ମେକ୍ ଇନ୍ ଇଣ୍ଡିଆ ବନାମ ବ୍ରେକ୍ ଇନ୍ ଇଣ୍ଡିଆ

ମେକ୍ ଇନ୍ ଇଣ୍ଡିଆ ବନାମ ବ୍ରେକ୍ ଇନ୍ ଇଣ୍ଡିଆ

Share :

ମୁମ୍ବାଇରେ ଲୁଟ୍ ଯୋଜନା, ଦିଲ୍ଲୀରେ ଫୋକସ୍   ୨୦୧୬ ଫେବୃଆରୀ ୯ ତାରିଖରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ଏକ ସଭାର ଆୟାଜନ କରାଯାଇଥିଲା ।  ପ୍ରାୟ ପ୍ରତିବର୍ଷ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣୀତ ଛାତ୍ରମାନେ ଏହି ବିଶ୍ବବିଦ୍ୟାଳୟର ଛାତ୍ର ସଂସଦକୁ  ଅଧିକ ସଂଖ୍ୟାରେ ନିର୍ବାଚିତ ହୋଇଥାନ୍ତି ।  ଏବେ ଯିଏ ସଭାପତି ଅଛନ୍ତି ସେ ହେଲେ କହ୍ନେୟା କୁମାର, ଜଣେ ବିହାରୀ ଓ ବାମପନ୍ଥୀ ।  ସେ ପୁଣି ଅତ୍ୟନ୍ତ ମେଧାବୀ ।  ଗତବର୍ଷ ତାଙ୍କ ଚୂଡ଼ାନ୍ତ ପରୀକ୍ଷାର ଫଳାଫଳ ହାର ଥିଲା ୯୯ ପ୍ରତିଶତ । ସେଦିନର ସଭାରେ ସେ ବାସ୍ତବରେ କ’ଣ କହିଥିଲେ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ଆରଏସଏସ ମୁଖ୍ୟ ମୋହନ ଭଗବତ ବା ଏହି ଦକ୍ଷିଣପନ୍ଥୀ ମୌଳବାଦୀ ଗୋଷ୍ଠୀର ଅନ୍ୟ କୌଣସି ନେତା ଏଯାଏଁ ବି ଶୁଣିଥିବେ କି ନାହିଁ ସନ୍ଦେହ ।  କିନ୍ତୁ ଏହାର ଦୁଇ ଦିନ ପରେ ଫେବୃଆରୀ ୧୧ ତାରିଖରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଗଲା ।  ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କଲା ।   ଫେବୃଆରୀ ୧୧ ତାରିଖରୁ ଜାତୀୟ ସ୍ତରର ପ୍ରାୟ ସମସ୍ତ ଟିଭି ଚାନେଲ ଓ ଖବରକାଗଜରେ ଏହି ବିଷୟକୁ ସର୍ବାଧିକ ଗୁରୁତ୍ବ ଦିଆଗଲା ।  କାରଣ ଏହି ଘଟଣାକୁ ସଂପ୍ରତି ସରକାରରେ ଥିବା ଭାରତୀୟ ଜନତା ପାର୍ଟି ଓ ଏହାର ସହବନ୍ଧିତ ସଂଗଠନଗୁଡ଼ିକ ଏକ ଜାତୀୟ ପ୍ରସଙ୍ଗରେ ପରିଣତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ।  ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସହବନ୍ଧିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପିର କେତେକ ଛାତ୍ର ନେତା ବାମପନ୍ଥୀ ପ୍ରଭାବିତ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟକୁ ବା ଜେଏନୟୁରେ ଦକ୍ଷିଣପନ୍ଥୀ ମୌଳବାଦୀ ରାଜନୀତି ପରିସର ସୃଷ୍ଟି କରିବାକୁ ଏବଂ ଏହାକୁ ନେଇ ସମଗ୍ର ଦେଶରେ ମୁସଲମାନ ଓ ପାକିସ୍ଥାନ ବିରୋଧୀ ଜନମତ ସୃଷ୍ଟି କରିବାକୁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିଥିଲେ ।  ସେମାନଙ୍କ ବିକ୍ଷୋଭ ଓ ପ୍ରତିବାଦ ପରେ ହିଁ ସମଗ୍ର ଦେଶ ଜାଣିବାକୁ ପାଇଲା ଯେ ଫେବୃଆରୀ ୯ ତାରିଖ ସଭାରେ ‘ଦେଶଦ୍ରୋହ’ ଘଟିଥିଲା ! ଏହି ବିବାଦ ଓ ବିତର୍କ ଉପରେ ସମଗ୍ର ଦେଶର ନଜର ଲାଗି ରହିଲା ଫେବୃଆରୀ ୧୭ ତାରିଖ ଯାଏଁ ।  ସେତେବେଳକୁ ସମସ୍ତେ ଜାଣିଗଲେଣି ଯେ କହ୍ନେୟା କୁମାରଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ଚଳେଇ ହେବ ନାହିଁ ।  କାରଣ ସେ ସେପରି କୌଣସି କାର୍ଯ୍ୟ କରି ନାହାନ୍ତି ବା ଦେଶ ବିରୋଧୀ ସ୍ଲୋଗାନ ଦେଇନାହାନ୍ତି ।  ସେ ଯାହା କହିଛନ୍ତି ତାହା ସାମ୍ବିଧାନିକ ଆଇନ ଅନୁସାରେ ଦେଶଦ୍ରୋହ ନୁହେଁ ।  ଯଦି ବି ସେ ଭାରତ ବିରୋଧୀ ସ୍ଲୋଗାନ ଦେଇଥାନ୍ତେ ତାହାକୁ ବି କୌଣସି ଅଦାଲତ ଦେଶଦ୍ରୋହ ଅପରାଧ ଭାବେ ଗ୍ରହଣ କରି ନଥାନ୍ତେ ।  ସେଥିପାଇଁ ଦିଲ୍ଳୀ ପୁଲିସ କମିଶନର ତଥା ବିବାଦୀୟ ଆଇପିଏସ ଅଧିକାରୀ ବିଏସ ବସ୍ସି କୁମାରଙ୍କ ଜାମିନ ଆବେଦନକୁ ପୁଲିସ ବିରୋଧ କରିବ ନାହିଁ ବୋଲି ନିଜ ଆଡ଼ୁ ସଫେଇ ଦେବାକୁ ବାଧ୍ୟ ହେଲେ ।  କହ୍ନେୟା କୁମାରଙ୍କ ସଭା ପଛରେ ପାକିସ୍ଥାନୀ ଆତଙ୍କବାଦୀ ହଫିଜ ସୟିଦର ଭୂମିକା ରହିଛି ବୋଲି ବ୍ରହ୍ମା ବିଳିବିଳେଇଲେ ବେଦ ଭଳି କହିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ତା’ପରଠୁଁ ଏ ବାବଦରେ ମୁହଁ ସିଲେଇ କରିଦେଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପଦାଙ୍କ ଅନୁସରଣ କରି ବର୍ତ୍ତମାନର ଚଉଡ଼ା ଛାତିବାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ବିଲକୁଲ ମୁହଁ ଖୋଲିଲେ ନାହିଁ ।  ଯଦିଓ ତାଙ୍କର ଭକ୍ତମାନେ ଫେସବୁକ ଓ ଟୁଇଟର ଆଦି ସୋସିଆଲ ମିଡିଆ ତଥା ଟିଭି ଓ ଖବରକାଗଜ ଜରିଆରେ କହ୍ନେୟାଙ୍କୁ ଦେଶଦ୍ରୋହୀ, ଆତଙ୍କବାଦୀ, ପାକିସ୍ଥାନ ଦଲାଲ ଭାବେ ବର୍ଣ୍ଣନା କରିଚାଲିଥିଲେ ।  ଯେଉଁ ନିରପେକ୍ଷ ଓ ଦେଶପ୍ରେମୀ ଲୋକମାନେ ଏଭଳି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ସେମାନଙ୍କୁ ବି ସଙ୍ଘ ସଦସ୍ୟ ଓ ସମର୍ଥକମାନେ ଦେଶଦ୍ରୋହୀ ଓ ପାକିସ୍ଥାନ ଦଲାଲ ବୋଲି କହିବାକୁ ପଛେଇଲେ ନାହିଁ ।   ଏହି ବିବାଦ ଓ ବିତର୍କ ଭିତରେ ଦିଲ୍ଲୀର ପାତିଆଲା ହାଉସ କୋର୍ଟ ପରିସରରେ ବିଜେପି ସମର୍ଥକ ଓକିଲ ଓ ସାମ୍ବାଦିକ, ସୁପ୍ରିମ କୋର୍ଟରେ ଓକିଲ ଓ ଛାତ୍ର, ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ସମର୍ଥକଙ୍କ ମଧ୍ୟରେ ଗାଳିଫଜିତ ସହିତ ମାଡ଼ଫୌଦାରି ବି ହେଲା ।  ସମଗ୍ର ବିଶ୍ବ ଦେଖିଲା ଭାରତର ଅସହିଷ୍ଣୁତା ଓ ଅସଭ୍ୟତାର ହିଂସ୍ର ରୂପ ।   ଆଉ ଏହି ସମୟ ଭିତରେ ମୁମ୍ବାଇରେ ଶେଷ ହେଲା ମେକ୍ ଇନ୍ ଇଣ୍ଡିଆ ଉଇକ୍ ବା ଭାରତରେ ତିଆରି କର ସପ୍ତାହ ।  ଦେଶେର ବିକାଶ ଓ ଅଭିବୃଦ୍ଧି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ଏହି ଅଭିଯାନର ଆୟୋଜକ ଥିଲେ ଭାରତର ଶିଳ୍ପ ନୀତି ଓ ପ୍ରଗତି ବିଭାଗ ବା ଡିଆଇପିପି ।  ଏହି ସପ୍ତାହକୁ ଫେବୃଆରୀ ୧୩ ତାରିଖରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏଥିରେ ବିଭିନ୍ନ ଦିବସରେ ଦେଶ ଓ ବିଦେଶର ଅନେକ ଶିଳ୍ପପତି ଓ ପୁଂଜିଲଗାଣକାରୀ ଯୋଗ ଦେଇଥିଲେ ।  ସପ୍ତାହକ ଭିତରେ ସମଗ୍ର ଦେଶରେ ମାନୁଫାକ୍ଚରିଂ କ୍ଷେତ୍ରରେ ୧୫ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବ ମିଳିଲା ବୋଲି ସପ୍ତାହ ଶେଷରେ ସରକାରୀ ଭାବେ ଘୋଷଣା କରାଗଲା ।  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମେକ୍ ଇନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ପାଇଁ ୭୦ ହଜାର କୋଟି ଟଙ୍କାର ପୁଂଜି ପ୍ରସ୍ତାବ ସଂଗ୍ରହ କଲେ ବୋଲି ତାଙ୍କ ଦପ୍ତର ତରଫରୁ ପ୍ରଚାର କରାଗଲା । ଫେବୃଆରୀ ୧୩ ତାରିଖରୁ ମୁମ୍ବାଇରେ ଏହି ଭଳି ବିକାଶ ଓ ସମୃଦ୍ଧିର ବିଶାଳ ସମ୍ଭାବନା ନେଇ ଆଲୋଚନା ଲାଗି ରହିଥିବା ସମୟରେ ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ଏ ବିଷୟରେ କମ୍ ଆଲୋଚନା ହେଉଥିଲା ।  ଏହି ପୁଂଜି କ’ଣ, ସେଥିରେ କି କି ଶିଳ୍ପ ହେବ, ସେମାନେ କେତେ ଜମି ନେବେ, କେତେ ପାଣି ନେବେ, କେତେ ଲୋକଙ୍କୁ ବେଘର କରିବେ, କେତେ ନଇ, ନାଳ, ସମୁଦ୍ର ଓ ବାୟୁକୁ ପ୍ରଦୂଷିତ କରିବେ, ସରକାରଙ୍କୁ କେତେ ଟିକସ ଦେବେ, କେତେ ବେକାରଙ୍କୁ ନିଯୁକ୍ତି ଦେବେ, ନିଜେ କେତେ ଲାଭ କରିବେ ଆଦି ବିଷୟରେ କେହି କିଛି ଚର୍ଚ୍ଚା ଓ ଅନୁଶୀଳନ କଲେ ନାହିଁ ।  ସମ୍ଭବତଃ ଖୋଦ ମୋଦି ସରକାର ଓ ତାଙ୍କର ପୁଂଜିବାଦୀ ସାଙ୍ଗମାନେ ଏହା ଚାହୁଁ ନଥିଲେ ।  ତାଙ୍କର ପ୍ରଚାର କୌଶଳ ଓ ଦଳ ଏତେ ଶକ୍ତିଶାଳୀ ଯେ ସେ ଚାହିଁବେ ଓ ଏ ବିଷୟରେ ଜାତୀୟ ସ୍ତରରେ ଆଲୋଚନା ହେବ ନାହିଁ, ଏହା ଅସମ୍ଭବ ବ୍ୟାପାର । ପ୍ରକୃତ କଥା ହେଉଛି, ମେକ୍ ଇନ୍ ଇଣ୍ଡିଆ ହେଉଛି ଜାତୀୟ ସଂପଦର କୌଶଳଗତ ବା ଷ୍ଟ୍ରାଟେଜିକ୍ ଲୁଣ୍ଠନ ।  ବଡ଼ବଡ଼ ଶିଳ୍ପପତିଙ୍କୁ ଜାତୀୟ ସଂପଦ ଲୁଟିବାକୁ ସୁଯୋଗ ଦେଇ କୃତଜ୍ଞତା ଆକାରରେ ହଜାର ହଜାର କୋଟି ଟଙ୍କାର ଚାନ୍ଦା ଆଦାୟ କରିବାର ବୈପାରିକ କୌଶଳ କିଛି ନହେଲେ ବର୍ଷବର୍ଷ ଧରି ନିଜେ କିଛି ନକରି କେବଳ ଚାନ୍ଦାରେ ଚଳୁଥିବା ଲୋକମାନଙ୍କୁ ବେଶ ଭଲ ଭାବରେ ଜଣା ।   ଆଉ ଏଭଳି ଲୋକମାନେ ରାଷ୍ଟ୍ରୀୟ କ୍ଷମତାର ଅଧିକାରୀ ହେଲେ ଦୁନିଆ ସେମାନଙ୍କୁ ଚାନ୍ଦାର ଭଣ୍ଡାର ଭାବରେ ଦେଖାଯିବା ସ୍ନଭାବିକ ।  କେବଳ ଏଇ ଲୋକମାନେ ନୁହନ୍ତି, ଗଣମାଧ୍ୟମ ମଧ୍ୟ ଏଇ ଲୁଟ୍ ଅଭିଯାନକୁ ଲୋକଲୋଚନ ଆଢ଼ୁଆଳରେ ରଖିବାକୁ ତା’ଉପରେ ନଜର ପକାଇଲା ନାହିଁ ।  ନେତା, ବାବୁ ଓ ଗଣମାଧ୍ୟମର ନିଜନିଜ ସ୍ବାର୍ଥ ପୋଷଣ ପ୍ରକ୍ରିୟା ଭିତରେ ଲୁଟ୍ ଇନ୍ ଇଣ୍ଡିଆ ଅଭିଯାନ ଉପରେ ବାସ୍ତବ ଓ ନିରପେକ୍ଷ ଅନୁଶୀଳନ ହେଲା ନାହିଁ; କିନ୍ତୁ ଜେଏନୟୁ ପରି ଏକ ମିଥ୍ୟା ଘଟଣା ଜାତୀୟ ପ୍ରସଙ୍ଗ ହୋଇଗଲା । ଓଡ଼ିଶାରେ ଏହି ସମୟ ମଧ୍ୟରେ ଜେଏନୟୁ ସହିତ ଅନ୍ୟ ଏକ ଘଟଣା ଉପରେ ସର୍ବାଧିକ ଚର୍ଚ୍ଚା ଓ ଆଲୋଚନା ହେଲା ।  ତାହା ହେଉଛି ଟେଲି ଅଭିନେତ୍ରୀ ଜେସିର ପ୍ରେମ ସଂପର୍କ ଓ ରାଜା ପଟ୍ଟନାୟକର ମୃତ୍ୟୁ ରହସ୍ୟ ।  ମୁମ୍ବାଇ ମେକ୍ ଇନ୍ ଇଣ୍ଡିଆ ସମ୍ମିଳନୀରୁ ଓଡ଼ିଶା ସରକାର ଯେଉଁ ୭୦ ହଜାର କୋଟି ଟଙ୍କାର ପୁଂଜି ପ୍ରସ୍ତାବ ଆଣିଲେ ସେଥିରେ ଓଡ଼ିଶା ଓ ଓଡ଼ିଆଙ୍କର ଲାଭ କେତେ, କ୍ଷତି କେତେ ସେ ବିଷୟରେ କୌଣସି ଟିଭି ଚାନେଲ କି ଖବରକାଗଜ ଅଧିକ ସମୟ ଓ ପୃଷ୍ଠା ଖର୍ଚ୍ଚ କଲେ ନାହିଁ ।   ଏହା କି ପ୍ରକାର ଗଣମାଧ୍ୟମ ? ଏହା କି  ପ୍ରକାର ରାଜନୀତି ?

Share :