ମାତା ଓ ମାତୃଭାଷା

ମାତା ଓ ମାତୃଭାଷା

Share :

ବିଜୟମୋହନ ମିଶ୍ର   ମାତା ମୋ’ ଜନନୀ ଜୀବନ ବିନ୍ଧାଣୀ              ମାତା ମୋ’ ପ୍ରାଣର ଡୋରି ୤ ମାତା ମୋ’ କରଣୀ କ୍ଷୁଧା ନିବାରିଣୀ ଆପଦ ନଉକା ତରୀ ୥ ମାତା କହେ କଥା ମନର ଭାବନା   ଆଖିରେ ତାହାର ଠାର ୤ ମାତାର ବଚନ ହୃଦୟ ସ୍ପନ୍ଦନ        ମରମ ଧରମ ଗାର ୥ ତା’ ଭାଷା ପ୍ରୀତିର ସ୍ନେହ ସୌହାର୍ଦ୍ଦ୍ୟର            ଅବାରିତ ଜଳଧାରା ୤ ନାହିଁ ତା’ ବନ୍ଧନ ଭାବ ଚିରନ୍ତନ                  ପ୍ରେମ ପୁଲକ ଅସରା ୥ ଭାଷା ତା’ ମଉନ ନାହିଁ ବ୍ୟାକରଣ                ନାହିଁ ଆଉ ରୀତିନୀତି ୤ ଭାଷା ତା’ ସଜଳ ଆଖିର କଜଳ                  ଅନନ୍ତ ପ୍ରକୃତି ଗୀତି ୥ ମୋ’ ମା’ର ଭାଷା ପ୍ରକୃତିର ଭାଷା         ପବନ ତାହାର ଦେହ ୤ ମାଟି ତା’ର ଗୁଣ ଜ୍ଞାନ ତା’ ତପନ                ପାଣି ନିଏ ତା’ର କୋହ ୥ ସବୁ ମା’ ଭାଷା ଶିଶୁର ଭରସା ପଶୁ ପକ୍ଷୀ କୀଟ ପ୍ରାଣୀ ୤ ନାହିଁ ତା’ର ଭେଦ ଭାଷା ତା’ ଅଭେଦ ଅକୁହା ମମତା ବାଣୀ ୥ ମାତୃଭାଷା ବୁଝ ହେ ଜ୍ଞାନୀ ମଣ୍ଡଳୀ ଆପଣା ମନର କଥା ୤ ପ୍ରକାଶ ନ ଥାଏ ଭାବନାରେ ଘର ନାହିଁ ତା’ର କେବେ ବ୍ୟଥା ୥ (ର୍ହାର୍ଭାର୍ଡ୍ ବିଶ୍ୱବିଦ୍ୟାଳୟରେ ଅଷ୍ଟାଦଶ ଭାରତ କବି ସମ୍ମିଳନୀରେ ପଠିତ, ୨୦୧୪ ମେ’ ୧୭.) ବୋଷ୍ଟନ୍‌, ଯୁକ୍ତରାଷ୍ଟ୍ର ଆମେରିକା

Share :