ଟିକସ ରିହାତି ସୀମା ବଢ଼ି ନପାରେ !

ଟିକସ ରିହାତି ସୀମା ବଢ଼ି ନପାରେ !

Share :

    ଦେଶରେ ଏକୀକୃତ କର ବ୍ୟବସ୍ଥା - ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶୃତି ବଦ୍ଧ । ଏଥିନେଇ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲ ଉପରେ ଜାତୀୟ ସହମତିକୁ ଅପେକ୍ଷା କରାଯାଇଛି । କେନ୍ଦ୍ର ସରକାରଙ୍କ ସହ ୨୮ ରାଜ୍ୟ ଓ ୭ କେନ୍ଦ୍ର ଶାସିତ ଅଂଚଳ ଏହି ନୂତନ କର ବ୍ୟବସ୍ଥା ଲାଗୁ କରିବାକୁ ଅପେକ୍ଷା କରି ରହିଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଆଧୁନିକ ବିଶ୍ବର ଟିକସ ଇତିହାସରେ ଏକ ଯୁଗାନ୍ତକାରୀ ଏବଂ ଅଭୂତପୂର୍ବ ଘଟଣା ହେବ ବୋଲି କୁହାଯାଇଛି । ଏହି ବ୍ୟବସ୍ଥା ଦ୍ବାରା ଭାରତୀୟ ଟିକସ ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଆସିବ ଏବଂ ୨୦-୨୫ ଲକ୍ଷ ଉତ୍ପାଦ ଓ ସେବା ଟିକସଦାତା  ପ୍ରଭାବିତ ହେବେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ଦେଶରେ ବ୍ୟକ୍ତିଗତ ଟିକସ ନେଟବାର୍କକୁ ପରିବ୍ୟାପ୍ତ କରିବା ଲାଗି ଅର୍ଥନୈତିକ ସର୍ଭେରେ ଆହ୍ବାନ ଦିଆଯାଇଛି । ୧୯୮୦ ମସିହାର ମଧ୍ୟ ଭାଗରୁ ବ୍ୟକ୍ତିଗତ ଟିକସ ରିଟର୍ଣ୍ଣ ଦାଖଲ ପରିମାଣ ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ଏବେ ସୁଦ୍ଧା ଦେଶର ପ୍ରାୟ ୮୫ ପ୍ରତିଶତ ଟିକସ ନେଟବାର୍କ  ବାହାରେ ରହିଛନ୍ତି । କେବଳ ୫.୫ ପ୍ରତିଶତ ଆୟକାରୀ ବ୍ୟକ୍ତି ଟିକସ ନେଟବାର୍କ ମଧ୍ୟରେ ଆସୁଛନ୍ତି । ଆମ ଦେଶର ଭୋଟର ଜନ ସଂଖ୍ୟା ଅନୁପାତରେ ଟିକସଦାତାଙ୍କ ପରିମାଣ ମାତ୍ର ୪ ପ୍ରତିଶତ ରହିଛି । ଏହି ହାର ୨୩ ପ୍ରତିଶତକୁ ବୃଦ୍ଧି କରିବା ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆହ୍ବାନ ଦିଆଯାଇଛି । ସର୍ଭେ ରିପୋର୍ଟରେ ଟିକସ ନେଟବାର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଟିକସ ରିହାତି ସୀମା ବୃଦ୍ଧି ନକରିବା ପାଇଁ ସତର୍କ କରିଦିଆଯାଇଛି । ପ୍ରତ୍ୟକ୍ଷ ଟିକସ ବସାଯାଇ ଅଧିକରୁ ଅଧିକ ଲୋକଙ୍କୁ ଟିକସ ନେଟବାର୍କ ମଧ୍ୟକୁ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି । ଟିକସ ରିହାତି ଦ୍ବାରା ସାଧାରଣ ଲୋକଙ୍କୁ ସୁବିଧା ମିଳିବା ପରିବର୍ତ୍ତେ ଧଡ଼ୀ ଏବଂ ସ୍ବଚ୍ଛଳ ବର୍ଗର ଲୋକ ତଥା ଘରୋଇ ଉଦ୍ୟୋଗକୁ ଫାଇଦା ମିଳୁଛି ବୋଲି ଏଥିରେ କୁହାଯାଇଛି । ସବୁ ଶ୍ରେଣୀ ପାଇଁ ବିଶେଷ କରି ଶିଳ୍ପ, ସେବା, ସମ୍ପତି ଏବଂ ରିଅଲ ଇଷ୍ଟେଟ ତଥା କୃଷି  କ୍ଷେତ୍ରରୁ ଆୟ କରୁଥିବା ଗୋଷ୍ଠୀଙ୍କ ଉପରେ ନ୍ୟାୟ ସଙ୍ଗତ ଟିକସ ଲାଗୁ କରିବା ଉପରେ ଏଥିରେ ଜୋର ଦିଆଯାଇଛି । ଅପର ପକ୍ଷରେ ସମ୍ପତି କର ଲାଗୁ କରିବା ପ୍ରସଙ୍ଗ ଉପରେ ତୁରନ୍ତ ନିଷ୍ପତି ନେବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି । ଉଚ୍ଚତର ସମ୍ପତି କର ହାର ପ୍ରକାରାନ୍ତରେ ସ୍ବାୟତ୍ତ ଶାସନ ବ୍ୟବସ୍ଥା ପରିଚାଳନାରେ ସକାରାମତ୍କ ପ୍ରଭାବ ପକାଇବ ଏବଂ ସ୍ମାର୍ଟ ସିଟି ନିର୍ମାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ । ସେହିଭଳି ରିଅଲ ଇଷ୍ଟେଟ ଉଦ୍ୟୋଗରେ ଆଗୁଆ ଅନୁମାନକୁ ନିଶ୍ଚିତ ରୂପେ ରୋକି ପାରିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ସେହିପରି ଅଯାଚିତ ଭାବେ ସମସ୍ତଙ୍କୁ ସବସିଡି ସୁବିଧା ଦେବା ପରିବର୍ତେ ସମାଜର କେବଳ ଦୁର୍ବଳ ବର୍ଗଙ୍କ ପ୍ରତି ଏହା ନିର୍ଦ୍ଧାରିତ କରିବାକୁ ପରାମର୍ଶ ଦିଆଯାଇଛି । ଫଳରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସବସିଡି ଗରିବ ଲୋକଙ୍କ ପାଖରେ ପହଂଚିପାରିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

Share :