ଗାଁକୁ ଗୁରୁତ୍ବ, ଚାଷକୁ ଅଗ୍ରାଧିକାର

ଗାଁକୁ ଗୁରୁତ୍ବ, ଚାଷକୁ ଅଗ୍ରାଧିକାର

Share :

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୋମବାର ଲୋକସଭାରେ ୨୦୧୬-୧୭ ଆଥିର୍କ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ମୋଟ ବ୍ୟୟ ଅଟକଳ ପରିମାଣ ୧୯.୭୮ ଲକ୍ଷ କୋଟି ଟଙ୍କା ରଖାଯାଇଛି । ୨୦୧୫-୧୬ ବର୍ଷ ଅପେକ୍ଷା ଏହା ୧୫ ପ୍ରତିଶତ ଅଧିକ । ଯୋଜନା ବାବଦରେ ୫ ଲକ୍ଷ ୫୦ ହଜାର କୋଟି ଟଙ୍କା ଏବଂ ଅଣ ଯୋଜନା ବାବଦରେ ୧୪ ଲକ୍ଷ ୨୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଚଳିତ ବର୍ଷ ଆର୍ଥିକ ନିଅଂଟ ମୋଟ ଜିଡିପିର ୩.୯ ପ୍ରତିଶତ ହେବାର ଆକଳନ କରାଯାଇଥିବାବେଳେ ଆସନ୍ତା ବର୍ଷରେ ଏହାକୁ ୩.୫ ପ୍ରତିଶତରେ ସୀମିତ ରଖିବା ଲାଗି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ବଜେଟ୍ରେ କୃଷି, କୃଷକ କଲ୍ଯାଣ, ଜଳସେଚନ, ବିପିଏଲ ପରିବାରଙ୍କୁ ଏଲ୍ପିଜି ଯୋଗାଣ, ଭିତ୍ତିଭୂମି କ୍ଷେତ୍ରରେ ସଂସ୍କାର, କର ବ୍ୟବସ୍ଥାର ସରଳୀକରଣ, ନୂତନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଗ୍ରାମ ପଂଚାୟତ ଓ ପୌର ସଂସ୍ଥା ପାଇଁ ଅଧିକ ବ୍ୟୟବରାଦ ହୋଇଥିବାବେଳେ ବହୁମୁଖୀ କୌଶଳ ବିକାଶ ପ୍ରତିଷ୍ଠାନ ନିର୍ମାଣ ଓ ନିଯୁକ୍ତି ସୃଷ୍ଟି ଲାଗି ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହନ ଆଦିକୁ ପ୍ରାଥମିକତା ଦିଆଯାଇଛି । ଧନୀଙ୍କ ଉପରେ ଅଧିକ ଟିକସ ବସାଇବା ସହିତ କେତେକ ବିଳାସପୂର୍ଣ୍ଣ ଗାଡ଼ି ଓ ସାମଗ୍ରୀ ଉପରେ ମଧ୍ୟ ବଜେଟରେ ଟିକସ ବୃଦ୍ଧି କରାଯାଇଛି । ଗ୍ରାମ ପଂଚାୟତ ଏବଂ ପୌର ସଂସ୍ଥାଗୁଡ଼ିକୁ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ମତେ ୨୦୧୬-୧୭ ଆଥିର୍କ ବର୍ଷରେ ମୋଟ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ଅନୁଦାନ ଦେବାକୁ ଅର୍ଥମନ୍ତ୍ରୀ ବଜେଟରେ ବରାଦ କରିଛନ୍ତି । ଗରିବ ପରିବାରର ମହିଳାଙ୍କୁ ସବ୍ସିଡିଯୁକ୍ତ ଏଲ୍ପିଜି ସଂଯୋଗ ପ୍ରଦାନ ଲାଗି ବଜେଟରେ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ଅତିକମରେ ୨ ବର୍ଷ ପାଇଁ ଚାଲିବ ଏବଂ ସେଥିରେ ମୋଟ ୫ କୋଟି ବିପିଏଲ ପରିବାରଙ୍କୁ ସବ୍ସିଡିଯୁକ୍ତ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ । ଦେଶରେ ଯୁବଗୋଷ୍ଠୀ ମଧ୍ୟରେ ସାମର୍ଥ୍ୟ ଓ ଦକ୍ଷତାର ବିକାଶ ପାଇଁ ୧୫୦୦ ବହୁମୁଖୀ କୌଶଳ ବିକାଶ ପ୍ରତିଷ୍ଠାନ ନିର୍ମାଣ କରାଯିବ । ବିକାଶ ମୂଳକ କାର୍ଯ୍ୟରେ କୌଣସି ପ୍ରକାର ସାଲିସ୍ ନ କରି ବିତ୍ତୀୟ ଶୃଙ୍ଖଳା ଅଣାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତକୁ ସ୍ପର୍ଶ କରିଛି । ଗତ ୩ ବର୍ଷ ତୁଳନାରେ ଏହା ଅଧିକ । ପୂର୍ବରୁ ଏହି ହାର ୬.୩ ପ୍ରତିଶତକୁ କମି ଯାଇଥିଲା । ଗତ ଦୁଇବର୍ଷ କାଳ ଲଗାତାର ୧୩ ପ୍ରତିଶତ କମ୍ ମୌସୁମୀ ବର୍ଷା ସତ୍ତ୍ବେ ଅଭିବୃଦ୍ଧି ହାର ଜାରି ରହିଛି । ଦେଶର ବାହ୍ୟ ଆଥିର୍କ ପରିସ୍ଥିତି ମଧ୍ୟ ମଜବୁତ ରହିଛି । ଚଳନ୍ତି ଜମା ଖାତା ନିଅଂଟ ପରିମାଣ ଏବେ ୧୪୪୦ କୋଟି ଡଲାରକୁ ହ୍ରାସ ପାଇଛି । ବିଶ୍ବର ଅସ୍ଥିର ଆଥିର୍କ ପରିସ୍ଥିତିରେ ଦେଶର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା, ସଜାଡ଼ିବା ଏବଂ ପରିଚାଳନା କରିବା ଏକ ଜଟିଳ ଆହ୍ବାନ । ଚଳିତ ଓ ଆସନ୍ତା ବର୍ଷ ସରକାରୀ ଖର୍ଚ୍ଚ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବଡ଼ ଆହ୍ବାନ ସୃଷ୍ଟି କରିଛି । ସପ୍ତମ କେନ୍ଦ୍ରୀୟ ବେତନ କମିଶନଙ୍କ ସୁପାରିଶ ଓ ସାମରିକ କର୍ମଚାରୀମାନଙ୍କ ପାଇଁ ଏକ ପାହ୍ୟା ଏକ ପେନ୍ସନ୍ ନୀତି ଲାଗୁ କରାଯାଉଥିବାରୁ ଆସନ୍ତା ଆଥିର୍କ ବର୍ଷରେ ଅତିରିକ୍ତ ଆଥିର୍କ ବୋଝ ପଡ଼ିବ । ତଥାପି ସରକାର କୃଷି, ଗ୍ରାମ୍ୟ ବିକାଶ, ସାମାଜିକ କ୍ଷେତ୍ର, ଭିତ୍ତିଭୂମି ଓ ସଂରଚନା କ୍ଷେତ୍ରର ବିକାଶ ଦିଗରେ ଅଧିକ ଅର୍ଥ ବିନିଯୋଗ କରିବେ । ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ଗରିବଙ୍କ ପାଇଁ ତିନୋଟି ପ୍ରମୁଖ ଯୋଜନା ଉତ୍ସର୍ଗୀକୃତ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ ଜଣେ ଚାଷୀ ସାମାନ୍ୟ କିଛି ପରିମାଣର ପ୍ରିମିୟମ ଦେଇ ସର୍ବାଧିକ ପରିମାଣର ଶସ୍ୟବୀମା ପାଇପାରିବ । ନୂଆ ଶସ୍ୟ ଯୋଜନାରେ ଅମଳ ପୂର୍ବବର୍ତ୍ତୀ କ୍ଷତି ସହ ଅମଳ ପରବର୍ତ୍ତୀ କ୍ଷତିର ଭରଣା ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି । ସେହିପରି ଏକ ନୂଆ ସ୍ବାସ୍ଥ୍ୟବୀମା ଯୋଜନାରେ ଆଥିର୍କ ଦୁର୍ବଳ ଶ୍ରେଣୀର ପ୍ରତ୍ୟେକ ପରିବାର ପିଛା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ସହାୟତା ମିଳିବ । ଏହି ଶ୍ରେଣୀର ବରିଷ୍ଠ ନାଗରିକ ଏବଂ ଅତି ବୟସ୍କ ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ୩୦ ହଜାର ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ସହାୟତା ଦିଆଯିବ । ପ୍ରଧାନମନ୍ତ୍ରୀ ଜନଔଷଧି ଯୋଜନା ଅଧୀନରେ ୨୦୧୬-୧୭ ବର୍ଷରେ ଦେଶରେ ୩୦୦୦ ନୂତନ ଜନଔଷଧି କେନ୍ଦ୍ର ଖୋଲାଯିବ । ଏହାଛଡ଼ା ନ୍ୟାସନାଲ ଡାୟାଲିସିସ୍ ସଭିର୍ସ କାର୍ଯ୍ୟକ୍ରମ ଦେଶର ସବୁ ଜିଲ୍ଲା ସଦର ହସ୍ପିଟାଲରେ ଆରମ୍ଭ ହେବ । ଆଗାମୀ ବର୍ଷର ମୁଖ୍ୟ ଆଥିର୍କ ଏଜେଣ୍ଡା ହେବ ‘ଭାରତର ପରିବର୍ତନ’ । ଏଥିଲାଗି ୨୦୧୬-୧୭ ବର୍ଷର ବଜେଟରେ ଅନେକଗୁଡ଼ିଏ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି । ସେଗୁଡ଼ିକ ମଧ୍ୟରେ ରହିଛି କୃଷି, କୃଷକ କଲ୍ୟାଣ, ଗ୍ରାମାଂଚଳ କ୍ଷେତ୍ର, ସାମାଜିକ କ୍ଷେତ୍ର, ସ୍ବାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ବିକାଶ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ସଂରଚନା ଓ ପୁଂଜିନିବେଶ, ଆଥିର୍କ ସେବା କ୍ଷେତ୍ରରେ ସଂସ୍କାର, ଉତ୍ତମ ପ୍ରଶାସନ ଏବଂ ସରଳ ଓ ସହଜ ବ୍ୟବସାୟ ପଦ୍ଧତି, ଆଥିର୍କ ଶୃଙ୍ଖଳା ଏବଂ ଟିକସ ସଂସ୍କାର ବାର୍ଷିକ ୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ଏଣିକି ୫ ହଜାର ଟଙ୍କାର ଟିକସ ରିହାତି ମିଳିବ । ଆଗରୁ  ଏହା ୨ ହଜାର ଟଙ୍କା ଥିଲା । ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକମାନେ ଏଣିକି ୧୨ ପ୍ରତିଶତ ବଦଳରେ ୧୫ ପ୍ରତିଶତ ସରଚାର୍ଜ ଦେବେ । ଭଡ଼ାଘରେ ରହୁଥିବା ଲୋକଙ୍କ ପାଇଁ ବାର୍ଷିକ ୨୪ ହଜାର ବଦଳରେ ୬୦ ହଜାର ଟଙ୍କାର ଟାକ୍ସ ଡିଡକ୍ସନ ହେବ । ଧନିକ ବର୍ଗର ଲୋକମାନେ ଡିଭିଡେଣ୍ଡ ଉପରେ ୧୦ ପ୍ରତିଶତ ଟିକସ ଦେବେ । ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟ ନେଇ କୃଷି ଏବଂ ଅଣକୃଷି କ୍ଷେତ୍ରରେ ଆବଶ୍ଯକ ସଂସ୍କାର ଅଣାଯିବା ସହ ଅନେକ ଆନୁସଙ୍ଗିକ କାର୍ଯ୍ୟକ୍ରମର ପୁନଃବିନ୍ୟାସ କରାଯିବ ବୋଲି ସେ କହିଛନ୍ତି । ଏ ଦିଗରେ ସୁଦୃଢ଼ ପଦକ୍ଷେପ ସ୍ବରୂପ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୩୫ ହଜାର ୯୮୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ମିଶନ ଢାଂଚାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ଆଉ ୨୮ ଲକ୍ଷ ୫୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ତ୍ବରିତ ଜଳସେଚନ ସହାୟତା କାର୍ଯ୍ୟକ୍ରମ ବା ଏଆଇବିପି ଅଧୀନରେ ଦେଶରେ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ୮୯ ଜଳସେଚନ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରାଯିବ ବୋଲି ଜେଟଲୀ କହିଛନ୍ତି । ଅର୍ଥମନ୍ତ୍ରୀ ନାବାର୍ଡ଼ ଅଧୀନରେ ଏକ ଦୀର୍ଘମିଆଦୀ ଜଳସେଚନ ପାଣ୍ଠି ଗଠନ ବିଷୟ ଘୋଷଣା କରିଛନ୍ତି । ଏହି କର୍ପସ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ଜମା ରହିବ । ଏଥିରୁ ୧୨ ହଜାର ୫୧୭ କୋଟି ଟଙ୍କା ବଜେଟ୍ ସହାୟତା ଆକାରରେ ଦିଆଯାଇଥିବା ବେଳେ ଅବଶିଷ୍ଟ ଅର୍ଥ ବଜାରରୁ ଋଣ ଆକାରରେ ଉଠାଯିବ । ଦେଶରେ ଏକ ପରିପୋଷଣୀୟ ଓ ନିରନ୍ତର ଭୂତଳ ଜଳ ସଂପଦର ପରିଚାଳନା ନିମନ୍ତେ ୬ ହଜାର କୋଟି ଟଙ୍କାର ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କରିଛନ୍ତି । ଦେଶର ବର୍ଷାଶ୍ରିତ ଅଂଚଳରେ ୫ ଲକ୍ଷ କ୍ଷେତ ପୋଖରୀ ଓ କୂପ ଖନନ କରାଯିବ । ଜୈବ କୃଷିକୁ ପ୍ରୋତ୍ସାହିତ କରିବାକୁ ଅର୍ଥମନ୍ତ୍ରୀ ମନରେଗା ଅଧୀନରେ ୧୦ ଲକ୍ଷ କମ୍ପୋଷ୍ଟ ଖତ ଉତ୍ପାଦନ କେନ୍ଦ୍ର ଖୋଲାଯିବ । ମୃତ୍ତିକା ସ୍ବାସ୍ଥ୍ୟରକ୍ଷା କୃଷି ପରିଚାଳନାର ଏକ ବଡ଼ ଅଙ୍ଗ ହୋଇଥିବାରୁ ମାର୍ଚ୍ଚ ୨୦୧୭ ସୁଦ୍ଧା ଦେଶର ୧୪ କୋଟି ଫାର୍ମ ହୋଲ୍ଡିଂକୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ଼ ଯୋଜନାରେ ସାମିଲ କରାଯିବ ବୋଲି ସେ କହିଛନ୍ତି । ଆଗାମୀ ତିନିବର୍ଷ ମଧ୍ୟରେ ୨୦୦୦ ଆଦର୍ଶ ସାର ଆଉଟଲେଟ ମାଧ୍ୟମରେ ଚାଷୀଙ୍କୁ ମୃତ୍ତିକା ଏବଂ ବିହନ ପରୀକ୍ଷଣର ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଠିକଣା ସମୟରେ ଚାଷୀ ଏବଂ ଚାଷ କାର୍ଯ୍ୟ ପାଇଁ କୃଷି ଋଣ ମିଳିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ୨୦୧୫-୧୬ ବର୍ଷରେ ମୋଟ ୮.୫ ଲକ୍ଷ କୋଟି ଟଙ୍କାର କୃଷିଋଣ ଦିଆଯାଇଥିବାବେଳେ ୨୦୧୬-୧୭ ଆଥିର୍କ ବର୍ଷରେ ଏହାକୁ ୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଚାଷୀମାନଙ୍କର ଋଣ ପରିଶୋଧ ଜନିତ ବୋଝ ହ୍ରାସ କରିବା ଲାଗି ବଜେଟରେ ୧୫ ହଜାର କୋଟି ଟଙ୍କାର ‘ସୁଧ ହସ୍ତକ୍ଷେପ ଯୋଜନା’ ଘୋଷଣା କରାଯାଇଛି । ଆଗାମୀ ବର୍ଷଠାରୁ ଫସଲ ବୀମା ଯୋଜନାର କର୍ାଯ୍ଯକାରିତା ପାଇଁ ୫୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରାଣୀ ପାଳନ କକାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ବଜେଟରେ ଚାରୋଟି ନୂଆ ପ୍ରକଳ୍ପ ଘୋଷଣା କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ହେଲା- ପଶୁଧନ ସଂଜୀବନୀ, ନକୁଳ ସ୍ବାସ୍ଥ୍ୟପତ୍ର, ଇ-ପଶୁଧନ ହାଟ ଏବଂ ରାଷ୍ଟ୍ରୀୟ ଜେନମ୍ କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ପାଇଁ ବଜେଟରେ ୧୯୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୧୯ ସୁଦ୍ଧା ୬୫୦୦୦ ଯୋଗ୍ୟ ରାଜସ୍ବ ଗ୍ରାମ ଏବଂ ଜନବସତିକୁ ପକ୍କା ରାସ୍ତା ନିର୍ମାଣ କରାଯିବ । ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଭିତ୍ତିରେ ଗ୍ରାମ ପଂଚାୟତ ଏବଂ ପୌର ସଂସ୍ଥା ଆସନ୍ତା ଆଥିର୍କ ବର୍ଷ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଏଣିକି ପ୍ରତି ପଂଚାୟତକୁ ହାରାହାରି ୮୦ ଲକ୍ଷ ଟଙ୍କା ଏବଂ ପୌର ସଂସ୍ଥାକୁ ୨୧ କୋଟି ଟଙ୍କା ଅଧିକ ମିଳିବ । ମରୁଡ଼ି ଏବଂ ଅନ୍ୟାନ୍ୟ ଆଥିର୍କ ଦୁର୍ଦ୍ଦଶା ଭୋଗୁଥିବା ବ୍ଲକଗୁଡ଼ିକର ବିକାଶ ନିମନ୍ତେ ଦୀନ ଦୟାଲ ଅନ୍ତ୍ୟୋଦୟ ମିଶନ କାର୍ଯ୍ୟକାରୀ କରାଯିବ । ମନରେଗା ପାଇଁ ୩୮ ହଜାର ୫୦୦ କୋଟି ଟଙ୍କା ବରାଦ ହୋଇଥିବାବେଳେ ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନରେ ୩୦୦ଟି ଗ୍ରାମ୍ୟ ବିକାଶ ପୁଂଜ ବିକଶିତ କରିବାକୁ ଲକ୍ଷଞ ରହିଛି । ୨୦୧୮ ମେ ପହିଲା ସୁଦ୍ଧା ଦେଶର ସବୁ ଗ୍ରାମକୁ ବିଜୁଳି ଆଲୁଅ ଯୋଗାଇ ଦିଆଯିବ । ସ୍ବଚ୍ଛ ଭାରତ ଅଭିଯାନ ଲାଗି ୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଡିଜିଟାଲ ସାକ୍ଷରତା ମିଶନ ଅଧୀନରେ ଗ୍ରାମାଂଚଳର ୬ କୋଟି ଅଧିକ ପରିବାରକୁ ଆଗାମୀ ୩ ବର୍ଷ ମଧ୍ୟରେ ସାମିଲ କରାଯିବ । ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ଅଧୀନରେ ପଂଚାୟତ ସଂସ୍ଥାଗୁଡ଼ିକର ପ୍ରଶାସନିକ ଦକ୍ଷତାର ବିକାଶ ପାଇଁ ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ଆରମ୍ଭ କରାଯିବ । ଗ୍ରାମ୍ୟ ବିକାଶ ପାଇଁ ବଜେଟରେ ମୋଟ ୮୭ ହଜାର ୭୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆସନ୍ତା ଦୁଇବର୍ଷ  ମଧ୍ୟରେ ୬୨ଟି ନୂଆ ନବୋଦୟ ବିଦ୍ୟାଳୟ ଖୋଲାଯିବ । ଦେଶର ୧୦ଟି ସରକାରୀ ଏବଂ ୧୦ଟି ଘରୋଇ ଶିକ୍ଷାନୁଷ୍ଠାନକୁ ବିଶ୍ବସ୍ତରର ଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନରେ ପରିଣତ କରାଯିବ । ପ୍ରଥମ ଥରପାଇଁ ୧୦୦୦ କୋଟି ଟଙ୍କାର ପାଣ୍ଠି ସହିତ ଉଚ୍ଚଶିକ୍ଷା ଅର୍ଥଲଗାଣ ସଂସ୍ଥା ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଆଗ୍ରହୀ ଯୁବକମାନଙ୍କୁ ସେମାନଙ୍କ ଘର ପାଖରେ ଉଦ୍ୟୋଗ ଓ ଦକ୍ଷତା ବିକାଶ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ଏଥିଲାଗି ଦେଶରେ ୧୫୦୦ଟି ବହୁମୁଖୀ କୌଶଳ ବିକାଶ ପ୍ରତିଷ୍ଠାନ ଖୋଲାଯିବ । ନୂଆ କର୍ମସଂସ୍ଥାନରେ ଯୋଗ ଦେଉଥିବା ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ କର୍ମଚାରୀ ପେନ୍ସନ୍ ଯୋଜନାରେ କେନ୍ଦ୍ର ସରକାର ୮.୩୩ ପ୍ରତିଶତ ହାରରେ ନିଜ ଅଂଶଧନ ଯୋଗାଇ ଦେବେ । ଜଣେ କର୍ମଚାରୀ ଇପିଏଫ୍ଓରେ ଯୋଗଦେବାର ପ୍ରଥମ ତିନିବର୍ଷ ପାଇଁ କେନ୍ଦ୍ର ସରକାର ଏହି ସୁବିଧା ପ୍ରଦାନ କରିବେ । ସଂରଚନା କ୍ଷେତ୍ରରେ ସଡ଼କ ଏବଂ ରାଜପଥ ନିର୍ମାଣ ନିମନ୍ତେ ୨୦୧୬-୧୭ ବର୍ଷରେ ମୋଟ ୫୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବଣ୍ଡ୍ ଜରିଆରେ ଜାତୀୟ ରାଜପଥ  ପ୍ରାଧିକରଣ ଜରିଆରେ ଆଉ ୧୫ ହଜାର କୋଟି ଟଙ୍କା ଉଠାଇବା ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାର ବ୍ୟୟବରାଦକୁ ମିଶାଇ ନୂତନ ବଜେଟରେ ସଡ଼କ ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକରେ ମୋଟ ୯୭ ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରହିଛି । ରେଳବାଇ ଏବଂ ସଡ଼କ ପଥର ମୋଟ ନିର୍ମାଣ କାର୍ଯ୍ୟକୁ ହିସାବ କରାଗଲେ ଏହି କ୍ଷେତ୍ର ପାଇଁ ୨ ଲକ୍ଷ ୧୮ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଏହି ସମୟ ମଧ୍ୟରେ ଆଉ ୧୦ ହଜାର କିଲୋମିଟର ଜାତୀୟ ରାଜପଥର ବିକାଶ କରାଯିବ । ସାଗରମାଳା ପ୍ରକଳ୍ପ ଅଧୀନରେ ସବୁଜ ବଳୟ ଭିତ୍ତିକ ବନ୍ଦର ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୧୬୦ଟି ବିମାନବନ୍ଦର ଓ ଏୟାରଷ୍ଟ୍ରିପ୍ର ବିକାଶ କରାଯିବ । ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ଆଣବିକ ଶକ୍ତି ଉପରେ ଗୁରୁତ୍ବ ଦିଆଯିବ । ସଂରଚନା କ୍ଷେତ୍ର ପାଇଁ ବଣ୍ଡ୍ ଜରିଆରେ ଏନ୍ଏଚ୍ଏଆଇ, ପିଏଫ୍ସି, ଆରଇସି, ଆଇଆରଇଡିଏ, ନାବାର୍ଡ଼ ଏବଂ ଆଭ୍ୟନ୍ତରୀଣ ଜଳପ୍ରାଧିକରଣ ମୋଟ ୩୧ ହଜାର ୩୦୦ କୋଟି ଟଙ୍କାର ଋଣ ଉଠାଇବେ ବୋଲି ଜେଟଲି କହିଛନ୍ତି । ବୀମା, ପେନ୍ସନ୍, ଆସେଟ୍ ରିକନଷ୍ଟ୍ରକ୍ସନ କମ୍ପାନୀ ଏବଂ ଷ୍ଟକ୍ ଏକ୍ସଚେଗୁଡ଼ିକରେ ଶତ ପ୍ରତିଶତ ବିଦେଶୀ ପୁଂଜି ଲଗାଣକୁ ଅନୁମତି ଦିଆଯିବ । ଭାରତରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବିଦେଶରେ ବିପଣନ ପାଇଁ ଏଫଆଇପିବି ଜରିଆରେ ଶତ ପ୍ରତିଶତ ବୈଦେଶିକ ପୁଂଜି ଲଗାଣକୁ ଅନୁମତି ଦିଆଯିବ । ରାଷ୍ଟ୍ରାୟ ଉଦ୍ୟୋଗରେ ଅଂଶଧନ ପ୍ରତ୍ୟାହାର, ଅଂଶଧନ ବିକ୍ରି ଭଳି ବ୍ୟବସ୍ଥାର ପାରଦର୍ଶୀ ପରିଚାଳନା ନିମନ୍ତେ ଏକ ନୂଆ ନୀତି ପ୍ରଣୟନ କରାଯିବ । ଆଥିର୍କ କ୍ଷେତ୍ରର ସଂସ୍କାର ପାଇଁ ଏକ ସୁପରିକଳ୍ପିତ ବିଲ୍ ଆଗତ କରାଯିବ । ମୁଦ୍ରାନୀତି ଢାଂଚାକୁ ବୈଧାନିକ ଭିତ୍ତି ଯୋଗାଇବା ସକାଶେ ଆରବିଆଇ ଆଇନ-୧୯୩୪ରେ ସଂଶୋଧନ କରାଯିବ । ଏକ ଆଥିର୍କ ତଥ୍ୟ ଓ ପରିସଂଖ୍ୟାନ ପରିଚାଳନା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ । ଆଧାର ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ନୂତନ ଆଧାର ଫ୍ରେମ୍ବାର୍କ ଗଠନ କରାଯିବ । ଏଥିଲାଗି ସଂସଦରେ ଏକ ବିଲ୍ ଆଗତ କରାଯିବ । ଚାଷୀଙ୍କୁ ଉପଯୁକ୍ତ ସମୟରେ ଆବଶ୍ୟକ ସାର ଯୋଗାଇ ଦେବାକୁ ଆଧାର ନମ୍ବର ଭିତ୍ତିକ ଡିବିଟି ସ୍କିମ୍ ପାଇଲଟ୍ ଭିତ୍ତରେ ଆରମ୍ଭ ହେବ । ଡିବିଟି ସ୍କିମ୍ ଜରିଆରେ ଚାଷୀଙ୍କ ଜମାଖାତାକୁ ସିଧାସଳଖ ସାର ସବ୍ସିଡି ଅର୍ଥ ଯିବ । ସେହିପରି ସରକାରୀ ସାମଗ୍ରୀର ବାଟମାରଣା ରୋକିବା ପାଇଁ ୨୦୧୭ ମାର୍ଚ୍ଚ ସୁଦ୍ଧା ୩ ଲକ୍ଷ ସୁଲଭମୂଲ୍ୟ ଦୋକାନରେ ଅଟୋମେସନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ‘ଏକ ଭାରତ, ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲା ମଧ୍ୟରେ ଭାଷାଗତ, ସାଂସ୍କୃତିକ, ପର୍ଯ୍ୟଟନ, ପରିଭ୍ରମଣ ଏବଂ ବ୍ୟାବସାୟିକ ସମ୍ବନ୍ଧ ସ୍ଥାପନ ଲାଗି ପ୍ରୟାସ କରାଯିବ । ୨୦୧୫-୧୬ ବର୍ଷରେ ବିତ୍ତୀୟ ନିଅଂଟ ପରିମାଣ ୩.୯ ପ୍ରତିଶତ ଥିବାବେଳେ ଆଗାମୀ ୨୦୧୬-୧୭ ବଷରେ ଏହାକୁ ୩.୫ ପ୍ରତିଶତରେ ସ୍ଥିର ରଖିବାଲାଗି ଉଦ୍ୟମ କରାଯିବ । ରାଜସ୍ବ ନିଂଅଟ ଲକ୍ଷ୍ୟକୁ ମୋଟ ଜିଡିପିର ୨.୮ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରିବାକୁ ବଜେଟରେ ଲକ୍ଷ୍ୟ ରହିଛି ।

Share :