ପ୍ରତିଶ୍ରୁତି ଦେଇ ପାଳନ କରୁନି ପ୍ରଶାସନ

ପ୍ରତିଶ୍ରୁତି ଦେଇ ପାଳନ କରୁନି ପ୍ରଶାସନ

Share :

ହୋଇପାରୁନି ସୂର୍ଯ୍ୟମନ୍ଦିର ହସ୍ତଶିଳ୍ପ ବ୍ୟବସାୟୀଙ୍କ ଥଇଥାନ   କୋଣାର୍କ ଏକ ଅାନ୍ତର୍ଜୀତୀୟ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ମଧ୍ୟ ଏଠାରେ ବହୁବିଧ ସମସ୍ୟା ସମାଧାନ କରିବା ଦିଗରେ ପ୍ରଶାସନିକ ଅବହେଳା ଓ ଉଦାସୀନତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ଥଇଥାନ କରିବା ଦିଗରେ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଏଯାବତ ପାଳନ କରାଯାଇ ନାହିଁ। ହସ୍ତଶିଳ୍ପ ବଜାର ଥଇଥାନ ସଂପର୍କରେ ପୂର୍ବରୁ ସଂପୃକ୍ତ ବ୍ୟବସାୟୀମାନେ  ଅାରଡ଼ିସି, ପୁରୀ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର. ନେତା ଓ ମନ୍ତ୍ରୀଙ୍କୁ ପତ୍ରଲେଖି ଜଣାଇବା ସହ ଦାବି ହାସଲ ନିମନ୍ତେ ବିଭିନ୍ନ ସମୟରେ ଅାନ୍ଦୋଳନ କରିଅାସୁଥିଲେ ମଧ୍ୟ ପ୍ରଶାସନ ମିଥ୍ୟା ପ୍ରତିଶ୍ରୁତିଦେଇ ସେମାନଙ୍କୁ ଭଣ୍ଡାଇ ଅାସୁଥିବା ହସ୍ତାଶିଳ୍ପ ବ୍ୟବସାୟୀ ମହାସଂଘର ସଭାପତି ସୁବାସ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 2003 ମସିହାରେ ସୂର୍ଯ୍ୟମନ୍ଦିର ପ୍ରବେଶ ଦ୍ବାରର ଉଭୟ ପାର୍ଶ୍ବରେ 50 ବର୍ଷ ଧରି ଦୋକାନ କରିଅାସୁଥିବା 116 ଜଣ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇ ରିଙ୍ଗ ରୋଡ଼ ସଂଲଗ୍ନ ଏଏସଅାଇ ଗାଡ଼ିପାର୍କିଂ ପାଖରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଥିଲା। ଏହି ବ୍ୟବସାୟୀମାନେ ଯେପରି ସୁରୁଖୁରୁରେ ବେପାର କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ କେତେକ ବ୍ୟବସ୍ଥା କରାଯାଇଥିଲା। ଏହି ବ୍ୟବସ୍ଥା ଅନୁଯାୟୀ ପର୍ଯ୍ୟଟକମାନେ ଏଏସଅାଇ ଗାଡ଼ିପାର୍କିଂରେ ଓହ୍ଲାଇ ହସ୍ତଶିଳ୍ପ ବଜାର ମଧ୍ୟଦେଇ ଚାଲିଚାଲି ମନ୍ଦିର ପରିଦର୍ଶନରେ ଅାସିବା ପାଇଁ ନୀତି ନିର୍ଦ୍ଧାରଣ କରାଯାଇଥିଲା।ା ଏଥିପାଇଁ ମେଡ଼ିକାଲ ଛକ ଓ ଡ଼ାକବଙ୍ଗଳା ପଟୁ ସୂର୍ଯ୍ୟମନ୍ଦିର ଅାଡ଼କୁ ଅାସିଥିବା ରାସ୍ତାକୁ ଗାଡ଼ିଚଳାଚଳ ଓ ଏହି ନିଷିଦ୍ଧାଞ୍ଚଳରେ କୌଣସି ହସ୍ତଶିଳ୍ପ ବ୍ୟବସାୟୀ ଖୋଲା ଯାଇପାରିବ ନାହିଁ ବୋଲି ବାରଣ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଦାୟିତ୍ବରେ ଥିବା ଏଏସଅାଇର ଅଧିକାରୀ ଓ ପୁଲିସ ପ୍ରଶାସନ ଏହି ନିୟମର ବିରୁଦ୍ଧାଚରଣ କରିବାରୁ ହସ୍ତଶିଳ୍ପ ବ୍ୟବସାୟୀମାନେ ହାତ ବାନ୍ଧି ବସିରହିଲେ। ଏହାର ସୁଯୋଗ ନେଇ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳର ରାସ୍ତା କଡ଼ରେ ଶତାଧିକ ଉଠାଦୋକାନୀ ବ୍ୟବସାୟ ଅାରମ୍ଭ କରିଦେଲେ। ପୁଲିସ ପର୍ଯ୍ୟଟକମାନଙ୍କର ଛୋଟ ବଡ଼ ଗାଡ଼ିଗୁଡ଼ିକରୁ ବଟି ଅାଦାୟ କରି ଗାଡ଼ିଗୁଡ଼ିକୁ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ‘ନୋ ପାର୍କିଂ ଜୋନ ତଥା ସାଇଲେନ୍ସ ଜୋନ’ ଇଲାକାକୁ ଯିବା ପାଇଁ ଅନୁମତି ଦେଉଥିବାରୁ ହସ୍ତଶିଳ୍ପ ବଜାର ଦେଇ ପର୍ଯ୍ୟଟକମାନେ ଚାଲିଚାଲି ଅାସିବା ଯୋଜନା ବିଫଳ ହୋଇଥିଲା। ଇଣ୍ଡିଅାନ ଅଏଲ ଫାଉଣ୍ଡେସନ ପକ୍ଷରୁ  ପ୍ରସ୍ତୁତ କରାଯାଇଥିବା ସୂର୍ଯ୍ୟମନ୍ଦିରର ପାରିପାଶ୍ବିର୍କ ବିକାଶ ଯୋଜନାରେ ମଧ୍ୟ ହସ୍ତଶିଳ୍ପ ବ୍ୟବସାୟୀମାନଙ୍କ  ନିମନ୍ତେ କୌଣସି ଥଇଥାନର ବ୍ୟବସ୍ଥା  କରାଯାଇ ନାହିଁ। ଦୀର୍ଘ ଦିନ ଧରି ପ୍ରଶାସନିକ ଉଦାସୀନତାର ଶୀକାର ହୋଇଅାସିଥିବା ବ୍ୟବସାୟୀମାନେ ବାଧ୍ୟ ହୋଇ ଗୁଜୁରାଣ ମଣ୍ଟାଇବାକୁ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ନିଷିଦ୍ଧାଞ୍ଚଳରେ 2013 ମସିହା ଜାନୁୟାରୀ ମାସ 25 ତାରିଖଠାରୁ ଏଯାବତ ବ୍ୟବସାୟ କରିଅାସୁଛନ୍ତି। ଇତି ମଧ୍ୟରେ 38 ମାସ ବିତି ଯାଇଥିଲେ ମଧ୍ୟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଥଇଥାନ ସଂପର୍କରେ କେହି କେବେ ଚିନ୍ତା କରୁ ନାହାନ୍ତି। ହସ୍ତଶିଳ୍ପ ବ୍ୟବସାୟୀଙ୍କ ଉପଯୁକ୍ତ ଥଇଥାନ ଦାବିକରି ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘର ସଭାପତି ସୁବାସ ନାୟକ ଓ ଅନ୍ୟ କର୍ମକର୍ତ୍ତାମାନେ ଗତ 19 ତାରିଖରେ ପୁରୀର ସାଂସଦ ପିନାକି ମିଶ୍ରଙ୍କୁ ଭେଟି ଏକ ଦାବି ପତ୍ର ଦେଇଥିଲେ। ହସ୍ତଶିଳ୍ପ ବ୍ୟବସାୟୀଙ୍କ ଦାବିପତ୍ର ଦେଖିବା ପରେ ସାଂସଦ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରି କେନ୍ଦ୍ରେ ପର୍ଯ୍ୟଟନ, ସଂସ୍କୃତି ଓ ବେସାମରୀକ ବିମାନ ଚଳାଚଳ ମନ୍ତ୍ରୀ ଡଃ ମହେଶ ଶର୍ମା ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଛନ୍ତି। ଏଠାରେ ସୂଚନାଯୋଗ୍ୟ କି ହସ୍ତାଶିଳ୍ପ ବ୍ୟବସାୟୀ ମହାସଂଘର ସଭାପତି ସୁବାସ ନାୟକ ଗତ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ପର୍ଯ୍ୟଟନ, ସଂସ୍କୃତି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଡଃ ମହେଶ ଶର୍ମା, ଏଏସଅାଇର ମହାନିର୍ଦ୍ଦେଶକ ରାକେଶ ତିୱାରୀ, ବିଶ୍ବ ଐତିହ୍ୟର ସଂରକ୍ଷଣ ନିର୍ଦ୍ଦେଶକ ଜାହ୍ନବୀଜ ଶର୍ମା, ପୁରୀ ସାଂସଦ ଶ୍ରୀ ମିଶ୍ରଙ୍କ ସହିତ ସାକ୍ଷାତ ଅାଲୋଚନା କରିଥିବା ବେଳେ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଥଇଥାନ ସଂପର୍କରେ ଦାବିପତ୍ର ପ୍ରଦାନ କରିଥିଲେ ା

Share :