ପୁଲିସ ପିଟିଲା, ଡାକ୍ତର ଦେଖିଲେନି, ନିର୍ଦୋଷ ମଲା

ପୁଲିସ ପିଟିଲା, ଡାକ୍ତର ଦେଖିଲେନି, ନିର୍ଦୋଷ ମଲା

Share :

    ନିକଟରେ ଭଦ୍ରକ ପୁଲିସ୍ ମାଡରେ ଦେବଦତ୍ତ ବାରିକ ପ୍ରାଣ ହରାଇବା ଓ ଅନ୍ୟ ଦୁଇ ବ୍ୟକ୍ତି ଗୁରୁତର ହେବା ଘଟଣାର ତଥ୍ୟ ଅନୁସନ୍ଧାନ କରିବା ଲାଗି ମାନବାଧିକାର ସଂଗଠନ ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ ରାଇଟସ୍ (ସି.ଏସ୍.ଏଫ୍.ଏଚ୍.ଆର୍) ଓ ମିଶନ୍ ଜଷ୍ଟିସ୍ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲା । ବିଭିନ୍ନ ତଥ୍ୟ ସଂଗ୍ରହ କରିବା ପରେ ଜଣାପଡିଛି ଯେ ଧୁଷୁରୀ ଥାନା ପୁଲିସ୍ ମାଡରେ ହିଁ ଦେବଦତ୍ତଙ୍କ ମୃତ୍ୟୁ ଘଟିଛି। କେବଳ ସେତିକି ନୁହେଁ ଦେବଦତ୍ତ ଗିରଫ ହୋଇ ଥାନାରେ ମାଡ ଖାଇବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧୁଷୁରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲେ ହେଁ ସଂପୃକ୍ତ ଡାକ୍ତର ତାଙ୍କର ଠିକ୍ ଭାବେ ଚିକିତ୍ସା କରିନାହାନ୍ତି କିମ୍ବା କୌଣସି ଔଷଧ ପ୍ରେସକ୍ରିପସନ୍ ଦେଇନାହାନ୍ତି। ପୁଣି ଧାମନଗର କୋର୍ଟରେ ହାଜର କରାଗଲା ବେଳେ ଅଭିଯୁକ୍ତମାନଙ୍କୁ କିଛି ବି ପଚାରାଯାଇ ନାହିଁ। ଫଳରେ ଗୁରୁତର ଆହତ ଅବସ୍ଥାରେ ହିଁ ତାଙ୍କୁ ଜେଲ୍ ପଠାଇଦିଆଯାଇଛି। ଯାହାର ପରିଣାମ ସ୍ୱରୂପ ଦେବଦତ୍ତ ଜେଲ୍ ରେ ରହି ଅସୁସ୍ଥ ହୋଇପଡିଥିଲେ। ଏଦି ତଥ୍ୟ ଅନୁସନ୍ଧାନକାରୀ ଦଳର ନେତ୍ୱତ୍ବ ନେଇଥିବା ମିସନ୍ ଜଷ୍ଟିସର ଅଧ୍ୟକ୍ଷ ତପନ ପାଢୀ କହିଛନ୍ତି, ମିଳିଥିବା ତଥ୍ୟ ଅନୁସାରେ ଧୁସୁରୀ ପୁଲିସ୍ ଦେବଦତ୍ତ ବାରିକ, ଜଗବନ୍ଧୁ ବାରିକ ଓ ହରି ସିଂ ଙ୍କୁ ୨୦ ଫେବୃୟାରୀରେ ନିଜ ହେପାଜତକୁ ନେଇ ୩ – ୪ ଦିନ ଧରି ଅତ୍ୟନ୍ତ ଅମାନବିକ ନିର୍ଯାତନା ଦେଇଥିଲା। କିନ୍ତୁ କାଗଜ କଲମରେ ୨୨ ଫେବୃୟାରୀରେ ହେପାଜତକୁ ନେଇଥିଲା ବୋଲି ଦର୍ଶାଇଛି | ୨୩ ଫେବୃଆରୀ ଦିନ ଧୁଷୁରୀ ପୁଲିସ୍ ଅଭିଯୁକ୍ତମାନଂକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧୁଷୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ମଧ୍ୟ ସେଠାରେ ସଂପୃକ୍ତ ଡାକ୍ତର ଅଭିଯୁକ୍ତମାନଙ୍କ ଦେହରେ ଥିବା କ୍ଷତ ଓ ମାଡ ଚିହ୍ନକୁ ଦେଖି ନଦେଖିଲା ପରି ଆଖି ବୁଜି ଦେଇଥିଲେ। ପୁଣି ଧାମନଗର ଜେଏମଏଫସି ସାମ୍ନାରେ ହାଜର୍ କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ମାଜିଷ୍ଟ୍ରେଟ୍  ବି.କେ. ନାୟକ ଏମାନଙ୍କୁ ସ୍ୱାସ୍ଥ୍ୟ ଓ ପୁଲିସର ବ୍ୟବହାର କଥା ଦୂରେ ଥାଉ, କିଛି ବି ପଚାରିନଥିଲେ। ପୁଣି ଭଦ୍ରକ ଉପକାରାଗାରରେ ଭର୍ତ୍ତି ହେବା ବେଳକୁ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ନାହିଁ। ସେଠାରେ ଅଭିଯୁକ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ରେକର୍ଡ କରିବାକୁ କିମ୍ବା ଚିକିତ୍ସା କରିବାକୁ ଡାକ୍ତର କିମ୍ବା ଫାର୍ମାସିଷ୍ଟ କେହି ବି ନଥିଲେ | ତେଣୁ ଗୁରୁତର ଅବସ୍ଥାରେ ସେମାନେ ଜେଲ୍ରେ ରହିଲେ ଓ ସେଠାରେ ସେମାନଙ୍କର ଚିକିତ୍ସା କରାଗଲା ନାହିଁ। ଫେବୃଆରୀ ୨୯ ତାରିଖ ସକାଳେ ଦେବଦତ୍ତ ବାରିକ ଛାତିରେ ଯନ୍ତ୍ରଣା ହେବାରୁ ଭଦ୍ରକ୍ ଡାକ୍ତରଖାନା ନେବା ପୁର୍ବରୁ ଜେଲ୍ କର୍ତ୍ତୁପକ୍ଷ ତାର ସ୍ୱାସ୍ଥ୍ୟ ଅବସ୍ଥା ରେକର୍ଡ କରିନଥିଲେ। ଗୁରୁତର ମାଡ ଖାଇବାର ନଅ ଦିନ ପରେ ତାଙ୍କର ମୃତ୍ୟୁ ଘଟିଲା ଓ ଏଥିପାଇଁ ଉପରୋକ୍ତ ସବୁ କର୍ତ୍ତପକ୍ଷ ଦାୟୀ ବୋଲି ସିଏସଏଫଏଚଆରର ଆବାହକ ଧୀରେନ୍ଦ୍ର ପଣ୍ଡା ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ଦେବଦତ୍ତର ପରିବାରବର୍ଗକୁ ପୋଷ୍ଟ ମର୍ଟମ୍ ର ବିବରଣୀ ମଧ୍ୟ ଦିଆଯାଇନାହିଁ ସେ କହିଛନ୍ତି। ବିଚାରାଧୀନ କଏଦୀ ଜଗବନ୍ଧୁ ତଥ୍ୟ ଅନୁସନ୍ଧାନକାରୀ ଦଳ ସମ୍ମୁଖରେ ପ୍ରକାଶ କରିଛନ୍ତି ଯେ, ୧୦ – ୧୨ ଜଣ ପୁଲିସ୍ ସେମାନଙ୍କୁ ଅତି ନିର୍ଦୟଭାବରେ ପିଟିଥିଲେ। ଧୁଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜେଲ୍ ଡାକ୍ତର ଓ ବିଚାରପତି ସେମାନଙ୍କ କର୍ତବ୍ୟ ଠିକ୍ ଭାବେ ତୁଲାଇ ନାହାନ୍ତି। ତାହା ହୋଇଥିଲେ ଦେବଦତ୍ତ ଆଜି ଜୀବିତ ଥାଆନ୍ତେ ବୋଲି ତଥ୍ୟ ଅନୁସନ୍ଧାନକାରୀ ଦଳର ହୃଦବୋଧ ହୋଇଛି। ପୁଲିସ୍ ଏହି ଘଟଣାକୁ ଚାପି ଦେବାକୁ ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ଏଚଆରଡି ଆଲର୍ଟ ସଂଗଠନର ଚନ୍ଦ୍ରନାଥ ଦାନୀ ଅଭିଯୋଗ କରିଛନ୍ତି। ଏହି ବର୍ବର ଘଟଣାରେ ପୁଲିସ୍, ଜେଲ୍ କର୍ତୃପଷ, ସଂପୃକ୍ତ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ଭୂମିକା ସମ୍ପର୍କରେ ଏକ ଊଚ୍ଚସ୍ତରୀୟ ତଦନ୍ତ, ଦୋଷୀ ଅଧିକାରୀମାନଙ୍କୁ ଚାକିରିରୁ ବହିଷ୍କାର ଓ ଗିରଫ, ମୃତ ଦେବଦତ୍ତର ପରିବାରକୁ 10 ଲକ୍ଷ ଟଙ୍କାର କ୍ଷତିପୁରଣ ଓ ଅନ୍ୟ ୨ ଜଣ କଏଦୀଙ୍କୁ ହାଜତରେ ଅତ୍ୟାଚାର ଜନିତ କ୍ଷତିପୂରଣ ପ୍ରଦାନ କରିବା ଲାଗି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ  ମୃତ ଦେବଦତ୍ତର ବଡଭାଇ ଗୌତମ ବାରିକ ଓ ଭଉଣୀ ଅନ୍ନପୁର୍ଣ୍ଣା ଉପସ୍ଥିତ ଥିଲେ।

Share :