ମୋଦିଙ୍କ ମନ୍ କି ବାତ୍: ଆଉ ନାହିଁ ୫୬ ଇଞ୍ଚ ଛାତି !

ମୋଦିଙ୍କ ମନ୍ କି ବାତ୍: ଆଉ ନାହିଁ ୫୬ ଇଞ୍ଚ ଛାତି !

Share :

ଦେବେନ୍ଦ୍ର ପୃଷ୍ଟି   ସେଦିନ (ଫେବୃଆରୀ ୨୧, ୨୦୧୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକେ ଅସ୍ବାଭାବିକ ଭାବେ କ୍ଳାନ୍ତ ଦିଶୁଥିଲେ । ଅବଶ୍ୟ ଓଡ଼ିଶାର ବରଗଡ଼ ଚାଷୀ ସମାବେଶରେ ଯୋଗ ଦେବା ଆଗରୁ ସେ ଛତିଶଗଡ଼ରେ ମଧ୍ୟ ଏକ ବଡ଼ ଧରଣର ସଭାରେ ଭାଷଣ ଦେଇଥାନ୍ତି । ଖରା ବି ଟିକେ ପ୍ରଖର ଥିଲା । କିନ୍ତୁ ସେ ତ ଉଡ଼ାଜାହାଜରେ ବୁଲିବା ଲୋକ । ଉଡ଼ାଜାହାଜ ବର୍ଷକ ଆଠକାଳି ବାରମାସ ଶୀତତାପ ନିୟନ୍ତ୍ରିତ । କଣ୍ଠସ୍ବରର ଦମ୍ଭ ଓ ଅହମିକା ଥିଲା । କିନ୍ତୁ ଚେହେରାରେ ଚମକ୍ ନଥିଲା । ଲାଗୁଥିଲା ସେ ଯେମିତି କୋଉଠି କିଛି ଛାଡ଼ି ଆସିଛନ୍ତି । ଚାଷୀଙ୍କ ପାଠ ପଢ଼େଇବା ପାଇଁ ଏଇ ସାଙ୍ଗେସାଙ୍ଗେ ନିଜେ ମାଟିହାଣି ଫେରିଛନ୍ତି । ଢଙ୍ଗରଙ୍ଗ ସବୁ ସେମିତି ଥିଲା । ତାଙ୍କ ଭାଷଣ ମଝିରେ ବି ସେ ବୁଲେଇ ବଙ୍କେଇ ଜଣେଇଦେଲେ ତାଙ୍କ କ୍ଳାନ୍ତିର କାରଣ । ସେ ବିପଦର ଆଶଙ୍କା କରୁଛନ୍ତି । ବୋଧହୁଏ ସେହି ବିପଦ ଆଡ଼େଇବାକୁ ଯାଇଁ ସେ ସଫଳ ହୋଇନାହାନ୍ତି । ତେଣୁ ମନରେ ଛନକା ପଶି ଯାଇଛି । ଗାଦି ଓ କ୍ଷମତା ହରାଇବାର ଛନକା । ସେ ତାଙ୍କ ଭାଷଣ ମଝିରେ କହିଲେ, ଦେଶର ସ୍ବେଚ୍ଛାସେବୀ ସଂସ୍ଥା ବା ଏଜଜିଓ ଓ କଳାବେପାରୀମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି । ସେମାନେ ତାଙ୍କୁ ବଦନାମ କରିବାକୁ ଚାହାନ୍ତି, ତାଙ୍କ ସରକାରକୁ ଅସ୍ଥିର କରିବାକୁ ଚାହାନ୍ତି । କାହିଁକି ନା ସେ ଏନଜିଓଗୁଡ଼ିକୁ ହିସାବ ମାଗିଲେ ବୋଲି ସେମାନେ ରାଗିଛନ୍ତି । ମୋଦି କହିଲେ ଏନଜିଓଗୁଡ଼ିକ ବିଦେଶରୁ ବିପୁଳ ପରିମାଣର ଅନୁଦାନ ଆଣୁଛନ୍ତି । କିନ୍ତୁ ତାହାର ହିସାବ ଦେଉ ନାହାନ୍ତି । ସେଇ ହିସାବ ମାଗିଲାରୁ ସେମାନ ଏକଜୁଟ ହୋଇ ତାଙ୍କ ବିରୋଧରେ ଲାଗିଛନ୍ତି । ସେହିପରି ସେ ଦେଶର କଳାବଜାରୀ ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଛନ୍ତି । ସେଥିପାଇଁ ସେମାନେ ବି ରାଗିଛନ୍ତି । ଏମାନେ ସମସ୍ତେ ମିଶି ତାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରିଛନ୍ତି ବୋଲି ବରଗଡ଼ରେ ବିଳିବିଳେଇ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଏପରି ବକ୍ତବ୍ୟ ଜଣେ ୫୬ ଇଞ୍ଚ ଛାତିବାଲା ସିଂହର ଭାଷା ହୋଇପାରେ କି? ବିପଦ ହଉ ବା ଷଡ଼ଯନ୍ତ୍ର ସିଂହ ଓ ସାହସୀ ବୀର ତାହାର ମୁକାବିଲା କରିବା ପାଇଁ ସବୁବେଳେ ତୟାର ଥାଏ । ବୀର ପୁରୁଷମାନେ ବାସ୍ତବରେ ଅନେକ ସମୟରେ ଏଭଳି ବିପଦକୁ ସ୍ବାଗତ କରିଥାନ୍ତି । କାରଣ ବିପଦର ସଫଳ ମୁକାବିଲା କରିପାରିଲେ ତାହା ତାଙ୍କର ବୀରତ୍ବକୁ ପ୍ରମାଣସିଦ୍ଧ କରେ ଏବଂ ଖ୍ୟାତି ବଢ଼ାଏ । ବିପଦ ସମୟରେ କୌଣସି ବୀର ଲୋକଙ୍କ ଗହଳିରେ ଲୁଚିବା ସ୍ଥାନଟିଏ ଖୋଜେ ନାହିଁ । ସେମାନଙ୍କଠାରୁ ଅନୁକମ୍ପା ହାସଲ କରିବାକୁ ଉପାୟ ଚିନ୍ତା କରେ ନାହିଁ । ବରଗଡ଼ରେ କିନ୍ତୁ ମୋଦି ସେଇଆ କରିଛନ୍ତି । ଲୋକଙ୍କ ଅନୁକମ୍ପା ହାସଲ କରିବାକୁ ତାଙ୍କ ସରକାର ପ୍ରତି ବିପଦ ଥିବା କଥା କହିଛନ୍ତି । ସାଂପ୍ରତିକ ପୃଷ୍ଠଭୂମିରେ ତେବେ ମୋଦିଙ୍କୁ କିଏ ବଦନାମ କରିବାକୁ ଚେଷ୍ଟା କରୁଛି ? କାହିଁ କେଉଁ ଏନଜିଓ ତ ମୋଦିଙ୍କ ବିରୋଧରେ ଜନ ସମାବେଶ କରି ନାହାନ୍ତି କି ସରକାରଙ୍କୁ ଅସ୍ଥିର କଲା ଭଳି ବିବୃତି ଦେଇ ନାହାନ୍ତି ! ସେମାନଙ୍କର ତାକତ୍ ବି କେତେ ମୋଦିଙ୍କୁ ହଟାଇବେ ! କଉଁ କଳାବଜାରୀ ଓ ଦୁର୍ନୀତିଗ୍ରସ୍ତ ଗୋଷ୍ଠୀ ବି କାହିଁ ମୋଦି ସରକାର ବିରୋଧରେ ଶୋଭାଯାତ୍ରା ବାହାର କରି ନାହାନ୍ତି ! ତାଙ୍କ ଦଳ ଓ ସରକାରର ନେତାମାନଙ୍କୁ ଚାନ୍ଦା ଦେବା ବି ବୋଧହୁଏ ବନ୍ଦ ବି ହୋଇ ନଥିବ । ନହେଲେ କ’ଣ ଡାଲି ଦର ତାଙ୍କର ଦୁଇ ବର୍ଷ ଭିତରେ ଦୁଇ ଗୁଣ ହୋଇଥାନ୍ତା ? ତାଙ୍କ ସରକାର ଯେଉଁ ଚଢ଼ାଉ କଲା ବୋଲି ଦିନାକେତେ ପ୍ରଚାର ଚାଲିଲା, ତା’ର ପରିଣାମ ଖାଉଟିଙ୍କ ପାଖରେ ପହଂଚିଲା କି ? ଡାଲିର ଖୁଚୁରା ଦର ଆଜି ବି କିଲୋ ପ୍ରତି ୧୪୦ ଟଙ୍କା । ଆଉ କେଉଁ ଜିନିଷର କଳାବଜାରୀ କଥା ସେ କହୁଛନ୍ତି ? ସୁନା ନା ହୀରାର ? ସୁନା ଦର ତ’ କମୁଥିଲା । କମିକମି ଏହା ୧୦ ଗ୍ରାମକୁ ୩୦ ହଜାର ଟଙ୍କାରୁ ୨୪ ହଜାର ଟଙ୍କାକୁ ଖସି ଆସିଥିଲା । ମାସକ ଭିତରେ ଏହା ପୁଣି ବଢ଼ି ଗଲାଣି, ଏବେ ସୁନା ଦର ୧୦ ଗ୍ରାମକୁ ୨୮ ହଜାର । ଆଉ କ’ଣ ୟୁରିଆ କଳାବଜାର କରୁଥିବା ଲୋକମାନେ ତାଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି ? ତାଙ୍କ ଯୋଗୁଁ ୟୁରିଆର କଳାବଜାର ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି । ତାଙ୍କ କହିବା କଥା ହେଲା ଆଗରୁ କେତେକ କାରଖାନାବାଲା ୟୁରିଆ କିଣିନେଉଥିଲେ । ତାଙ୍କ ସରକାର ଆସିବା ପରେ ୟୁରିଆରେ ନିମ ମିଶାଇବା ଫଳରେ ଆଉ କୌଣସି ରାସାୟନିକ କାରଖାନା ପାଇଁ ତାହା ଦରକାର ହଉନି । ତେଣୁ କଳାବଜାର ବନ୍ଦ । ଏଠି କିନ୍ତୁ ଗୋଟେ ପ୍ରଶ୍ନ: ୟୁରିଆ କଳାବଜାର ପାଇଁ କ’ଣ ଦେଶ ସାରା ଚାଷୀମାନେ ଶହଶହ ସଂଖ୍ୟାରେ ଆତ୍ମହତ୍ୟା କରିଛନ୍ତି ? ଚାଷ ପାଇ କ’ଣ ୟୁରିଆ ନିହାତି ଦରକାର ? ତାଙ୍କରି ସରକାରର ଏକ ବିଭାଗ ପରା କହୁଛି ରାସାୟନିକ ସାର ଓ କୀଟନାଶକ ଅପେକ୍ଷା ଜୈବସାର ଅଧିକ ଭଲ । ଜୈବ ପଦ୍ଧତିରେ ଚାଷ କଲେ ଅଧିକ ଅମଳ ମିଳେ । ତେବେ ପ୍ରଧାନମନ୍ତ୍ରୀ ୟୁରିଆ ଉପରେ କାହିଁକି ଗୋଟେ ଅଧ୍ୟାୟ ପାଠ ପଢ଼େଇଲେ ? ଆଉ ରହିଲେ ଦୁର୍ନୀତିଗ୍ରସ୍ତ । ଏହି ଗୋଷ୍ଠୀଟି ସବୁବେଳେ ସାଧୁ ଓ ସ୍ବଚ୍ଛ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରିଥାନ୍ତି । ଏହା ମିଛ ନୁହେଁ । ଏକଦା ବିଶ୍ବନାଥ ପ୍ରତାପ ସିଂହଙ୍କ ସରକାରକୁ ଏଇପରି ଦୁର୍ନୀତିଗ୍ରସ୍ତ ଗୋଷ୍ଠୀ ଅର୍ଥବଳରେ ହଟେଇ ଦେଇଥିଲା । ସେତେବେଳେ ରିଲାଏନ୍ସ ଗୋଷ୍ଠୀ ହିଁ ଭିପି ସରକାରର ପତନ ପାଇଁ ପାଣ୍ଠି ଦେଇଥିଲା ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ ତ ଏହି ଗୋଷ୍ଠୀ ମୋଦି ସରକାରଙ୍କର ଖାସ କମ୍ପାନୀ । ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀଙ୍କୁ ମୋଦି ତ ସାଷ୍ଟାଙ୍ଗ ପ୍ରଣିପାତ କରିବାକୁ ବି ପଛେଇବେ ନାହିଁ । ଆଉ ଆଦାନୀ ଗୋଷ୍ଠୀକୁ ତ’ ସେ ହଜାର ହଜାର କୋଟି ଟଙ୍କାର ମାଲିକ ବନେଇଛନ୍ତି ବୋଲି ଅଭିଯୋଗ ହୁଏ । ଉଭୟ ଅମ୍ବାନୀ ଓ ଆଦାନୀ ହେଲେ ଗୁଜରାଟର ମୂଳ ବାସିନ୍ଦା । ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମଧ୍ୟ ହେଲେ ଗୁଜରାଟର ଲୋକ । ଆଉ ଗୋଟେ କଥା । ପ୍ରଧାନମନ୍ତ୍ରୀ ମୋଦି ଦୁର୍ନୀତି ବିରୋଧରେ ଏମନ୍ତ ଘମାଘୋଟ ଲଢ଼େଇ କରୁଛନ୍ତି ଯେ ତାଙ୍କ ସରକାର ୨ ବର୍ଷ ପୂରଣ କରିବାକୁ ଯାଉଥିଲେ ମଧ୍ୟ ଏଯାଏଁ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକପାଳ ସଂସ୍ଥାଟିଏ ଗଠନ କଲେ ନାହିଁ । ସମଗ୍ର ଭାରତର ଦାବି ଆଗରେ ମୁଣ୍ଡ ନୁଆଇଁ ଭାରତର ରାଜନୀତିକ ଦଳଗୁଡ଼ିକ ସର୍ବସମ୍ମତକ୍ରମେ ଲୋପାଳ ଓ ଲୋକାୟୁକ୍ତ ଆଇନ ପ୍ରଣୟନ କରିଥିଲେ । ଅବଶ୍ୟ ତାହା ଆନ୍ନା ହଜାରେ ଓ ଅରବିନ୍ଦ କେଜରିବାଲଙ୍କ ମୂଳ ଜନ ଲୋକପାଳ ଆଇନ ସହ ଆଦୌ ତୁଳନୀୟ ନଥିଲା । ତଥାପି ସେଇ କାମଚଳା ଆଇନ ଅନୁସାରେ ଲୋକପାଳ ନିଯୁକ୍ତ କରି ପ୍ରଧାନମନ୍ତ୍ରୀ ମୋଦି ନିଜର ଦୁର୍ନୀତି ବିରୋଧୀ ଲଢ଼େଇକୁ ଶକ୍ତିଶାଳୀ କରିପାରିଥାନ୍ତେ । ସେ ତାହା କରି ନାହାନ୍ତି । ଆଉ ଦୁର୍ନୀତି ବିରୋଧୀମାନେ ଅସନ୍ତୁଷ୍ଟ କାହିଁକି ହେବେ ? ଶିଳ୍ପ ପାଇଁ ଜମି, ଜଳ, ଜଙ୍ଗଲ ଓ ଖଣି ଆଦି ଜାତୀୟ ସଂପତ୍ତିର ଘରୋଇକରଣ ପ୍ରକ୍ରିୟା ତ ବନ୍ଦ ହୋଇନାହିଁ ! ବରଂ ଏହି ଦେବାନେବାର ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ତ୍ବରାନ୍ବିତ ହୋଇଛି । ଜାତୀୟ ରାଜନୀତିର ସାଂପ୍ରତିକ ଦୃଶ୍ୟପଟ୍ଟରେ ଅବଶ୍ୟ ଗୋଟିଏ କ୍ଷେତ୍ରରେ ମୋଦି ସରକାର ବାରମ୍ବାର ଅଡ଼ୁଆରେ ପଡ଼ୁଥିବାର ଦେଖାଯାଉଛି । ତାହା ହେଉଛି ଧର୍ମନିରପେକ୍ଷତା ଓ ଦେଶପ୍ରେମ ପରି ବିଜେପିର ପୁରୁଣା ପ୍ରସଙ୍ଗ । ବିକାଶ ଓ ଦୁର୍ନୀତିକୁ ମୁଦ୍ଦା କରି ମୋଦି ଯଦିଓ ଲୋକଙ୍କ ଭୋଟ ହାସଲ କରିଛନ୍ତି କିନ୍ତୁ ସେ ସରକାରକୁ ଆସିବା ପରେ ଏ ଦୁଇଟି ପ୍ରସଙ୍ଗ ଜାତୀୟ ଦୃଶ୍ୟପଟ୍ଟରେ ବହୁତ ପଛକୁ ଠେଲି ହୋଇଯାଇଛି । ଏହା ଉପରେ ତାଙ୍କରି ଦଳର ନେତା ଓ ତାଙ୍କର ଦୀକ୍ଷାଗୁରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କର୍ମକର୍ତ୍ତାମାନେ ଆଦୌ ଚର୍ଚ୍ଚା କରୁ ନାହାନ୍ତି । ଓଲଟି ଚର୍ଚ୍ଚା ହଉଛି ଗୋମାଂସ, ଗୋହତ୍ୟା, ଧର୍ମନିରପେକ୍ଷତା, ଦେଶପ୍ରେମ ଓ ଦେଶଦ୍ରୋହ ଆଦି ଭାବ ଓ ଆବେଗର ପ୍ରସଙ୍ଗ ଉପରେ । ଦାଦ୍ରି ହେଉ ବା ଦିଲ୍ଲୀ, ମାଲଦା ହେଉ ବା ମୁମ୍ବାଇ- ସବୁଠି ସଂଖ୍ୟା ଗରିଷ୍ଠ ହିନ୍ଦୁଙ୍କ ମନରେ ମୁସଲମାନ ଓ ଧର୍ମନିରପେକ୍ଷତାକୁ ତାବିଜ କରି ବେକରେ ପକାଇଥିବା ବାମପନ୍ଥୀଙ୍କ ବିରୋଧରେ ଘୃଣା ପ୍ରସାରଣ କରିବାକୁ ଉଦ୍ୟମ ହୋଇଛି ଓ ତାହାକୁ ଆଧାର କରି ଗଣମାଧ୍ୟମ ଜରିଆରେ ସମଗ୍ର ଦେଶର ନଜର ସେଇଆଡ଼େ ମୁହାଁଇ ଦିଆଯାଇଛି । ଗୁଜରାଟେର ଏଇ କୌଶଳ ଅବଲମ୍ବନ କରିଥିଲେ ମୋଦି । ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ବେଆକୁବ୍ ଭୋଟରଙ୍କୁ ବିଭ୍ରାନ୍ତ କରି ଓ ସେମାନଙ୍କ ନଜର ଆଡ଼େଇ ତାଙ୍କ ସରକାର ଅନେକ କାର୍ଯ୍ୟ କରୁଥିଲା । କିନ୍ତୁ ଭାରତବର୍ଷ ଗୁଜରାଟଠାରୁ ଅନେକ ଗୁଣରେ ବଡ଼ । ଗୁଜରାଟର ଗଣମାଧ୍ୟମ ଓ ଭାରତର ଗଣମାଧ୍ୟମ ଭିତରେ ଅନେକ ପ୍ରଭେଦ । ବେପାରୀ ବା ବଣିଆମାନଙ୍କ ପାଇଁ ଗଣତନ୍ତ୍ର ଅପେକ୍ଷା ଲାଭ ଅଧିକ ଗୁରୁତ୍ବପୂର୍ଣ୍ଣ । ଭାରତର ସବୁ ଲୋକ ଲାଭକୁ ଜୀବନୀ ଲକ୍ଷ୍ୟ ଓ ଆଦର୍ଶ ଭାବେ ଗ୍ରହଣ କରି ନାହାନ୍ତି । ସେଥିପାଇଁ ଦାଦ୍ରି ଓ ଦିଲ୍ଲୀ ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଅପଦସ୍ତ ହେବାକୁ ପଡ଼ିଛି । ଭାରତକୁ ସାଂପ୍ରଦାୟିକ କରିବାର ଚକ୍ରାନ୍ତକୁ ଦେଶର ବୁଦ୍ଧିଜୀବୀ ଓ ବିବେକବାନ ସାମ୍ବାଦିକମାନେ ପଣ୍ଡ କରିବା ସହିତ ସରକାରଙ୍କ ଚାଲ୍ ପଦାରେ ପକାଇ ଦେଇଛନ୍ତି । ଏଇଆ କ’ଣ ତାଙ୍କ ପାଇଁ ବିପଦ ଓ ଅସ୍ଥିରତାର କାରଣ ?  ତେବେ ସେଥିପାଇଁ ଦାୟୀ କିଏ ? ବାମପନ୍ଥୀ ନା ଦକ୍ଷିଣପନ୍ଥୀ ? କିଏ ଏହାକୁ ଜାତୀୟ ପ୍ରସଙ୍ଗରେ ପରିଣତ କରିବାର ଐତିହ୍ୟ ବହନ କରୁଛି ?

Share :