ଓଡ଼ିଶା ସଭାରେ ଇଂରାଜୀ ମୁର୍ଖ!

ଓଡ଼ିଶା ସଭାରେ ଇଂରାଜୀ ମୁର୍ଖ!

Share :

ବରେନ୍ଦ୍ର କୃଷ୍ଣ ଧଳ   ଏପ୍ରିଲ ପହିଲା ୨୦୧୬ ମସିହା ଭାଷା ସୂତ୍ରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ଅଶୀବର୍ଷ ପୂର୍ଣ୍ଣ ହେବ। ୧୯୩୬ ମସିହା ଏପ୍ରିଳ ପହିଲାରେ ଛ’ଟି ଜିଲାକୁ ନେଇ ଗଠିତ ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଛ’ଟି ଜିଲା ହେଲେ ୧. କଟକ, ୨. ପୁରୀ, ୩. ବାଲେଶ୍ୱର, ୪. ସମ୍ୱଲପୁର, ୫. ଗଞ୍ଜାମ ଓ ୬. କୋରାପୁଟ। ଏହି ନୂଆ ପ୍ରଦେଶର ମୋଟ କ୍ଷେତ୍ରଫଳ ହେଲା ୩୨୬୯୫ ବର୍ଗ ମାଇଲ ଓ ଲୋକସଂଖ୍ୟା ହେଲା ୮୦ ଲକ୍ଷ ୪୩ ହଜାର ୬୮୧। ପ୍ରଦେଶର ପ୍ରଥମ ରାଜ୍ୟପାଳ ହେଲେ ସାର‍୍‌ ଜନ‍୍‌ ଅଷ୍ଟିନ ହବାକ୍। ବିପୁଳ ଉନ୍ମାଦନା ଓ ଉତ୍ସାହ ସହ ନୂଆ ପ୍ର୍ରଦେଶର ଉଦ‍୍‌ଘାଟନ ରେଭେନ୍ସା କଲେଜ ପ୍ରେକ୍ଷାଳୟରେ ୧୯୩୬ ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେଲା। ସେହି ଏକାଦିନ ଉତ୍ତର ପଶ୍ଚିମ ଭାରତରେ ଆଉ ଏକ ପ୍ରଦେଶ ଜନ୍ମ ନେଲା। ଏହାର ନାମ ସିନ୍ଧୁ ପ୍ରଦେଶ। ଏହା ମୁସଲମାନ ବହୁଳ। ତେଣୁ ଏହାକୁ ଧର୍ମ ଦିଗରୁ ଯଥାର୍ଥ ରୂପ ଦେବାକୁ ହିନ୍ଦୁ ବହୁଳ ଉତ୍କଳ ପ୍ରଦେଶ ସୃଷ୍ଟି କରାଗଲା। ନୂଆ ପ୍ରଦେଶ ସୃଷ୍ଟି ହେବା ପରେ ଏହାର ନିର୍ବାଚନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ବା ଗଭର୍ଣ୍ଣର ଏହାର ଶାସନ ଦାୟିତ୍ୱରେ ରହିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ଗଠିତ ହେଲା। ଏଥିରେ ନିମ୍ନଲିଖିତ ବ୍ୟକ୍ତିମାନେ ସଭ୍ୟ ରହିଲେ। ପି.ଟି. ମ୍ୟାନ୍ସଫିଲ୍ଡ ଅର୍ଥ ସଚିବ (ଏକ୍ସ ଅଫିସିଓ), ବି.ବି ଗୋପିନାଥ ବିଶୋଇ ମହାଶୟ, ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (ପାରଳାଖେମୁଣ୍ଡି ମହାରାଜା), ହରିହର ଦାସ, ଗୋଦାବରୀଶ ମିଶ୍ର, ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ (କନିକାରାଜା), ବି.ଏନ ସାମନ୍ତରାୟ, ଆର୍ତ୍ତତ୍ରାଣ ଦେଓ, ଏମ ଆର ରାଇ, ଏ ଥୁମ୍ୱେନାଥନ ପାନ୍ତୁଲୁ ଗାରୁ, ବ୍ରଜନନ୍ଦନ ଦାସ, ସେକ୍ ଅବଦୁଲ ଜଲିଲ, ନିକୁଞ୍ଜ କିଶୋର ଦାସ, ରାଧାରଞ୍ଜନ ଦାସ, ବ୍ରଜମୋହନ ପଣ୍ଡା, ଜଗନ୍ନାଥ ଦାସ, ବିରବର ନାରାୟଣ ଚନ୍ଦ୍ର ନରେନ୍ଦ୍ର, ରାୟ ବାହାଦୁର ଲୋକନାଥ ମିଶ୍ର ଏବଂ ରେଭରେଣ୍ଡ ବି.ଦାସ । ରାୟ ବାହାଦୁର ଲକ୍ଷ୍ମୀଧର ମହାନ୍ତି ପରିଷଦ ଉପସଭାପତି ରୂପେ ମନୋନୀତ ହେଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଜନ୍ମ ନେଲା, ମାତ୍ର ଆରମ୍ଭରୁ ପ୍ରଥମ ବର୍ଷର ଶାସନ ଦାୟିତ୍ୱ ରାଜ୍ୟପାଳଙ୍କ ହାତରେ ନ୍ୟସ୍ତ ହେଲା। ୧୯୩୭ ମସିହା ଜାନୁଆରି ମାସରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ହେଲା। ପ୍ରଥମ ବିଧାନସଭାରେ ୬୦ଟି ସ୍ଥାନ ରହିଥିଲା। ଏଥି ମଧ୍ୟରୁ ୫୬ଟି ସ୍ଥାନ ସିଧାସଳଖ ନିର୍ବାଚନ ପାଇଁ ଏବଂ ୪ଟି ସ୍ଥାନ ପଛୁଆ ବର୍ଗର ଲୋକଙ୍କର ପ୍ରତିନିଧି ମନୋନୀତ ହେବା ବ୍ୟବସ୍ଥା ହେଲା। ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କଲା। ତା’ପର କଥାକୁ ଯାଉନାହୁଁ, ତେବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ସେଇଦିନଠାରୁ ଓଡ଼ିଆଙ୍କର ଏକମାତ୍ର ନିଜର ପ୍ରଦେଶ ଉତ୍କଳ ଏବେ ଓଡ଼ିଶା ହୋଇ ରହିଲା। ଆମର ସ୍ୱତନ୍ତ୍ର ପରିଚୟ ଆମ ଭାଷାକୁ ନେଇ। ବ୍ରିଟିଶ ସରକାର ଓଡ଼ିଆ ଭାଷାକୁ ସ୍ୱୀକୃତି ଦେଲେ। ସେଇ ଭାଷା ପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେଲା। ଭାରତ ବର୍ଷ ସ୍ୱାଧୀନତା ପାଇବା ବେଳେ ନିଜ ନାମରେ ଯେଉଁ ରାଜ୍ୟଗୁଡ଼ିକ ଥିଲେ ସେଗୁଡ଼ିକ ହେଲା ଆସାମ, ବିହାର, ଓଡ଼ିଶା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ତ୍ରିପୁରା ଓ ସିକିମ। ତେବେ ବମ୍ୱେ, ମାନ୍ଦ୍ରାଜ, ମହୀଶୂର ଓ ଅନ୍ୟ ଗୋଟିଏ ଦୁଇଟି ରାଜ୍ୟରୁ ଅନ୍ୟ ରାଜ୍ୟ ସବୁ ସୀମା କମିଶନ ଗଠନ ଓ ବିଚାର ପରେ ନୂଆ ରାଜ୍ୟ ଭାବେ ଜନ୍ମ ନେଲା। ଏହି କ୍ରମରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ର, କର୍ଣ୍ଣାଟକ, କେରଳ ଆଦି ରାଜ୍ୟ ଜନ୍ମ ନେଲା। ଏକଥା ମୁଁ ସମ୍ୱିଧାନରୁ ଦେଖି କହୁଛି। ତେଣୁ ପାଠକ ବନ୍ଧୁମାନେ ଅନୁମାନ କରନ୍ତୁ ଏ ରାଜ୍ୟର ଐତିହ୍ୟକୁ। ସାମଗ୍ରିକ ଭାବେ ସ୍ୱାଧୀନତା ପୂର୍ବରୁ ଦଶ/ଏଗାରଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ଥିଲା। ଅନୁରୂପ ଭାବେ ସମ୍ୱିଧାନର ଅଷ୍ଟମ ପରିଚ୍ଛେଦରେ ଦେଶର ପନ୍ଦରଟି ଭାଷା ମଧ୍ୟରେ ଓଡ଼ିଆ ଥିଲା ଅନ୍ୟତମ। ପନ୍ଦରଟି ଭାଷା ହେଲା ୧. ଆସାମି, ୨.ବଙ୍ଗଳା, ୩.ଗୁଜରାଟି, ୪.ହିନ୍ଦୀ, ୫. କନ୍ନଡ, ୬. କାଶ୍ମୀରୀ, ୭. ମାଲାୟାଲମ, ୮. ମରାଠି, ୯. ଓଡ଼ିଆ, ୧୦.ପଞ୍ଜାବୀ, ୧୧.ସଂସ୍କୃତ, ୧୨.ସିନ୍ଧି, ୧୩. ତାମିଲ, ୧୪.ତେଲୁଗୁ ଏବଂ ୧୫.ଉର୍ଦ୍ଦୁ। ଏଥି ମଧ୍ୟରୁ ସଂସ୍କୃତ, ସିନ୍ଧି ଓ ଉର୍ଦ୍ଦୁ ଭାଷା କୌଣସି ରାଜ୍ୟର ଭାଷା ନୁହେଁ । ତେଣୁ ଦେଶର ବର୍ତ୍ତମାନ ଥିବା ୨୨ଟି ସାମ୍ୱିଧାନିକ ଭାଷା ମଧ୍ୟରୁ ପରବର୍ତ୍ତୀ ସମୟରେ ଯୋଗ ହୋଇଥିବା ଡୋଗ୍ରି, ବୋଡୋ, କୋଙ୍କଣି, ମୈଥିଳି, ମଣିପୁରୀ, ନେପାଳୀ, ସାନ୍ତାଳୀ ଭାଷାଗୁଡ଼ିକ ମଧ୍ୟରୁ କେବଳ ମଣିପୁରୀକୁ ବାଦ ଦେଲେ ଅନ୍ୟ ଭାଷାର କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନାହିଁ। ଦେଶରେ ମୋଟ ୨୮ଟି ରାଜ୍ୟର ଏବେ ସାମ୍ୱିଧାନିକ ସ୍ୱୀକୃତି ପାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ଉଭୟ ସ୍ୱୀକୃତ ରାଜ୍ୟ ରୂପେ ଓ ଓଡ଼ିଆ ସ୍ୱୀକୃତ ଭାଷା ରୂପେ ଦେଶର ଅଳ୍ପ କେତୋଟି ରାଜ୍ୟ ମଧ୍ୟରେ ଅନ୍ୟତମ। ତେବେ ମୋର ପ୍ରଶ୍ନ ହେଉଛି ଆମ ଭାଷାର ଆମ ରାଜ୍ୟରେ ସ୍ଥିତି କ’ଣ ? ସମସ୍ତେ ବିଭିନ୍ନ ସମୟରେ ଏହି ପ୍ରଶ୍ନ କରୁଛନ୍ତି, ମାତ୍ର ସରକାର ନିଦାବିଷ୍ଣୁ । ମଝିରେ ଦଳେ ଚାଟୁକାରଙ୍କୁ ଭଣ୍ଡାଇବା ପାଇଁ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ପାଞ୍ଚ ଜଣିଆ କମିଟି କରିଦେଲେ। ଚାଟୁକାର ଦଳ ଖୁସ‍୍‌। କହି ବୁଲିଲେ ଦେଖିଲ ହେଇ ଓଡ଼ିଆ ଭାଷା ହୋଇଗଲା। ତାଙ୍କୁ ଦେଖା ଦେଖି ଆଉ ଦଳେ କହିଲେ ଆହେ! ହେଇଗଲା କ’ଣ? ଲୋକ ପରା ନିଯୁକ୍ତି ପାଇଗଲେଣି! ୟା ସାଙ୍ଗକୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଗଲା। ପୂର୍ବରୁ ସଂସ୍କୃତ ଏବଂ ଚାରୋଟି ଦ୍ରାବିଡ଼ ଭାଷା ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଶାସ୍ତ୍ରୀୟତା ହାସ କରିଥିଲେ। ହେଲେ ସଂସ୍କୃତକୁ ଛାଡ଼ି ଦେଲେ ଏ ସମସ୍ତ ରାଜ୍ୟରେ ପ୍ରଶାସନିକ ଓ କୋର୍ଟ କଚେରି ଭାଷା ତାଙ୍କ ନିଜ କଥିତ ଭାଷାରେ ହୁଏ। କିନ୍ତୁ ଆମେ କେଉଁଠି ଅଛେ? ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ଆମ ସରକାର ଓଡ଼ିଆ ଭାଷା ପ୍ରଚଳନକୁ ବିରୋଧ କରୁଛନ୍ତି। ଓଡ଼ିଶା ବିଧାନସଭାରେ ସମସ୍ତ ବିଲ ଇଂରାଜୀରେ ହେଉଛି। ବଜେଟ‍୍‌ ଇଂରାଜୀରେ, ଇକୋନୋମିକ ସର୍ଭେ ଇଂରାଜୀରେ। ତେବେ ଆମେ ଆଉ ଓଡ଼ିଆ ଭାଷା ରଖିବା କାହିଁକି? ଶାସ୍ତ୍ରୀୟ ଭାଷା ହେବାର ଦୁଇ ବର୍ଷ ହୋଇଗଲାଣି। ଦଳେ ଲୋକଙ୍କର କେନ୍ଦ୍ର ସରକାରଙ୍କୁ ଅନେଇ ଅନେଇ ଆଖିର ପଲକ ପଡ଼ୁନାହିଁ। କେନ୍ଦ୍ର କୁଆଡେ଼ ଶହେକୋଟି ଟଙ୍କା ଦେବ। ସେଥିରେ ଗୋଟେ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେବ। ଓଡ଼ିଆ ଭାଷା ରହୁ ନ ରହୁ ପଛେ ଆଗ ବିଶ୍ୱବିଦ୍ୟାଳୟ କରି ଆମେ କୁଳପତି, ପ୍ରଫେସର, ରିଡର ପଦବୀ ମାଡ଼ି ବସିବା। କିରେ! ତମେ ତ ସବୁ ପଦବୀରେ ବସିଯିବ। ହେଲେ ପିଲା ଆସିବେ କେଉଁଠୁ? ଯଦି ତମ ବିଶ୍ୱବିଦ୍ୟାଳୟକୁ ସବୁ ପିଲା ଆସିବେ ତେବେ ଓଡ଼ିଶାରେ ଥିବା ସାତ/ଆଠଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଶ୍ରେଣୀ ରହିବ ତ? ସେଠି ଯେଉଁ ପ୍ରଫେସର, ରିଡର ଅଛନ୍ତି ସେମାନେ କରିବେ କ’ଣ? ତା’ଛଡ଼ା ଓଡ଼ିଆ ପଢ଼ି ପିଲାଏ କରିବେ କ’ଣ? ତାଙ୍କ ପାଇଁ ଚାକିରି କେଉଁଠି ଅଛି? ସେ କଥା କିଏ ଚିନ୍ତା କରିଛି? ଚାଟୁକାର ଦଳକ ଓଡ଼ିଆ ଭାଷା, ଓଡ଼ିଆ ଭାଷା କହି ପାଣି ପିଉନାହାନ୍ତି। ହେଲେ ପ୍ରଶାସନିକ ସ୍ତରରେ ଇଂରାଜୀ ବଦଳରେ ଓଡ଼ିଆ ପ୍ରଚଳନ ପାଇଁ ଯେଉଁ ଦାବି ଓ ଆଇନ ୧୯୫୪ ମସିହାରୁ ହୋଇ ଆସୁଛି ତାହାର ଏବେ ସ୍ଥିତି କ’ଣ? ଏଇ ଚାଟୁକାରଙ୍କ ମଧ୍ୟରୁ ଜଣକଙ୍କ ସହ ସେଦିନ ହଠାତ ଏକ ସଭାରେ ଦେଖା ହୋଇଗଲା। ସେ ମୋତେ ଦେଖି ପଚାରିଲେ ଧଳ ବାବୁ ଆପଣ କ’ଣ ଓଡ଼ିଆ ଶାସ୍ତ୍ରୀୟତା ପାଇବାରେ ଖୁସି ନୁହଁନ୍ତ? ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲି ଏ ପ୍ରକାର ପ୍ରଶ୍ନ କାହିଁକି? ସେ କହିଲେ, ନାଇଁ ଶାସ୍ତ୍ରୀୟ ଭାଷା ସପକ୍ଷରେ କହୁଥିବା ବନ୍ଧୁ ଏବଂ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସପକ୍ଷରେ କହୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆପଣଙ୍କ ଲେଖାରେ ଟାହି ଟାପରା କରୁଛନ୍ତି। ମୁଁ କହିଲି ଶାସ୍ତ୍ରୀୟ ଭାଷା ଘୋଷଣା ହେବାର ଦୁଇ ବର୍ଷ ହୋଇଗଲା। ଆପଣମାନେ କେତେ ବନ୍ଧୁ ଖାଲି ବିଶ୍ୱବିଦ୍ୟାଳୟ ହେବ, ଭାଷା ପ୍ରତିଷ୍ଠାନ ହେବ, ସ୍ୱତନ୍ତ୍ର ତାଲିମ କେନ୍ଦ୍ର ହେବ ଇତ୍ୟାଦି ନାନା କଥା କହୁଛନ୍ତି। ମାତ୍ର ଓଡ଼ିଆ ଭାଷା କେବେ, ପ୍ରଶାସନିକ ଭାଷା ହେବ ସେ ସମ୍ପର୍କରେ କାହା ମୁହଁ ଖୋଲୁ ନାହିଁ। ସେ ଚୁପ‍୍‌ ରହିଲେ। ଓଡ଼ିଆରେ ଲେଖାଲେଖି କରି ଅନେକ ଲୋକ ଆର୍ଥିକ ପୁରସ୍କାର ପାଇଛନ୍ତି। ମାତ୍ର ସେମାନଙ୍କର ଓଡ଼ିଆ ଭାଷାର ବିକାଶ ପାଇଁ ଅବଦାନ କ’ଣ? ଆଜି ଯେଉଁମାନେ ବିଶ୍ୱ ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା କଥା କହୁଛନ୍ତି ସେମାନଙ୍କୁ ଆମର ଗୋଟିଏ ପ୍ରଶ୍ନ, ସେମାନେ ଓଡ଼ିଆ ସରକାରୀ ଭାଷା ଆଇନ ୧୯୫୪ ସମ୍ପର୍କରେ କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେଣି କି? କାହିଁକି ଭେଟୁନାହାନ୍ତି ? ଏବେ ଆସନ୍ତୁ ବିଧାନସଭାକୁ। ଓଡ଼ିଶା ବିଧାନସଭାରେ ସମସ୍ତ ବିଲ ଓ ଦଫାୱାରୀ ଆଲୋଚନା ଇଂରାଜୀରେ ହୁଏ। ୨୦୧୪ ଓଡ଼ିଶା ଇଲେକ୍ସନ ୱାଚ‍୍‌ ପୁସ୍ତକରେ ପ୍ରକାଶ ପାଇଥିବା ବିଧାନସଭା ପ୍ରାର୍ଥୀ ତାଲିକା ଓ ପ୍ରାର୍ଥୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆସନ୍ତୁ ଦେଖିବା। ଏହି ତାଲିକାର ୧୯ ଓ ୨୦ ପୃଷ୍ଠାରେ ଉଲ୍ଲେଖ ରହିଛି, ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୭ ଜଣ ପ୍ରତିନିଧିଙ୍କ ମଧ୍ୟରୁ ୫ମ ଶ୍ରେଣୀ ପାସ କରିଥିବା ବିଧାୟକଙ୍କ ସଂଖ୍ୟା ୨ ଜଣ, ୮ମ ଶ୍ରେଣୀ ପାସ କରିଥିବା ବିଧାୟକଙ୍କ ସଂଖ୍ୟା ୬ ଜଣ, ଦଶମ ଶ୍ରେଣୀ ପାସ‍୍‌ କରିଥିବା ବିଧାୟକଙ୍କ ସଂଖ୍ୟା ୧୭ ଜଣ ଏବଂ ଦ୍ୱାଦଶ ଶ୍ରେଣୀ ପାସ‍୍‌ କରିଥିବା ବିଧାୟକଙ୍କ ସଂଖ୍ୟା ୨୫ ଜଣ। ଗ୍ରାଜୁଏଟ‍୍‌ ବା ବି.ଏ. ପାସ କରିଥିିବା ବିଧାୟକଙ୍କ ସଂଖ୍ୟା ୩୩ ଜଣ। ଆମେ ଆଗକୁ ଯାଉ ନାହୁଁ। ଏହି ତାଲିକା ଦେବା ପଛରେ ଆମର କାହାକୁ ଅସମ୍ମାନିତ କରିବା ଉଦ୍ଦେଶ୍ୟ ନୁହେଁ। ତାଲିକା ଅନୁସାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ବିଧାୟକ ଅଛନ୍ତି ୫୦ ଜଣ। ଅର୍ଥାତ ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ। ଏମାନଙ୍କ ସହ ବି.ଏ ପାସ‍୍‌ କରିଥିବା ବିଧାୟକ(୩୩ ଜଣ)ଙ୍କୁ ଯୋଗ କଲେ ମୋଟ ବିଧାୟକ ସଂଖ୍ୟା ହେବେ ୮୩ ଜଣ। ମୋଟ ସଂଖ୍ୟାର ପାଖାପାଖି ୬୦ ଭାଗ। ପାଠକ ବନ୍ଧୁମାନଙ୍କୁ ସୂଚାଇ ଦେବାକୁ ଚାହୁଁଛି ଯେ ବିଧାନସଭାରେ ସମସ୍ତ ବିଲ‍୍‌ ଇଂରାଜୀରେ ପ୍ରସ୍ତୁତ ହୁଏ ଏବଂ ବିଲ‍୍‌ ଉପସ୍ଥାପନ ବେଳେ ଦଫାୱାରୀ ଆଲୋଚନା ଇଂରାଜୀରେ ହୁଏ। ସେ କ୍ଷେତ୍ରରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ସଦସ୍ୟ ତାକୁ ବୁଝି ପାରିବେ ତ? ଏପରିକି ବି.ଏ ପାସ ସଦସ୍ୟ ବୁଝି ପାରିବେ ବୋଲି କହିବା ମଧ୍ୟ ଯଥାର୍ଥ ନୁହେଁ। ଯଦି ୬୦ ଭାଗ ସଦସ୍ୟ କିଛି ବୁଝି ନ ପାରି ବିଲ‍୍‌ ପାସ କରି ଦିଅନ୍ତି ତେବେ ତେବେ ତାହା କ’ଣ ଆଇନଗତ ଦୃଷ୍ଟିରୁ ଠିକ୍? ଅଶୀବର୍ଷ ତଳେ ଯେତେବେଳେ ଭାଷା ଦୃଷ୍ଟିରୁ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦିଆଗଲା ସେତେବେଳେ କ’ଣ ବିଚାର କରାଯାଇଥିଲା? ଅଶୀ ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷାର ଏହି ଦୁର୍ଭାଗ୍ୟ ହେବ? ଆଜି ଏହି ନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ବିଧାୟକମାନେ କ’ଣ ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆରେ କରାଯାଉ ବୋଲି ଦାବି କରିବା ଉଚିତ ନୁହେଁ। କିନ୍ତୁ କାହିଁ ଗତ ପଚାଶ ବର୍ଷ ମଧ୍ୟରେ ଜଣେ ହେଲେ ବିଧାୟକ ଓଡ଼ିଆ ଭାଷାରେ କାର୍ଯ୍ୟ ପରିଚାଳନା ପାଇଁ ଦାବି କରିନାହାନ୍ତି। ଏହା କ’ଣ ଆମ ଜାତିର ଦୋଷ ନା ଆମ ରକ୍ତରେ ଏକ ହୀନମନ୍ୟତାର ଜୀବାଣୁ ରହିଛି। ମୁଁ ୧୯୬୫ ମସିହାରୁ ଏ ପର୍ଯ୍ୟନ୍ତ ବିଧାନସଭା ବିବରଣୀ ଲିପିବଦ୍ଧ କରୁଛି। ଓଡ଼ିଆ ଭାଷାକୁ ନେଇ ଡିଣ୍ଡିମ ପିଟୁଥିବା ଚାଟୁକାର ଦଳ କ’ଣ ଏକଥା ଜାଣି ନାହାନ୍ତି? ତେବେ ଏହା ଉପରେ ପ୍ରତିବାଦ କାହିଁ? ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପନ୍ଦର ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷା ନା କହିପାରିଲେ ନା ପଢ଼ିପାରିଲେ। ଲେଖିବା କଥା ତ ଛାଡ଼। ତେବେ ଏ ଭାଷା ବଞ୍ଚିବ କିପରି? କିଏ ଏ ଭାଷାକୁ ତା’ର ଉପଯୁକ୍ତ ମାନ୍ୟତା ଦେବ? କିଏ ଉତ୍କଳ ଜନନୀ ଆଖିର ଲୁହ ପୋଛି ଦେବ? ତେବେ କ’ଣ ୮୦ ବର୍ଷ ଧରି ଉତ୍କଳ ଜନନୀ ତା’ ବକ୍ଷରେ ଦଳେ ହୀନବୀର୍ଯ୍ୟ ଅପାଣ୍ଡୁକ ସନ୍ତାନକୁ ଜନ୍ମ ଦେଇଛି? ଏ ମାଟିର ଚିର ଜାଗ୍ରତ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଅପାର କରୁଣା ବଳରେ ଏ ଜାତି ବଞ୍ଚିଛି । କିନ୍ତୁ ହେ ପ୍ରଭୁ ଏ ଜାତିକୁ ନପୁଂସକତାରୁ ଉଦ୍ଧାର କର। ଏ ଭାଷାକୁ ରକ୍ଷା କର। ଏ ରାଜ୍ୟର ଶାସକମାନଙ୍କ ମନରେ ଶୁଭ ବୁଦ୍ଧି ଦିଅ। ହେ ଓଡ଼ିଆ ଜାତିର ପ୍ରଭୁ ଶ୍ରୀ ଜଗନ୍ନାଥ ତୁମେ ହିଁ ଏ ଜାତିକୁ ରକ୍ଷା କର। ମୋ-୯୪୩୭୦୩୯୪୧୭

Share :