ସରକାରୀ ଦୁର୍ନୀତିର ତଦନ୍ତ କରୁନି ଭିଜିଲାନ୍ସ !

ସରକାରୀ ଦୁର୍ନୀତିର ତଦନ୍ତ କରୁନି ଭିଜିଲାନ୍ସ !

Share :

ସମବାୟ ବ୍ୟାଙ୍କରେ ୫୦୦ କୋଟି ତୋଷରପାତର ତଦନ୍ତ ହେଉନି କାହିଁକି ?   ରାଜ୍ୟରେ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତି ଏବଂ ଜାଲିଆତିର ତଦନ୍ତ ପାଇଁ ଗଠିତ ରାଜ୍ୟ ଭିଜିଲାନ୍ସ ବସ୍ତୁତଃ ବିଫଳ ହୋଇଛି | ପ୍ରଭାବଶାଳୀ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅସହାୟ ହୋଇପଡ଼ିଛି ଭିଜିଲାନ୍ସ ବିଭାଗ | ଭିଜିଲାନ୍ସର ନୀରବତା ଏବଂ ଅସହାୟତା ଯୋଗୁଁ ରାଜ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମେତ ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ଏବଂ ଅର୍ଥ ତୋଷରପାତ ଖୋଲାମେଲା ଚାଲିଛି ବୋଲି ସିଭିଲ୍ ସୋସାଇଟି ସଂଗଠନମାନଙ୍କ ତରଫରୁ ଅଭିଯୋଗ ହୋଇଛି | ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଭିଜିଲାନ୍ସ ନିକଟରେ ବର୍ଷାଧିକ କାଳ ତଦନ୍ତ ପାଇଁ ପଡ଼ି ରହିଥିବା କେତୋଟି ଅଭିଯୋଗକୁ ଉଦାହରଣ ଭାବେ ଉପସ୍ଥାପନ କରି ସିଭିଲ୍ ସୋସାଇଟିର କର୍ମକର୍ତ୍ତାମାନେ ଅଭିଯୋଗ କରି କହିଥିଲେ ଯେ, ୨୦୧୧ ମସିହାରେ ରାଜ୍ୟରେ କଳା ତାଲିକାଭୁକ୍ତ ହୋଇଥିବା ବିଏସଇଏସ(ରିଲାଏନ୍ସ) ନାମକ କମ୍ପାନୀକୁ ଶକ୍ତି ବିଭାଗ ତରଫରୁ ବିଦ୍ୟୁତ ଆବଣ୍ଟନର ପରିଚାଳନା ଦାୟିତ୍ବ ଦିଆଯାଇଥିଲା | ୨୦୧୫ରେ ଉକ୍ତ କମ୍ପାନୀ ପ୍ରାୟ ୨୫୦୦ କୋଟି ଟଙ୍କାର ବାକି ରଖି ଚାଲିଗଲା | ଏହି କମ୍ପାନୀକୁ କାର୍ଯ୍ୟ ପ୍ରଦାନ କ୍ଷେତ୍ରରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ଶକ୍ତି ବିଭାଗର ତତ୍କାଳୀନ ସଚିବ ଏବଂ ମନ୍ତ୍ରୀଙ୍କ ବିରୁଦ୍ଧରେ ରାଜ୍ୟ ଭିଜିଲାନ୍ସ ନିକଟରେ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ଯାସନାଲର ଓଡ଼ିଶା ଶାଖା ଅଧ୍ୟକ୍ଷ ବିଶ୍ବଜିତ୍ ମହାନ୍ତି ଅଭିଯୋଗ କରିଥିଲେ | କିନ୍ତୁ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଭିଜିଲାନ୍ସ ଉକ୍ତ ଅଭିଯୋଗକୁ ଶକ୍ତି ବିଭାଗକୁ ପଠେଇ ଦେଇ ଚୁପ୍ ବସି ରହିଛି | ସେହିପରି ଯାଜପୁର ଜିଲ୍ଲାର ବରୀ ନିକଟରେ ଓଡ଼ିଶା ସିମେଣ୍ଟ୍ ଲିମିଟେଡ୍ ନାମକ ଏକ କମ୍ପାନୀକୁ କିଛି ଜମି ଲିଜ୍ ଦିଆଯାଇଥିଲା | ଉକ୍ତ ଜମିରେ ଥିବା ମାଙ୍କଡ଼ା ପଥର, ମୁରମକୁ ଚୋରି କରି ଉକ୍ତ କମ୍ପାନୀ ହାରାହାରି ୪୦ କୋଟି ଟଙ୍କା ଲୁଟ୍ କରିଥିଲା | ୨୦୧୩ରେ ଏହା ବିରୁଦ୍ଧରେ ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ ମଧ୍ୟ ଏହାର ତଦନ୍ତ ଏ ପର୍ଯ୍ୟନ୍ତ ଭିଜିଲାନ୍ସ କରିପାରି ନାହିଁ | ସେହିପରି ୨୦୧୫ ଏପ୍ରିଲ ମାସରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଜଣେ ଅଧିକାରୀଙ୍କ ଦୁର୍ନୀତି ଏବଂ ଆର୍ଥିକ ଅନିୟମିତତା ସମ୍ପର୍କରେ ଭିଜିଲାନ୍ସ ନିକଟରେ ତଦନ୍ତ କରି କକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଭିଯୋଗ ହୋଇଥିଲେ ମଧ୍ୟ ହାରାହାରି ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ | ରାଜ୍ୟ ସମବାୟ ବ୍ୟାଙ୍କରେ ଗତ ଦଶ ବର୍ଷ ମଧ୍ୟରେ ହାରାହାରି ୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଦୁର୍ନୀତି ହୋଇଛି | ଏସବୁ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡିତ କରିବା ବଦଳରେ ସୁରକ୍ଷା ଦିଆଯାଇ ସେମାନଙ୍କୁ ପଦୋନ୍ନତି ଦିଆଯାଇଛି | ଏ ସମ୍ପର୍କରେ ରାଜ୍ୟ ଭିଜିଲାନ୍ସ ବ୍ୟାପକ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇନାହିଁ | ୨୦୧୨ ମସିହାରେ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟାନନ୍ଦ ସୁଗାର ମିଲ୍ ସମବାୟ ସମିତିକୁ ବେଆଇନ୍ ଭାବେ ଦିଆଯାଇଥିବା କୋଟି କୋଟି ଟଙ୍କାର ଋଣର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ | ଭିଜିଲାନ୍ସ ଅଧିକାରୀମାନେ ସମବାୟ ସମିତିର ମୁଖ୍ୟ ତଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଯଜ୍ଞେଶ୍ବର ବାବୁ, ବ୍ୟାଙ୍କର ଚିଫ୍ ଜେନେରାଲ୍ ମ୍ୟାନେଜର ଲକ୍ଷ୍ମୀଧର ଆଚାର୍ଯ୍ୟ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ତୁଷାରକାନ୍ତ ପଣ୍ଡାଙ୍କ ବିରୁଦ୍ଧରେ କେସ୍ ରୁଜୁ କରି ଯଜ୍ଞେଶ୍ବର ବାବୁଙ୍କୁ ଗିରଫ କରି ଜେଲ୍ ପଠାଇଦେଲେ | କିନ୍ତୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଗଲା ନାହିଁ | ଉପରିସ୍ଥ ଅଧିକାରୀଙ୍କ ଚାପରେ ସେମାନଙ୍କୁ ସୁରକ୍ଷା ଦିଆଗଲା | ୧୯୯୯-୨୦୦୦ ବର୍ଷରେ ଅତ୍ୟନ୍ତ ବେଆଇନ ଭାବେ ଜେପି କନଷ୍ଟ୍ରକ୍ସନ ପ୍ରାଇଭଟ ଲିମିଟେଡ଼ ନାମକ ଏକ ବିଲଡର୍ କମ୍ପାନୀକୁ ଅନୁଗ୍ରହ ଦେଖାଇ ସମବାୟ ବ୍ୟାଙ୍କର ମୁଖ୍ୟ ଶାଖାର ତତ୍କାଳୀନ ପରିଚାଳକ ତୁଷାରକାନ୍ତ ପଣ୍ଡା ପ୍ରାୟ ୨ କୋଟି ଟଙ୍କା ଋଣ ଦେଲେ | ଏହି କମ୍ପାନୀର ମୁଖ୍ୟଙ୍କଠାରୁ ଏହି ଋଣ ଅର୍ଥ ଏପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ | ୨୦୦୩ ମସିହାରେ ସମବାୟ ସମିତିର ରେଜିଷ୍ଟ୍ରାର୍ ସୁଦର୍ଶନ ନାଏକ ଏହି ଅନିୟମିତତାର ତଦନ୍ତ କରି ରିପୋର୍ଟ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା | ସେହିପରି ରାଜ୍ୟ ସମବାୟ ବ୍ଯାଙ୍କ ଆଇନର ଧାରା ୩୩-କର ଉଲ୍ଲଙ୍ଘନ କରାଯାଇ ସମବାୟ ସମିତିର ରେଜିଷ୍ଟ୍ରାରଙ୍କର ଅନୁମୋଦନ ନ ନେଇ ୨୦୦୯ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜମେଣ୍ଟ କମିଟି ଅତ୍ୟନ୍ତ ମନୋମୁଖୀ ଏବଂ ବେଆଇନ ଭାବେ କର୍ମଚାରୀମାନଙ୍କ ଅବସର ବୟସ ସୀମା ୫୮ରୁ ୬୦କୁ ବୃଦ୍ଧି କରିଦେଲେ | ଏହା ଫଳରେ ୧୫୦ କୋଟି ଟଙ୍କାର ଖର୍ଚ୍ଚ ବଢ଼ିଗଲା | ଅଥଚ ସମବାୟ ସମିତିର ରେଜିଷ୍ଟ୍ରାରଙ୍କର ବାରମ୍ବାର ତାଗିଦ ସତ୍ତ୍ବେ ଏ ପର୍ଯ୍ୟନ୍ତ ୫୮ ବର୍ଷ ବୟସରୁ ଉର୍ଦ୍ଧ୍ବ କର୍ମଚାରୀଙ୍କର ତାଲିକା ମ୍ୟାନେଜିଙ୍ଗ୍ ଡାଇରେକ୍ଟର ପ୍ରଦାନ କରୁନାହାନ୍ତି | ୨୦୧୪-୧୫ ବର୍ଷର ଅଡିଟ ରିପୋର୍ଟରେ ଉଲ୍ଲଖ ଅଛି ଯେ ବ୍ୟାପକ ଅନିୟମିତତା କରାଯାଇ ବହୁ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା ଋଣ ଦିଆଯାଇଛି | ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକୁ କମ୍ପୁଟର ଯୋଗାଣରେ ବ୍ୟାପକ ଜାଲିଆତି ହୋଇଛି | କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ସଫ୍ଟଉଏଆର ସଂଗ୍ରହରେ ଭି-ସଫ୍ଯ କମ୍ପାନୀକୁ ଅନୁଗ୍ରହ ଦେଖାଇ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଛି | ଉପରୋକ୍ତ ସମସ୍ତ ଆର୍ଥିକ ଅନିୟମିତତା ଏବଂ ଜାଲିଆତିର ତଦନ୍ତ କରି କାର୍ଯ୍ୟାନୁନୁଷ୍ଠାନ ଗ୍ରହଣ ପାଇଁ ସିଭିଲ୍ ସୋସାଇଟି ତରଫରୁ ରାଜ୍ୟ ଭିଜିଲାନ୍ସ ନିକଟରେ ଅଭିଯୋଗ ଦାୟର ହୋଇଛି | କିନ୍ତୁ ଭିଜିଲାନ୍ସ ବିଭାଗ ଏସବୁ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ | ଏହି ବିତଭାଗର ସର୍ବୋଚ୍ଚ ମୁଖ୍ୟ ହେଲେ ସ୍ବୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଓଡ଼ିଶା ସୂଚନା ଅଧିକାର ଅଭିଯୋନ ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ଲୋକାୟୁକ୍ତ ଅଭିଯାନର ସଦସ୍ୟ ଦେବେଶ ଦାସ, ଟ୍ରାନ୍ସପ୍ୟାରେନ୍ସ ଇଣ୍ଟର୍ନେସନାଲର ବିଶ୍ବଜିତ ମହାନ୍ତି ଏବଂ ଆଇନଜୀବୀ ସୁଧୀର ମହାନ୍ତି ପ୍ରମୁଖ ଏହିସବୁ ତଥ୍ୟ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଛନ୍ତି |

Share :