ଦୁର୍ନୀତି ଚପାଇବାର ନବୀନ କୌଶଳ

ଦୁର୍ନୀତି ଚପାଇବାର ନବୀନ କୌଶଳ

Share :

ଗଠନ ହେଉନି ଲୋକାୟୁକ୍ତ ଓ ଅମ୍ବୁଦସମ୍ୟାନ ପ୍ରଦୀପ ପ୍ରଧାନ   ଗତ କିଛିଦିନ ତଳେ ରାଜ୍ୟ ସରକାର ଅତ୍ୟନ୍ତ ତରବରିଆ ଭାବେ ଲୁକ୍କାୟିତ କରି ରଖିଥିବା ଅକ୍ଟୋବର, ୨୦୧୫ ବିଜ୍ଞପ୍ତିକୁ ସର୍ବସାଧରଣରେ ପ୍ରକଶ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀରେ ରାଜ୍ୟ ସୂଚନା କମିଶନଙ୍କୁ ରାଜ୍ୟ ଖାଦ୍ୟ କମିଶନ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜିଲ୍ଲା ଅଭିଯୋଗ ଫଇସଲା ଅଧିକାରୀ ଭାବେ ପଦନାମିତ ହୋଇଛି ବୋଲି ଜଣାଇଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଆଇନ ଅଧୀନରେ ଉକ୍ତ ଦୁଇଟି ସଂସ୍ଥା ଆଇନର ଉଲ୍ଲଂଘନ ସମ୍ପର୍କୀତ ଅଭିଯୋଗ ଶୁଣାଣୀ କରି ବିହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବ । କିନ୍ତୁ ଏହି ଦୁଇ ସଂସ୍ଥା କିପରି କର୍ଯ୍ୟ ନିର୍ବାହ କରିବେ, ଯଥା - ଅଭିଯୋଗ ଦାଖଲ, ଅଭିଯୋଗର ଗ୍ରହଣ ଏବଂ ଶୁଣାଣୀର ନିର୍ଦ୍ଦିଷ୍ଟ ସମୟ ଇତ୍ୟାଦି ପାଇଁ ଆବଶ୍ୟକ ନିୟମାବଳୀ ରାଜ୍ୟ ସରକାର ତିଆରି କରିନାହାନ୍ତି । ତେଣୁ ରାଜ୍ୟ ଖାଦ୍ୟ କମିଶନ ଗଠିତ ହେବା ଏବଂ ଜିଲ୍ଲା ଅଭିଯୋଗ ଫଇସଲା ଅଧିକାରୀ ନିଯୁକ୍ତି ହେବା ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ବସ୍ତୁତଃ ଏହା ଏକ ଅଦରକାରୀ ସଂସ୍ଥା ଭାବେ ପଡ଼ିରହିଛି ।   ସେହିପରି ୨୦୧୪ ମସିହାରେ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜନମତକୁ ନିଜ ସପକ୍ଷରେ ନେବାପାଇଁ ବିଜୁ ଜନତା ଦଳ ସରକାର ଫେବୃୟାରୀ ମାସରେ ଅତ୍ୟନ୍ତ ତରବରିଆ ଭାବେ ଓଡ଼ିଶା ଲୋକାୟୁକ୍ତ ବିଲ୍ ବିଧାନସଭାରେ ପାସ୍ କରାଇଲେ ଏବଂ ଏହା ସାରା ଦେଶରେ ପ୍ରଥମ ବୋଲି ଡିଣ୍ଡିମ ପିଟିଲେ । ବର୍ତ୍ତମାନ ରାଷ୍ଟ୍ରପତି ଉକ୍ତ ବିଧେୟକକୁ ସ୍ବୀକୃତି ଦେବାର ଏକ ବର୍ଷ ହୋଇଯାଇଥିଲେ ମଧ୍ୟ, ରାଜ୍ୟରେ ଓଡ଼ିଶା ଲୋକାୟୁକ୍ତ ଆଇନ, ୨୦୧୪ ଆଧାରରେ ଲୋକାୟୁକ୍ତ ସଂସ୍ଥା ଗଠନ ହେଲାନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ଉଚ୍ଚ ପ୍ରଶାସନିକ ଅଧିକାରୀ, ମନ୍ତ୍ରୀ, ବିଧାୟକମାନଙ୍କ ବିରୁଦ୍ଧରେ ହେଉଥିବା ଦୁର୍ନୀତି ଅଭିଯୋଗର ସମୟବଦ୍ଧ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ସଂସ୍ଥା ଗଠନ ଅପରିହାର୍ଯ୍ୟ । ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ନେତୃତ୍ବରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନ ଏବଂ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ସଶକ୍ତ ଲୋକପାଳ ଏବଂ ଲୋକାୟୁକ୍ତ ଆଇନ, ୨୦୧୩ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ନିଜ ନିଜର ଆଇନ କରି ଲୋକାୟୁକ୍ତ ସଂସ୍ଥା ଗଠନ କରିବେ ବୋଲି ବ୍ୟବସ୍ଥା ରହିଛି । ପୁଣି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ଜାତୀୟ ଗ୍ରାମାଞ୍ଚଳ କର୍ମନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା, ଶ୍ରମିକମାନଙ୍କୁ ମାସ ମାସ ଧରି ମଜୁରୀ ନଦେବା, ଅର୍ଥ ହଡ଼ପ ଇତ୍ୟାଦିର ସମୟବଦ୍ଧ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଉକ୍ତ ଧାରା ୨୭  ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ଅମ୍ବୁଦସମ୍ୟାନ ଗଠନ ପାଇଁ ରାଜ୍ୟ ସରକାରଙ୍କୁ ୨୦୧୦ ମସିହାରେ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଗାଇଡ଼ଲାଇନ ମଧ୍ୟ ପଠାଇଲେ । ଏହି ଆଧାରରେ ରାଜ୍ୟ ସରକାର ଆପାତତଃ ପ୍ରତ୍ୟେକ ଜିଲ୍ଲାରେ ଅମ୍ବୁଦସମ୍ୟାନ ସଂସ୍ଥା ଗଠନ କରିବା ସହ ଅଭିଜ୍ଞ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀମାନଙ୍କୁ ନିଯୁକ୍ତି ଦେଇଥିଲେ । ଉକ୍ତ ସଂସ୍ଥା କିଛି ପରିମାଣରେ ଯେନତେନ ପ୍ରକାରରେ ଦୁଇ ବର୍ଷ ଭଲ ଚାଲିଲା । କାରଣ ଏହାର କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ ଥିଲା । ସରକାର ଚାହିଁଲେ ଏହି ଅମ୍ବୁଦସମ୍ୟାନଙ୍କର କାର୍ଯ୍ୟ ଅବଧି ବୃଦ୍ଧି କରିପାରିଥାନ୍ତେ । କିନ୍ତୁ ତାହା ହେଲା ନାହିଁ । ୨୦୧୩ ମସିହାରୁ ରାଜ୍ୟରେ ଅମ୍ବୁଦସମ୍ୟାନ ବ୍ୟବସ୍ଥା ପୂରା ବନ୍ଦ । ସମଗ୍ର ରାଜ୍ୟରେ ଗାମ ଜିଲ୍ଲାରେ ନିଯୁକ୍ତ ଏକମାତ୍ର ଅମ୍ବୁଦସମ୍ୟାନ ପୂର୍ବତନ ରାଜ୍ୟ ପ୍ରଶାସନିକ ଅଧିକାରୀ ଏସ୍. ସଦାନନ୍ଦ ରାଓଙ୍କୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଅଫିସ୍, ଏବଂ ଦୈନିକ ଭତ୍ତା ଇତ୍ୟାଦି ଯୋଗାଇ ଦିଆନଯିବାରୁ ଦୀର୍ଘ ଦୁଇ ବର୍ଷ ଧରି ସେ କିଛି କାମ ନ କରିପାରି ଗତ ଡିସେମ୍ବର, ୨୦୧୫ରେ ଅବସର ନେଇଗଲେ । ଏ ସମ୍ପର୍କରେ ନିଜର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେବା ଦର୍ଶାଇ ଶ୍ରୀ ରାଓ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ ନ୍ୟାୟ ପାଇ ପାରିନାହାନ୍ତି । କାରଣ ଜାତୀୟ ମାନବାଧିକାର କମିଶନଙ୍କ ତରଫରୁ ଜାରି ହୋଇଥିବା ଛଅ ଛଅ ଥର ନୋଟିସର ଉତ୍ତର ରାଜ୍ୟ ସରକାର ଦେଇପାରି ନାହାନ୍ତି । ସେହିପରି ଏନ୍.ଆର.ଇ.ଜିଏ. କାମରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବା ସହ ଦୁର୍ନୀତିର ପ୍ରତିହତ ପାଇଁ ଆଇନରେ ଗ୍ରାମସଭା ଦ୍ବାରା ସାମାଜିକ ସମୀକ୍ଷା  କରାଯିବାର ବ୍ୟବସ୍ଥା ରହିଛି । ଏହି ସାମାଜିକ ସମୀକ୍ଷା ବୈଠକରେ ଲୋକମାନଙ୍କର ଏନ୍.ଆର.ଇ.ଜି.ଏ. କାମ ସମ୍ପର୍କୀତ ଅଭିଯୋଗ ଶୁଣାଣୀ କରାଯିବ ଏବଂ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇପାରିବ । ରାଜ୍ୟରେ ସମସ୍ତ ପଞ୍ଚାୟତରେ ଏହି ସାମାଜିକ ସମୀକ୍ଷାକୁ ତ୍ବରାନ୍ବିତ କରିବା ଏବଂ ଏହାକୁ ବ୍ୟବସ୍ଥାଗତ ରୂପରେଖ ଦେବାପାଇଁ ରାଜ୍ୟ ସରକାର ୨୦୧୧ରେ ପଞ୍ଚାୟତିରାଜ ବିଭାଗ ଅଧୀନରେ ସାମାଜିକ ସମୀକ୍ଷା ନିର୍ଦ୍ଦେଶାଳୟ ଗଠନ କଲେ ଏବଂ ଜଣକୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ସଂସ୍ଥା ଏ ପର୍ଯ୍ୟନ୍ତ‘ ରାଜ୍ୟରେ ଗୋଟିଏ ବି ସାମାଜିକ ସମୀକ୍ଷା କରାଇପାରି ନାହିଁ ଏବଂ ଦୀର୍ଘ ଦୁଇ ବର୍ଷ ଧରି ଉକ୍ତ ସଂସ୍ଥାରେ ନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି । ଅପର ପକ୍ଷରେ, ରାଜ୍ୟରେ ଗଠିତ ପୋଲିସ୍ ଅଭିଯୋଗ କର୍ତ୍ତୃପକ୍ଷ ଏକ ଅଦରକାରୀ ସଂସ୍ଥା ଭାବେ ୨୦୧୩ ମସିହାରୁ ପଡ଼ିରହିଛି ରାଜ୍ୟରେ ଏସ୍.ପି. ପାହ୍ୟାରୁ ତଳ ପଦପଦବୀରେ ଥିବା ପୋଲିସ୍ ଅଫିସର ବା କର୍ମଚାରୀଙ୍କ ଖରାପ ବ୍ୟବହାର ପ୍ରଦର୍ଶନ ବା ଅତ୍ୟାଚାର ବିରୁଦ୍ଧରେ ଅଭିଯୋଗ କରିବା ଏବଂ ତ୍ବରିତ ନ୍ୟାୟ ପାଇବା ପାଇଁ ଉକ୍ତ ସଂସ୍ଥା ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ହୋଇଥିଲା ରାଜ୍ୟରେ ଉକ୍ତ ସଂସ୍ଥାର ମୁଖ୍ୟ ଭାବେ ଲୋକପାଳଙ୍କୁ ପଦନାମିତ କରାଗଲଲା ଅର୍ଥାତ୍ ଲୋକପାଳ ସମସ୍ତ ଅଭିଯୋଗର ଶୁଣାଣୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କିନ୍ତୁ ରାଜ୍ୟରେ ୨୦୧୩ ମସିହାରୁ ଲୋକପାଳ ନିଯୁକ୍ତି ହୋଇନଥିବାରୁ, ପୋଲିସ୍ ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିଥିବା ୧୫୦୦ରୁ ଉର୍ଦ୍ଧ୍ବ ଅଭିଯୋଗ ପଡ଼ିରହିଛି । ରାଜ୍ୟରେ ପ୍ରମୁଖ ସଂସ୍ଥା ଯଥା - ରାଜ୍ୟ ସୂଚନା କମିଶନ୍, ରାଜ୍ୟ ମାନବାଧିକାର କମିଶନରେ ମୁଖ୍ୟ ପଦବୀ ଏବଂ ଅନ୍ୟାନ୍ୟ ପଦବୀଗୁଡ଼ିକ ଦୀର୍ଘଦିନ ଧରି ଖାଲି ପଡ଼ିଥିବାରୁ ଉକ୍ତ ସଂସ୍ଥାଗୁଡ଼ିକ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ କରିପାରୁ ନାହାନ୍ତି । ତେଣୁ, ସ୍ବତଃ ପ୍ରଶ୍ନ ଉଠେ, ରାଜ୍ୟରେ ଏହିସବୁ ସଂସ୍ଥାଗୁଡ଼ିକର ଏପରି ଦୁରବସ୍ଥା କାହିଁକି ? ରାଜ୍ୟ ସରକାର ଏହି ସଂସ୍ଥାଗୁଡ଼ିକୁ କାର୍ଯ୍ୟକ୍ଷମ କରାଉନାହାନ୍ତି କାହିଁକି ? ଏହାର ଉତ୍ତର ଅତି ସହଜ । ନବୀନ ପଟ୍ଟନାୟକଙ୍କ ସରକାର ଦୀର୍ଘଦିନ ଧରି କ୍ଷମତାରେ ରହିଲାପରେ, ରାଜ୍ୟ ପ୍ରଶାସନରେ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସୀମାହୀନ ହରିଲୁଟ୍, ବ୍ୟାପକ ଅର୍ଥ ତୋଷରପାତ, ଅନିୟମିତତା ହୋଇଚାଲିଛି । ପୁଣି ଏହି ଲୁଟର କୌଣସି ସୀମା ନାହିଁ । ରାଜ୍ୟରେ ଲୁଟ୍ କରି କିଏ କେତେ ଅଧିକ ଧନୀ ହେବ ଏବଂ ତାର ଅର୍ଥନୈତିକ ସାମ୍ରାଜ୍ୟ ପ୍ରତିଷ୍ଠା କରିବ, ସେଥିପାଇଁ ମନ୍ତ୍ରୀ, ବିଧାୟକ, ଅଫିସରମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ହଜାର ହଜାର କୋଟି ଟଙ୍କାର ଚିଟ ଫଣ୍ଡ କେଳେଙ୍କାରୀ, ଖଣି ମହାଦୁର୍ନୀତି, ଜମି ଦୁର୍ନୀତି ହେଉଛି ଅଳ୍ପ କିଛି ଉଦାହରଣ । ସେହିପରି ପ୍ରାୟ ସମସ୍ତ ସରକାରୀ ଯୋଜନା ଆଇ.ସି.ଡି.ସ୍. ମଧ୍ୟାହ୍ନ ଭୋଜନ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଦିବାସୀଙ୍କ ପାଇଁ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତାରେ ବ୍ୟାପକ ଅର୍ଥ ହେରଫେର ଏକ ନିତିଦିନିଆ ଘଟଣା ହୋଇଯାଇଛି । ସରକାରୀ କଳକୁ ଅପବ୍ୟବହାର କରି ଚଞ୍ଚକତା କରି ବେସରକାରୀ ସଂସ୍ଥାମାନଙ୍କୁ କାର୍ଯ୍ୟ ଦେଇ କୋଟି କୋଟି ଟଙ୍କା ଲୁଟ୍ କରିବା ଏକ ନୂଆ ଧରଣର ଦୁର୍ନୀତି ଓ ହଡ଼ପ ପ୍ରକ୍ରିୟା ରାଜ୍ୟ ଅମଲାମାନେ ଆରମ୍ଭ ଚଳାଇଛନ୍ତି । ଏହି ଲୁଟତରାଜ ସମ୍ପର୍କୀତ ତଥ୍ୟ ସୂଚନା ଅଧିକାର ଆଇନ ଦ୍ବାରା ବା ଅନ୍ୟାନ୍ୟ ସୂତ୍ରରୁ ଲୋକଲୋଚନକୁ ଆସିବା ଦ୍ବାରା ସାଧାରଣ ଲୋକେ ଏହାର ପ୍ରତିବାଦ କରିବା ସହ ତଦନ୍ତ ପାଇଁ ଦାବି କରୁଛନ୍ତି । ବିଭିନ୍ନ ଅଭିଯୋଗର ତଦନ୍ତ କରିବେ ତଦନ୍ତକାରୀ ସଂସ୍ଥା । ସରକାରୀ ନିୟନ୍ତ୍ରଣାଧୀନ ତଦନ୍ତକାରୀ ସଂସ୍ଥା ଯଥା ରାଜ୍ୟ ଭିଜିଲାନ୍ସ ବା କ୍ରାଇମ୍ ବ୍ରାଞ୍ଚ୍ ଦ୍ବାରା ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ନ ହୋଇପାରିବାରୁ ବିଭିନ୍ନ ଆଇନ କରାଯାଇ ସ୍ବାଧୀନ ସଂସ୍ଥା ଗଠନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ଦୁର୍ନୀତିର ତଦନ୍ତ ବା ଦୁର୍ନୀତି ବିରୁଦ୍ଧରେ ଲଢ଼ୁଥିବା ସାମାଜିକ କର୍ମୀମାନଙ୍କର ସୁରକ୍ଷା ପାଇଁ ଲୋକପାଳ ଆଇନ, ଲୋକାୟୁକ୍ତ ଆଇନ, ମାନବିକ ଅଧିକାର ସୁରକ୍ଷା ଆଇନ, ସୂଚନା ଅଧିକାର ଆଇନ ଇତ୍ଯାଦି ପ୍ରଣୟନ କରାଯାଇଛି । ଏହିସବୁ ଆଇନ ଅଧୀନରେ ଯଦି ସ୍ବାଧୀନ ଓ ନିରପେକ୍ଷ ସଂସ୍ଥା ଗଠିତ ହୁଏ, ତେବେ ସ୍ବଚ୍ଛ ଓ ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କର ଅସଲ ମୁଖା ଖୋଲିଯିବା ଭୟରେ ଅତ୍ୟନ୍ତ ଚତୁରତାର ସହ ଏହିସବୁ ସଂସ୍ଥା ଯଥା ଲୋକାୟୁକ୍ତ ଓ ଅମ୍ବୁଦସମ୍ୟାନ ଗଠନ କରୁନାହାନ୍ତି ବା ଯେଉଁ ସଂସ୍ଥା ବା କମିଶନ ଗଠନ କରିଛନ୍ତି ତାହା କିପରି କକାର୍ଯ୍ୟକ୍ଷମ ନହେବ ଏବଂ ସ୍ବାଧୀନ ଓ ନିରପେକ୍ଷ ଭାବେ କାମ ନ କରିବ ସେଥିପାଇଁ ସମସ୍ତ ଚକ୍ରାନ୍ତ କରିଚାଲିଛନ୍ତି । ଏବେ ସୁଦ୍ଧା ଯାହାକିଛି କମିଶନ୍ ଯଥା ରାଜ୍ୟ ସୂଚନା କମିାନ୍, ଶିଶୁ ଅଧିକାର କମିଶନ୍ ଗଠିତ ହୋଇଛି, ଏହି ସଂସ୍ଥାଗୁଡ଼ିକ ରାଜନୈତିକ ବା ପ୍ରଶାସନିକ ଥଇଥାନ ସଂସ୍ଥା ହୋଇଛି ଏବଂ ଏଥିରେ ନିଯୁକ୍ତ ବ୍ୟକ୍ତିମାନେ ସରକାରଙ୍କର ଗୋଡ଼ାଣିଆ ଦଲାଲ ଭାବେ କାମ କରୁଛନ୍ତି । ଉଦାହରଣ ସ୍ବରୂପ ସୂଚନା କମିଶନରମାନଙ୍କର ଆଇନ ବିରୋଧୀ କାର୍ଯ୍ୟ ଏବଂ ଦୁର୍ନୀତିଗ୍ରସ୍ତ ଅମଲାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ବିରୋଧରେ ସୂଚନାଧିକାର କର୍ମୀମାନଙ୍କ ତରଫରୁ ରାଜ୍ୟପାଳଙ୍କ ନିକଟରେ ୬୦ରୁ ଉର୍ଦ୍ଧ୍ବ ଅଭିଯୋଗ କରାଯାଇ ତଦନ୍ତ ଦାବି କରାଯାଇଛି ଏବଂ ସେହିପରି ଉଚ୍ଚ ନ୍ୟାୟାଳୟରେ ମଧ୍ୟ ମକଦ୍ଦମା ଦାୟର ହୋଇଛି । ରାଜ୍ୟରେ ଦୁର୍ନୀତିକୁ ପ୍ରତିହତ କରିବା ପାଇଁ କୌଣସି ସଂସ୍ଥା ସ୍ବାଧୀନ ଏବଂ ନିରପେକ୍ଷ କାମ କରନ୍ତୁ, ଏହା ରାଜ୍ୟ ସରକାର ଆନ୍ତରିକତାର ସହିତ ଚାହାନ୍ତି ନାହିଁ । ସ୍ବେଚ୍ଛାଚାରୀ ଶାସନର ପ୍ରତିବିମ୍ବ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ସମସ୍ତ ଆଇନ ବ୍ୟବସ୍ଥାକୁ ପରିଚାଳିତ କରି ନିଜର ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ଏହିସବୁ ସଂସ୍ଥାକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛନ୍ତି । ଲୋକଙ୍କ ଦୃଷ୍ଟିକୁ ଫେରାଇନେବା ପାଇଁ ବିଜୁ ଜନତାଦଳ ତରଫରୁ କେତେବେଳେ ସ୍ବଚ୍ଛ ଶାସନର ନାରା ଦିଆଯାଏ ତ କେତେବେଳେ ଦୁର୍ନୀତି ଯୋଗୁ ସାଧାରଣ ଲୋକଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷକୁ ପ୍ରତିହତ ପାଇଁ ଟଙ୍କିକିଆ ଚାଉଳ, ୫ ଟଙ୍କିଆ ଭୋଜନ, ଛତା, କମ୍ବଳ ବାଣ୍ଟି ଦିଆଯାଏ । ରାଜ୍ୟରେ ଚାଲିଥିବା ବ୍ୟାପକ ଦୁର୍ନୀତି, ଜାଲିଆତି ଏବଂ ଅନିୟମିତତାକୁ ଲୁଚାଇ ରଖିବା ପାଇଁ ବିଭିନ୍ନ ସ୍ବାଧୀନ ଓ ନିରପେକ୍ଷ ସଂସ୍ଥା ଗଠନ କରାଇନଦେବା ବା ଗଠିତ ସଂସ୍ଥାକୁ ଅକାମୀ କରିଦେବା ହେଉଛି ନବୀନବାବୁଙ୍କର ଅଭିନବ କୌଶଳ, ଏହା ରାଜ୍ୟବାସୀ ବୁଝିବା ଉଚିତ । ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୋ : ୯୯୩୭୮୪୩୪୮୨

Share :