ଗରିବ ଭାରତରେ ବଢ଼ୁଛନ୍ତି ସୁପର ଧନୀ

ଗରିବ ଭାରତରେ ବଢ଼ୁଛନ୍ତି ସୁପର ଧନୀ

Share :

ସ୍ବାଧୀନତାର ସାତ ଦଶନ୍ଧି ପୂରିବାକୁ ବସିଥିଲେ ମଧ୍ୟ ଭାରତରୁ ଦାରିଦ୍ର୍ୟ ଦୂର ହୋଇପାରି ନାହିଁ । ସେଥିପାଇଁ ସରକାର ପରେ ସରକାର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । ବର୍ତ୍ତମାନର ମୋଦି ସରକାର ମଧ୍ୟ ଏଇ ସରକାରୀ ସଂସ୍କାର ଓ ସ୍ଲୋଗାନ ଛାଡ଼ି ନାହାନ୍ତି । ତାଙ୍କର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିଥିବା ସାଧାରଣ ବଜେଟରେ ମଧ୍ୟ ଗରିବଙ୍କ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଭାରତର ଗ୍ରାମାଞ୍ଚଳ ହେଉଛି ଗରିବମାନଙ୍କ ଘର । ଏପରି ଏକ ଧାରଣା କ୍ରମଶଃ ବଳବତ୍ତର ହେବାରେ ଲାଗିଛି । ଗାଁର ରୁହନ୍ତି ରୁହନ୍ତି ଚାଷୀ ଓ କାରିଗର ଶ୍ରେଣୀର ଲୋକମାନେ । ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଅଧିକାଂଶ ଲୋକଙ୍କ ସ୍ଥାୟୀ ଠିକଣା ମଧ୍ୟ ଗାଁ । ଏବେ ବି ଦେଶର ପ୍ରାୟ ୩୦ ପ୍ରତିଶତ ଲୋକ ଗରିବ ବୋଲି ଭାରତ ସରକାର ପରିସଂଖ୍ୟାନ ପେଶ୍ କରନ୍ତି । ଭାରତର ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଗରିବଙ୍କ ଦ୍ବାହି ଦେଇ ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରଚଳନ କରୁଛନ୍ତି । ଇନ୍ଦିରା ଆବାସ ଯୋଜନା, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଆଦି ଭତ୍ତା, ଟଙ୍କିକିଆ ଚାଉଳ, ୫ ଟଙ୍କିଆ ଆହାର, ମାଗଣା ସାଇକେଲ, ମାଗଣା ପୋଷାକ, ମାଗଣା ବହି, ଲ୍ୟାପଟପ, କମ୍ବଳ, ଶବପୋଡ଼ିବା ପାଇଁ କାଠ, ପ୍ରସବ କାଳୀନ ସହାୟତା, ପିଲା ଜନ୍ମ ପାଇଁ ଆର୍ଥିକ ସହାୟତା, ଜନନୀ ସୁରକ୍ଷା ଯୋଜନା, ଅଙ୍ଗନବାଡ଼ି ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସଂଖ୍ୟାରୁ ଭାରତର ଗରିବଙ୍କ ସଂଖ୍ୟା ସଂପର୍କରେ କିଛିଟା ଆନ୍ଦାଜ ଲଗାଇ ହୁଏ । ପ୍ରତିବର୍ଷ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ଲକ୍ଷାଧିକ କୋଟି ଟଙ୍କାର ଖର୍ଚ୍ଚ ସତ୍ତ୍ବ ଭାରତବର୍ଷରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଯେଉଁ ଅନୁସାରେ ଖସିବା କଥା ଖସୁ ନାହିଁ । ବରଂ ବର୍ଷକୁ ବର୍ଷ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଓ ସେ ବାବଦ ବ୍ୟୟବରାଦ ବଢ଼ିବଢ଼ି ଚାଲିଛି । ଅଥଚ ଭାରତବର୍ଷରେ ଅତିଧନୀ  ବା ସୁପର୍ ଧନୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯେଉଁମାନଙ୍କର ବ୍ୟକ୍ତିଗତ ସଂପତ୍ତିର ମୂଲ୍ୟ ୩ କୋଟି ଡଲାର ବା ପ୍ରାୟ ପ୍ରଚଳିତ ବିନିମୟ ହାର ଅନୁସାରେ ପ୍ରାୟ ୨୦୦ କୋଟି ଟଙ୍କା ସେମାନଙ୍କୁ ଏହି ତାଲିକାରେ ଗଣନା କରାଯାଉଛି । ସେମାନଙ୍କୁ କୁହାଯାଉଛି ଅଲଟ୍ରା ହାଇ ନେଟ୍ ଉଅର୍ଥ ଇଣ୍ଡିଭିଜୁଆଲ ବା ସୁପର୍ ଧନୀ । ଏଇ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଭାରତବର୍ଷରେ ଏପରି ସୁପର୍ ଧନୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସେମାନେ ସମସ୍ତେ ମୁମ୍ବାଇ ଓ ଦିଲ୍ଲୀ ପରି ବଡ଼ବଡ଼ ସହରରେ ରହିବାକୁ ଭଲ ପାଉଛନ୍ତି । ଆଉ ୯ ବର୍ଷ ପରେ ଅର୍ଥାତ ୨୦୧୫ ମସିହା ବେଳକୁ ପୃଥିବୀରେ ଯେତେ ସୁପର୍ ଧନୀ ବା ଅଲଟ୍ରା ହାଇ ନେଟ ଉଅର୍ଥ ଇଣ୍ଡିଭିଜୁଆଲ ଥିବେ ସେମାନଙ୍କର ୫ ପ୍ରତିଶତ ଭାରତର ବାସିନ୍ଦା ହୋଇଥିବେ । ସେହି ସମୟବେଳକୁ ଭାରତର ଅର୍ବୁଦ୍ଦପତି ବା ଶହେ କୋଟିରୁ ଅଧିକ ଟଙ୍କା ମୂଲ୍ୟ ସଂପତ୍ତିର ମାଲିକଙ୍କ ସଂଖା ମଧ୍ୟ ୬ ପ୍ରତିଶତ ବୃଦ୍ଧି ପାଇଥିବ । ୨୦୧୬ ନାଇଟ୍ ଫ୍ରାଙ୍କ ଉଏଲଥ ରିପୋର୍ଟରେ ଏହି ଆକଳନ କରାଯାଇଛି । ଏହି ରିପୋର୍ଟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ଭାରତର ଅର୍ବୁଦ୍ଦପତିଙ୍କ ସଂଖା ୪ ଗୁଣ ବୃଦ୍ଧି ପାଇଛି । ଏବେ ଏହି ସଂଖା ୭୮ ବୋଲି କଳଣା କରାଯାଇଛି । ବିଶ୍ବରେ ଏହି ସମୟ ମଧ୍ୟରେ ଏହି ସଂଖା ୬୮ ପ୍ରତିଶତ ବୃଦ୍ଧି ପାଇଛି । ଏହା ୧୯୧୯ ବୋଲି କଳଣା କରାଯାଇଛି । ସେହିଭଳି ଗତ ଦଶନ୍ଧି ମଧ୍ୟରେ ଭାରତର ସୁପର ଧନୀ ବା ଅଲଟ୍ରା ହାଇ ନେଟ ଉଅର୍ଥ ବ୍ୟକ୍ତିଙ୍କ ସଂଖାରେ ୩୪୦ ପ୍ରତିଶତ ବୃଦ୍ଧି ପାଇଛି ଏବେ ଏହି ସଂଖା ହଉଛି ୬୦୨୦ । ପୃଥିବୀରେ ଏହି ସମୟ ମଧ୍ୟରେ ଏଭଳି ଲୋକଙ୍କ ସଂଖା ୬୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସଂଖା ୧,୮୭,୪୬୮ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫ ମସିହାରେ ଭାରତର ସୁପର ଧନୀଙ୍କ ସଂଖା ବିଶ୍ବର ସୁପର ଧନୀ ସଂଖାର ମାତ୍ର ୧ ପ୍ରତିଶତ ଥିଲା । ଭାରତରେ ଯେଉଁ ଗତିରେ ଧନୀ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ହାରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା କମୁଛି କି ? ଧନୀଙ୍କ ସଂଖ୍ୟା ବଢ଼ିଲେ ଦରିଦ୍ରଙ୍କ ସଂଖ୍ୟା ଯଦି କମୁ ନାହିଁ, ତେବେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ସବୁର ପ୍ରକୃତ ହିତାଧିକାରୀ କିଏ ? ନାଇଟ ଫ୍ରାଙ୍କ ସଂସ୍ଥାର ଭାରତୀୟ ମୁଖ୍ୟ ତଥା ଅର୍ଥନୀତିଜ୍ଞ ସ୍ୟମନ୍ତକ ଦାସ କହିଛନ୍ତି ଯେ ଗତ ବର୍ଷଗୁଡ଼ିକର ପରିସଂଖ୍ୟାନକୁ ଅନୁଶୀଳନ କରି ଆମେ ଆକଳନ କରିଛୁ ଯେ ୨୦୨୫ ସୁଦ୍ଧା ଭାରତର ଅର୍ବୁଦ୍ଦପତିଙ୍କ ସଂଖାରେ ୬ ପ୍ରତିଶତ ଓ ସୁପର ଧନୀଙ୍କ ସଂଖାରେ ୫ ପ୍ରତିଶତ ଅଭିବୃଦ୍ଧି ଘଟିଥିବ । ତାଙ୍କ ସଂସ୍ଥାର ରିପୋର୍ଟ ଅନୁସାରେ ଆସନ୍ତା ୧୦ ବର୍ଷ ଭିତରେ ବିଶ୍ବ ସୁପର ଧନୀଙ୍କ ସଂଖାରେ ଅଭିବୃଦ୍ଧି ହାର କ୍ଷେତ୍ରରେ ଆମେରିକା ଓ ଚୀନ ପରେ ଭାରତ ତୃତୀୟ ସ୍ଥାନରେ ରହିବ । ଏହି ଅଭିବୃଦ୍ଧି ହାର କିଛିଟା କମିଗଲେ ବି ତାହା ବିଶ୍ବ ଅନୁପାତ ତୁଳନାରେ ଅଧିକ ରହିବ ବୋଲି ଦାସ କହିଛନ୍ତି । ଏହି ରିପୋର୍ଟରେ ବିଶ୍ବରେ ୯୭ଟି ସହରକୁ ସୁପର ଧନୀଙ୍କ ସହର ଭାବେ ତାଲିକାଭୁକ୍ତ କରାଯାଇଛି । ଏବେ ତାଲିକାର ୨୧ ଓ ୩୩ ନମ୍ବର ସ୍ଥାନରେ ରହିଛନ୍ତି ଭାରତର ମୁମ୍ବାଇ ଓ ଦିଲ୍ଲୀ । ୨୦୧୫ ବେଳକୁ ଏ ଦୁଇ ସହରର ଯଥାକ୍ରମେ ୧୪ ଓ ୨୯କୁ ଉଠିଥିବ ବୋଲି କଳଣା କରାଯାଇଛି । ଏବେ ମୁମ୍ବାଇରେ ୧୦୯୪ ଜଣ ସୁପର ଧନୀ ରହୁଛନ୍ତି । ଦିଲ୍ଲୀର ସୁପର ଧନୀଙ୍କ ସଂଖା ହେଉଛି ୫୪୫ । ଆସନ୍ତା ୧୦ ବର୍ଷ ଭିତରେ ମୁମ୍ବାଇର ସୁପର ଧନୀଙ୍କ ସଂଖା ୨୨୪୩ ଏବଂ ଦିଲ୍ଲୀର ୧୧୨୮କୁ ବୃଦ୍ଧି ପାଇଥିବ । ଏହି ଧନୀ ଲୋକମାନଙ୍କର ସଉକ ବଦଳିବାରେ ଲାଗିଛି । ଆଗରୁ ସେମାନେ ଦାମୀ ଘଣ୍ଟା ଓ ମୂଲ୍ୟବାନ ଗହଣା କିଣି ସଉକ ମେଣ୍ଟାଉଥିଲେ । ଏବକୁ ତାହା ସୂକ୍ଷ୍ମ ଓ ପ୍ରାଚୀନ କଳା ସହିତ ଗହଣାକୁ ବଦଳି ଯାଇଛି । ସେହିପରି ଗତ ୧୦ ବର୍ଷ ଭିତରେ ଭାରତର ସୁପର ଧନୀଙ୍କ ମଧ୍ୟରୁ ୩୧ ପ୍ରତିଶତ ନିଜ ପାଇଁ ଦ୍ବିତୀୟ ପ୍ରାସାଦ ବା ସେହିପରି ସଂପତ୍ତି କିଣିବାରେ ଖର୍ଚ୍ଚ କରୁଥିବା ଦେଖାଯାଇଥିଲା । କିନ୍ତୁ ୨୦୨୫ ବେଳକୁ ଏହି ହାର ୨୨ ପ୍ରତିଶତକୁ ଖସିଥିବ ବୋଲି କଳଣା କରାଯାଇଛି । କାରଣ ସେମାନଙ୍କର ରିୟଲ ଇଷ୍ଟେଟ ସଉକ ବଦଳି ଯାଇଥିବ । ତେବେ ଏହି ସୁପର ଧନୀମାନେ ପୂର୍ବପରି ଶେୟାର, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ, ବୀମା ଆଦି କ୍ଷେତ୍ରରେ ସର୍ବାଧିକ ପୁଂଜି ନିବେଶ କରୁଥିବେ । ସୁପର ଧନୀ ଲୋକମାନେ ମଧ୍ୟ ବାସଗୃହ ଅପେକ୍ଷା ବ୍ୟାବସାୟିକ ରିୟଲ ଇଷ୍ଟେଟରେ ପୁଂଜି ବିନିଯୋଗ କରିବେ ବୋଲି ଦାସ କହିଛନ୍ତି ।

Share :