ରାମଚଣ୍ଡୀରେ ଅତିଥି ଦେବଙ୍କୁ ପରାଭବ

ରାମଚଣ୍ଡୀରେ ଅତିଥି ଦେବଙ୍କୁ ପରାଭବ

Share :

    ପର୍ଯ୍ୟଟକଙ୍କଠାରୁ ବେଆଇନ ଚାନ୍ଦା ଆଦାୟ ଓ ଆକ୍ରମଣ   ମା’ ରାମଚଣ୍ଡୀଙ୍କ ଦର୍ଶନ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସିଥାନ୍ତି। ବଙ୍ଗୋପସାଗର ନୈସର୍ଗିକ ଶୋଭା ସାଙ୍ଗକୁ ଉପକୂଳରେ ଥିବା ଝାଉଁ ଜଙ୍ଗଲ ପରିବେଷ୍ଟିତ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ବେଶ ମନଭରି ଉପଭୋଗ କରିବା ସଙ୍ଗ ସଙ୍ଗ ମା’ ରାମଚଣ୍ଡୀଙ୍କ ଆଶୀର୍ବାଦ ଲାଭ କରିବା ଉଦେଶ୍ୟରେ ପର୍ଯ୍ୟଟକମାନେ ବର୍ଷ ତମାମ ଏଠାରେ ଭିଡ ଲଗେଇଥାନ୍ତି। ହେଲେ ଏହି ପୀଠରେ ଆର୍ଥ ଶୋଷଣ ଓ ଦୁର୍ବ୍ୟବହାରର ଶିକାର ହେଉଥିବା ସଂପର୍କରେ ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ପର୍ଯ୍ୟଟକମାନେ ଥରେ ଏଠାରେ ପହଞ୍ଚିଗଲେ ଏପରି ଶୋଷଣ ଆରମ୍ଭ ହୋଇଯାଏ ଯେ ପହଞ୍ଚିବା ଲୋକ କେମିତି ଏ ସ୍ଥାନ ଛାଡି ଯିବ ତାକୁ ବାଟ ଦିଶେନି। କେବଳ ଅର୍ଥ ଶୋଷଣ ନୁହେଁ ବରଂ ଦୁର୍ବ୍ୟବହାର ଓ ଦାଦାଗିରି ଏଠି ଚରମ ସୀମାରେ ପହଞ୍ଚିଛି। ଏ ସଂପର୍କରେ ବାରମ୍ୱାର ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ପରୋକ୍ଷରେ ସେମାନଙ୍କୁ ଘଣ୍ଟ ଘୋଡାଇ ଦିଆଯାଇଥାଏ। ଏଇ ମାର୍ଚ୍ଚ ୨୨ ତାରିଖରେ ପଞ୍ଜାବରୁ ପରିବାର ସହ ଆସିଥିବା ଜଣେ ଯୁବତୀ ପର୍ଯ୍ୟଟକଙ୍କୁ ମା’ ରାମଚଣ୍ଡୀଙ୍କର ଜଣେ ସେବାୟତ ମନ୍ଦିର ଭିତରେ ଅସଦାଚରଣ କରିଥିବା ସଂପର୍କରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ଦିନ କେଇଟା ନ ପୂରୁଣୁ ପୁଣି ପର୍ଯ୍ୟଟକଙ୍କୁ ମାଡ ଓ ଦୁର୍ବ୍ୟବହାରର ଅଭିଯୋଗ ହୋଇଛି। ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଅପରାହ୍ନରେ ୧୮ ଜଣ ବଙ୍ଗୀୟ ପର୍ଯ୍ୟଟକ କୁଶଭଦ୍ରା ନଦୀରେ ନୌକା ବିହାର କରିଥିଲେ। ନୌକା ଚାଳକ ପର୍ଯ୍ୟଟକଙ୍କଠାରୁ ୨ ହଜାର ଟଙ୍କା ଦାବି କରିଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହ ହାତା ହାତି ହୋଇଥିଲା। ନୌକା ଚାଳକ ଟିକନା ଗ୍ରାମର ସୂର୍ଯ୍ୟକାନ୍ତ ବେହେରା ଉତକ୍ଷିପ୍ତ ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ ମାରିବାରୁ ସେମାନଙ୍କ ମଧ୍ୟରୁ ତାରକ ଦାସ, ଶଙ୍କର ଦାସ ଓ ରବି ଦାସ ଆହତ ହୋଇ ଥିଲେ। ଆହତମାନଙ୍କୁ ରାମଚଣ୍ଡୀ ପୁଲିସ ଘଟଣା ସ୍ଥଳରୁ ଉଦ୍ଧାର କରି କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଅଣି ଚିକିତ୍ସିତ କରାଇଥିଲେ। ପର୍ଯ୍ୟଟକଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗରେ ନୌକା ଚାଳକ ସୂର୍ଯ୍ୟକାନ୍ତ ବେହେରାକୁ ଅଟକ ରଖା ଯାଇଛି। ଏଠାରେ ସୁଚନା ଯୋଗ୍ୟ କି ୨/୩ ବର୍ଷ ମଧ୍ୟରେ ବେଆଇନ ଭାବେ ଛତୁ ଫୁଟିଲା ପରି ବୋଟ, ୱାଟର ସ୍କୁଟର ସଂଖ୍ୟା ବୃଦ୍ଧି ପାଇଛି। ଏମାନେ ଜିଲ୍ଳାପାଳଙ୍କ ବିନା ସ୍ବୀକୃତିରେ ବିପଦ ସଂଙ୍କୁଳ ଅବସ୍ଥାରେ ପର୍ଯ୍ୟଟକଙ୍କୁ ନେଇ ନୌକା ବିହାର କରାଇଥାନ୍ତି। ନୌକା ଓ ୱାଟର ସ୍କୁଟରର ମାଲିକମାନେ ପର୍ଯ୍ୟଟକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମନ ଇଚ୍ଛା ଅର୍ଥ ଶୋଷଣ କରିଥାନ୍ତି। ଯିଏ ପ୍ରତିବାଦ କଲା ତାକୁ ଦୁର୍ବ୍ୟବହାର ଓ ମାଡର ଶିକାର ହେବାକୁ ପଡିଥାଏ। ଜିଲ୍ଲାପାଳ ମା’ ରାମଚଣ୍ଡୀ ବିକାଶ ପରିଷଦର ଅଧ୍ୟକ୍ଷ ହୋଇଥିଲା ବେଳେ ପର୍ଯ୍ୟଟନ ଅଧିକାରୀ, ପୁଲିସ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଏହି କମିଟିର ସଭ୍ୟ ରହିଛନ୍ତି। ହେଲେ ଏଇ ଖୋଲା ଶୋଷଣ ପ୍ରତି ଏ ଯାଏଁ କାହାରି ଦୃଷ୍ଟି ପଡୁନି। ସୂଚନାଯୋଗ୍ୟ ଯେ, ମା’ ରାମଚଣ୍ଡୀ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣର ମହତ ଉଦ୍ଦେଶ୍ୟ ରଖି ପୂର୍ବତନ ପର୍ଯ୍ୟଟନ ଅଧିକାରୀ ସନ୍ତୋଷ କୁମାର ଦାସଙ୍କ ପ୍ରୟାସରେ ମା’ ରାମଚଣ୍ଡୀଙ୍କ ପୀଠରେ ଥିବା ସ୍ଥାନୀୟ ବ୍ୟବସାୟୀ, ପୂଜକ, ଅଧିକାରୀ ଓ ନିକଟସ୍ଥ ଗାଁର ବାସିନ୍ଦାଙ୍କୁ ନେଇ ରାମଚଣ୍ଡୀ ବିକାଶ ପରିଷଦ ଗଠନ କରାଯାଇଥିଲା। ସରକାରୀ ସହାୟତାକୁ ନିର୍ଭର ନକରି ରାମଚଣ୍ଡୀ ପୀଠରେ ଜଳ ଓ ପରିମଳ ବ୍ୟବସ୍ଥାକୁ ସୁପରିଚାଳିନନା କରିବା ପାଇଁ ପାର୍କିଂ ଫି ଓ ଭୋଜି ନିମନ୍ତେ ଫି ଆଦାୟ ହେଲା। ନାମକୁ ମାତ୍ର କେଇ ଟଙ୍କା ଆଦାୟ କରି ନଳକୂପ ବସାଇବା, ସଫାସୁତରା କରିବା କାର୍ଯ୍ୟ କରାଯାଉଥିବାରୁ ଏହାକୁ କେହି ବିରୋଧ କରି ନ ଥିଲେ। ହେଲେ କ୍ରମେ ସେବା ନାଁରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟବସାୟରେ ପରିଣତ ହୋଇଗଲାଣି। ପାର୍କିଂ ଫି ବଢି ଚାଲିଥିବା ବେଳେ ଭୋଜି କରିବା ପାଇଁ ଏବେ ୫୦ ଟଙ୍କାରୁ ୫୦୦ ଟଙ୍କା ଦେବାକୁ ପଡୁଛି। ଏପରିକି ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଫି ନଦେଲେ ବା ଏତେ ଫି ଦେବାକୁ କେହି ଅମଙ୍ଗ ହେଲେ ଫି ଆଦାୟକାରୀଙ୍କ ନାଲି ଆଖିର ଶିକାର ହେବାକୁ ପଡୁଛି। ଏପରିକି ଅନେକ ଥର ଏଠାରେ ଗଣ୍ଡଗୋଳ ହୋଇ ମାମଲା ରୁଜୁ ହୋଇଛି। ଏହି ପୀଠର ବିକାଶ ଲକ୍ଷ୍ୟ ଏବେ ଅବାଟରେ। କେତେକ ଯୁବକଙ୍କୁ ନିଯୁକ୍ତି କରି ଏଠି ରୀତିମତ ବ୍ୟବସାୟ ଚାଲିଛି। କେତେ ଆଦାୟ ହେଉଛି ? କଣ ଉନ୍ନୟନମୂଳକ କାର୍ଯ୍ୟ ହେଉଛି ? ଏହାର କିଛି ସ୍ପଷ୍ଟ ହିସାବ ନାହିଁ। ମା’ ରାମଚଣ୍ଡୀ ବିକାଶ ପରିଷଦ ନାମରେ ଏକ କମିଟି ଥିଲେ ମଧ୍ୟ କେତେ ଜଣଙ୍କ ହାତରେ ଚାଲିଛି ଏଇ ବେପାର। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଫି ଆଦାୟ କରିବା ଘଟଣାକୁ ପର୍ଯ୍ୟଟକମାନେ ନିନ୍ଦା କରିଛନ୍ତି। ଭୋଜି କରିବା ପାଇଁ ଏଠାକୁ ଆସି ମୁଣ୍ଡପିଛା ୧୦ରୁ ୨୦ ଟଙ୍କା ଜିଜିୟା କର ଦେବାକୁ ପଡିଥାଏ ପର୍ଯ୍ୟଟକଙ୍କୁ। ନା ଏଠି ଅଛି ନୀତି ନା ନିୟମ। ଏଠାରେ ପ୍ରତିଦିନ ଦେଖିବାକୁ ମିଳନ୍ତି ନୂଆ ନୂଆ ଫି ଆଦାୟକାରୀ ବ୍ୟକ୍ତିଙ୍କୁ। ଆଦାୟକାରୀଙ୍କ ୟୁନିଫର୍ମ (ପୋଷାକ) ନ ଥିବାରୁ ଏହାର ସୁଯୋଗ ନେଇ କିଛି ସ୍ଥାନୀୟ ଲୋକ ମଧ୍ୟ ପାଖ ଜଙ୍ଗଲରେ ଭୋଜି କରିଥିବା ଲୋକଙ୍କଠାରୁ ଟିକସ ଆଦାୟ କରୁଛନ୍ତି।  ଏହି କମିଟି  ଏଠାରେ ପର୍ଯ୍ୟଟକଙ୍କୁ କି ସୁବିଧା ସୁଯୋଗ ଯୋଗାଇ ଦେଉଛି ଯେ ଏତେ ଟଙ୍କା ଆଦାୟ କରୁଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାମଚଣ୍ଡୀ ପୀଠ ପାର୍ଶ୍ୱସ୍ଥ କିଛି ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ଅଭୟାରଣ୍ୟ ଅଞ୍ଚଳରେ ଭୋଜି କରିବା ବାରଣ ଥିଲେ ମଧ୍ୟ ଏଠାରୁ ପ୍ରାଶାସନିକ ପ୍ରୋତ୍ସାହନରେ ଟିକସ ଆଦାୟ ହେଉଛି। ଖାଲି ସେତିକି ନୁହେଁ କୁଶଭଦ୍ରା ନଦୀରେ ନୌକା ବିହାର, ରୋଷଇ ଉପକରଣ ଓ ତେଜରାତି ସାମଗ୍ରୀରେ ଅଧିକ ଅର୍ଥ ଆଦାୟ କରାଯାଉଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି।

Share :