ଶ୍ରୀରାଧା

ଶ୍ରୀରାଧା

Share :

ଗିରିଜା କୁମାର ବଳୀୟାରସିଂହ   ଆଜି ବୋଧେ ମେଘମାନେ ନାଚିଯିବେ ମଲ୍ଲାର ରାଗରେ ଗୋଧୂଳିର ଗଳି ମୋଡ଼େ ଦିଶିବନି ଗୋକୁଳର ଗାଁ... ଆଜି ବୋଧେ ସବୁ ନଈ ହାରିଯିବେ ଯମୁନା ଆଗରେ ବଇଁଶୀ ମୋ ଭୁଲିଯିବ ମୋ ନିଜସ୍ବ ନକ୍ଷତ୍ରର ନାଁଆ !   ଆଜି ବୋଧେ କୁଞ୍ଜବନ ତୋଳିବନି ଗୁଞ୍ଜନ କଦାପି ଶୁଣିବନି ଗୋପଦାଣ୍ଡ ଗୁଜବର ନିଷ୍ଣୁର ନାଗରା... ଆଜି ବୋଧେ ସବୁ ଫୁଲ କଦଂବଠୁ ମାଗିନେବେ ମାଫି ଯାବଦ ଯୁବତୀବୃନ୍ଦ ବୃନ୍ଦାବନେ ଛୁଇଁବେନି ଗରା !   ଆଜି ବୋଧେ ବର୍ଷା ହେବ ସର୍ବାଧିକ ବାତ୍ୟାର ବେଗରେ ଅଷ୍ଟପାଟବଂଶୀ ମୋର ଚାହିଁଥିବେ ସଜଳ ସତୃଷ୍ଣ... ଆଜି ବୋଧେ ସବୁ ନାରୀ ରାଧା ହୋଇ ରହିଯିବେ ଘରେ ତୁମେ କିନ୍ତୁ ନାରୀ ହୋଇ ଉଚ୍ଚାରିବ: ଆସିଚି ମୁଁ କୃଷ୍ଣ !   ହେ ରାଧା, ରମଣ ଆମ- ମରଣକୁ କରିବ ମିଳନ... ଶିଆଳୀ ଶଯ୍ୟାରେ ମୋର ଶେଷ ଦିନ..ହେବ ଶ୍ରେଷ୍ଠ ଦିନ !!

Share :