ମଣ୍ଡଳରୁ କମଣ୍ଡଳ

ମଣ୍ଡଳରୁ କମଣ୍ଡଳ

Share :

ରବି କାନୁନଗୋ   କେଇ ଦିନ ତଳର ଦୁଇଟି ଖବର, ୟେ’କୁ ଆରେକ ବଳିୟାନ ଜାଠ ଆରକ୍ଷଣ ଦାବି କଥା ବିଚାର କରିବାକୁ କେନ୍ଦ୍ର ସରକାର କମିଟି ବସେଇବେ ପ୍ରଧାନମନ୍ତ୍ରୀ କହିଛନ୍ତିି - ମୋ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଚାଲିଛି ଏକ ନମ୍ବର ଖବରକୁ ପରିହାସ କରି ଆମ ଭାଷାରେ ଅନେକ ଋଢ଼ି କୁହାଯାଏ। ସେଥିରୁ ବହୁପ୍ରଚାରିତ ଗୋଟିଏ ହେଲା - ଅମୁକ ସେଇ କାମଟା କରନ୍ତି, ଖାଲି ବଅସ ଗଡ଼େଇ ମରନ୍ତି। ଯୁକ୍ତିରେ ବି ପଚରା ଯାଇପାରେ - ଭାଜପା ଏ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତି ନ ଥିଲା କି? ମନେ ଅଛି, କାଳେ ଭାଜପାକୁ ଦଳ ଭାବେ ଜାଠମାନେ ବିଶ୍ବାସ ନ କରିବେ, ତେଣୁ ଏ ଘୋଷଣା କରିବାକୁ ଖାସ୍ ସଂଘ ପ୍ରମୁଖ ମୋହନ ଭଗବତ ଜୀ ଆସିଥିଲେ ଜାଠ ନେତା କହୁଛନ୍ତି, ଆମେ ତାଙ୍କୁ ବିଶ୍ବାସ କଲୁ! ଭାଜପାକୁ ନୁହେଁ। ସରକାର କୋଟା ବିଷୟରେ କିଛି ପଦକ୍ଷେପ ନେଉନାହଁାନ୍ତି ବୋଲି ସେମାନେ ’ସାମାନ୍ୟ’ (ସାଧାରଣ) ଧ୍ୟାନ-ଆକର୍ଷଣକାରୀ ବିକ୍ଷୋଭ ପ୍ରଦର୍ଶନ କଲେ! ତାହା ଏତେ ’ସାମାନ୍ୟ’ ଯେ ସେଥିରେ ଏପର୍ଯ୍ୟନ୍ତ ପୁଲିସ ଗୁଳିରେ ବାର ଜଣ ଆନ୍ଦୋଳନକାରୀ ମରିଛନ୍ତି ଏବଂ ଆହୁରି କେତେ ଆହତ ହୋଇଛନ୍ତି। ଦିଲ୍ଲୀ-ନଏଡ଼ାରେ ପିଇବା ପାଣି ଅଭାବ ହେଲା ଏବଂ ହରିୟାନାର ସାତଟି ଜିଲ୍ଲାରେ ସେନା ମୁତୟନ ହେଲେ। ଏଣେ ଭଗବତ୍ ଜୀ ସାଧାରଣ ବିରକ୍ତି ପ୍ରକାଶ କରି କହିଛନ୍ତି - ଯୋ କର୍ନି, ସୋ ଭର୍ନି। ସରକାର ଯାହା କରିବ ତା’ ଫଳ ସିଏ ପାଇବ! ସରକାର ନିଜ ଗତିପଥ ବଦଳାନ୍ତୁ ନ ହେଲେ ଲୋକଙ୍କ ତତଲା ନିଶ୍ବାସରେ ସବୁ ଭଷ୍ମ ହୋଇଯିବ।  ଗତ ବିଜୟା ଦଶମୀ ଔପଚାରିକ ଭାଷଣରେ ସେ ପ୍ରଧାନମନ୍ତ୍ରୀଙ୍କ ନଁା ନେଇ ଢେର୍ ପ୍ରଶଂସା କରିଥିଲେ। ସରକାର ଉପରେ ଆସ୍ଥା ରଖିବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ଏଥର ସେ କାହାରି ନଁା ନେଇ ସରକାରକୁ ଗାଳି ଦେଇଛନ୍ତି। ସଙ୍ଘ ଛାଡ଼ିଲେ ଭାଜପା ପାଇଁ ଆଦର୍ଶ ନାହିଁ। ଧରିଲେ ଆଗକୁ ଯିବା ମାର୍ଗ ନାହିଁ। କର୍ଫୁ, ସୁଟ୍-ଆଟ୍-ସାଇଟ୍ ଅର୍ଡର ସତ୍ତ୍ବେ ଆନ୍ଦୋଳନ ସଂପୂର୍ଣ୍ଣ ଥମିଲା ନାହିଁ। ରାଜ୍ୟରେ ଭାଜପା ସରକାର ଜାଠ ଆରକ୍ଷଣ କଥାରେ ମୁହଁ ଲୁଚେଇବା ପରି ଢଙ୍ଗ ଦେଖୋଉଚି। କେନ୍ଦ୍ର ସରକାର କମିଟି ବସେଇବେ, ଏ ଘୋଷଣା ପରେ ବି ଆନ୍ଦୋଳନ ପ୍ରଶମିତ ହଲା ନାହିଁ। ପ୍ରତିଶ୍ରୁତି ଦିଆଗଲା, ପୂରଣ ହେଲାନି, ତେଣୁ ପୁଣି ଆନ୍ଦୋଳନ ହେଲା। ଜାଠ ଜାତିର ଲୋକେ ମୂଳ ବୃତ୍ତିରେ ଚାଷୀ। ଉତ୍ତର-ଭାରତ ଜାତି ବିଚାରରେ ଏମାନେ ଇଜ୍ଜତଦାର୍। ଅତୀତରେ ଏ ଜାତି ରାଜକୀୟ ଥିଲା ଓ ପରେ ସର୍ବସାଧାରଣ ହୋଇଗଲା। ଆଗେ ଏମାନେ ନିଜକୁ ରାଜବଂଶଜ ବା କ୍ଷତ୍ରୀୟ ଭାବୁଥିଲେ ଏବଂ ଦାରିଦ୍ର୍ୟ ଚାପରେ ପଡ଼ି ଏବେ ଖଣ୍ଡାୟତ କହି କୋଟା ମାଗୁଛନ୍ତି। ଏମାନେ ବେଶ୍ ସଂଗଠିତ ଏବଂ ଭୋଟ୍ କଣ୍ଟ୍ରୋଲ୍ କରି ପାରନ୍ତି। ମହାରାଜା ରଣଜିତ୍ ସିଂହ, ପୂର୍ବ ଲୋକସଭା ଅଧ୍ୟକ୍ଷ ବଳରାମ ଝାକର, ଚୌଧୁରୀ ବଂଶୀ ଲାଲ, ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଏଇ ଜାତିର ଲୋକ। ମଧ୍ୟପ୍ରଦେଶ, ୟୁ.ପି., ହରିୟାନା, ରାଜସ୍ଥାନରେ ଏ ଜାତିର ଲୋକେ ଗହଳ ପରିମାଣରେ ମିଳନ୍ତି। କେବଳ ହରିୟାନା ଲୋକସଂଖ୍ୟାର ଏମାନେ ହେଉଛନ୍ତି 29%। ସେମାନେ ଓବିସି ଷ୍ଟାଟସ୍ ଦାବି କରନ୍ତି ମାତ୍ର ସେଠାକାର ବସ୍ତୁସତ୍ୟ ହେଲା, ରାଜ୍ୟ ଆରମ୍ଭ (1966)ରୁ ଏପର୍ଯ୍ୟନ୍ତ ସେଠି 10 ଜଣ ମୁଖ୍ୟମନ୍ତ୍ରୀ ଭିତରୁ ମାତ୍ର ଜଣେ ହେଲେ ଅଣ-ଜାଠ। ସେ ହେଉଛନ୍ତି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାଜପାର ମୋହନ ଲାଲ୍ ଖଟ୍ଟର। ଜାଠ-ଆରକ୍ଷଣ ଓ ଆନ୍ଦୋଳନର ବହୁ ଖଟା ମିଠା ବୁନିଆଦି। 1991ରେ ମଣ୍ଡଳ କମିସନ୍ ରିପୋର୍ଟ ପରେ ଏମାନଙ୍କୁ ‘ଓବିସି’ରେ ଜାଗା ମିଳିଥାନ୍ତା, ମାତ୍ର ସେମାନେ ନିଜକୁ ଉଚ୍ଚ-ଜାତି ବୋଲି ଦାବି କରି ଅଲଗା ସ୍ପେସାଲ୍ ଓବିସି ଜରିଆରେ 4.5% ଆରକ୍ଷଣ ଖୋଜିଲେ। କାରଣ ସେମାନେ ଛୋଟ ଜାତିଙ୍କ ସହିତ ମିଶିବେନି ମାନେ, ଭିକ ମାଗିବାକୁ ଲାଇନ୍ ଦେଲାବେଳେ ବି ଛୁଅଁାଅଛୁଅଁା ବାରଣ! ଯାହାହେଉ, ନେସନାଲ୍ ବ୍ୟାକୱାର୍ଡ଼ କମିସନ ଏ ପ୍ରସ୍ତାବ ଖାରଜ କଲା। କଥା ସରିଲା। ପୁଣି 2004ରେ କଂଗ୍ରେସ ପ୍ରସଙ୍ଗ ଉଖାରିଲା। ସୁଦୁ ପ୍ରତିଶ୍ରୁତି ଦେଇ ଓ କମିଟି କମିସନ ଇତ୍ୟାଦି ବସେଇ ଭୁପୀନ୍ଦର ସିଂହ ହୁଦା (2004ରୁ ’14) ନଅ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ। ତେଣୁ ଏ ବିବାଦ ଭାଜପା କୃତ ବା ସମର୍ଥୀତ ନୁହେଁ। କେବଳ ପାଗଯୋଗ ବିଗିଡ଼ି ଯାଇଛି। ଭାଜପା କେନ୍ଦ୍ର ଓ ରାଜ୍ୟ ଶାସନରେ ରହିଛି ଏବଂ ଜାଠ ସମର୍ଥନ ହାସଲ କରିବାକୁ ହଁରେ ହଁ କହି ତାଳି ମାରିଦେଇଥିଲା। ଦ୍ବିତୀୟ ପ୍ରସଙ୍ଗ : ସରକାର ଭାଙ୍ଗିବା ଷଡ଼ଯନ୍ତ୍ର। ଗଣତନ୍ତ୍ର ଚଳେଇବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଆଉ ଅଧିକ କେତେ ସମର୍ଥନ ବା କ୍ଷମତା ଦରକାର? ପୂର୍ବ ଲୋକସଭାରେ ଭାଜପାର ଆସନ ସଂଖ୍ୟା ଥିଲା ମାତ୍ର 116। 2014ରେ ବଢ଼ି ତାହା ହେଲା 282 ଏବଂ ଏନ.ଡି.ଏ. ମିଶେଇଲେ ହୋଇଛି 336। ତେବେ ଚକ୍ରାନ୍ତ, ଅଭିସନ୍ଧି ବା ଷଡ଼ଯନ୍ତ୍ର ପରି ଡର କାହିଁକି?

Share :