ଏକ ଭୟାନକ ମିଥ୍ୟାର ଅଫେନସିଭ୍ : ସତ୍ୟପାଠର ମିଥ୍

ଏକ ଭୟାନକ ମିଥ୍ୟାର ଅଫେନସିଭ୍ : ସତ୍ୟପାଠର ମିଥ୍

Share :

ଅନନ୍ତ ପାଣିଗ୍ରାହୀ   ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ଦଳର ମୁଖ୍ୟ ଖାରବେଳ ବାବୁଙ୍କ ଏକ ଭୟାନକ ସତ୍ୟର ସାମନାରେ (ସୂର୍ଯ୍ୟପ୍ରଭା ୭.୩.୨୦୧୬) ପଢ଼ିଲାପରେ ଅନୁଭବ ହେଲା ଯେପରି ଖାରବେଳ ବାବୁ ଇଶରତ ଜହାଁ ମାମଲା ସମ୍ପର୍କରେ ତାଙ୍କର ହୋମଉଆର୍କ ଠିକ ଭାବରେ କରିନାହାନ୍ତି । ଇଶରତ ଜହାଁ ହତ୍ୟାର ୧୨ ବର୍ଷ ପରେ ଇଶରତ ଜହାଁଙ୍କର ଏଲ.ଇ.ଟି ସମ୍ପର୍କ ଥିଲା କି ନାହିଁ ଏବଂ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ୨୦୦୦୯ରେ କରିଥିବା ଦୁଇଟି ସତ୍ୟପାଠକୁ ନେଇ ବିବାଦ ଘନୀଭୂତ ହୋଇଛି । ଏ ନେଇ ୧୦ ମାର୍ଚ୍ଚ ୨୦୧୬ରେ ଲୋକସଭାରେ ମଧ୍ୟ ଗରମାଗରମ ତର୍କ ହୋଇଥିଲା । ଯାହା ଲାଗୁଛି ମାମଲାର ମୂଳ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ଏହାର ଉଦ୍ଦେଶ୍ୟ ।  ଜୁନ ୨୦୦୪ରେ ଇଶରତ ଜହାଁଙ୍କ ସହିତ ଅନ୍ୟ ତିନି ଜଣ ଗୁଜରାଟ ପୋଲିସ ଦ୍ବାରା ତଥାକଥିତ ଏନକାଉଣ୍ଟରରେ ନିହତ ହୋଇଥିଲେ । ସେମାନଙ୍କୁ ଏଲ.ଇ.ଟି ସମର୍ଥିତ ଆତଙ୍କବାଦୀ ବୋଲି ଗୁଜରାଟ ପୋଲିସ କହିଥିଲା । ଇଶରତ ଜହାଁଙ୍କ ମା’ ଶମିମା କୌସର ଅଗଷ୍ଟ ୨୦୦୪ରେ ଅହମଦାବାଦ ହାଇକୋର୍ଟରେ ଏକ ରିଟ ପେଟିସନ ଦାଏର କରି ପ୍ରାର୍ଥନା କଲେ କି ତାଙ୍କ ଝିଅ ଇଶରତ ଜହାଁ ନିରୀହ, ସେ କେବେବି ଆତଙ୍କବାଦୀ ନ ଥିଲା । ତା’ର ପିତାଙ୍କ ମୃତ୍ୟୁ ପରେ ସେ କୁଟୁମ୍ବର ଏକ ସାହାରା ଥିଲା ଏବଂ ଝିଅ ଉପରେ ଆତଙ୍କବାଦୀ ଆଖ୍ୟା ସେ କେବେ ବି ଗ୍ରହଣ କରିପାରବେ ନାହିଁ । ତେଣୁ ମାମଲାର ଏକ ସିବିଆଇ ତଦନ୍ତ କରାଯାଉ । ତଦନ୍ତରୁ ଜଣା ପଡ଼ିଛି ଯେ ଇଶରତ ଜହାଁ ୧ ମେ ୨୦୦୪ରେ ଜାବେଦର ସଂସ୍ପର୍ଶରେ ଆସିଥିଲେ ଏବଂ ସମୁଦାୟ ୪୫ ଦିନ ମଧ୍ୟରୁ କେବଳ ୧୦ ଦିନ ତା’ ସହିତ ଏକତ୍ର ଯାତ୍ରା କରିଥିଲେ । ବାକି ୩୫ ଦିନ ସେ କଲେଜ ଯାଉଥିଲେ ବୋଲି କଲେଜର ଉପସ୍ଥାନ ରେକର୍ଡରୁ ଜଣାପିଛି । ତାହା ହେଲେ ସେ କେବେ ଓ କେମିତି ଏଲ.ଇ.ଟିର କର୍ମକର୍ତ୍ତା ହେଲେ ? ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଏସ.ପି. ତାପଙ୍ଗଙ୍କ ରିପୋର୍ଟ ଅନୁସାରେ ସେ ଜଣେ ୧୯ ବର୍ଷ ବୟସ୍କା ନିରୀହା କଲେଜ ଝିଅ, ଯାହାଙ୍କୁ ହତ୍ୟା କରାଯାଇଥିଲା । ଏବଂ ଯେହେତୁ ହତ୍ୟା କରାଯାଇଥିଲା ସେ ଆତଙ୍କବାଦୀ ବୋଲି ଏକ ଥିଓରି ସୃଷ୍ଟି କରାଯାଇଥିଲା । ନଚେତ ଏନକାଉଣ୍ଟରକୁ ଯଥାର୍ଥ ବୋଲି କେମିତି କହି ପାରିବ ? ଅଭିଯୋଗ ଫର୍ଦ୍ଦ ଅନୁସାରେ ଇଶରତଙ୍କୁ ୧୨ ଜୁନରେ ହାଜତରେ ପୋଲିସ ଓ ଆଇବି ସହାୟତାରେ ବେଆଇନ ଭାବେ ଅଟକ ରଖାଯାଇଥିଲା ଯାହାକି ପ୍ରତ୍ୟକ୍ଷଦର୍ଶୀ ବୟାନ ଦ୍ବାରା ପ୍ରମାଣିତ । ତା’ପରେ ଦେଶର ଆଇନ ହାଜତରେ ଅଟକ ଥିବା କୌଣସି ଆତଙ୍କବାଦୀକୁ ହତ୍ୟା କରିବାର ଅଧିକାର ପୋଲିସ ବା ଆଇବିକୁ ଦେଇନାହିଁ । ତିନି ତିନିଟି ତଦନ୍ତ ଯେପରିକି ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ, ହାଇକୋର୍ଟ ପରିଚାଳିତ ଏସଆଇଟି ଏବଂ ସିବିଆଇ ଅନୁସନ୍ଧାନ ପ୍ରମାଣିତ କଲା ଯେ ଇଶରତ ଜହାଁଙ୍କୁ ଏକ ମିଛ ଏନକାଉଣ୍ଟରରେ ହତ୍ୟା କରାଯାଇଥିଲା । ଏ ସଂକ୍ରାନ୍ତରେ ଅହମଦାବାଦର ମିର୍ଜାପୁର ସ୍ବତନ୍ତ୍ର ସିବିଆଇ ଅଦାଲତରେ ୭ ଜଣ ପୋଲିସ ଅଫିସର ଏବଂ ୪ ଜଣ ଆଇବି ଅଫିସରଙ୍କ ବିରୁଦ୍ଧରେ ଯଥାକ୍ରମେ ଜୁଲାଇ ୨୦୧୩ ଓ ଫେବୃୟାରି ୨୦୧୪ରେ ଅଭିଯୋଗ ଫର୍ଦ୍ଦ ସହିତ ଅପରାଧିକ ହତ୍ୟା ମାମଲା ଋଜୁ କରାଯାଇଛି । କିନ୍ତୁ ଏ ଯାବତ୍ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଉ ନାହିଁ । ଏହା ହିଁ ହେଉଛି ମୂଳ ପ୍ରସଙ୍ଗ । ଏହା ଆତଙ୍କବାଦୀ ସମ୍ପର୍କ ସହିତ କିଛି ମାଇନା ରଖେ ନାହିଁ । ଏସଆଇଟି ମଧ୍ୟ ହାଇକୋର୍ଟକୁ ଜଣାଇଥିଲା ଯେ ଇଶରତ ଆତଙ୍କବାଦୀ ବୋଲି କୌଣସି ପ୍ରମାଣ ନଥିଲା । ସିବିଆଇ କହେ ଯେ ସେମାନେ ପ୍ରମାଣିତ କରିଥିଲେ ଯେ ଏନକାଉଣ୍ଟର ମିଛ ଥିଲା, ସେମାନଙ୍କୁ ଆତଙ୍କବାଦୀ ଲିଙ୍କ ବିଷୟରେ ଅନୁସନ୍ଧାନ କରିବାକୁ ଦାୟିତ୍ବ ଦିଆଯାଇ ନଥିଲା । ଏବେ ଗୁଜରାଟ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଗୃହବିଭାଗ ଦ୍ବାରା ହୋଇଥିବା ଦୁଇଟି ସତ୍ୟପାଠ ପ୍ରସଙ୍ଗକୁ ଆସିବା ଯାହାକୁ ନେଇ ଅନେକ ତୁମ୍ବିତୋଫାନ ହୋଇସାରିଲାଣି ଏବଂ ଯାହାକୁ ପ୍ରକୃତରେ ନ ପଢ଼ି ବହୁତ ଲୋକ ବହୁତ କଥା କହୁଛନ୍ତି । ଶମିମା କୌସର ଏବଂ ଗୋପୀନାଥ ପିଲ୍ଲାଇ (ଜାଭେଦର ବାପା) କରିଥିବା ରିଟର ଜବାବରେ କେନ୍ଦ୍ର ସରକାରଙ୍କ ଗୃହବିଭାଗ ଦ୍ବାରା ଏହି ଦୁଇଟି ସତ୍ୟପାଠ କରାଯାଇଥିଲା । ଇଶରତ ଏଲ.ଇ.ଟିର ସଭ୍ୟ ବୋଲି ଏଠାରେ ୧୫ ଜୁଲାଇ ୨୦୦୪ରେ ଭାରତୀୟ ସଂବାଦପତ୍ର ଟାଇମସ ଅଫ ଇଣ୍ଡିଆ, ହିନ୍ଦୁ ଓ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବରକୁ ଏଥିରେ ଉଦ୍ଧୃତ କରାଯାଇଛି । ପୁଣି ଦେଖିବାକୁ ଗଲେ ଏହା ପିଟିଆଇର ରିପୋର୍ଟ, ଯାହାକୁ ପିଟିଆଇ ଉଦ୍ଧାର କରିଛି ଲାହୋରରୁ ପ୍ରକାଶିତ ଏଲ.ଇ.ଟିର ମୁଖପତ୍ର ’ଘାଜ୍ବା ଟାଇମସ’ରୁ । ପୁଣି ୨ ମେ, ୨୦୦୭ରେ ଏଲ.ଇ.ଟିର ଆଉ ଏକ ମୁଖପତ୍ର ’ଜମାତ-ଉଦ-ଦାବା’ ଇଶରତ ଉପରେ ପ୍ରକାଶ କରିଥିବା ସମ୍ବାଦକୁ ଏଥିରେ ଉଦ୍ଧାର କରାଯାଇଛି । ’ଇଶରତ ଜହାଁଙ୍କ ପରିବାରକୁ କ୍ଷମା ପ୍ରାର୍ଥନା’ ଶୀର୍ଷକ ଏହି ସମ୍ବାଦରେ ଇଶରତ ଏଲ.ଇ.ଟିର ସଭ୍ୟ ନ ଥିଲେ ଏବଂ ତାଙ୍କର ଏଲ.ଇ.ଟି ସହିତ କୌଣସି ସମ୍ପର୍କ ନ ଥିଲା ବୋଲି ଉଲ୍ଲେଖ କରାଯାଇଛି । ’ବିଜିନେସ ଷ୍ଟାଣ୍ଡାର୍ଡ଼’ ସହିତ ଆହୁରି ଅନେକ ଭାରତୀୟ ସଂବାଦପତ୍ର ଏ ଖବରକୁ ପ୍ରକାଶ କରିଥିଲେ । ଏହି ସୂଚନା ଆଧାରରେ ଅଣ୍ଡର ସେକ୍ରେଟେରୀ ଆର.ଭି.ଏସ ମଣି ସତ୍ୟପାଠରେ ଉଲ୍ଲେଖ କରନ୍ତି କି ,ଏଥିରୁ ସ୍ପଷ୍ଟ ହେଉଛି ଯେ ଇଶରତ ଏଲ.ଇ.ଟି ସହିତ ସକ୍ରିୟ ରହିଥିଲା । ଏଲ.ଇ.ଟିର ମୁଖପତ୍ରରେ ପ୍ରକାଶିତ କ୍ଷମା ପ୍ରାର୍ଥନା ଭାରତୀୟ ସିକୁରିଟି ଏଜେନ୍ସିକୁ ବଦନାମ କରିବା ଓ ଅଦାଲତକୁ ଗୁମରାହ କରିବା ପାଇଁ ଏକ ଚାଲାକି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ସତ୍ୟପାଠଟିରେ କୌଣସି ଇଣ୍ଟେଲିଜେନ୍ସ ତଥ୍ୟ ନ ଥିଲା ବରଂ ଏଥିରେ ଦିଆଯାଇଥିବା ସୂଚନାଗୁଡ଼ିକ ଖବରକାଗଜ ଉପରେ ଆଧାରିତ ଥିଲା, ଯାହା ପୁଣି ଥିଲା ସେକେଣ୍ଡ ହ୍ୟାଣ୍ଡ । ପ୍ରଥମ ସତ୍ୟପାଠକୁ ନେଇ ଅନେକ ବିଭ୍ରାନ୍ତି ସୃଷ୍ଟି ହେଲା । ଏକ ଧାରଣା ସୃଷ୍ଟି କରାଗଲା ଯେ କେନ୍ଦ୍ର ସରକାର ଇଶରତ ଏଲ.ଇ.ଟିର ସଭ୍ୟ ଥିବାକୁ ପୁଷ୍ଟି କରିଛନ୍ତି । ତେଣୁ ଏହାର ଏକ ସ୍ପଷ୍ଟୀକରଣ ଦେବା ପାଇଁ ଦ୍ବିତୀୟ ସତ୍ୟପାଠଟି ମାସେ ପରେ ପୁଣି ମଣିଙ୍କ ଦ୍ବାରା କରାହୁଏ । ଏଥିରେ ସେ କହନ୍ତି ଯେ ପୂର୍ବୋକ୍ତ ପାରା ସଂଖ୍ୟା ୮ (ଯେଉଁଥିରେ ନ୍ୟୁଜ ଆଇଟମଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଥିଲା )ରେ କୌଣସି ଇଣ୍ଟେଲିଇଜେନ୍ସ ଇନପୁଟ ନାହିଁ ଯାହାକୁ ନେଇ ଅନେକ ଭୁଲ ବ୍ୟାଖ୍ୟା କରାଯାଉଛି । ସୁପ୍ରିମ କୋର୍ଟର ବିଶିଷ୍ଟ ଆଇନଜୀବୀ ବୃନ୍ଦା ଗ୍ରୋଭର ଯେ କି ଆରମ୍ଭରୁ ଏହି ମାମଲା ସହିତ ଜଡ଼ିତ କହନ୍ତି ଯେ ଦ୍ବିତୀୟ ସତ୍ୟପାଠ କିଛି ବି ଯୁକ୍ତ କରୁନାହିଁ ବା ପ୍ରତ୍ୟାହାର କରୁନାହିଁ । ଏହା କେବଳ ଏକ ସ୍ପଷ୍ଟୀକରଣ ମାତ୍ର । ଏପରିକି ଏହା ନ କରାଯାଇଥିଲେ ମଧ୍ୟ କିଛି ଫରକ ପଡ଼ି ନ ଥାନ୍ତା କାରଣ କୌଣସି ବିଚାରପତି ବା ଓକିଲ ଏହାକୁ ପଢ଼ିଲେ ବୁଝି ପାରିବେ ଯେ ଏଥିରେ କୌଣସି ଇଣ୍ଟେଲିଇଜେନ୍ସ ଇନପୁଟ ନାହିଁ । ବୃନ୍ଦା ପୁଣି କହନ୍ତି, ଆଇନ ବିଷୟରେ ମୋର ଯାହା ଉପଲବ୍ଧି, ସେଥିରୁ କହିବି ଯେ ଭାରତୀୟ ଅଦାଲତ ଗୁଡ଼ିକ ଅପରାଧିକ ମାମଲା ବିଶେଷ କରି ୟୁନିଫର୍ମରେ ଥିବା ମଣିଷ କରିଥିବା ହତ୍ୟାର ବିଚାର ଲାଗି ଏଲ.ଇ.ଟିର ମୁଖପତ୍ରର ଘୋଷଣା ବା ଖଣ୍ଡନ ଉପରେ କେବେହେଲେ ଭରସା କରିବେ ନାହିଁ । ମାମଲାର ତଥ୍ୟଗୁଡ଼ିକ ଦେଖିଲେ ଏ ପର୍ଯ୍ୟନ୍ତ ଇଶରତର ଏଲ.ଇ.ଟି ସହିତ କୌଣସି ସମ୍ପର୍କ ଥିବାର ପ୍ରମାଣ ନାହିଁ । ଅନ୍ୟ ପକ୍ଷରେ ପ୍ରତିଟି ଯାଞ୍ଚ, ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ, ହାଇକୋର୍ଟ ପରିଚାଳିତ ଏସଆଇଟି ଏବଂ ସିବିଆଇ ଅନୁସନ୍ଧାନ ଗୋଟିଏ କଥା କହିଲେ ଯେ ଇଶରତର ଆତଙ୍କବାଦୀ ଲିଙ୍କ ନ ଥିଲା ।  ଆଶ୍ଚର୍ଯ୍ୟର ବିଷୟ ଯେ ଖାରବେଳ ବାବୁ ତାଙ୍କ ଲେଖାରେ ଇଶରତ ଜହାଁକୁ ମିଶାଇ ସେହି ଚାରିଜଣ ତଥାକଥିତ ଆତଙ୍କବାଦୀଙ୍କର ଶୀତଳ ରକ୍ତରେ ହତ୍ୟାକୁ ଯଥାର୍ଥ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି । ସେ ଲେଖିଛନ୍ତି, ସେମାନେ ବାସ୍ତବରେ ଲସ୍କର ଆତଙ୍କବାଦୀ ବୋଲି ଡେଭିଡ ହାଡଲି ସ୍ବୀକାର କଲା ପରେ ସ୍ପଷ୍ଟ ହୋଇଯାଇଛି ଯେ, ସେମାନଙ୍କ ସମ୍ପର୍କରେ ଆଇ.ବି. ଯେଉଁ ସୂଚନା ପାଇଥିଲା ତାହା ସତ୍ୟ । ସେମାନେ ନରେନ୍ଦ୍ର ମୋଦିଙ୍କୁ ମାରିବାକୁ ଆସିଥିବା କଥା ସତ । ଏ କଥା ଜାଣିବା ପରେ କ’ଣ ଆଇ.ବି, ଗୁଜରାଟ ପୋଲିସ ସେମାନଙ୍କୁ କେବଳ ଧରି ନେଇ ଅଦାଲତ ସାମ୍ନାରେ ହାଜର କରିଥାନ୍ତେ ଓ ବିଚାର ପ୍ରକ୍ରିୟା ମଧ୍ୟରେ ରଖିଥାନ୍ତେ ? ସେତେବେଳେ ଏମାନଙ୍କୁ କାହିଁକି ଗିରଫ କରାଯାଇଛି ଓ ଏମାନଙ୍କ ବିରୋଧରେ କି ପ୍ରକାର ପ୍ରମାଣମାନ ରହିଛି, ଚିଦାମ୍ବରମଙ୍କ ପରି ପ୍ରଖ୍ୟାତ ଓକିଲମାନେ ଅଦାଲତରେ ପ୍ରଶ୍ନ ଉଠାଇ ପୋଲିସର ସବୁ ପଦକ୍ଷେପକୁ ମିଥ୍ୟା ବୋଲି ପ୍ରମାଣିତ କରି ଏମାନଙ୍କୁ ଖଲାସ କରାଇ ଦେଇଥାନ୍ତେ କି? ଏଠାରେ ଖାରବେଳ ବାବୁଙ୍କୁ ପ୍ରଶ୍ନ ତାହା ହେଲେ ଅଜମଲ କସବ ଓ ଆଫଜଲ ଗୁରୁ କିପରି ବିଚାର ବିଭାଗୀୟ ପ୍ରକ୍ରିୟା ସଂପୂର୍ଣ୍ଣ କଲା ପରେ ହିଁ ଯାଇ ଦଣ୍ଡ ଭୋଗିଲେ ? ଠିକ ଏହି ପ୍ରଶ୍ନ ହିଁ ନିକଟରେ ଲୋକସଭାରେ କଲିକେଶ ନାରାୟଣ ସିଂହଦେଓ ଉଠାଇଲେ ଯାହାକି ଯଥାର୍ଥ । ଭାରତ ଏ ପର୍ଯ୍ୟନ୍ତ ଏକ ବାନାନା ରିପବ୍ଲିକରେ ପରିଣତ ହୋଇ ନାହିଁ । ହତ୍ୟା ମକଦ୍ଦମା କିଛି ବି ହାଲକା ମାମଲା ନୁହେଁ, କେତେବେଳେ ବି ତାହାର ପ୍ରକ୍ରିୟା ଆରମ୍ଭ ହୋଇପାରେ ଯାହାକୁ ସମ୍ପୃକ୍ତ ପକ୍ଷମାନଙ୍କର ଭୟ ରହିଛି । ଏହା ଉପରୁ ଦୃଷ୍ଟି ହଟାଇବା ପାଇଁ ମିଡିଆରେ ମଣି ପିଲ୍ଲାଇ, ରାଜିନ୍ଦର କୁମାର, ହେଡଲି ଇତ୍ୟାଦିଙ୍କୁ ନେଇ ବିଭିନ୍ନ ଭ୍ରାନ୍ତିର ସୃଷ୍ଟି କରାଯାଉଛି ବୋଲି ବୃନ୍ଦାଙ୍କର ମତ ।  ୨୬/୧୧ ମାମଲାରେ ରାଜସାକ୍ଷୀ ଡେଭିଡ ହେଡଲିଙ୍କୁ ଯେପରି ମଲ୍ଟିପଲ ଚଏସ ପ୍ରଶ୍ନ ଦିଆଯାଇ ତାଙ୍କ ମୁହଁରେ ଯେପରି ଇଶରତ ଜହାଁର ନାମ କୁହାଇ ଦିଆଗଲା ସେପରି ’କୌନ ବନେଗା ଟେରରିଷ୍ଟ’ ଖେଳ ତମେ ଅଦାଲତରେ କରିପାରିବ ନାହିଁ ବୋଲି ବୃନ୍ଦା କହନ୍ତି । ଏ ପରି ସାକ୍ଷ୍ୟ ’ଡବଲ ହିଅର୍ସେ’ ଏବଂ ଜଣେ ରାଜସାକ୍ଷୀର ଏପରି ସାକ୍ଷ୍ୟ ଠୋସ ବସ୍ତୁନିଷ୍ଠ ପ୍ରମାଣ ଦ୍ବାରା ସମର୍ଥିତ ନ ହେଲେ ଅଦାଲତ ଗ୍ରହଣ କରିବ ନାହିଁ ବୋଲି ସେ ଆହୁରି କହନ୍ତି । ଆଗ୍ରହୀ ପାଠକ ଓ ଖାରବେଳ ବାବୁଙ୍କୁ ଏ ବିଷୟରେ ବିସ୍ତୃତ ବିବରଣୀ ପାଇଁ ଉତ୍ତମ ସେନଗୁପ୍ତଙ୍କ ଆଉଟଲୁକ୍ ପତ୍ରିକା ୧୪.୩.୨୦୧୬ ସଂଖ୍ୟାରେ ପ୍ରକାଶିତ ପ୍ରବନ୍ଧ ’ଆଣ୍ଡ ହ୍ବାଟ ଅଫ୍ ଦୋଜ୍ ବୁଲେଟ-ସାଇଜଡ ହୋଲ୍ସ ଇନ ଦ ନ୍ୟାରେଟିଭ? ଏବଂ ୨.୩.୨୦୧୬ ଦ ଉୟାରରେ ପ୍ରକାଶିତ ଜାହ୍ନବୀ ସେନଙ୍କର ଲେଖା ଦ ସେକେଣ୍ଡ କିଲିଙ୍ଗ ଅଫ୍ ଇଶ୍ରତ ଜାହାନ ପଢ଼ିବାକୁ ଅନୁରୋଧ । ଏଥିରେ ଦୁଇଟି ଯାକ ସତ୍ୟପାଠର ନକଲ ମଧ୍ୟ ସନ୍ନିହିତ । ମୋବାଇଲ ନମ୍ବର: ୯୪୩୮୧୫୮୦୯୮

Share :