ବିଷ୍ଣୁକୁ ବିକଳାଙ୍ଗ କଲା କିଏ ?

ବିଷ୍ଣୁକୁ ବିକଳାଙ୍ଗ କଲା କିଏ ?

Share :

ବିଜୟ କୁମାର ଖୁଣ୍ଟିଆ    କ’ଣ ଥିଲା ତାର ଦୋଷ ? କି ବଡ ଅପରାଧ କରିଥିଲା ଯେ ତା’ ପ୍ରତି ଦଇବ ଏତେ ନିଷ୍ଠୁର ହେଲା ? ନା ଏକଥା ବୁଝି ପାରୁଛି ନିରୀହ ନିଷ୍ପାପ ୮ ବର୍ଷର ବାଳକ ବିଷ୍ଣୁ ନା ତା’ର ସଂପର୍କୀୟ ? ବିଷ୍ଣୁ ପ୍ରଶ୍ନର ଉତ୍ତର ଦେବାକୁ ସମସ୍ତେ ଯେମିତି ଅକ୍ଷମ ! ଛଅ ଦିନ ହେଲା କଟକ ବଡ ମେଡିକାଲ ସର୍ଜରୀ ଉଆର୍ଡ଼ର ୫୦୫ ନମ୍ବର ବେଡରେ ନିଜର ଡାହାଣ ଗୋଡ ଓ ହାତ ହରାଇ ଜୀବନ-ମରଣ ସହ ଲଢେଇ କରୁଥିବା ବିଷ୍ଣୁର ଅବସ୍ଥା ଯିଏ ଦେଖିବ ସିଏ ଭାଙ୍ଗି ପଡିବ । ଆଖିରୁ ଝରିପଡିବ ଦୁଇ ଟୋପା ଲୁହ । ପାଟିରୁ ବାହାରି ଆସିବ ହେ ପ୍ରଭୁ...। ଯେତେବେଳେ ବିଷ୍ଣୁ ନିଦରୁ ଉଠୁଛି କେବଳ ଗୋଟିଏ କଥା ପଚାରୁଛି, ମୋ ଗୋଡ କାହିଁକି ନେଲ...ମୋ ହାତ କାହିଁକି ନେଲ...ମୋତେ ଫେରାଇ ଦିଅ । ତା’ପରେ ଶୁଭୁଛି କରୁଣ ଚିତ୍କାର, ଯାହା ପାଖରେ ଥିବା ଅଜାଆଈ, ମାମୁ, ସଂପର୍କୀୟ ଓ ଉଆର୍ଡ଼ରେ ଥିବା ଅନ୍ୟ ରୋଗୀଙ୍କ ହୃଦୟ ତରଳାଇ ଦେଉଛି । ଯିଏ ତାକୁ ବୁଝାଇଲେ ବୁଝୁଛି ନା ନିଜେ କିଛି ବୁଝୁଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ତୋ’ର କିଛି ହେବ ନାହିଁ...ତୁ ଭଲ ହୋଇଯିବୁ...ପୁଣି ଖେଳିବୁ...ବୁଲିବୁ... । ହେଲେ ତାହା କିପରି ସମ୍ଭବ ବୁଝିପାରୁନି ନିରୀହ ବିଷ୍ଣୁ ଦୀର୍ଘ ୬ ଦିନ ପରେ ବି ବିଷ୍ଣୁର କରୁଣ ଚିତ୍କାର ନା ବାଜୁଛି ପ୍ରଶାସନ କାନରେ ନା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ କାନରେ । ଯେଉଁ ବିଦ୍ୟୁତ ବିଭାଗର ଅପାରଗତା ପାଇଁ ଆଜି ବିଷ୍ଣୁର ଏ ଅବସ୍ଥା ସେ ମଧ୍ୟ ସାଜିଛି ନିଦାବିଷ୍ଣୁ । ମାର୍ଚ୍ଚ ୩ ତାରିଖ ଅପରାହ୍ଣ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ଗ୍ରାମରେ ଚାଲିଥିଲା ଫୁଟବଲ ଖେଳ । ସେଠାରେ ଥିବା ଆରସିଏମର ଏକ କୋଠା ଉପରେ ସାଙ୍ଗମାନଙ୍କ ସହ ଖେଳ ଦେଖୁଥିଲା ୮ ବର୍ଷର ବାଳକ ବିଷ୍ଣୁ । ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଷ୍ଣୁ ଗୁରୁତର ଭାବେ ପୋଡିଯାଇଥିଲା ବିଷ୍ଣୁର ଡାହାଣ ଗୋଡ ଓ ହାତ । ଫୁଟବଲ ଖେଳାଳି ଓ ସ୍ଥାନୀୟ ଲୋକେ ତାକୁ ନେଇଯାଇଥିଲେ ମେଡିକାଲକୁ । ତା’ପରେ ନିଆଯାଇଥିଲା ବାରିପଦା ମେଡିକାଲକୁ । ସେଠି ଅବସ୍ଥା ସଂକଟାପନ୍ନ ହେବାରୁ ତା’ପର ଦିନ କଟକ ବଡ ମେଡିକାଲ ନିଆଯାଇଥିଲା । ଡାହାଣ ଗୋଡ ଓ ହାତ ନଷ୍ଟ ହୋଇଯାଇଥିବାରୁ ବିଷ୍ଣୁର ଜୀବନ ବଂଚାଇବା ପାଇଁ ଡାକ୍ତରମାନେ ତାର ଡାହାଣ ଗୋଡ ଓ ହାତକୁ ମାର୍ଚ୍ଚ ୭ ତାରିଖରେ କାଟିବାକୁ ବାଧ୍ୟ ହୋଇଥିଲେ । ବିଷ୍ଣୁ ବର୍ଷକର ହୋଇଥିବା ବେଳେ ବାପାମାଆ ତାକୁ ଏକୁଟିଆ କରି ଆରପାରିକୁ ଚାଲିଯାଇଥିଲେ । ତାର ମାମୁ ଅଜା ଲାଲମୋହନ ବିନ୍ଧାଣୀ ଓ ଆଈ କିନି ବିନ୍ଧାଣୀ ତାକୁ ପାଖରେ ରଖି ଅଭାବ ସତ୍ତ୍ବେ ଏତେ ବଡ କରିଥିଲେ । ବିଷ୍ଣୁ ଏବେ ସାରସକଣା ନୋଡାଲ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର । ବାପାମାଆ କ’ଣ ଜାଣିବା ପୂର୍ବରୁ ତାଙ୍କୁ ହରାଇଥିଲା ବିଷ୍ଣୁ । ଏବେ ଜୀବନ କ’ଣ ବୁଝିବା ପୂର୍ବରୁ ହରାଇଛି ଦେହର ଅମୂଲ୍ୟ ଅଙ୍ଗ । ବିଷ୍ଣୁର ଜୀବନ ରକ୍ଷା ପାଇଁ ଗାଁର ୬ ଜଣ ଯୁବକ ଯାହା ଟଙ୍କା ଆଦାୟ କରି ଆଣିଥିଲେ ତାହା ଏବେ ଶେଷ । ସମସ୍ତଙ୍କ ଚିନ୍ତା କେମିତି ଭଲ ହେବ ବିଷ୍ଣୁ ? କେଉଁଠୁ ଆସିବ ଟଙ୍କା ? ଏହି ଚିନ୍ତା ଏବେ ଘାରିଛି ଅଜାଆଈ, ମାମୁ ମଙ୍ଗଲ, ମାନବିକତାର ପରିଚୟ ଦେଇ ହାତ ବଢାଇଥିବା ଗ୍ରାମର  ପିଣ୍ଟୁ ଦଣ୍ଡପାଟ, ବିଜୟ ସାହୁ, ଚନ୍ଦ୍ରଶେଖର ସାହୁ, ବିଶିକେଶନ ଦଳେଇ, ସତ୍ୟଜିତ ଓ ଗୁରୁପ୍ରସାଦ ବାରିକ ପ୍ରମୁଖଙ୍କୁ । ଗୁରୁପ୍ରସାଦଙ୍କ କହିବା କଥା, ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି । ଆସନ୍ତା ୧୪ ତାରିଖରେ ଷ୍ଟିଚ ଖୋଲାଯିବ । ଟଙ୍କା ଆଣିବା ପାଇଁ ୩ ଜଣ ସାଙ୍ଗ ଗାଁକୁ ଯାଇଛନ୍ତି । ସମାଜ ରିଲିଫ ପାଣ୍ଠିରୁ ୧୦ ହଜାର, ୨ ଜଣ ବ୍ୟକ୍ତି ୫୦୦ କରି ହଜାରେ ଟଙ୍କା ଦେଇଛନ୍ତି । ସରକାରୀ ସାହାଯ୍ୟ କହିଲେ ଏକ ଆମ୍ବୁଲାନ୍ସ ବାରିପଦା ମେଡିକାଲରୁ ଆଣି କଟକରେ ଯାହା ଛାଡିଦେଇ ଯାଇଛି । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ ବିଷ୍ଣୁର କୃତ୍ରିମ ଗୋଡ ଓ ହାତ ଲଗାଇବା ପାଇଁ ୬ ଲକ୍ଷରୁ ଅଧିକ ଟଙ୍କା ଲାଗିବ । ତଦ୍ବାରା ବିଷ୍ଣୁ ଆଗ ଭଳି ସବୁ କାମ କରିପାରିବ । ତେବେ ସେଥିପାଇଁ ଆବଶ୍ୟକ ଏତେ ଟଙ୍କା କେଉଁଠୁ ଆସିବ ସେହି ଚିନ୍ତାରେ ସମସ୍ତେ ଭାଙ୍ଗି ପଡିଛନ୍ତି । ବିଷ୍ଣୁର କଟାଯାଇଥିବା ସ୍ଥାନର ଯନ୍ତ୍ରଣା ଆଗ ଅପେକ୍ଷା କମିଛି । ସେ ଉଠି ବସୁଛି ହରଲିକ୍ସ, ବିସ୍କୁଟ, ଫଳରସ ଖାଉଛି । କିଛି କିଛି ବୁଝିବା ଆରମ୍ଭ କଲାଣି ବୋଲି କୁହନ୍ତି ଗୁରୁପ୍ରସାଦ । ବାପାମାଆ ଛେଉଣ୍ଡ ବିଷ୍ଣୁର ମୁହଁରେ ଟିକେ ହସ ଫୁଟାଇବା ପାଇଁ ତା’ର ଅଭାବୀ ଅଜାଆଈ, ମାମୁ ଓ ସଂପର୍କୀୟ ମୁଖମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ବିଷ୍ଣୁ ନୂତନ ଜୀବନ ପାଇବା ସହିତ ବଂଚି ରହିବାକୁ ସମୟ ସହିତ ଯୁଦ୍ଧ କରିବାର ଶକ୍ତି ପାଆନ୍ତା ।

Share :