ଗାଲୁଆଙ୍କ ମହାକାଶରେ ଚାଷ

ଗାଲୁଆଙ୍କ ମହାକାଶରେ ଚାଷ

Share :

ବିଦ୍ୟାଧାର ପଣ୍ଡା ମଣିଷ ସମାଜର ଏକ ସ୍ୱତନ୍ତ୍ର ପ୍ରଜାତି। ଗାଲୁଆ। ମିଛୁଆ ନୁହନ୍ତି କି ସତୁଆ ନୁହନ୍ତି। ସତ ଜାଣିଥାନ୍ତି ହେଲେ ମାନିବାକୁ ପ୍ରସ୍ତୁତ ନଥାନ୍ତି। ପୂର୍ବକାଳରୁ ଏମାନଙ୍କର କୁଖ୍ୟାତି ରହି ଆସିଛି। କୁହାଯାଏ ଗାଲୁଆଙ୍କ ବାରବାଟୀ ଚାଷ। ଏବେ କିନ୍ତୁ ଆଉ ବାର ବାଟୀ ଜମି ସେମାନଙ୍କୁ କ’ଣ ପାଉଛି! ଏବେ ଗାଲୁଆଙ୍କ ନାଁ ଗଣିଲେ ସରିବନି। ଆଉ ତାଲିକା କଲେ ଯେତିକି କାଗଜ ଦରକାର ହବ ସିଏ ବ ବାରବାଟିରୁ ବଳେଇଯିବ। ପୂରା ସାରଦିଆ ଫସଲ ଭଳି ଗାଲୁଆଙ୍କ ଚାଷବାସ ବଢିଛି। ସେମାନଙ୍କ ଗାଲୁଆମୀର କୌଶଳ ସହିତ ଗାଲୁଆମୀର ଅମଳ ବ ବଢିଛି। ସେଇ କାରଣୁ ଚକ୍ରବୃଦ୍ଧି ହାରରେ ବଢି ଚାଲିଛି ଗାଲୁଆଙ୍କ ସଂଖ୍ୟା। ଗାଲୁଆଙ୍କୁ ଖୋଜିବାକୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ। କାମ ନ କରି ଯିଏ ହଁ ମାରି ଶିଖିଥିବ ସିଏ ଗାଲୁଆ। ମାଡ଼ ଖାଇ ଯିଏ ଆଉ ଦି’ଟା ଦେଖିବା ଦେଲୁ କହୁଥିବ ସିଏ ଡବଲ ଗାଲୁଆ। କ୍ରିକେଟ‌୍ ଟିମ‌୍ ହାରି ହାରି ଲଣ୍ଡା ହେବାବେଳେ ବି ଯିଏ କହୁଥିବ ଟିମ‌୍ ଇଣ୍ଡିଆ ଜିତେଗା ସିଏ ବଡ଼ ଗାଲୁଆ। ମିଠା ପ୍ରବଚନ ଦେଇ ଯିଏ ମନ ମୋହୁଥିବ ସିଏ ପ୍ରକାଣ୍ଡ ଗାଲୁଆ। ଆଉ କଥାର ଯାଦୁରେ ବଶ କରି ଯିଏ ଦେଶ ଲୁଟୁଥିବ ସିଏ ହେଲା ପରମ ଗାଲୁଆ। ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ୯୦ ପ୍ରତିଶତ ଗାଲୁଆ ମିଳିଯିବେ। ଦେଶ ଦୁର୍ନୀତିରେ ଭାସୁଥିବ ହେଲେ ନାମୀ ନେତାଏ ସଭାସମିତି କରି ମଲା ଲୋକଙ୍କ ଗୁଣ ଗାଉଥିବେ। ବିତଣ୍ଡା ଯୁକ୍ତି କରୁଥିବେ ଯେ ପୂର୍ବ ସରକାର ଅମଳରେ ଦେଶ ଦୁର୍ନୀତିରେ ଡୁବିଥିଲା। ଆମେ ଦେଶକୁ ଦୁର୍ନୀତିମୁକ୍ତ କରିଛୁ। ଏମନ୍ତ ବାହାପିଆମୀ ଗାଲୁଆମୀର ବଢିଆ ଉଦାହରଣ। ପାଇପ‌ରେ ପିଇବା ପାଣି ମୁନ୍ଦାଏ ଆସୁନଥିବ, ଲୋକେ ଜଣ୍ଡିସ‌୍ ଆଦି ରୋଗରେ ଛଟପଟ ହୋଇ ମରୁଥିବେ, ଖରାଦିନେ ଘନଘନ ଲାଇନ‌୍ କଟୁଥିବ। ହେଲେ ମୁଖାପିନ୍ଧା ମନ୍ତ୍ରୀ ଆଉ ବପୁବନ୍ତ ବାବୁମାନେ ଟିଭି ପରଦାରେ ନିର୍ଲଜ ଭାବେ ବଖାଣୁଥିବେ ଜଳଯୋଗାଣ ସ୍ୱାଭାବିକ ଅଛି। ଅସୁବିଧା ହେଲେ ଯୁଦ୍ଧକାଳୀନ ଗତିରେ ପ୍ରତିକାର କରାଯିବ। (ଯୁଦ୍ଧ, ଫୁଃ, ଏମାନେ ଚଉଦ ପୁରୁଷରେ କେବେ କରିଥିଲେ ନା କରିବେ?) ଜଣ୍ଡିସ‌ରେ କେହି ମରିବାର ଖବର ନାହିଁ, ସଂଭାବ୍ୟ ପରିସ୍ଥିତିର ମୁୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ରାଜ୍ୟରେ କେଉଁଠି ପାୱାର‌୍ କଟ‌୍ ହେବାର ନାଁ ଗନ୍ଧ ନାହିଁ। ( ପାୱାର ଥିଲେ ସିନା କଟିବ, ତମେ ତ ଶଃ ସବୁ ତକ ପାୱାର ଲଡୁ ଗିଳି ଦେଇଛ, ଆଉ ଅଛି ଯେ କିଏ ଚାଟିବ) ଖରାଦିନେ ଅତ୍ୟଧିକ ଖରା ଯୋଗୁ ତାର ତରଳି ଯାଇ (!) କାଁ ଭାଁ ଲାଇନ‌୍ ଟ୍ରିପ‌୍ କରି ଯାଉଛି। ଏମନ୍ତ ବିଖ୍ୟାତ ଗାଲୁଆମାନେ ଏବେ ସର୍ବତ୍ର ବିଦ୍ୟମାନ। ଆଗେ ଗାଁ ଗହଳରେ ଯିଏ କାହା କଥା ଶୁଣୁ ନଥିଲା ତାକୁ ଗାଲୁଆ କହୁଥିଲେ। ଏବେ କିନ୍ତୁ ନେତା ଓ ଅଫିସର‌ମାନଙ୍କ ଛଡ଼ା ଆଉ କାହାକୁ ଗାଲୁଆ କହିବାର ଆବଶ୍ୟକତା ନାହିଁ। କାରଣ ଏବେ ଯେକୌଣସି ଅଧିକାରୀଙ୍କୁ କୌଣସି ସମସ୍ୟା ସଂପର୍କରେ ପଚାରିଲେ ତାଙ୍କ ଶ୍ରୀତୁଣ୍ଡରୁ ପ୍ରଥମେ ବାହାରି ଆସିବ- ସେଭଳି କିଛି ଅଭିଯୋଗ ଆମ ପାଖରେ ପହଂଚି ନାହିଁ। ଅଭିଯୋଗ ଆସିଲେ ନିଶ୍ଚିତ ପଦକ୍ଷେପ ନିଆଯିବ। କିଓ ବାବୁ, ଅଭିଯୋଗ ଆସିବ କ’ଣ! ତୁମର କାମ ପରା ସରକାରୀ ଯୋଜନା କେଉଁଠି କେମିତି ଚାଲିଛି ତାହା ନିଜେ କ୍ଷେତ୍ର ଉପରକୁ ଯାଇ ଅନୁଧ୍ୟାନ କରିବ! ସରକାର କ’ଣ ତୁମକୁ କେବଳ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ବସି କେବଳ ଲକ୍ଷ ଲକ୍ଷ ଟଙ୍କା ଦରମା ଆକାରରେ ଗଣି ନେବାକୁ ସୁବିଧା ଖଂଜି ଦେଇଛନ୍ତି? ଆପଣ ଯେତେ ଯାହା କୁହନ୍ତୁ ଏଇ କୁମ୍ଭୀର ଚର୍ମଧାରୀମାନଙ୍କୁ କିଛି କାଟିବ ନାହିଁ। କାରଣ ଏମାନେ ଅତୀତର ଅଶିକ୍ଷିତ ଗାଲୁଆ ନୁହନ୍ତି। ଏମାନେ ଉଚ୍ଚଶିକ୍ଷାର ସବଳ ଡିଗ୍ରିଧାରୀ। ଚିକଣ କଥା କହିବାରେ ପାରଙ୍ଗମ। ଫାଇଲ‌୍ ଚାଷରେ ଓସ୍ତାଦ। କାଗଜକଲମରେ ସବୁ କିଛି ଠିକ‌୍ ଠାକ‌୍ ଦର୍ଶାଇବାରେ ଅଭ୍ୟସ୍ତ। ରାଜକୋଷରୁ କୋଟି କୋଟି ଲୁଟିବାର କଳାରେ ପ୍ରବୀଣ। ଏମାନେ ପ୍ରବୀଣ ଗାଲୁଆ। ଏମାନେ ସରକାରଙ୍କ ଗେହ୍ଲାପୁଅ। କାଳେ ଉପଯୁକ୍ତ ବ୍ୟବହାର ନ ହେଲେ ଏମାନଙ୍କର ଏହି ବିଶେଷ ଦକ୍ଷତା ହ୍ରାସ ପାଇଯିବ ଏଇ ଆଶଂଙ୍କାରେ ସରକାର ମଝିରେ ମଝିରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ, ଭ୍ରମଣ ଆଦି ସୁବିଧା ଖଂଜାଇ ଦେଉଛନ୍ତି। ଯାହା ଫଳରେ ସେମାନେ ଗାଲୁଆମୀ ପ୍ରଦର୍ଶନରେ କେବେ ବି ପଛରେ ପଡିବାର ଆଶଂକା ବି ନାହିଁ। ଏବେ ଗାଲୁଆମୀକୁ ସରକାରୀ ଚାକିରିଆ ମାନଙ୍କର ଏକ ପ୍ରଫେସନାଲ‌୍ ଦକ୍ଷତା ବୋଲି ବିଚାର କରାଯାଉଛି। ସ୍କିଲ‌୍ ଇଣ୍ଡିଆ ଯଦି ଏମାନଙ୍କ ପାଇଁ ଲାଗୁ ହୋଇଥାନ୍ତା ତେବେ ଏମାନେ ଚନ୍ଦ୍ର ବା ମଙ୍ଗଳରେ ବି ନିଜର ଦକ୍ଷତା ପ୍ରଦର୍ଶନ କରି ଫେରନ୍ତେଣି। ରକ୍ଷା ହୋଇଛି ସେତିକି ହୋଇନାହିଁ। ସମୟ ବଦଳିବା ସହ ଗାଲୁଆ ମାନଙ୍କର ଦକ୍ଷତା ବିକାଶ ଘଟିଛି। ସେମାନଙ୍କର କାର୍ଯ୍ୟ ପରିସର ବଢିଛି। ଗାଲୁଆ ମାନଙ୍କର ବାରବାଟୀ ଚାଷ ବୋଲି ଓଡ଼ିଆ ଭାଷାରେ ପ୍ରସିଦ୍ଧ ବାକ୍ୟଟିଏ ପୂର୍ବରୁ ପ୍ରଚଳିତ ଅଛି। ହେଲେ ଆଧୁନିକ ସମୟରେ ଗାଲୁଆଙ୍କ ସଂଖ୍ୟା ବଢିଛି, ବୌଦ୍ଧିକ ବିକାଶ ଘଟିଛି। ପ୍ରତିକୂଳ ପରିବେଶରେ ଏଣ୍ଡୁଅ ଭଳ ରଙ୍ଗ ବଦଳାଇବାର କଳାରେ ସେମାନେ ବେଶ ପାରଙ୍ଗମ ହୋଇ ପାରଛନ୍ତି। ସୂଚନା ଅଧିକାର ଆଇନ ଲାଗୁ ହେବା ପରେ ଗାଲୁଆମାନଙ୍କ ମଧ୍ୟରେ ଏକପ୍ରକାର ଭାଳେଣୀ ପଡ଼ି ଯାଇଥିଲା। ଲୋକେ ବି ଭାବିଥିଲେ ଗାଲୁଆ ମାନଙ୍କର ପେଡ଼ି ଏଥର ଖୋଲିଯିବ। ହେଲେ ଗାଲୁଆ ମହାସଂଘର ହିଁ ଜୟ ହେଲା। ସରକାର ସୂଚନା କମିଶନଙ୍କୁ ଏଭଳି ଦୁର୍ବଳ କରି ରଖିଲେ ଯେ ଅଭିଯୋଗ ବର୍ଷ ବର୍ଷ ଧରି ପଡ଼ି ରହୁଛି। ଗାଲୁଆ ଅଫିସର‌୍ ଆଇନର ଫାଙ୍କ ଦେଇ ଆରାମରେ ଗଳି ପାରୁଛନ୍ତି ଆଉ ନିଶରେ ଘିଅ ମାରି ଅୟସରେ ବୁଲୁଛନ୍ତି। ଗାଲୁଆମାନଙ୍କର ଏହି ସଫଳତାରେ ଆମକୁ ଖୁବ‌୍ ଖୁସି ଲାଗୁଛି। ତେଣୁ ଆମେ ଏହି ଅବସରରେ ଏକ ସୁଚିନ୍ତିତ ପ୍ରସ୍ତାବ ରଖୁଛୁ। କେଉଁ ମସିଆ କାଳରେ ଗାଲୁଆ ମାନଙ୍କର ବାରବାଟୀ ଚାଷ ବୋଲି କେହି ଜଣେ କହିଥିଲେ। ଏବେ ତ ସେମାନଙ୍କୁ କେତେ ସୁରକ୍ଷା ଓ ସମ୍ମାନ ମିଳିଲାଣି। ଆଉ ବାରବାଟୀ ଭିତରେ ସେମାନେ ସୀମାବଦ୍ଧ ହୋଇ ରହିଛନ୍ତି ବୋଲି ଭାବିବା ମଧ୍ୟ ବୋକାମୀ। ତେଣୁ ଆଉ ଗାଲୁଆଙ୍କ ବାରବାଟୀ ଚାଷ କୁହା ନଯାଇ ଗାଲୁଆଙ୍କ ସାରା ଦେଶ ଚାଷ ବୋଲି କୁହାଯାଉ। ଏତିକି ଜାଗା ସେମାନଙ୍କ ଚାଷ ପାଇଁ ଯଥେଷ୍ଟ ନ ହେଲେ ସେମାନଙ୍କୁ ମହାକାଶକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉ। ଲୋକପ୍ରିୟ ସରକାର ମଧ୍ୟ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ସହସ୍ର କୋଟି ଟଙ୍କାର ବଜେଟ‌୍ ପ୍ରସ୍ତୁତ କରିଛନ୍ତି। ରାଜଧାନୀରେ ଏହି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଆମର ଅନୁରୋଧ ଗାଲୁଆମୀ ଭଳି ମହାର୍ଘ କଳାରେ ଦକ୍ଷତା ଅନୁଧ୍ୟାନ କରାଯାଇ ଟପ‌୍ ଗ୍ରେଡ‌୍ ଗାଲୁଆ ଅଧିକାରୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଉ। ଅଗ୍ରାଧିକାର ଭିତିରେ ସେମାନଙ୍କୁ ଆହୁରି ଅଧିକ ଗାଲୁଆମୀ କରିବାକୁ ପ୍ରଶିକ୍ଷଣ ଦିଆଯାଊ। ଭାବୁଛନ୍ତି କି ଏହା ଦ୍ୱାରା କାହାର କ’ଣ ଫାଇଦା ହବ? ଥୟ ଧରନ୍ତୁ। ଚମତ୍କାର ହବ। ଗାଲୁଆମୀ ଦକ୍ଷତା ବିକାଶ ଫଳରେ ଦେଶ ପୂରା ବଦଳିଯିବ! ଅର୍ଥମନ୍ତ୍ରୀମାନଙ୍କୁ ଆଉ ବଜେଟ‌୍ ପ୍ରସ୍ତୁତ ପାଇଁ ଝାଳନାଳ ହେବାକୁ ପଡ଼ିବ ନାହିଁ। କିଓ , ବଜେଟ‌୍ କ’ଣ ହବ? ଆମେ ତ ଚୁଟ‌କି ମାରି ଦିନକ ଭିତରେ ବୁଲେଟ‌୍ ଟ୍ରେନ‌୍ ଉଡ଼ାଇ ଦୋବୁ, କରକଚାମୟ ଲାଲ‌୍ ମାଟି ରାସ୍ତାରେ! ପରିବା ଦର ହୁ ହୁ ବଢିଲେ କହିବୁ ସାଙ୍ଗେ ସାଙ୍ଗେ କମାଇ ଦୋବୁ। ତା’ ପରେ କହିବୁ ଖରା ବଢିଲା , ବର୍ଷା ହେଉ, ଦର ନିଶ୍ଚିତ କମିବ। ଡାଲି ଦର ବଢିଲେ କହିବୁ, ବେପାରୀଙ୍କୁ ଜେଲ‌ରେ ଠୁଙ୍କି ଦେବୁ। ଡାଲି ଅଷ୍ଟ୍ରେଲିଆରୁ ମଗାଇଛୁ , ଆର ସପ୍ତାହକୁ ଦେଖ ରେଟ‌୍ ଚତ‌ପଟାଙ୍ଗ ମାରିବ। ସମୟ ଆସିବ ସରକାର ଗୋଟିଏ ବି ଟଙ୍କା ବ୍ୟୟ ନ କରି ସମସ୍ତ ଯୋଜନା ଚଳାଇ ପାରିବେ। ପାଣି ଟୋପାଏ ନଥାଇ ମଧ୍ୟ ବନ୍ୟା ଓ ରିଲିଫ‌୍ ପ୍ରଦାନର ପ୍ରଚାର ହୋଇ ପାରିବ। ଗାଲୁଆଙ୍କ ମୁହଁଟାଣ କରାମତି ଆମ ସମନ୍ୱିତ ପ୍ରଗତିର ପ୍ରମାଣ। ତେଣୁ ଭାରତ ରତ୍ନକୁ ଉଠାଇ ଦିଆଯାଉ। ପ୍ରସିଦ୍ଧ ଗାଲୁଆମାନଙ୍କୁ ଗାଲୁରତ୍ନ ସମ୍ମାନରେ ସମ୍ମାନିତ କରାଯାଉ। ସେମାନଙ୍କ ଦକ୍ଷତାରେ ମୁଗ‌ଧ ଦେଶବାସୀ ଖୁସିରେ କୁରୁଳି ଉଠିବେ। ଗାଲୁଆଙ୍କ ଚାଷ ପାଇଁ ଆଉ ମାଟି ପାଉନି। ସେମାନଙ୍କୁ ମହାକାଶ ପଠାଇବାକୁ ସ୍ୱତନ୍ତ୍ର ମିଶନ ଗଢାଯାଉ। ଗାଲୁଆମୀ ଜିନ୍ଦାବାଦ! ଅଢେଇଗୁଣ୍ଡି, କାନପୁର, କଟକ-୭୫୪୦୩୭, ମୋ-୮୭୬୩୪୯୫୯୨୯

Share :