ବକ୍ସାଇଟ୍ ଲୁଟ୍ ପାଇଁ ବିଜେପି-ବିଜେଡି ଚକ୍ରାନ୍ତ!

ବକ୍ସାଇଟ୍ ଲୁଟ୍ ପାଇଁ ବିଜେପି-ବିଜେଡି ଚକ୍ରାନ୍ତ!

Share :

ଲିଜ୍ ଦିଆଯିବ ଆଉ ୪୦ ବର୍ଗ କିଲୋମିଟର ବକ୍ସାଇଟ୍ ଖଣି!   ଓଡ଼ିଶାର ବକ୍ସାଇଟ୍ ସଂପଦ ତୁରନ୍ତ ଲୁଟିନେବାକୁ ହାତ ମିଳାଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କହିବାକୁ ଗଲେ କେନ୍ଦ୍ର କ୍ଷମତାର ଥିବା ଭାରତୀୟ ଜନତା ପାର୍ଟି ଓ ରାଜ୍ୟ କ୍ଷମତାରେ ଥିବା ବିଜୁ ଜନତା ଦଳର ମୁଖିଆଙ୍କ ମଧ୍ୟରେ ହୋଇଥିବା ଭିତିରି ବୁଝାମଣା ଭିତ୍ତିରେ ହିଁ ଓଡ଼ିଶାର ସମସ୍ତ ବକ୍ସାଇଟ ଖଣି ଖୋଳି ଶେଷ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହି ବୁଝାମଣା ଭିତ୍ତିରେ ନିୟମଗିରି ହାତେଇବା ପାଇଁ ସୁପ୍ରିମ କୋର୍ଟରେ ସାନି ମକଦ୍ଦମା ଦାଏର ହୋଇଛି ଓ ଡଙ୍ଗରିଆ କନ୍ଧଙ୍କୁ ମାଓବାଦୀ ସଜାଇ ନିପାତ ଯୋଜନା ବି ଚାଲିଛି। ତେଣେ ରାଜ୍ୟର ବକ୍ସାଇଟ ଖଣି ଲିଜ୍ ଅଂଚଳକୁ ଚାରି ଗୁଣ ବଢ଼ାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏବେ ଓଡ଼ିଶାର ପ୍ରାୟ ୧୦ ବର୍ଗ କିଲୋମିଟର ଅଂଚଳର ବକ୍ସାଇଟ୍ ଖଣି ବିଭିନ୍ନ କମ୍ପାନୀଙ୍କୁ ଲିଜ୍ ଦିଆଯାଇଛି। କିନ୍ତୁ ଏହାକୁ ଚାରି ଗୁଣରୁ ଅଧିକ ବଢ଼ାଇବା ପାଇଁ ଓଡ଼ିଶାର ବିଜେଡି ସରକାରଙ୍କ ଯୋଜନାକୁ ଇତିମଧ୍ୟରେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ନରେନ୍ଦ୍ର ମୋଦି ସରକାର ଅନୁମୋଦନ କରିସାରିଛି। ଶୁଣାଯାଉଛି ଉଭୟ ସରକାରର ଏହି ବୁଝାମଣା ପଛରେ ଉଭୟ ଦଳର ସଭାପତିଙ୍କ ଭୂମିକା ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ସମୟରେ ଓଡ଼ିଶା ସରକାର ନିୟମଗିରି ଖଣି ପାଇଁ ସାନି ଗ୍ରାମସଭା କରାଇବାକୁ ସୁପ୍ରିମ କୋର୍ଟରେ ଆବେଦନ କଲେ ଠିକ୍ ସେହି ସମୟରେ ଓଡ଼ିଶାର ବକ୍ସାଇଟ୍ ଖଣି ଲିଜ୍ ଅଂଚଳ ୪ ଗୁଣରୁ ଅଧିକ ବୃଦ୍ଧି କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦରଖାସ୍ତ କରାଯାଇଥିଲା। ଓଡ଼ିଶା ସରକାରଙ୍କର ଏହି ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏବେ ଓଡ଼ିଶାରେ ବିଭିନ୍ନ କମ୍ପାନୀଙ୍କୁ ପ୍ରାୟ ୧୦ ବର୍ଗ କିଲୋମିଟର ପରିବ୍ୟାକ୍ତ ବକ୍ସାଇଟ୍ ଖଣି ଲିଜ୍ ଦିଆଯାଇଛି। ଏହାକୁ ୫୦ ବର୍ଗ କିଲୋମିଟରକୁ ବୃଦ୍ଧି କରିବାକୁ ଓଡ଼ିଶା ସରକାର ଯୋଜନା କରିଛନ୍ତି। ଏହା ଫଳରେ ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ଓ କୁମାରମଙ୍ଗଳମ ବିର୍ଲାଙ୍କର ହିଣ୍ଡାଲକୋ ପରି ଘରୋଇ କମ୍ପାନୀ ଓଡ଼ିଶାରେ ଲକ୍ଷଲକ୍ଷ କୋଟି ଟଙ୍କାର ବକ୍ସାଇଟ୍ ଖଣି ପାଇବା ସମ୍ଭବ ହେବ। ସମଗ୍ର ଭାରତରେ ୫୯୩ ନିୟୁତ ଟନ୍ ବକ୍ସାଇଟ୍ ଗଚ୍ଛିତ ଥିବା ବହୁ ପୂର୍ବରୁ ଆକଳନ କରାଯାଇଛି। ଏହାର ୬୦ ପ୍ରତିଶତ କେବଳ ଓଡ଼ିଶାରେ ରହିଛି। ଭାରତବର୍ଷରେ ପ୍ରତିବର୍ଷ ଯେତେ ବକ୍ସାଇଟ୍ ଉତ୍ତୋଳନ ହୋଇଥାଏ ତାହାର ୩୫ ପ୍ରତିଶତ କେବଳ ଓଡ଼ିଶାରେ ହୋଇଥାଏ। ଗତ ବର୍ଷ ସାରା ଦେଶରେ ୨୧.୬୭ ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳିତ ହୋଇଥିଲାବେଳେ ଓଡ଼ିଶାରେ ୭.୬୪ ନିୟୁତ ଟନ୍ ଉତ୍ତୋଳିତ ହୋଇଥିଲା। ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ସରକାରଙ୍କର ଏହି ଆଭିମୁଖ୍ୟ ଦେଶରେ ବକ୍ସାଇଟ ଶିଳ୍ପର ଅଭିବୃଦ୍ଧି ପାଇଁ ଅଭିପ୍ରେତ ବୋଲି ଶିଳ୍ପ ଜଗତର ପ୍ରବକ୍ତାମାନେ ଯୁକ୍ତି କରୁଛନ୍ତି। ସଂପ୍ରତି ଅନ୍ତର୍ଜାତୀୟ ସ୍ତରରେ ଉଭୟ ଲୌହ ଓ ଆଲୁମିନିୟମ କ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାବେଳେ ଘରୋଇ କମ୍ପାନୀଙ୍କୁ ସର୍ବ ସାଧାରଣଙ୍କଆ ସଂପତ୍ତି ଟେକିଦେବାକୁ ଏହା ଏକ ଚାଲ୍ ବୋଲି ଦୁର୍ନୀତି ବିରୋଧୀ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ମତ ପ୍ରଦାନ କରିଛନ୍ତି। ସଂପ୍ରତି ସମଗ୍ର ବିଶ୍ବରେ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଖୋଦ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହା ସ୍ବୀକାର କରିଛନ୍ତି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ମାନ୍ଦାବସ୍ଥା ଯୁକ୍ତିରେ ସରକାରୀ ସହାୟତା ପାଇବାକୁ ଆବେଦନ କରିଛନ୍ତି। ଏପରିସ୍ଥଳେ ଓଡ଼ିଶା ସରକାର ରାଜ୍ୟରେ ଅଧିକ ବକ୍ସାଇଟ୍ ଖଣି ଲିଜ୍ ଦେବାକୁ ପ୍ରୟାସ କରିବା ପଛରେ କି ମତଲବ ରହିଛି ବୋଲି ପ୍ରଶ୍ନ ଉଠିଛି। ଓଡ଼ିଶାରେ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ, ବିର୍ଲାର ହିଣ୍ଡାଲକୋ ଓ ଅଗ୍ରୱାଲଙ୍କ ବେଦାନ୍ତ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛନ୍ତି। ଏହି ତିନିଟି କମ୍ପାନୀ ସହିତ ଏଲ ଆଣ୍ଡ ଟି କମ୍ପାନୀ ମଧ୍ୟ ରାଜ୍ୟରେ ଅନେକ ବକ୍ସାଇଟ୍ ଖଣି ଲିଜ୍ ପାଇଛି।

Share :