କାହା ପାଇଁ ଓଡ଼ିଶା ଦେବାଳିଆ?

କାହା ପାଇଁ ଓଡ଼ିଶା ଦେବାଳିଆ?

Share :

ଓଡ଼ିଶା ସରକାର ଦେବାଳିଆ ଅବସ୍ଥାକୁ ଚାଲି ଆସିଲେଣି । ସରକାରଙ୍କ ଆୟ ବୃଦ୍ଧି କରିବା ସହିତ ଖର୍ଚ୍ଚକାଟର ଜରୁରୀ ଆବଶ୍ୟକତା ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନ ସେ ଦିଗରେ ଆଦୌ ଚିନ୍ତିତ ନଥିବା ପରି ବୋଧ ହେଉଛି । ଓଡ଼ିଶା ସରକାର ପ୍ରତି ଓଡ଼ିଆଙ୍କ ମୁଣ୍ଡରେ ୧୪ ହଜାର ଟଙ୍କାର ଋଣବୋଝ ଲଦି ଦେଇସାରିଛନ୍ତି । ଏବର୍ଷ ପୁଣି ଆଉ କିଛି ଋଣ କରିବାକୁ ବାଧ୍ୟ ବୋଲି ହିସାବ ଦେଲେଣି । ଆଉ ଏଥିପାଇଁ ନିଜ ଅପାରଗତା ଅପେକ୍ଷା କେନ୍ଦ୍ର ଅବହେଳାକୁ ଦାୟୀ କରାଯାଉଛି । ଏବେ ଓଡ଼ିଶାର ମୋଟ ଋଣ ପରିମାଣ ପ୍ରାୟ ୫୪ ହଜାର କୋଟି ଟଙ୍କା ବୋଲି ହିସାବ କରାଯାଉଛି । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ସମୟରେ ଏହା ୧୮ ହଜାର କୋଟି ଟଙ୍କା ଥିଲା । ଏହି ୧୫ ବର୍ଷ ଭିତରେ ସେ ଏହି ଋଣବୋଝ ହ୍ରାସ କରିବା ବଦଳରେ ଏହାକୁ ୩ ଗୁଣ ବୃଦ୍ଧି କରିଛନ୍ତି । ଓଡ଼ିଶାର ଲୋକସଂଖ୍ୟା ୪ କୋଟି ୨୦ ଲକ୍ଷ । ସେମାନେ ହିଁ ପରୋକ୍ଷରେ ଏହି ଋଣ ପରିଶୋଧ କରିବେ । ଏବେ ରାଜ୍ୟ ସରକାର ଖୋଲା ବଜାରରୁ ଆଉ ୪-୫ ହଜାର କୋଟି ଟଙ୍କାର ଋଣ ଉଠାଇବାକୁ ଯୋଜନା କରିଛନ୍ତି । କେନ୍ଦ୍ରର ମୋଦି ସରକାର ଓଡ଼ିଶାକୁ କମ୍ ଅର୍ଥ ଦେଇଥିବାରୁ ଖର୍ଚ୍ଚ ତୁଲାଇବାକୁ ରାଜ୍ୟ ସରକାର ଋଣ କରିବାକୁ ବାଧ୍ୟ ବୋଲି ଗଣମାଧ୍ୟମ ଜରିଆରେ ଜନ ସାଧାରଣଙ୍କୁ ବୁଝାଇ ଦିଆଯାଉଛି । ସରକାରୀ ଲୋକମାନେ ପଦାକୁ ଛାଡ଼ୁଥିବା ତଥ୍ୟ ଅନୁସାରେ ଚତୁର୍ଦ୍ଦଶ ଅର୍ଥ କମିଶନ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶାକୁ ଯଥାକ୍ରମେ ୨୭,୦୦୧ କୋଟି ଏବଂ ୩୧,୧୫୮ କୋଟି ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କିନ୍ତୁ ୨୦୧୫-୧୬ ବର୍ଷର ସଂଶୋଧିତ ହିସାବ ଅନୁସାରେ ଓଡ଼ିଶା ପାଇଲା ମୋଟରେ ୨୩,୫୭୩.୭୫ କୋଟି ଟଙ୍କା । ଏହା ଅର୍ଥ କମିଶନଙ୍କ ସୁପାରିଶଠାରୁ ପ୍ରାୟ ୩୫୦୦ କୋଟି ଟଙ୍କା କମ୍ । ସେହିପରି ୨୦୧୬-୧୭ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ଯେଉଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ସେଥିରେ ରହିଥିବା ହିସାବ ଅନୁଯାୟୀ ଓଡ଼ିଶା ୨୬,୫୬୭.୫୬ କୋଟି ଟଙ୍କା ପାଇବ । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶଠାରୁ ଏହା ପ୍ରାୟ ୪୬୦୦ କୋଟି ଟଙ୍କା କମ୍ । ରାଜନୀତିକ ଦୃଷ୍ଟି କୋଣରୁ ଲୋକପ୍ରିୟତା ପାଇଁ ଓଡ଼ିଶା ସରକାର ପ୍ରତି ବର୍ଷ ରାଜ୍ୟର ଉତ୍ପାଦନ ଓ ଆୟ ବୃଦ୍ଧି କରିବା ଦିଗରେ ଫଳପ୍ରସୂ ଯୋଜନା ନକରି ମାଗଣାଖିଆ ସଂସ୍କୃତିର ପ୍ରସାରଣ କରିଚାଲିଛନ୍ତି । ଫଳରେ ରାଜ୍ୟର ଉତ୍ପାଦନ ଓ ଆୟ ବାଧାପ୍ରାପ୍ତ ହୋଇଛି । ନବୀନ ସରକାରଙ୍କ ପ୍ରଚଳିତ ୫ ଟଙ୍କିଆ ଆହାର ଯୋଜନା, ପୂର୍ବରୁ ଚାଲିଥିବା ଟଙ୍କିକିଆ ଚାଉଳ କାର୍ଯ୍ୟକ୍ରମ, ଶବ ସଂସ୍କାର କାର୍ଯ୍ୟକ୍ରମ ଆଦି ବାବଦରେ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏଥିରୁ କେବଳ ଟଙ୍କିକିଆ ଚାଉଳ ଯୋଜନା ପାଇଁ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଅର୍ଥ ଯୋଗାଇ ଦେଉଛନ୍ତି । କିନ୍ତୁ ଅନ୍ୟ କାର୍ଯ୍ୟକ୍ରମ ରାଜ୍ୟ ସରକାର ନିଜ ଆଡ଼ୁ ଚଳାଉଥିବାରୁ ସେଥିପାଇଁ କେନ୍ଦ୍ରରୁ ଟଙ୍କା ଆସିବାର ନାହିଁ । ଅଧିକନ୍ତୁ, ଅନେକ କେନ୍ଦ୍ର ସହାୟିତ କାର୍ଯ୍ୟକ୍ରମ ପାଇଁ ରାଜ୍ୟକୁ ମଧ୍ୟ ଭାଗ ଦେବାକୁ ପଡ଼େ । ପୂର୍ବରୁ ଉପା ସରକାର ସମୟରେ ଅନେକ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଥିଲେ । କିନ୍ତୁ କେନ୍ଦ୍ରର ଆର୍ଥିକ ଶୃଙ୍ଖଳା କାରଣରୁ ଇତିମଧ୍ୟରେ ଏହି ଅନୁପାତ ୬୦:୪୦ ପ୍ରତିଶତକୁ ବଦଳି ଯାଇଛି । କେତେକ କାର୍ଯ୍ୟକ୍ରମ ପାଇଁ ଏହି ଅନୁପାତ ୫୦:୫୦ ସ୍ଥିର ହୋଇଛି । ଏଭଳି କେନ୍ଦ୍ରୀୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ମ୍ୟାଚିଂ ଗ୍ରାଣ୍ଟ ବା ନିଜ ଅଂଶ ଦେଇ ନପାରିଲେ କେନ୍ଦ୍ର ସରକାର ସଂପୃକ୍ତ କାର୍ଯ୍ୟକ୍ରମ ପାଇଁ ଅର୍ଥ ମଂଜୁର କରୁ ନାହାନ୍ତି । ଓଡ଼ିଶା ସରକାର ଶସ୍ତା ଲୋକପ୍ରିୟତା ଅର୍ଜନ କରିବାକୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବାରୁ କେନ୍ଦ୍ରୀୟ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଭାଗ ଟଙ୍କା ଦେଇପାରୁ ନାହାନ୍ତି । ଫଳରେ କେନ୍ଦ୍ରୀୟ ଯୋଜନା ବାବଦରେ ଓଡ଼ିଶାବାସୀ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ହରାଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୦-୨୦୦୪ ମସିହା ଯାଏଁ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କର ଏନଡିଏ ସରକାର କ୍ଷମତାରେ ଥିଲା । ସେହି ସରକାରରେ ନବୀନଙ୍କ ବିଜୁ ଜନତା ଦଳ ଅଂଶୀଦାର ଥିଲା । ସେହି ୪ ବର୍ଷ ଓ ଉପା ସରକାର ଆସିବାର ପ୍ରଥମ ଦୁଇ ବର୍ଷ ଅର୍ଥାତ ୨୦୦୬ ମସିହା ଯାଏଁ ଓଡ଼ିଶା ସରକାର ରାଜ୍ୟର ପୂର୍ବ କଂଗ୍ରେସ ସରକାରର ଦୁର୍ନୀତି ଓ କୁପରିଚାଳନାକୁ ଦାୟୀ କରି ଆର୍ଥିକ ସ୍ଥିତି ସୁଧାରିବା ନିମନ୍ତେ ଖୋଲା ବଜାରରୁ ଋଣ ଉଠାଉଥିଲେ । କିନ୍ତୁ ଉପା ସରକାର ପୂର୍ବ ତୁଳନାର ଓଡ଼ିଶାକୁ ଅଧିକରୁ ଅଧିକ ଅର୍ଥ ଦେବା କାରଣରୁ ୨୦୦୬ ମସିହାରୁ ଓଡ଼ିଶା ସରକାରଙ୍କୁ ଆଉ ଖୋଲା ବଜାରରୁ ଋଣ ଉଠାଇବାକୁ ପଡ଼ିଲା ନାହିଁ । ମାତ୍ର ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଭୋଟ ପାଇବା ପାଇଁ ଟଙ୍କିକିଆ ଚାଉଳ, ଲ୍ୟାପଟପ, ଶବ ସଂସ୍କାର, କମ୍ବଳ ଓ ସାଇକେଲ ବଣ୍ଟନ ଆଦି ଅନେକ କାର୍ଯ୍ୟକ୍ରମ ଘୋଷଣା କଲେ । ଏସବୁ କାର୍ଯ୍ୟକ୍ରମରେ ଖର୍ଚ୍ଚ ହେଉଥିବା ହଜାର ହଜାର କୋଟି ଟଙ୍କା ଆୟ କରିବାକୁ ରାଜ୍ୟ ସରକାର କୌଣସି ସ୍ବତନ୍ତ୍ର ଉଦ୍ୟମ କଲେ ନାହିଁ । ରାଜ୍ୟର ଜମି, ଜଳ, ଜଙ୍ଗଲ ଓ ଖଣିଜ ସଂପଦ ବିକି ଯାହା ରାଜସ୍ବ ଅର୍ଜନ କରାଯାଉଛି ତାହାକୁ ଏମିତି ଅଯଥା ଓ ଅନୁତ୍ପାଦକ ଯୋଜନାରେ ଖର୍ଚ୍ଚ କରାଯାଉଛି । ତେଣେ ମ୍ୟାଚିଂ ଗ୍ରାଣ୍ଡ ପାଇଁ ବି ଅର୍ଥ ଅଭାବ । ଏଭଳି ସ୍ଥିତିରେ ରାଜ୍ୟ ସରକାର ୨୦୧୪-୧୫ ଆର୍ଥିକ ବର୍ଷରୁ ପୁଣି ଥରେ ଖୋଲା ବଜାରରୁ ଋଣ ଉଠାଇବା ଆରମ୍ଭ କରିଛନ୍ତି । ସେହିବର୍ଷ ରାଜ୍ୟ ସରକାର ଖୋଲା ବଜାରରୁ ୩୦୦୦ କୋଟି ଟଙ୍କାର ଋଣ ଉଠାଇଥିଲେ । ୨୦୧୫-୧୬ ଆର୍ଥିକ ବର୍ଷରେ ମଧ୍ୟ ସରକାର ଖୋଲା ବଜାରରୁ ୧୫୦୦ କୋଟି ଟଙ୍କାର ଋଣ ଉଠାଇଛନ୍ତି । ୨୦୧୬-୧୭ ବର୍ଷରେ ସରକାର ଆଉ ପ୍ରାୟ ୫ ହଜାର କୋଟି ଟଙ୍କାର ଋଣ ଉଠାଇବାକୁ ଚିନ୍ତା କରୁଛନ୍ତି ।

Share :