ଭଡ଼ା ବଢ଼ିନି, ସୁବିଧା ବଢ଼ିବ

ଭଡ଼ା ବଢ଼ିନି, ସୁବିଧା ବଢ଼ିବ

Share :

ପ୍ରଭୁଙ୍କ ପ୍ରତିଶ୍ରୁତିର ପେଡ଼ି   ଫେବୃଆରୀ ୨୫ ତାରିଖ ଗୁରୁବାର ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଲୋକସଭାରେ ୨୦୧୬-୧୭ ବର୍ଷ ପାଇଁ ନୂତନ ରେଳ  ବଜେଟ ଆଗତ କରିଛନ୍ତି । ଏଥିରେ କୌଣସି ଶ୍ରେଣୀର  ଯାତ୍ରୀଭଡା ବୃଦ୍ଧି କରାଯାଇ ନାହିଁ ।  ସାଧାରଣ ବର୍ଗର ଲୋକଙ୍କ ସୁବିଧା ସକାଶେ ଯାତ୍ରୀଭଡା ଅପରିବର୍ତ୍ତିତ ରଖାଯାଇଛି ବୋଲି ପ୍ରଭୁ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ରେଳବାଇର ପୁନର୍ଗଠନ ଓ ପୁନର୍ବିନ୍ୟାସ ଦିଗରେ ପଦକ୍ଷେପ ନେବା ଲାଗି ସଂକଳ୍ପ ଦୋହରାଇ ପ୍ରଭୁ ‘ଚଲୋ ମିଲକର କୁଛ ନୟା କରେଁ ସ୍ଲୋଗାନ ଦେଇଛନ୍ତି । ଏହି ଲକ୍ଷ୍ୟ ହାସଲ ଲାଗି ନବ ଅର୍ଜନ, ନବ ମାନକ ଏବଂ ନବ ସଂରଚନା ଭଳି ତିନୋଟି  ପ୍ରମୁଖ ଦିଗର ବିସ୍ତାର  ଉପରେ ଗୁରୁତ୍ବ ଦେଇଛନ୍ତି ।  ରେଳ ବଜେଟରେ ମୋଟ ଯୋଜନା ଅଟକଳର ଆକାର ୧,୨୧୦୦୦ କୋଟି  ଟଙ୍କା ଧାର୍ଯ କରାଯାଇଛି । ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ସହିତ ସମସ୍ତ ପ୍ରକାର କାର୍ଯକାରୀ ଖର୍ଚ୍ଚ ହିସାବକୁ ନିଆଯାଇ ରେଳ ବଜେଟରେ ୨୦୧୬-୧୭ ବର୍ଷ ପାଇଁ ଏ ବାବଦରେ ୧,୨୩,୫୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରେଳ  ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କ  ପେନସନ ପାଇଁ ୪୫,୫୦୦ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି ।  ମୋଟ ଟ୍ରାଫିକ ରିସିଟ୍ ୧,୮୪,୮୨୦ କୋଟି ଟଙ୍କା ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ନୂତନ ରେଳ ବଜେଟରେ ଯାତ୍ରୀଭଡା ଆକାରରେ ୫୧,୦୧୨ କୋଟି ଟଙ୍କା ଆୟ ହେବାର ଲକ୍ଷ୍ୟ ରଖାଯାଇଛି । ମାଲଭଡା ବାବଦରେ ୨୦୧୬-୧୭ ବର୍ଷରେ ୧,୧୭,୯୩୩ କୋଟି ଟଙ୍କାର ରାଜସ୍ବ ଆଦାୟର ଅଟକଳ କରାଯାଇଛି । ଏଥର ନୂତନ ରେଳ ବଜେଟରେ ମନ୍ତ୍ରୀ ସୁରେଶ ପ୍ରଭୁ କେତେ ନୂତନ ଦିଗ ପ୍ରତି ଦୃଷ୍ଟି ଦେଇଛନ୍ତି ।  ଚାହିଦା ଅନୁସାରେ ଆରକ୍ଷଣ ବର୍ଥ ଉପଲବ୍ଧି, ରେଳ ସୁରକ୍ଷା, ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ ଓ ଗନ୍ତବ୍ୟ ସ୍ଥଳରେ ପହଂଚିବା, ଜଗୁଆଳି ବିହୀନ ଲେବେଲ କ୍ରସିଂ ହଟାଇବା, ରେଳ ଓଭରବ୍ରିଜ ଓ ନୂତନ ରାସ୍ତା ନିର୍ମାଣ, ସୁବର୍ଣ୍ଣ ଚତୁର୍ଭୁଜ କରିଡରରେ ସେମି ହାଇସ୍ପିଡ ରେଳ ଚଳାଚଳ, ୨୦୨୦ ସୁଦ୍ଧା ଟ୍ରେନ ଓ ଷ୍ଟେସନମାନଙ୍କୁ ସମ୍ପୂର୍ଣ୍ଣ ରୂପେ ମଇଳା-ମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ୪୦୦ ରେଳ ଷ୍ଟେସନକୁ ସରକାରୀ-ଘରୋଇ ଭାଗିଦାରୀତାରେ ପୁନଃ-ବିକାଶ କରିବା ପ୍ରସ୍ତାବକୁ ମଂଜୁର କରିଛନ୍ତି । ସବୁ ଏ-୧ ରେଳ ଷ୍ଟେସନରେ ଏଣିକି ଜଣେ ଲେଖାଏଁ ସର୍ବକ୍ଷମତା ସମ୍ପନ୍ନ ଷ୍ଟେସନ ନିର୍ଦ୍ଦେଶକ ନିଯୁକ୍ତି ପାଇବେ । ସେମାନଙ୍କୁ ସହାୟତା କରିବା ପାଇଁ ଏକ ପେସାଦାର ଓ ଉତ୍ସର୍ଗୀକୃତ ଟିମ ରହିବ । ଯାତ୍ରୀମାନଙ୍କ ସମସ୍ତ ଆବଶ୍ୟକ ମୌଳିକ ସୁବିଧା ପ୍ରଦାନ ପାଇଁ ସେମାନେ ଦାୟୀ ରହିବେ । ଏଣିକି ଯାତ୍ରୀମାନେ ନିଜ କୋଚ୍/ବଗି ଏବଂ ଶୌଚାଳୟର ସଫାସୁତୁରା ପାଇଁ ଏସଏମଏସ ମାଧ୍ୟମରେ ଅଭିଯୋଗ ପଠାଇ ପାରିବେ । ରେଳବାଇ ପକ୍ଷରୁ ୨୦୧୬-୧୭ ବର୍ଷରେ ଅତିରିକ୍ତ ୬୫,୦୦୦ ବର୍ଥ ଯୋଡାଯିବ । ବିଭିନ୍ନ ଷ୍ଟେସନରେ ଆଉ ୨୦୦୦ ଜଳ ବିକ୍ରି ଯନ୍ତ୍ର ସ୍ଥାପନ ହେବ । ଜୈବ-ଶୌଚାଳୟ ନିର୍ମାଣରେ ଭାରତୀୟ ରେଳବାଇ ବିଶ୍ବରେ ପ୍ରଥମ ହୋଇଛି । ଏଥର ୧୭.୦୦୦ ଜୈବ-ଶୌଚାଳୟ ଟ୍ରେନରେ ସ୍ଥାପିତ ହେବ । ସେହିପରି ୧୭୮୦ ସ୍ବୟଂକ୍ରିୟ ଟିକେଟ ବିକ୍ରି ଯନ୍ତ୍ର ବିଭିନ୍ନ ଷ୍ଟେସନରେ ପ୍ରତିଷ୍ଠା କରାଯିବ ବୋଲି ପ୍ରଭୁ ଘୋଷଣା କରିଛନ୍ତି । ଇ-ଟିକେଟ ସଂରକ୍ଷଣ ବ୍ୟବସ୍ଥାର ସାମର୍ଥ୍ୟ ବୃଦ୍ଧି କରାଯିବ । ଏବେ ପ୍ରତି ମିନିଟରେ ୨୦୦୦ ଟିକେଟ ବାହାରୁଥିବା ବେଳେ ପ୍ରତି ମିନିଟରେ ୭୨୦୦ ଇ-ଟିକେଟ କ୍ଷମତା ସମ୍ପନ୍ନ ସ୍ବୟଂକ୍ରିୟ ଯନ୍ତ୍ର ସ୍ଥାପିତ ହେବ । ୨୦୧୬-୧୭ ସୁଦ୍ଧା ୧୦୦ ଷ୍ଟେସନ ଏବଂ ୨୦୧୭-୧୮ ଏବଂ ୨୦୧୮-୧୯ ସୁଦ୍ଧା ୪୦୦ ରେଳ ଷ୍ଟେସନରେ ବାଇ-ଫାଇ ସୁବିଧା ପ୍ରଦାନର ଲକ୍ଷ୍ୟ ରଖାଯାଇଛି । ରେଳ ମନ୍ତ୍ରୀ କହିଛନ୍ତି ଯେ, ଏଣିକି ଅନ୍-ଲାଇନରେ ହ୍ବିଲ-ଚେୟାର ବରାଦ କରାଯାଇପାରିବ । ସେହିପରି ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲି ସୁବିଧା ଯୁକ୍ତ ବଗି ଯୋଡାଯିବ । ମହିଳା, ବରିଷ୍ଠ ନାଗରିକ ଓ ବୟସ୍କଙ୍କ ପାଇଁ ନିମ୍ନ ବର୍ଥ ଆରକ୍ଷଣ ସୁବିଧା ୫୦ ପ୍ରତିଶତ ବୃଦ୍ଧି କରାଯିବ । ଅଧିକ ହେଲ୍ପଲାଇନ ଓ ସିସିଟିଭି ଲଗାଯାଇ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ବଢାଯିବ । ବଜେଟରେ ୨୦୧୬-୧୭ ବର୍ଷରେ ୧୦୦୦ ଜଗୁଆଳି ବିହୀନ ଲେବଲ-କ୍ରସିଂ ଓ ୩୫୦ ଜଗୁଆଳି ଯୁକ୍ତ ଲେବଲ-କ୍ରସିଂ ଉଠାଇ ଦେଇ ତା’ସ୍ଥାନରେ ଭୂତଳ କିମ୍ବା ରେଳ ଓଭର ବ୍ରିଜ ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷ ୮୨୦ ଭୂତଳ ଓ ରେଳ ଓଭର ବ୍ରିଜ କାମ ସରିବାକୁ ଥିବା ବେଳେ ଆଉ ୧୩୫୦ର କାର୍ଯ୍ୟ ଜାରିରହିଛି । ରେଳମନ୍ତ୍ରୀ କହିଛନ୍ତି ଯେ, ଉତ୍ସର୍ଗୀକୃତ ମାଲ ପରିବହନ କରିଡର ନିର୍ମାଣ ପାଇଁ ୨୪୦୦୦ କୋଟି ଟଙ୍କାର ଠିକା ଦିଆଯାଇସାରିଲାଣି । ଏହି ଅର୍ଥରେ ପୂର୍ବତଟ, ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ମାଲ ପରିବହନ ପଥ ନିର୍ମାଣ କରାଯିବ ।  ବନ୍ଦରଗୁଡିକୁ ରେଳ ସଂଯୋଗୀକରଣ ସମ୍ପର୍କରେ ସେ କହିଥିଲେ ଯେ, ଟୁନା ବନ୍ଦରକୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏବେ ପାରାଦୀପ, ରେବା, ଦିଘି, ଜୟଗଡ ବନ୍ଦରକୁ ରେଳ ସଂଯୋଗୀକରଣ କାର୍ଯ୍ୟ ଜାରି ରହିଛି । ଏହା ସରକାରୀ-ଘରୋଇ ଭାଗିଦାରୀ (ପିପିପି) ଢ଼ାଂଚାରେ ହେଉଛି । ରେଳମନ୍ତ୍ରୀ କହିଛନ୍ତି ଯେ, ଗରିବ ଓ ସାଧାରଣ ଯାତ୍ରୀଙ୍କ ପାଇଁ ଅନ୍ତ୍ୟୋଦୟ ଏକ୍ସପ୍ରେସ ନାମରେ ଏକ ସୁପର ଫାଷ୍ଟ ଏକ୍ସପ୍ରେସ ଆରମ୍ଭ କରାଯିବ । ସେହିପରି ତେଜାସ ନାମରେ ଘଂଟାକୁ ୧୩୦ କି.ମି କିମ୍ବା ତା’ଠାରୁ ଅଧିକ ବେଗରେ ଗତି କରୁଥିବା ଟ୍ରେନ ଚାଲିବ ।  ଏଥିରେ ଚିତ୍ତ ବିନୋଦନ ଓ ବାଇ-ଫାଇ ବ୍ୟବସ୍ଥା ରହିବ । ଗରିବଙ୍କ ପାଇଁ ‘ଦୀନ-ଦୟାଳୁ‘ ଅସଂରକ୍ଷିତ କୋଚ ଯୋଡାଯିବ । ଏଥିରେ  ଅଧିକ  ପିଇବାପାଣି ଓ ମୋବାଇଲ ଚାର୍ଜିଂ ସୁବିଧା ରହିବ । ବ୍ୟସ୍ତ ବହୁଳ ରେଳପଥରେ ବ୍ୟାବସାୟିକ ଶ୍ରେଣୀ ପାଇଁ ଏସି ଏବଂ ନନ୍-ଏସି ଡବଲ-ଡେକର ଟ୍ରେନ ବ୍ୟବସ୍ଥା ଆରମ୍ଭ କରାଯିବ ।  ଅପେକ୍ଷା ତାଲିକାରେ ଥିବା ଯାତ୍ରୀଙ୍କ ପାଇଁ ‘ ବିକଳ୍ପ’’ ନାମରେ ଏକ ବ୍ୟବସ୍ଥା ଆରମ୍ଭ କରାଯିବ ।  ଗଣମାଧ୍ୟମର ପ୍ରତିନିଧିମାନଙ୍କ ଲାଗି ଇ-ଟିକେଟ ବୁକିଂ ବ୍ୟବସ୍ଥାର  ସୁଯୋଗ ମିଳିବ । ଟିକଟ ରଦ୍ଦ କରିବା ପାଇଁ ୧୩୯ ହେଲ୍ପ ଲାଇନ ଆରମ୍ଭ କରାଯିବ । ସବୁ ଷ୍ଟେସନରେ ଏଣିକି ଦିବ୍ୟାଙ୍ଗମାନଙ୍କ ସୁବିଧା ପାଇଁ  ବ୍ୟବସ୍ଥା ହେବ । ଆସନ୍ତା ୨୦୧୬-୧୭ ବର୍ଷରୁ ସବୁ ଇ-୧ ଶ୍ରେଣୀର ଷ୍ଟେସନରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହେବ । ସବୁ ଷ୍ଟେସନରେ ହ୍ବିଲ- ଚେୟାର ବ୍ୟବସ୍ଥା କରାଯିବ । ରେଳମନ୍ତ୍ରୀ ‘ ଜନନୀ ସେବା’’ ସୁବିଧା ଆରମ୍ଭ କରାଯିବ  ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି । ଏହି ସେବା ଅଧୀନରେ  ଛୋଟ ପିଲା ଓ ଶିଶୁମାନଙ୍କ ଲାଗି ଗରମ ପାଣି, ଖାଦ୍ୟଦ୍ରବ୍ୟ, କ୍ଷୀର, ଶିଶୁ ଖାଦ୍ୟ ଯୋଗାଇ ଦିଆଯିବ ।  ଆସ‘ା ଆର୍ଥିକ ବର୍ଷରୁ କେତେକ ବଛା ବଛା ଦୃତଗାମୀ ଟ୍ରେନରେ ସ୍ମାର୍ଟକୋଚ ବ୍ୟବସ୍ଥା କରାଯିବ  ବୋଲି ପ୍ରଭୁ ଘୋଷଣା କରିଛନ୍ତି । ପ୍ରଥମ ପର୍ଯାୟରେ ୨୦୦୦ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଇଲେକ୍ଟ୍ରୋନିକ ଡିସ୍ପ୍ଲେ ବୋର୍ଡ ଖଂଜାଯିବ । ଏହା ମାଧ୍ୟମରେ ଯାତ୍ରୀଙ୍କୁ ସବୁ ପ୍ରକାର  ସବିଶେଷ ସୂଚନା ମିଳିବ । କେତେକ ଦୂରଗାମୀ ସୁପରଫାଷ୍ଟ ଏଫ୍ଏମ୍  ରେଡିଓ ପ୍ରସାରଣ ବ୍ୟବସ୍ଥା ଆରମ୍ଭ  କରାଯିବ ।  ସବୁ ସଂରକ୍ଷିତ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଆଂଚଳିକ ଭାଷାରେ ‘ରେଳବନ୍ଧୁ’’ ପତ୍ରିକା ଯୋଗାଇ ଦିଆଯିବ । ରେଳବିଭାଗର ସାମଗ୍ରିକ ବିକାଶ ଓ ପେସାଦାର ପରିଚାଳନା ନିମନ୍ତେ ଏକ ରେଳ ବିକାଶ ସଂସ୍ଥା ଗଠନ ପାଇଁ ଚିଠା ପ୍ରସ୍ତାବ ଚୂଡାନ୍ତ  ହୋଇଥିବା ବିଷୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଭୁ ସୂଚନା ଦେଇଛନ୍ତି ।  ରେଳମନ୍ତ୍ରୀ କହିଛନ୍ତି ଯେ, ରେଳମନ୍ତ୍ରଣାଳୟ ଏବଂ  ନାବାର୍ଡ଼ ମଧ୍ୟରେ ଏବେ ଏକ ସହବନ୍ଧନ ହେଉଛି । ଦୁହେଁ ମିଶି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ସାମଗ୍ରୀକୁ ବିକ୍ରି କରିବାର ଯୋଜନା କରିଛନ୍ତି ।  ଏହାଛଡା  ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ରେଳ କ୍ୟାଟେରିଂ ଓ ରନ୍ଧନ ସେବା କାରବାରରେ ନିୟୋଜିତ କରିବା ଲାଗି ପଦକ୍ଷେପ ନିଆଯିବ । ଏହି କାର୍ଯ ଆଇଆରସିଟିସି ଜରିଆରେ କରାଯିବ । ଭାରତୀୟ  ରେଳ ଏବେ ଖଦୀ ଓ ଗ୍ରାମୋଦ୍ୟୋଗ  କମିଶନଙ୍କ ସହ ମିଶି ଗ୍ରାମ୍ୟ କାରିଗରମାନଙ୍କ ସକାଶେ ୧୭ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛନ୍ତି । ସେହିପରି ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଉଦ୍ୟୋଗୀଙ୍କ ଠାରୁ ବିଭିନ୍ନ ସାମଗ୍ରୀ କ୍ରୟ ସକାଶେ ରେଳ ବିଭାଗକୁ ପ୍ରୋତ୍ସାହିତ କରାଯିବ ।  ରେଳମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଓ ଦିଗ୍ଦର୍ଶନ ଦ୍ବାରା ଏକ ‘ରାଷ୍ଟ୍ରୀୟ ରେଳ ଯୋଜନା’ ପ୍ରସ୍ତୁତ କରାଯାଇଛି ।  ଭଦଦୋରା ଠାରେ ଥିବା ନ୍ୟାସନାଲ ଏକାଡେମ ଅଫ ରେଳବାଇକୁ ରେଳ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ ।  ରାଜ୍ୟମାନଙ୍କ ସହ ମିଶି ନୂତନ ରେଳ ପ୍ରକଳ୍ପମାନ ହାତକୁ ନିଆଯିବ । ଏଥିଲାଗି ୧୭ ରାଜ୍ୟ ସହ ବୁଝାମଣାକୁ ନୀତିଗତ ମଂଜୁରୀ ମିଳିଛି । ଯାତ୍ରୀମାନଙ୍କ ସୁବିଧା ଓ ବର୍ଦ୍ଧିତ ସୁରକ୍ଷା ପାଇଁ ଏକ ୨୪-ଘଂଟିଆ ସର୍ବଭାରତୀୟ ହେଲ୍ପଲାଇନ୍  ନମ୍ବର-୧୮୨ ଆରମ୍ଭ ହୋଇଛି ।  ୩୧୧ ଷ୍ଟେସନରେ ସିସିଟିଭି ପର୍ଯବେକ୍ଷଣ ଆରମ୍ଭ କରାଯାଇଛି ।  ପର୍ଯାୟ କ୍ରମେ ଦେଶର ସବୁ ବଡ ବଡ ଓ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ଏହି  ବ୍ୟବସ୍ଥା  କାର୍ଯକାରୀ  କରାଯିବ । ଜାପାନ ଓ ଦକ୍ଷିଣ କୋରିଆର ଆଧୁନିକ ରେଳ ଟେକ୍ନୋଲୋଜି ଉପଯୋଗ କରାଯାଇ ରେଳ ସୁରକ୍ଷା ବ୍ୟବସ୍ଥାକୁ ବଢାଯିବ । ଆସନ୍ତା ୨-୩ ବର୍ଷ ମଧ୍ୟରେ ସବୁ ଷ୍ଟେସନରେ ଏଲ.ଇ.ଡି ଆଲୋକ ବ୍ୟବସ୍ଥା କରାଯିବ ।  ରେଳମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ  ପର୍ଯଟନର ବିକାଶ ପାଇଁ କେତେକ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରେଳ ଯାତ୍ରୀଙ୍କ ମଧ୍ୟରେ ବନ୍ୟ ପ୍ରାଣୀ ସଂରକ୍ଷଣର ବାର୍ତ୍ତା ପ୍ରଚାର ନିମନ୍ତେ ରେଳବାଇ ପକ୍ଷରୁ  କାହ୍ନା, ପେଂଚ ଓ ବାନ୍ଧବଗଡ ଅଭୟାରଣ୍ୟ ପରିଦର୍ଶନକୁ ଉତ୍ସାହିତ କରାଯିବ । ପୁରୀ ସମେତ ଦେଶର ୧୯ଟି ସାଂସ୍କୃତିକ ଓ ଐତିହାସିକ ସହରକୁ ସଂଯୋଗ କରୁଥିବା ରେଳ ଷ୍ଟେସନର ଉନ୍ନତିକରଣ ଓ ପୁନଃ-ବିକାଶ କରାଯିବ । ଏହି ସବୁ ଷ୍ଟେସନରେ ଯାତ୍ରୀମାନଙ୍କୁ ବର୍ଦ୍ଧିତ ସୁବିଧା ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି  ପ୍ରଭୁ  ସୂଚନା ଦେଇଛନ୍ତି ।

Share :