ସର୍କାରକା ମାଲ୍ ଦରିଆ ମେଁ ଡାଲ୍

ସର୍କାରକା ମାଲ୍ ଦରିଆ ମେଁ ଡାଲ୍

Share :

କୋଣାର୍କ ବାଦ୍ୟ ନିର୍ଝରିଣୀ ଅଚଳ   ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ନିମନ୍ତେ କୋଣାର୍କ ହାଟକୁ ଚଳଚଞ୍ଚଳ କରିବା ଉଦ୍ଦେଶ୍ୟରେ 2013 ମସିହା ମେ 29 ତାରିଖ ପୂର୍ବାହ୍ନରେ କୋଣାର୍କ ଅର୍ବାନ ହାଟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଥିଲା ‘ବାଦ୍ୟ ନିର୍ଝରିଣୀ’। ପ୍ରତ୍ୟେକ ଦିନ ସନ୍ଧ୍ୟା 6ଟାରୁ ରାତ୍ର 8 ପର୍ଯ୍ୟନ୍ତ ଏହା ଚାଲିବା କଥା। କିନ୍ତୁ ଲୋ ଭୋଲଟେଜ ପାଇଁ  ସବୁଦିନ ‘ବାଦ୍ୟ ନିର୍ଝରିଣୀ’ ଦେଖିବାକୁ ସୁଯୋଗ ମିଳି ନ ଥିଲା ଦର୍ଶକଙ୍କୁ ା ଏପରି ସମସ୍ୟା ଦେଖା ଦେବାରୁ କର୍ତ୍ତୃପକ୍ଷ ଅର୍ବାନ ହାଟ ପରିସରରେ ନୂତନ ଭାବେ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫରମର ବସାଇ ‘ବାଦ୍ୟ ନିର୍ଝରିଣୀ’କୁ ସଚଳ କରାଇଲେ ା ହେଲେ ଖରାଦିନରେ ଏହି ପୁଷ୍କରଣୀରେ ପାଣି ସମସ୍ୟା ଦେଖା ଦେବାରୁ ଏହା ଚାଲି ପାରିଲା ନାହିଁ ା ଅନେକ ସମୟରେ ପାଇପ ମାଧ୍ୟମରେ ପୁଷ୍କରଣୀରେ ପାଣି ଭର୍ତ୍ତି କରାଯାଇ ବାଦ୍ୟ ନିର୍ଝରିଣୀ ଚାଲୁ କରାଯାଉଥିଲେ ମଧ୍ୟ ଦର୍ଶକ ଭରପୂର ମନୋରଞ୍ଜନ କରିପାରୁ ନ ଥିଲେ ା ‘ସରକାରକା ମାଲ୍, ଦରିଆମେଁ ଡାଲ’ ନୀତିରେ ବାଦ୍ୟ ନିର୍ଝରିଣୀ ନିର୍ମାଣ ବାବଦ 34 ଲକ୍ଷ ଟଙ୍କା ପାଣିରେ ପଡିଲା। ଏବେ ଏହା ସନ୍ଧ୍ୟା ସମୟରେ ଆଉ ଚାଲିପାରୁ ନାହିଁ ା ଏଠାରେ ସୂଚନା ଥାଉକି ରାଜ୍ୟ ସରକାରଙ୍କ ‘ଇଡ଼କୋ’ ସଂସ୍ଥା ପକ୍ଷରୁ 2007 ମସିହାରେ କୋଣାର୍କର ସୂର୍ଯ୍ୟମନ୍ଦିର ନିକଟସ୍ଥ  4.15 ଏକର ଜମିରେ 2 କୋଟି 67 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ‘କୋଣାର୍କ ହାଟ’ ଯାହାକୁ ସମସ୍ତେ ଅର୍ବାନ ହାଟ କହୁଛନ୍ତି। ନିକଟସ୍ଥ ହସ୍ତଶିଳ୍ପ କାରିଗରମାନଙ୍କୁ ସେମାନଙ୍କର କାରୁକର୍ଯ୍ୟ ବିକ୍ରୟର ସୁଯୋଗ ଦେବା ସହ ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟକୁ ଦେଶ ବିଦେଶରେ ପର୍ଯ୍ୟଟକମାନଙ୍କ ନିକଟରେ ପରିଚିତ କରିବା ଥିଲା ଏହି ହାଟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ନିର୍ମାଣ ହେବାର କିଛିଦିନ ପର୍ଯ୍ୟନ୍ତ ଏହା ଭୂତ କୋଠି ହୋଇ ପଡିରହିଥିଲା। ଏହି ଅର୍ବାନ ହାଟ କେବଳ କୋଣାର୍କ ଉତ୍ସବ ସମୟରେ ହସ୍ତଶିଳ୍ପ ମେଳାର ଆୟୋଜନ କରାଯିବା ପରେ ତାଲା ପଡି ରୁହେ। ଏହି  ଅର୍ବାନ ହାଟ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କାଭଳି କୌଣସି ଭିତ୍ତିଭୂମୀ ନ ଥିବା ବେଳେ ହାଟ ପରିସରରେ ବୁଲିବା ନମିନ୍ତେ ସମୟର ଅଭାବ ହିଁ ଥିଲା ଏହାର ମୁଖ୍ୟ କାରଣ। ଏହି ମୌଳିକ ସମସ୍ୟାକୁ ଦୃଷ୍ଟି  ନ ଦେଇ ହଠାତ ଇଡକୋ କର୍ତ୍ତୃପକ୍ଷ ପର୍ଯ୍ୟଟନ ବିଭାଗର ସହାୟତାରେ 34 ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କଲେ ‘ବାଦ୍ୟ ନିର୍ଝରିଣୀ’। ପ୍ରଚାର କରାଗଲା ଯେ ବାଦ୍ୟ ଓ ଆଲୋକର ତାଳେ ତାଳେ ଝୁମିବ ଏଇ ହାଟ ଆଉ ଜଳ କରିବ ନୃତ୍ୟ। ହେଲେ ନଁା ଏଠି ବାଦ୍ୟ ଆଲୋକର ତାଳ ଅଛି ନଁା ନାଚୁଛି ପାଣି। କେବଳ 6 ଜଣ ସିକ୍ୟୁରିଟୀ ଗାର୍ଡ଼, ଗୁଡ଼ାଏ ବୁଲା କୁକୁର ଆଉ ପୁଷ୍କରଣୀ ମଧ୍ୟରେ ବେଙ୍ଗଙ୍କ ସାମ୍ରାଜ୍ୟ ମଧ୍ୟରେ ରହିଛି ଏବେ ଅର୍ବାନ ହାଟ। ହସ୍ତଶିଳ୍ପ କାରିଗରଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଅର୍ବାନ ହାଟ ପରିସର ଏବେ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡସ୍ଥଳିରେ ପରିଣତ ହୋଇଛି। 2013 ମସିହାଠାରୁ ୟୁକୋ ବ୍ୟାଙ୍କ ଅର୍ବାନ ହାଟର ଗୋଟିଏ ବଡଘରକୁ ଭଡାରେ ନେଇ ବ୍ୟବସାୟ ଆରମ୍ଭ କରିଛି ା ବ୍ୟାଙ୍କ କାରବାର ସମୟରେ ଆର୍ବାନ ହାଟ ସାମୟିକ ଭାବେ ଚଳଚଞ୍ଚଳ ହେଉଥିବା ବେଳେ ଅନ୍ୟ ସମୟରେ ଜନଶୂନ୍ୟ ହୋଇ ପଡୁଛି ା ବିଭାଗୀୟ ସଚିବ ଓ ଅଧିକାରୀମାନେ ସମସ୍ୟା ସଂପର୍କରେ ଅବଗତ ଥିଲେ ମଧ୍ୟ କିଛି ବି ସୁଫଳ ମିଳିପାରୁନି ା କେବେ ସରକାରଙ୍କ ଆଖି ଖୋଲିବ ଏହି ଅର୍ବାନ ହାଟ ଚଳଚଞ୍ଚଳ ହେବ ତାହାକୁ ଅନାଇଁ ବସିଛନ୍ତି ଅଞ୍ଚଳବାସୀ ା

Share :