ଭାବମୂର୍ତ୍ତିର ବିଷମ ବଳୟ ଓ ଚେତନାର ପରଳ

ଭାବମୂର୍ତ୍ତିର ବିଷମ ବଳୟ ଓ ଚେତନାର ପରଳ

Share :

ପରଂବ୍ରହ୍ମ ତ୍ରିପାଠୀ   ସେ ମୋର ଜଣେ ଭଲ ବନ୍ଧୁ ଆଉ ସହକର୍ମୀ ବି। ସବୁ କଥାକୁ ପ୍ରାଞ୍ଜଳ ଭାବେ ବୁଝେଇବା ତାଙ୍କ ଅଭ୍ୟାସ। ବେଳେବେଳେ ତାଙ୍କର ଏ ଅଭ୍ୟାସ ପାଇଁ ମତେ ଟିକେ ଚିଡା ଲାଗେ। ଆପଣଙ୍କୁ ବି ଲାଗିପାରେ। ଉଦାହରଣଟେ ଦେଉଛି। ମନେ କରନ୍ତୁ କାମଟି ହେଲା ଅଫିସ ପାଇଁ ଛୁଞ୍ଚିଟେ କିଣିବା। ବନ୍ଧୁ କହିବେ, ପ୍ରଥମେ ସେ ଭଲ ଛୁଞ୍ଚି ଭୁବନେଶ୍ଵରରେ କେଉଁଠି ମିଳେ ତାହା ଇଣ୍ଟରନେଟରେ ୪ ଦିନ ଖୋଜିଲେ। ଆଉ ତା ସହ ଏକଥା ବି କହିବେ ଯେ ବିଶ୍ଵ ଇସ୍ପାତ ବଜାରର ମାନ୍ଦାବସ୍ଥା ଯୋଗୁଁ ଇଣ୍ଟରନେଟରେ ଛୁଞ୍ଚି ଉପରେ ସେତେ ଭଲ ନିବନ୍ଧ କିଛି ନାହିଁ। ତା’ପରେ ବନ୍ଧୁ କହିବେ ସେ କିପରି ଭୁବନେଶ୍ଵରର ୨୫ଟି ଦୋକାନ ସର୍ଟଲିଷ୍ଟ କଲେ ଓ ସବୁ ଦୋକାନକୁ ଅଫିସ ଫୋନରୁ ଫୋନ କରି କିପରି ଉପଲବ୍ଧ ଛୁଞ୍ଚିମାନଙ୍କର ଗୁଣବତ୍ତା ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ନେଲେ। ଏହାପରେ ସେ କିପରି ହେଡ ଅଫିସକୁ ଏହି ବିଷୟରେ ଜଣେଇଲେ ଓ ହେଡ ଅଫିସର କର୍ମଚାରୀମାନେ ତାଙ୍କର କଣ କଣ ପ୍ରଶଂସା କଲେ ସେ ବିଷୟରେ ଗପିବେ। ତାପରେ କହିବେ, କିପରି ସେ ଟ୍ୟାକ୍ସି ଟିଏ ଭଡା କରି ସାତ ଦିନ କାଳ ଭୁବନେଶ୍ଵରର ଗଳିକନ୍ଦି ବୁଲି ବୁଲି ୫ ଟଙ୍କାରେ ୬ଟି ଛୁଞ୍ଚି କିଣିଲେ। ଏକଥା ସେ ମତେ ବି କହିଥିଲେ। ଆଉ ମୁଁ ଉତ୍ତର ଦେଇଥିଲି, ଆଜ୍ଞା ଅଫିସ ତଳ ଦୋକାନରେ ପରା ମିଳୁଛି, ସେଇଠୁ କିଣିଦେଲେନି, ସମୟ ଆଉ ପଇସା ଉଭୟ ବଞ୍ଚିଥାନ୍ତା। ମୁହଁ କେମିତି ଗୋଟେ କରି ବନ୍ଧୁ କହିଲେ, ତ୍ରିପାଠୀ ବାବୁ ତମେ ବୁଝି ପାରିବନି। ମୁଁ କହିଲି କାହିଁକି, ଏଥିରେ ବୁଝି ନପାରିଲା ଭଳି କଣ ଅଛି। ବନ୍ଧୁ ବୁଝେଇ କହିଲେ, ତଳ ଦୋକାନରୁ କିଣି ଦେଇଥିଲେ ଦୁଇ ମିନିଟରେ କାମ ସରି ଯାଇଥାନ୍ତା, ହେଲେ ମୋର ହେଡ ଅଫିସରେ ଯେଉଁ ହାର୍ଡ ୱର୍କିଙ୍ଗ ଇମେଜ ରହିଛି ସେଇଟା ଟିକେ ମଇଳା ହେଇଥାନ୍ତା ନା ନାହିଁ? ଏଇ ଇମେଜଟା ଗୋଟେ ବିଷମ ବଳୟ। ଆମେ ସମସ୍ତେ ବନ୍ଧା ଏଥିରେ। ଅନେକ ସମୟରେ ଆମେ ଲୋକର ମୂଲ୍ୟାୟନ ଦକ୍ଷତା ନୁହେଁ ବରଂ ଇମେଜ ଅନୁସାରେ ହିଁ କରିଥାଉ। ସମକ ବାବୁ ଏଭଳି କାମ କେବେ ବି କରି ପାରିବେନି, ଢମକ ଏ କାମ କେମିତି କଲା... ଇତ୍ୟାଦି ଇତ୍ୟାଦି । ସତ କହୁ ନାହାନ୍ତି, ଆପଣ କଣ ନିଜେ ଏମିତି କେବେ ବି କରି ନାହାନ୍ତି? ଆମେ ସମସ୍ତେ କରିଛନ୍ତି। କିଏ ଅଧିକ ତ କିଏ କମ। ଧରନ୍ତୁ ଆପଣଙ୍କୁ ଲାଗେ ଆପଣଙ୍କ ସ୍ତ୍ରୀ ଭଲ ମାଛ ରାନ୍ଧି ଜାଣନ୍ତି ନାହିଁ, ହେଲେ ଆପଣଙ୍କୁ ସେଦିନ ମାଛ ତରକାରୀ ଭଲ ଲାଗିଲା। ପତ୍ନୀଙ୍କୁ କୁହନ୍ତୁ ବା ନ କୁହନ୍ତୁ, ମନ ଭିତରେ ତ ଆସିଥିବ ଯେ ତରକାରୀ ଆସିଲା କେଉଁଠୁ? ଜଣକର ଇମେଜ ଅନ୍ୟ ଜଣକୁ ମଧ୍ୟ ପ୍ରଭାବିତ କରିପାରେ। ଧରନ୍ତୁ, ଆପଣ ମନେ ମନେ ଭାବି ନେଇଛନ୍ତି ଯେ ଗଳି ଶେଷର ପାନ ଦୋକାନୀ ଜଟିଆ ତା ଦୋକାନରେ ଲୁଚେଇ ଲୁଚେଇ ଗଞ୍ଜେଇ ବିକୁଛି। ହଠାତ ଆପଣ ଦିନେ ଦେଖିଲେ ଯେ ଆପଣଙ୍କ ସାଙ୍ଗର ସାନ ଭାଇକୁ ଜଟିଆ କାଗଜରେ ଗୁଡେଇ କଣ ଗୋଟେ ଦେଲା। ସତ କୁହନ୍ତୁ, ଗୋଟେ ସେକେଣ୍ଡ ପାଇଁ କଣ ଆପଣ ଭାବିବେନି କି ଆପଣଙ୍କ ସାଙ୍ଗର ସାନ ଭାଇ ଗଞ୍ଜେଇ ଟାଣୁଛି ବୋଲି! ଏମିତି ବି ହେଇପାରେ ଯେ ଆପଣଙ୍କ ସାଙ୍ଗର ସାନ ଭାଇ ୨୦ ଟଙ୍କାର ୫୦ ପଇସିକିଆ ଚକଲେଟ ମାଗିଥିବ ଓ ଜଟିଆ ପାଖରେ ହୁଏତ ପଲିଥିନ। କିଛି ଉପାୟ ନପାଇ ଜଟିଆ କାଗଜରେ ଗୁଡେଇ  ଚକଲେଟ ଦେଇଥିବ। ଏମିତି ହେବାର ସମ୍ଭାବନା ଅଛି କି ନାହିଁ? ହେଲେ ବେଳ କାହିଁ ଭାବିବାକୁ, ଜଟିଆର ଗଞ୍ଜେଇ ବିକା ଇମେଜ ଯେ ଆପଣଙ୍କ ମୁଣ୍ଡରେ। ଜଣକର ଇମେଜ ଅନ୍ୟ ଜଣକ ପାଇଁ ଲାଭଜନକ ମଧ୍ୟ ହେଇପାରେ। ଭାବନ୍ତୁ ଆପଣ ରାମ ବୋଲି ପିଲାଟାକୁ ଚିହ୍ନିଛନ୍ତି। ତା ବାପା ଆପଣଙ୍କ ଶିକ୍ଷକ ଥିଲେ ଓ ଅମାୟିକ ଭଦ୍ରଲୋକ। ତା ଜେଜେବାପାଙ୍କର ସ୍ଵାଧୀନତା ସଂଗ୍ରାମୀ ଭାବେ ନାଁ ଟେକ ଥିଲା। ଥରେ ଦିନ ଗୋଟାଏ ବେଳେ ମଦ ଦୋକାନରୁ ମଦ କିଣିଲା ବେଳେ ଆପଣ ରାମକୁ ଦେଖିଲେ। ଏହା ଆପଣଙ୍କୁ କଷ୍ଟ ଦେବ ନିଶ୍ଚିତ। ହେଲେ ଆପଣ ରାମ ଆଉ କାହା ପାଇଁ ମଦ କିଣୁଛି ବୋଲି ଭାବି ନିଜ ମନକୁ ଥରେ ବୁଝେଇବାକୁ ଚେଷ୍ଟା କରିବେ ନା ନାହିଁ? ଏହି ଚେଷ୍ଟା ଭିତରେ ଆପଣଙ୍କ ମନକୁ ଅନେକ କଥା ଆସିପାରେ ଯେମିତିକି ସାରଙ୍କର ଘର କାମ ଚାଲିଛି ଓ ରାମ ବୋଧ ହୁଏ ମୁଲିଆମାନଙ୍କ ପାଇଁ ମଦ କିଣୁଥିବ। ମୁଲିଆମାନେ ଆଜିକାଲି କଣ ବିନା ମଦରେ କାମ କରୁଛନ୍ତି? ଏମିତି କେତେ କଥା। ଆଜ୍ଞା ଏ ସବୁ ଇମେଜର ଖେଳ। ରାମ, ଜଟିଆ, ମୋ ବନ୍ଧୁ, ଆପଣଙ୍କ ସ୍ତ୍ରୀଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ, ନବୀନ ପଟ୍ଟନାୟକ ଏମିତିକି ଓବାମା ଯାଏ ସମସ୍ତେ ଏ ଇମେଜ ଦ୍ଵାରା ପ୍ରଭାବିତ। ତା’ର କଣ ପିଲା ଅଛି ନା ମାଇପ ଯେ ଏମାନଙ୍କ ଭଳିଆ ପଇସା ଖାଇବ? ତାପରେ ସେ ପୁଣି ସମୁକର ପୁଅ, ବାଡାଅ ଭୋଟ ତାକୁ। ଏଡେ ବଡ ଷ୍ଟାର, ସିଏ ଫିଲିମ କରିଛି ମାନେ ଭଲ ହେଇଥିବ, ୩୦ର ଟିକେଟକୁ ବ୍ଲାକରେ ୩୦୦ ଦେଇ କିଣ, ପଶ ହଲ ଭିତରେ। ସେଇ ପରା ସମକ କଲେଜରୁ ପଢିଛି, ତାକୁ ଜଣା ନଥିବ ତ ଆଉ କାହାକୁ। ତୁରନ୍ତ ନିଯୁକ୍ତିପତ୍ରଟା ହାତରେ ଧରାଅ। ଇମେଜ ଆମ ଭାବିବା ଶକ୍ତି ଉପରେ ବହୁ ସମୟରେ ପରଳ ପକେଇ ଦିଏ। ଇମେଜ ଯେ ଗୋଟେ ନିହାତି ଅବାସ୍ତବ ଜିନିଷ ତାହା ମୁଁ କହୁନି। ହେଲେ ଇମେଜ ହିଁ  ଦକ୍ଷତାର ଏକମାତ୍ର ପ୍ରାମାଣିକତା ନୁହେଁ। ତେଣୁ ବିପ୍ରେ, ଟିକେ ଦେଖି ଚାହିଁ ବୁଝି ବିଚାରି କାମ କଲେ ଅସୁବିଧା କଣ ଯେ? ପଇତା ମାରା ହବନି ମ! tparambrahma@gmail.com

Share :