ସ୍ବତନ୍ତ୍ର ପ୍ରଦେଶର ସ୍ବପ୍ନ!

ସ୍ବତନ୍ତ୍ର ପ୍ରଦେଶର ସ୍ବପ୍ନ!

Share :

ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ   ଗୌରବମୟ ସଂସ୍କୃତି, ଐତିହ୍ୟ, ପରାକ୍ରମୀ ସେନାନୀ ଏବଂ ନୌ-ବାଣିଜ୍ୟରେ ସମୃଦ୍ଧ ଉତ୍କଳ (ଓଡ଼ିଶା) ଏକଦା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବାବେଳେ ଷୋଡଶ ଶତାବ୍ଦୀରେ ଚ୍ଛିନ୍ନ ବିଚ୍ଛିନ୍ନ ହେବା ଅୟମାରମ୍ଭ ହୋଇଥିଲା। ପ୍ରଥମେ ୧୫୬୮ ମସିହାରେ ଗଞ୍ଜାମ ଜିଲ୍ଲାକୁ ଗୋଲକୋଣ୍ଡା ରାଜା ଅଧିକାର କରିନେଇଥିବା ବେଳେ ସପ୍ତଦଶ ଶତାବ୍ଦୀରେ ସୁବର୍ଣ୍ଣରେଖା ନଦୀର ଉତ୍ତର ଭାଗରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମୋଗଲମାନେ ବେଙ୍ଗଲରେ ମିଶାଇ ଦେଇଥିଲେ। ୧୭୫୧ ମସିହାରେ ମରାଠାମାନେ କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାକୁ ଅଧିକାର କଲେ। ସର୍ବଶେଷରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ୧୮୦୩ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକାର କରିନେଇଥିଲା। ଓଡ଼ିଶାର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଅଧିକାର କରିବା ପାଇଁ ବ୍ରିଟିଶମାନଙ୍କୁ ପ୍ରାୟ ୫୦ ବର୍ଷ ସମୟ ଲାଗି ଯାଇଥିଲା। ତେଣୁ ବିଭାଜନ ଓ ଶାସନ ନୀତିରେ ବିଶ୍ବାସ ରଖୁଥିବା ବ୍ରିଟିଶମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ପାଞ୍ଚଗୋଟି ପ୍ରୋଭିନ୍ସ ଅଧୀନରେ ରଖି ଶାସନ କରିବାର କୌଶଳ ଅବଲମ୍ୱନ କରିଥିଲେ। କାଳକ୍ରମେ ଊନବିଂଶ ଶତାବ୍ଦୀରେ ଓଡ଼ିଆମାନଙ୍କର ଶିକ୍ଷା, ସଂସ୍କୃତି ଓ ସଚେତନତା ବୃଦ୍ଧି ସହ ବିଭିନ୍ନ ପ୍ରକାର ପତ୍ର ପତ୍ରିକାର ପ୍ରକାଶନ ହେବା ଫଳରେ ଓଡ଼ିଆ ଭାଷାଭାଷୀମାନେ ଗୋଟିଏ ରାଜ୍ୟ ଓ ଗୋଟିଏ ଶାସନ ଅଧୀନରେ ରହିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ଯେଉଁ ଆନ୍ଦୋଳନର ପୁରୋଧା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି, ଗୋପବନ୍ଧୁ ଦାସ, ଫକିର ମୋହନ ସେନାପତି, ରାଧାନାଥ ରାୟ, ଗୌରୀଶଙ୍କର ରାୟ, ବିଶ୍ୱନାଥ କର, ନନ୍ଦ କିଶୋର ବଳ, ବିଚିତ୍ରାନନ୍ଦ ଦାସ, ବୈକୁଣ୍ଡନାଥ ଦେ ଏବଂ ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରମୁଖ। ୧୮୭୦ ମସିହା ସେପ୍ଟେମ୍ୱର ମାସରେ ଗଞ୍ଜାମର ରଷେଲକୋଣ୍ଡା (ଆଧୁନିକ ଭଞ୍ଜନଗର) ଠାରେ ସଭା କରି ଗଞ୍ଜାମ ଜିଲ୍ଲାର ଓଡ଼ିଆ ଲୋକମାନେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ଗଠନ କରିବା ପାଇଁ ଦାବି କରିବାକୁ ତତ୍କାଳୀନ କଟକ ଜିଲ୍ଲାର ଓଡ଼ିଆମାନଙ୍କୁ ଆହ୍ୱାନ କରିଥିବାବେଳେ ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବରେ ଗଠିତ ଉତ୍କଳ ୟୁନିୟନ କନଫରେନ୍ସ (ଉତ୍କଳ ସମ୍ମିଳନୀ) ହିଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ଗଠନ କରିବା ଦିଗରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲା। ଏ ଦିଗରେ ଓଡ଼ିଆ ପିପୁଲ୍ସ ଆସୋସିଏସନ, ଦି ବାଲେଶ୍ବର ନେସନାଲ କନ‌୍‍ଫରେନ୍ସ, ଦି ଉଦିତ କ୍ଳବ ଅଫ ସିଂହଭୂମ, ଦି ଉତ୍କଳ ମିଳନ ସମାଜ ଏବଂ ଉତ୍କଳ ହିତୈଷିଣୀ ସମାଜ ଅଫ ଗଞ୍ଜାମର ମାର୍ଗଦର୍ଶୀ ଏବଂ ସଂଗ୍ରାମୀ ଭୂମିକାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ସେ ସମୟରେ ଓଡ଼ିଶାର ପ୍ରଥମ ସମ୍ୱାଦପତ୍ର ଉତ୍କଳ ଦୀପିକା ଓଡ଼ିଆ ଭାଷାଭାଷୀଙ୍କୁ ଜାଗ୍ରତ କରାଇ ଏକତା ମନ୍ତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଥିଲା। ଏଥିପାଇଁ ଓଡ଼ିଶା ପ୍ରଦେଶ ଗଠନର ଚିନ୍ତାନାୟକମାନଙ୍କୁ ଅନେକ ସଭା ସମିତି, ଆଲୋଚନାଚକ୍ର କରିବାକୁ ପଡିଛି। ଲଣ୍ଡନରେ ଗୋଲଟେବୁଲ ବୈଠକରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏବଂ ମଧୁସୂଦନ ଦାସଙ୍କ ଅକାଟ୍ୟ ଯୁକ୍ତି ଫଳରେ ଓଡ଼ିଆମାନଙ୍କର ଦାବି ପୂରଣ ପାଇଁ ଇଂରେଜ ଶାସକ ସବୁଜ ସଂକେତ ଦେଇଥିଲେ। ପରିଶେଷରେ ସାଇମନ କମିଶନଙ୍କ ରିପୋର୍ଟ ଭିତ୍ତିରେ ଜାରି ହୋଇଥିବା କନଷ୍ଟିଚ୍ୟୁସନ ଅଫ ଓଡ଼ିଶା ଅର୍ଡର ଅନୁସାରେ ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ ଦିନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଆଧୁନିକ ଓଡ଼ିଶା ପ୍ରଦେଶ ଗଠନ ହେଲା। ଅବଶ୍ୟ ଆଜିବି କିଛି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯଥା ଷଢ଼େଇକଳା, ଖରସୁଆଁଁ ଇତ୍ୟାଦି ପଡୋଶୀ ରାଜ୍ୟର କବଳରୁ ମୁକୁଳି ପାରିନାହିଁ। ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୮୦ ବର୍ଷ ପୂରିଯାଇଛି। ମାତ୍ର ଓଡ଼ିଶାରେ ସମସ୍ୟାର ଅନ୍ତ ନାହିଁ। ଇଂରେଜମାନେ ଦେଶ ଛାଡି ଚାଲି ଯାଇଛନ୍ତି ସତ କିନ୍ତୁ ସେମାନଙ୍କ ଭାଷା, ସଂସ୍କୃତି ପ୍ରଭାବରୁ କେହି ମୁକ୍ତି ପାଇ ପାରୁନାହାନ୍ତି। ଅନେକ ସଂଗ୍ରାମ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି, ହେଲେ ଓଡ଼ିଆ ଭାଷାର ଉନ୍ନତି ଓ ଶାସ୍ତ୍ରୀୟତାକୁ ଉଜ୍ଜ୍ବଳ ରଖିବା ପାଇଁ କାହାରି ମନରେ ଆଗ୍ରହ ନାହିଁ। ରାଜ୍ୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଉକ୍ତ ବିଦ୍ୟାଳୟଗୁଡିକରେ ପାଠ ପଢ଼ିବା ପାଇଁ ଓଡ଼ିଆ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅହେତୁକ ଆଗ୍ରହ ଏବଂ ଅସମ୍ଭବ ପ୍ରତିଯୋଗିତା ଚାଲିଛି। ସମସ୍ତେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିବା ପାଇଁ ପାଗଳ ପ୍ରାୟ। ଏହାର କାରଣ ହେଉଛି ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି, ଆବଶ୍ୟକ ଭିତ୍ତିଭୂମି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହିତ ସମକକ୍ଷ ନୁହେଁ। ତେଣୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଆମମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅଧିକ। ଯେ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ଆମମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବ, ଓଡ଼ିଆ ପିଲାମାନେ ବଙ୍କା ଟଙ୍କା ଓଡ଼ିଆ କହୁଥିବେ ସେ ପର୍ଯ୍ୟନ୍ତ ଭାଷା ଭିତ୍ତିରେ ଗଠନ ହୋଇଥିବା ସ୍ବତନ୍ତ୍ର ଓଡ଼ିଆ ପ୍ରଦେଶର ବିନ୍ଧାଣୀମାନଙ୍କର ସ୍ବପ୍ନ ସଫଳ ହେବ କିପରି? ମୋର ସନ୍ଦେହ, ଯେଉଁମାନେ ଓଡ଼ିଆ ଭାଷାର ପ୍ରସାର ପାଇଁ ପ୍ରବକ୍ତା ସାଜିଛନ୍ତି ସେମାନଙ୍କ ପିଲାମାନେ ମଧ୍ୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବେ! ମୋର ପରମ ବନ୍ଧୁ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡା ଅନେକ ସମୟରେ ମୋତେ ଓଡ଼ିଆ ଭାଷା ସୁରକ୍ଷା ଆଲୋଚନା ଚକ୍ରକୁ ଡାକନ୍ତି, କିନ୍ତୁ ମୁଁ ସେଥିରେ ଭାଷଣ ଦେବା ପାଇଁ ସଂକୋଚ ପ୍ରକାଶ କରେ କାରଣ ମୋ ନିଜର ପିଲାମାନେ ମଧ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିଛନ୍ତି ଏବଂ ପଢୁଛନ୍ତି। ତେଣୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଯେଉଁ ମହାମାନବମାନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିଥିଲେ, ସେମାନଙ୍କର ସ୍ୱପ୍ନର ସଫଳ ରୂପାୟନ କରିବାକୁ ହେଲେ ଆମକୁ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଏ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକଜୁଟ ହୋଇ ପ୍ରତିବଦ୍ଧତାର ସହ କାମ କରିବାକୁ ପଡିବ। ଯେଉଁଠି ନଥିବ ଦାରିଦ୍ର୍ୟର ତାଡନା, ଦାଦନର ଦୁଃଖ, ନିର୍ଯାତିତର ଆର୍ତ୍ତନାଦ ଆଉ ଶୋଷକର ଅଟ୍ଟହାସ୍ୟ। ସବୁଠି ସବୁ କ୍ଷେତ୍ରରେ ଥିବ ଓଡ଼ିଆ ଆଉ ଓଡ଼ିଶାର ପ୍ରାଧାନ୍ୟ। ସେହିଦିନ ଆମେ ମୁକ୍ତ କଣ୍ଠରେ କହିବା ମହା ମନୀଷୀମାନଙ୍କର ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଆଜି ସଫଳ ହୋଇଛି। ପ୍ଲଟ ନଂ-୪୫୧, ନୟାପଲ୍ଲୀ, ଭୁବନେଶ୍ୱର-୧୨, ମୋ : ୯୪୩୭୦୨୭୨୨୩

Share :