କୋଣାର୍କରେ ହୋଲି ଖେଳିଲେ ବିଦେଶୀ

କୋଣାର୍କରେ ହୋଲି ଖେଳିଲେ ବିଦେଶୀ

Share :

ପାଶ୍ଚ୍ଯାତ୍ୟ ସଂସ୍କୃତିକୁ ଅାପଣାଇ ଅାମେ ଅାମ ପରମ୍ପରା ଓ ସଂସ୍କୃତିକୁ ଭୁଲିଯାଉଥିବା ବେଳେ ବିଦେଶୀ ପର୍ଯ୍ୟଟକମାନେ ଅାମ ସଂସ୍କୃତି ଓ ପରମ୍ପରାକୁ ଅାପଣେଇ ନେଇ ବିଭିନ୍ନ ଉତ୍ସବକୁ ଧୁମଧାମରେ ପାଳନ କରୁଛନ୍ତି। ଏହାର ଏକ ନିଛକ ପ୍ରତିଛବି ଦେଖିବାକୁ ମିଳିଛି ଏଠାରେ ା କୋଣାର୍କ ଭ୍ରମଣରେ ଅାସିଥିବା ବିଦେଶୀ ପର୍ଯ୍ୟଟକମାନେ ଗୁରୁବାର ଦିନ ତମାମ କୋଣାର୍କ-ପୁରୀ ବେଳାମାର୍ଗ ସ୍ଥିତ ଘରୋଇ ରେସ୍ତୋରାଁ ଲୋଟସ ରିସୋର୍ଟ ପରିସରରେ ରଙ୍ଗର ପର୍ବ ହୋଲି ଉତ୍ସବକୁ  ଧୁମଧାମରେ ପାଳନ କରିଛନ୍ତି। ଭାରତ ଭ୍ରମଣରେ ଅାସିଥିବା ୨୦ ଜଣ ରୁଷୀୟ ନାଗରିକ କୋଣାର୍କ-ପୁରୀ ବେଳାମାର୍ଗର ମା’ ରାମଚଣ୍ଡୀଙ୍କ ପୀଠ ନିକଟରେ ଅବସ୍ଥିତ ଲୋଟସ୍ ରିସୋର୍ଟ ପରିସରରେ ରହିବା ଅବସରରେ ରଙ୍ଗର ପର୍ବ ହୋଲି ଉତ୍ସବକୁ ନାଚ ଗୀତ ମଧ୍ୟରେ ଅାନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ। ବଙ୍ଗୋପସାଗରର ନୀଳ ଜଳରାଶିର ସୁଉଚ୍ଚ ଜୁଅାରର ଭୀମକାନ୍ତି ଗର୍ଜନ ସାଙ୍ଗକୁ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ଜଳକ୍ରୀଡା ଓ ଝାଉଁ ଜଙ୍ଗଲ ପରିବେଷ୍ଟିତ ପ୍ରାକୃତିକ ସୁଷମାରେ ଭରା ଶୋଭା ମଧ୍ୟରେ ଲୋଟସ୍ ରିସୋର୍ଟ ପରିସର ହୋଇଉଠିଥିଲା ବିଭିନ୍ନ ପ୍ରକାର ପ୍ରାକୃତିକ ରଙ୍ଗରେ ରଙ୍ଗୀନ। ହୋଲି ଉତ୍ସବ ପାଳନ ଅବସରରେ ଏହି ବିଦେଶୀ ପର୍ଯ୍ୟଟକମାନେ ଓଡିଅାଙ୍କ ପାରମ୍ପାରିକ ବେଶ ପୋଷାକ ପରିଧାନ କରିଥିଲେ। ରଙ୍ଗ ଖେଳିବା ପୂର୍ବରୁ ସେମାନେ ପରସ୍ପର ମଧ୍ୟରେ ମିଷ୍ଠାନ୍ନ ବଣ୍ଟନ କରି ପ୍ରାକୃତିକ ରଙ୍ଗ(ଅବିର)କୁ ପରସ୍ପର ଦେହରେ ଲଗାଇ ନାଚ ଗୀତରେ ମସଗୁଲ ହୋଇ ଏକ ସ୍ବେରରେ ହାପି ହୋଲିର ନାରା ଦେଇଥିଲେ। ରୁଷୀୟ ନାଗରିକ ଡଃ ମାଇକେଲ ଏହି କାର୍ଯ୍ୟକ୍ରମର ନେତୃତ୍ବର  ନେଇଥିଲେ। ଏହି ଅବସରରେ ଲୋଟସ ରିସୋର୍ଟରେ ରହୁଥିବା ଅନ୍ୟ ପର୍ଯ୍ୟଟକମାନେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ସହ ହୋଲି ଖେଳରେ ମଜି ରହିଥିଲେ। ଲୋଟସ ରିସୋର୍ଟ ପରିଚାଳକ ଭରତ ଭୂଷଣ ବିଶ୍ବାଳ ଓ ଲୋଟସର ସମସ୍ତ କର୍ମଚାରୀମାନେ ବିଦେଶୀ ନାଗରିକମାନଙ୍କୁ ଉତ୍ସାହିତ କରିଥିଲେ। ଲୋଟସ୍ ରିସୋର୍ଟ ପକ୍ଷରୁ ଅାୟୋଜିତ ଏହି ଉତ୍ସବକୁ ବିଦେଶୀ ନାଗରିକମାନେ ମନଭରି ଉପଭୋଗ କରିଥିଲେ। ବିଦେଶୀ ନାଗରୀମାନଙ୍କୁ ଅାମ ସଂସ୍କୃତି ଓ ପରମ୍ପରା ସହିତ ପରିଚିତ କରାଇବା ସହ ଲୋଟସ ରିସୋର୍ଟ ପରିସରରେ ହୋଲି, ଦିବାଲି, ଜାଗର ଓ ଦଶହରା ଇତ୍ୟାଦି ଉତ୍ସବକୁ ବିଦେଶୀ ପର୍ଯ୍ୟଟକଙ୍କ ଗହଣରେ ପାଳନ କରାଯାଇ ଥାଏ। ଏଠାକୁ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ଅାଗମନକୁ ଦୃଷ୍ଟିରେ ରଖି ଏଭଳି ପ୍ରୟାଶ କରାଯାଉଛି ଏବଂ ଏହି ପ୍ରୟାସରୁ ଅାମକୁ ସଫଳତା ମଧ୍ୟ ମିଳିଛି ବୋଲି ଲୋଟସ ରିସୋର୍ଟ ପରିଚାଳକ ଶ୍ରୀ ବିଶ୍ବାଳ କହିଛନ୍ତି।

Share :