରିବାକୁ ଆସିଚି କିଛି ଜଣା ନାହିଁ। କାହା ସାଙ୍ଗରେ ଫେରିବ, କେମିତି ବାହୁଡ଼ିବ ସେଥିକୁ ଚିନ୍ତା କି ଭାବନା ବି ନାହିଁ। କିଏ କୁଆଡେ଼ ଛିନଛତ୍ର, ଖୋଜିପାଇବା କାଠିକର ପାଠ। ମନୁଆଁ କାହା ନାଁ ଜାଣିଚି ଯେ, କାହାକୁ ଚିହ୍ନିଚି ଯେ ଖୋଜିବ, ଲୋଡ଼ିବ ? ତା’ର ବା ଦରକାର କ’ଣ ? କୋଉଠିକି ଆସିଚି, କାହିଁକି ଆସିଚି, କ’ଣ କରିବାକୁ ଆସିଚି, ଆଗକୁ କ’ଣ ହବାକୁ ଯାଉଚି, ସେସବୁ ବୁଝି ତା’ର ଲାଭ କଣ ? ଫାଇଦା କ’ଣ ସେସବୁର ଉଦ୍ଦେଶ୍ୟ ପĜ

Share :