ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ତଥ୍ୟ ଅମେଳ

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ତଥ୍ୟ ଅମେଳ

Share :

ବିଘ୍ନେଶ୍ବର ସାହୁ   ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ବା ଡବ୍ଲୁଏଫପି ସହାୟତାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅଧୀନରେ ୨୦୧୨ ମସିହାଠାରୁ ଓଡ଼ିଶାର ଗଜପତି ଜିଲ୍ଲାର ସମସ୍ତ ସରାକରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ଲୌହସାର ଯୁକ୍ତ ଖାଦ୍ୟ ସମ୍ବନ୍ଧୀୟ ଏକ ପାଇଲଟ୍ ପ୍ରକଳ୍ପ ଚାଲିଆସୁଅଛି । ବିଦ୍ୟାଳୟକୁ ଯାଉଥିବା ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସ କରିବା ଉକ୍ତ ପାଇଲଟ୍ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ । ଉକ୍ତ ପ୍ରକଳ୍ପ କାର୍ଯ୍ୟ ଅବଧି ଦୁଇବର୍ଷ ଥିବାବେଳେ ଇତିମଧ୍ୟରେ ଦୁଇ ଦୁଇ ଥର ଛ’ମାସ ଅନ୍ତରରେ ଏହାର ଅବଧି ସମୟ ବୃଦ୍ଧି କରାଯାଇଅଛି । ଉକ୍ତ ପ୍ରକଳ୍ପ ଜରିଆରେ ବିଦ୍ୟାଳୟକୁ ଆସୁଥିବା ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ରକ୍ତହୀନତାର ମାତ୍ରା ମୂଲ୍ୟାୟନ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତି ସମ୍ବୋଧି ନାମକ ଏକ ବେସରକାରୀ ସଂସ୍ଥାକୁ ନିଯୁକ୍ତ କରାଯାଇଥିଲା ।  ଉକ୍ତ ସଂସ୍ଥା ତା’ର ଚୁଡ଼ାନ୍ତ ତଥ୍ୟ ସରକାରଙ୍କୁ ୨୦୧୫ ମାର୍ଚ୍ଚରେ ହସ୍ତା‘ର କରିଥିଲା ଉକ୍ତ ତଥ୍ୟ ଅନୁଯାୟୀ ଏହି ପ୍ରକଳ୍ପ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରକ୍ତହୀନତା ମାତ୍ରା ୬୫.୪ ପ୍ରତିଶତରୁ ହ୍ରାସ ପାଇ ୪୫.୨ ପ୍ରତିଶତରେ ପହଞ୍ଚିଛି । ଇତିମଧ୍ୟରେ ଭାରତ ସରକାରଙ୍କ ଦ୍ବାରା ନିୟୋଜିତ ରେଜିଷ୍ଟର ଜେନେରାଲ ଅଫ୍ ଇଣ୍ଡିଆ (ଜ.ଏ.ଓ.) ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ମିଳିତ ଭାବେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗଜପତି ଜିଲ୍ଲାରେ ରକ୍ତହୀନତା ମାତ୍ରା ହେଉଛି ୮୬.୪ ପ୍ରତିଶତ । ଏହା ଡବ୍ଲୁଏଫପି ଦେଇଥିବା ତଥ୍ୟର ପ୍ରାୟ ୨ ଗୁଣ । ଏକା ସମୟରେ ପ୍ରକାଶିତ ଦୁଇଟି ତଥ୍ୟ ମଧ୍ୟରେ ଆକାଶ ପାତାଳ ଫରକ କିପରି ? ଏହି ଦୁଇଟି ତଥ୍ୟ ମଧ୍ୟରେ କେଉଁଟି ଗ୍ରହଣଯୋଗ୍ୟ ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ । ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭାରତ ସରକାରଙ୍କର ତଥ୍ୟକୁ ଭ୍ରୁକ୍ଷେପ ନକରି ଏକ ବେସରକାରୀ ସଂସ୍ଥାର ଅବାସ୍ତବ ଓ ଭିତ୍ତିହୀନ ତଥ୍ୟକୁ ଆଧାର କରି ଡବ୍ଲୁଏଫପି ପ୍ରକଳ୍ପକୁ ସରକାର ଆଗେଇ ନେବାକୁ ଚିନ୍ତା କରୁଛନ୍ତି  କିପରି ? ସରକାରୀ ସ୍ତରରେ ଉକ୍ତ ବେସରକାରୀ ସଂସ୍ଥା ଦ୍ବାରା ଉପସ୍ଥାପିତ ବିଭ୍ରାନ୍ତିକର ତଥ୍ୟ ଉପରେ ବାରମ୍ବାର ଆଲୋଚନା ହେବା ପରେ ଚିଠି ସଂଖ୍ୟା ୧୬୬୬/ତା୧୯.୧୦.୨୦୧୫ ରିଖରେ ଡବ୍ଲୁଏଫପିକୁ ଏକ ସ୍ପଷ୍ଟୀକରଣ ମଗାଯାଇଥିଲା । ଏହାର ପ୍ରତ୍ୟୁତ୍ତରରେ ଡବ୍ଲୁଏଫପି ପ୍ରଦାନ କରିଥିବା ସ୍ପଷ୍ଟୀକରଣ ଉପରେ ଆଲୋଚନା କରାଯାଇ ନଥିଲା । ଏହି ତଥ୍ୟକୁ ଲୁଚାଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଗଙ୍ଗାଧର ସାହୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଠାରୁ ଚତୁରତାର ସହିତ ଉକ୍ତ ପ୍ରକଳ୍ପ ପୂର୍ବାନୁରୂପେ ଚାଲୁ ରଖିବା ପାଇଁ ସରକାରଙ୍କ ଠାରୁ ଅନୁମତି ହାତେଇଥିଲେ । ଏହାର ଅନୁମତି ହାତେଇବା ପରେ ଉକ୍ତ ପ୍ରକଳ୍ପଟି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା, ଯାହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ (ହସ୍ତାନ୍ତର ପରଠାରୁ) । ଏଥିରୁ ପ୍ରମାଣିତ ହୁଏ ଡବ୍ଲୁଏଫପି ଏବଂ କେତେଜଣ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କ ସଲାସୁତୁରାରେ ଏହିଭଳି ପାଇଲଟ୍ ପ୍ରୋଜେକ୍ଟ କିଛିବର୍ଷ ଚଳାଇ ସରକାରଙ୍କୁ ହସ୍ତାନ୍ତର କରି ସରକାରଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ଭଳି ସମସ୍ତ ଆର୍ଥିକ ବୋଝ ଲଦି ବିଶ୍ବସ୍ତରରେ ବାଃ ବାଃ ନେବା ଡବ୍ଲୁଏଫପିର ଚିରାଚରିତ ଅଭ୍ୟାସ । ପିଲାମାନଙ୍କର ସ୍ବାର୍ଥ ଓ ସ୍ବାସ୍ଥ୍ୟ ଭଳି ମହାନ ଉଦ୍ଦେଶ୍ୟକୁ ଜଳାଂଜଳି ଦେଇ ସରକାରଙ୍କ ଉପରେ ଅନାବଶ୍ୟକ ଅର୍ଥବୋଝ ଲଦି ବିଦେଶୀ ସଂସ୍ଥାକୁ ବଞ୍ଚାଇବା କ’ଣ ପାଇଲଟ୍ ପ୍ରୋଜେକ୍ଟର ମୂଳ ଲକ୍ଷ୍ୟ? ଏତିକିରେ ଗଙ୍ଗାଧର ବାବୁଙ୍କର ସମାପ୍ତ ହୋଇନି । ଡବ୍ଲୁଏଫପି ସହିତ ମଧୁର ପ୍ରୀତି, ପୂର୍ବଭଳି ତଥ୍ୟ ଲୁଚାଇ ଓ ଉପରିସ୍ଥ ଅଫିସରଙ୍କୁ ବିଭ୍ରାନ୍ତ କରି ନୂତନ ପ୍ରକଳ୍ପକୁ ଅନୁମୋଦିତ କରିବାରେ ଗଙ୍ଗାଧର ବାବୁ ସିଦ୍ଧହସ୍ତ । ଏହାର ଆଉ ଏକ ଦୃଷ୍ଟାନ୍ତ ହେଉଛି ଢେଙ୍କାନାଳ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ମାଧ୍ୟମରେ ଏକ ମଲ୍ଟି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ପ୍ରକଳ୍ପ ପାଇଁ ସରକାର ଓ ଡବ୍ଲୁଏଫପି ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇସାରିଛି ଏବଂ ଏହି ପ୍ରକଳ୍ପର କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଏହି ପ୍ରକଳ୍ପ ସରକାରଙ୍କ ଦ୍ବାରା ଅନୁମୋଦନ କରାଇଦେବା ପାଇଁ ଗଙ୍ଗାଧର ବାବୁ ସମସ୍ତ ପ୍ରକାର ସରକାରୀ ନୀତି ଓ ନିୟମକୁ ଉଲ୍ଲଂଘନ କରିବାକୁ ପଛଘୁଞ୍ଚା ଦେଇ ନଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ, ତତ୍କାଳୀନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ମଧ୍ୟାହ୍ନ ଭୋଜନର ଦଶମ ରାଜ୍ୟ ସ୍ତରୀୟ ଷ୍ଟିଅରିଂ ଓ ମନିଟରିଂ କମିଟିର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଯେକୌଣସି ଫଟିର୍ଫିକେସନ୍ ପ୍ରୋଜେକ୍ଟ ଚଳାଇବା ପାଇଁ ଏକ ଷ୍ଟାଣ୍ଡାର୍ଡ ଫର୍ଟିଫିକେସନ ପଲିସି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି ରାଜ୍ୟ ସଂଯୋଜକ ମଧ୍ୟାହ୍ନ ଭୋଜନ ଦଶମ ରାଜ୍ଯସ୍ତରୀୟ ଷ୍ଟିଅରିଂ ଓ ମନିଟରିଂ କମିଟିର ନିର୍ଦ୍ଦେଶକୁ ଅମାନ୍ୟ କରି ଉକ୍ତ ନିଷ୍ପତ୍ତିକୁ ଉଲ୍ଲେଖ ନକରି ନବମ ରାଜ୍ୟ ସ୍ତରୀୟ ଷ୍ଟିଅରିଂ ଓ ମନିଟରିଂ କମିଟିର ତଥ୍ୟକୁ ଉପସ୍ଥାପନା କରି ସଚିବଙ୍କ ଠାରୁ ଉକ୍ତ ପ୍ରକଳ୍ପ ପାଇଁ ସ୍ବୀକୃତି ନେଇଯାଇଥିଲେ । ଏପରି ମନେହୁଏ ଯେ, ରାଜ୍ୟ ସଂଯୋଜକ ମଧ୍ୟାହ୍ନ ଭୋଜନ ଏବଂ ଡବ୍ଲୁଏଫପି ସ୍ପଷ୍ଟ ଦିବାଲୋକରେ ଲଣ୍ଠନ ଦେଖାଇବା ଭଳି ଉଚ୍ଚପଦସ୍ଥ ପଦାଧିକାରୀ ଏବଂ ସରକାରୀ କଳକୁ ବେନିୟମ ଭାବେ ବ୍ୟବହାର କରିଚାଲିଛନ୍ତି । ଏହାର ଆଉ ଏକ ଦୃଷ୍ଟାନ୍ତ ହେଉଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାତୀୟ ରକ୍ତହୀନତା ଦୂରୀକରଣ  କାର୍ଯ୍ୟକ୍ରମ (ନ୍ୟାସନାଲ ଆଇରନ୍ ପ୍ଲସ୍ ଇନିସିଏଟିଭ୍) ଚାଲୁଥିବା ବେଳେ ଫଟିର୍ଫିକେସନ୍ ପ୍ରୋଜେକ୍ଟ ଯାହାର କୌଣସି ମାପଦଣ୍ଡ ନାହଁ ତାହା ଚଳାଇବା କେତେଦୂର ଯଥାର୍ଥ ? ଯଦିଓ ଉକ୍ତ ଜାତୀୟ ରକ୍ତହୀନତା ଦୂରୀକରଣ କାର୍ଯ୍ୟକ୍ରମ (ନ୍ୟସନାଲ ଆଇରନ୍ ପ୍ଲସ୍ ଇନିସିଏଟିଭ୍) ଅନୁଯାୟୀ ସମସ୍ତ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ରକ୍ତହୀନତା ଦୂରୀକରଣ କରିବା ପାଇଁ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଲେଖାଏଁ ଆଇରନ୍ ଏବଂ ଫଲିକ ଏସିଡ଼ ବଟିକା ଦିଆଯାଇଥାଏ । ଏହିସବୁ ତଥ୍ୟରୁ ପ୍ରଶ୍ନ ଉଠେ - ୧) ସରକାରୀ କାର୍ଯ୍ୟକ୍ରମ ଓ ସରକାରୀ ତଥ୍ୟ ଠିକ୍ ନା ବେସରକାରୀ କାର୍ଯ୍ୟକ୍ରମ ଯାହାକି ଏକ ଅବାନ୍ତର ତଥ୍ୟ ଓ ଅସାଧୁ ଅଧିକାରୀଙ୍କର ଦାୟିତ୍ବହୀନ ମନଗଢ଼ା ସଂଳାପରେ ଆଧାରିତ କକାର୍ଯ୍ୟକ୍ରମମ ଠିକ୍ ? ୨) ରାଜ୍ୟ ସରକାର ଏକ ବେସରକାରୀ ସଂସ୍ଥାକୁ କ’ଣ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି? ଏହାର ଅନ୍ୟ ଏକ ଦିଗ ହେଉଛି ରାଜ୍ୟ ସଂଯୋଜକ ମଧ୍ୟାହ୍ନ ଭୋଜନ ଗଙ୍ଗାଧର ବାବୁ ଡବ୍ଲୁଏଫପି ଖର୍ଚ୍ଚରେ ବିଦେଶ ଗସ୍ତ କରି ବିଳାସପୂର୍ଣ୍ଣ ହୋଟେଲରେ ରହି ମଉଜ ମଜଲିସ୍ କରି ଡବ୍ଲୁଏଫପି ତ୍ରୁଟିକୁ ନ ଧରି ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖିଛନ୍ତି ଯାହାଫଳରେ ଡବ୍ଲୁଏଫପିର ତ୍ରୁଟିପୂର୍ଣ୍ଣ ତଥ୍ୟ ପଦାକୁ ଆସୁନାହିଁ । ୩) ବର୍ତ୍ତମାନ ପରିପ୍ରେକ୍ଷୀରେ ବିଦ୍ୟାଳୟଗୁଡ଼ିକୁ ଦିଆଯାଉଥିବା ଖାଦ୍ୟର ଦରବୃଦ୍ଧି ସରକାର ଆବଶ୍ୟକତା ଅନୁଯାୟୀ କରିପାରୁ ନ ଥିବା ବେଳେ ଡବ୍ଲୁଏଫପି ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସରକାରଙ୍କୁ ହସ୍ତାନ୍ତର କରି ଚଳେଇବା କେତେଦୂର ନ୍ୟାୟ ସାପେକ୍ଷ ? ୪) ଗଙ୍ଗା ବାବୁଙ୍କ ଭଳି ସରକାରୀ କର୍ମଚାରୀ ବାସ୍ତବରେ କାହା ପାଇଁ ନିଜର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଦେଖାଉଛନ୍ତି?

Share :