ସିଆଚୀନର ବୀର ହନୁମାନ

ସିଆଚୀନର ବୀର ହନୁମାନ

Share :

  ଲଳିତେନ୍ଦୁ ପାଲାଉରୀ ଦେଶବାସୀଙ୍କୁ ଶୋକାକୁଳ କରି ଅନ୍ତିମ ବିଦାୟ ନେଲେ ସିଆଚୀନର ବୀର । ପିଲାଟି ବେଳୁ ଅଦମ୍ୟ ସାହସୀ, ପରିଶ୍ରମି ଥିଲେ ଲାନ୍ସ ନାୟକ ହନୁମନ୍ତସ୍ପା କୋପ୍ପଡ଼ । ସ୍କୁଲକୁ ପାଠ ପଢିବା ପାଇଁ ଦୀର୍ଘ ୬ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଯାଉଥିଲେ । ସେନା ବାହୀନରେ ଯୋଗ ଦେବା ପାଇଁ ୩ ଥର ବିଫଳ ହେବା ପରେ ଚତୁର୍ଥ ଥର ସଫଳ ହୋଇଥିଲେ । ନିଜର ଅତୁଟ ଶରୀର, ସାହାସୀ, ବିନୟ ସୋଭାବ ପାଇଁ ବାପା ମା ଭଗବାନ ହନୁମାନଙ୍କ ନାଁ ଅନୁସାରେ ତାଙ୍କ ନା ରଖିଥିଲେ ହନୁମନ୍ତସ୍ପା ।  ୧୦ ମାଡ୍ରାସ ରେଜିମେଣ୍ଟର ଏହି ବୀର ପୁଙ୍ଗବ ହନୁମନ୍ତସ୍ପା ଭର୍ତ୍ତି ହୋଇଥିଲେ । ୨୦୦୮-୨୦୧୦ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ଓ ପରେ ଦୁଇ ବର୍ଷ ଉତ୍ତର ପୂର୍ବାଞ୍ଚଳର ଦୁର୍ଗମ ସ୍ଥାନରେ କାର୍ଯ୍ୟ କରିଛନ୍ତି ସେ । ଭାରତୀୟ ସୈନ୍ୟ ବାହୀନରେ ତାଙ୍କର ୧୩ ବର୍ଷର କର୍ମମୟ ଜୀବନରେ ଯେଉଁ ଅଞ୍ଚଳକୁ ଯିବାକୁ ସାଥୀ ଯବାନ ମାନେ ଭୟ କରୁଥିଲେ ସେଠାକୁ ଯିବାରୁ ସେ  ନିଜ ଆଡୁ ଆବେଦନ କରି ଯାଉଥିଲେ । ଗତ ଅଗଷ୍ଟ ମାସରେ ହନୁମନ୍ତସ୍ପା ସିଆଚୀନରେ ଅବସ୍ଥାପିତ ହୋଇ ଡିସେମ୍ବର ପର୍ୟ୍ୟନ୍ତ ଏହି ତୁଷାରାଚ୍ଛନ୍ନ ଅଞ୍ଚଳରେ ୧୯,୬୦୦ ଫୁଟ ଉଚ୍ଚରେ ମୁତୟନ ହୋଇଥିଲେ । ଏହି ମୃଦୁଭାଷୀ ଯବାନ ତାଙ୍କ କର୍ମମୟ ଜୀବନରେ ନିଜର ପଦସ୍ଥ ଅଧିକାରୀ ଓ ଅଧସ୍ତନ ଯବାନଙ୍କ ସହ ଏଭଳି ସୌହାର୍ଦ୍ୟପୁର୍ଣ୍ଣ ସଂପର୍କ ରଖିଥିଲେ ଯେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା । ବରଫ ଅତଡା ତଳେ ଆଉ 9ଜଣ ସାଥୀ ଯବାନଙ୍କ ସହ ବରଫ  ତଳେ ପୋତି ହୋଇ ଯିବାର ଦିନକ ପୂର୍ବରୁ ସେ ତାଙ୍କ ପତ୍ନୀ ମହାଦେବୀ ଓ ଦୁଇ ବର୍ଷର ଶିଶୁକନ୍ୟା ନେତ୍ର ସହିତ ଶେଷଥର ପାଇଁ କଥା ହୋଇଥିଲେ । ଏପରିକି ଏହି ୧୦ ଜଣ ଜବାନଙ୍କ ବରଫ ଅତଡା ତଳେ ଆକଷ୍ମିକ ମୃତ୍ୟୁ ଖବର ସମସ୍ତ ଯବାନଙ୍କ ପରିବାରକୁ ଦୁଃଖର ସାଗରରେ ଭସାଇ ଦେଇଥିଲା ।  ଏଭଳି ଦୁଃଖଦ ଘଟଣାରେ ସେମାନଙ୍କ ପରିବାର, ସଂପର୍କୀୟ, ସମଗ୍ର ଦେଶ ଶୋକ ସନ୍ତପ୍ତ ଥିବା ବେଳେ ଅଘଟଣର ୬ ଦିନ ପରେ ଏକ ବିସ୍ମୟ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ସିଆଚୀନର ୩୫ ଫୁଟ ବରଫ ତଳୁ ଅତ୍ୟନ୍ତ  ସଂକଟାପର୍ଣ୍ଣ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଲାନ୍ସ ନାୟକ ହନୁମନ୍ତସ୍ପା । ସାରା ଦେଶରେ ବିଜୁଳି ବେଗରେ ଖବର ପ୍ରଚାର ହେବା ପରେ  ଏହାକୁ ଦେବତାଙ୍କ ବିଡମ୍ବନା ଓ ଆଶୀର୍ବାଦ ବୋଲି ସମସ୍ତେ କହିଥିଲେ । ଛଅ ଦିନ ବରଫ ତଳେ ଜୀବନ ବଞ୍ଚିପାରେ ଏଭଳି  ବିଶ୍ବାସକୁ ନେଇ ହନୁମନ୍ତସ୍ପାଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶର ଚାରିଆଡେ ଚାଲିଲା ପ୍ରାର୍ଥନା, ଯଜ୍ଞ, ଜପ, ପୂଜା ଆଉ କେତେ କଣ । ସିଆଚୀନରୁ ସ୍ବତନ୍ତ୍ର ବିମାନରେ  ନୁଆଦିଲ୍ଲୀସ୍ଥିତ ଆର୍ମିରେଫରାଲ ହସ୍ପିଟାଲକୁ ତାଙ୍କୁ ଅଣାଯାଇ ଚିକିତ୍ସା କରାଗଲା । ହନୁମନ୍ତସ୍ପାଙ୍କୁ ସାକ୍ଷାତ କରିବାକୁ ପ୍ରଧାନମନ୍ତ୍ରୀ ନିଜେ ହସ୍ପିଟାଲରେ ପହଞ୍ଚିବା ତାଙ୍କ ଜୀବନ ରକ୍ଷା ଜଥ ସମ୍ଭବ ପ୍ରୟାସ ସହ  ସାରା ଦେଶବାସୀ ହନୁମନ୍ତସ୍ପାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ ମଧ୍ୟ କଲେ । ତାଙ୍କର ଲିଭର କି କିଡିନ୍ କାମ କରୁନଥିଲା । ରକ୍ତଚାପ କମିଯାଇ  କୋମା ସ୍ଥିତିରେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ଏପରିକି ତାଙ୍କୁ କିଡିନ୍ ଦାନ ପାଇଁ ଜଣେ ମହିଳା ମଧ୍ୟ ଆଗେଇ ଆସିଥିଲେ । ଶେଷରେ ସମସ୍ତ ଡାକ୍ତରୀ ବିଦ୍ୟା ଫେଲ ମାରିଲା । ଦେଶର ଏହି ବୀର ସନ୍ତାନ ଶେଷରେ ଦେଶ ବାସୀଙ୍କୁ ଶୋକଗ୍ରସ୍ତ କରି ବୀରଗତି ପ୍ରାପ୍ତ ହେଲେ । ସାଧରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ସମସ୍ତେ ହନୁମନ୍ତସ୍ପାଙ୍କ ମୃତ୍ୟୁରେ ମ୍ରୀୟମାଣ । ତ୍ରିରଙ୍ଗାରେ ଗୁଡାଯାଇଥିବା ତାଙ୍କ ମର ଶରୀରକୁ ଦିଲ୍ଲୀର ବ୍ରାର ସ୍କୋୟାରରେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ, ତିନି ବାହୀନର ମୁଖ୍ୟ ଏବଂ  ଦେଶବାସୀ । ଶେଷରେ ହନୁମନ୍ତସ୍ପାଙ୍କ ମରଶରୀରକୁ ତାଙ୍କ ଜନ୍ମଭୁମି କର୍ଣ୍ଣାଟକର ଧରୱାଡକୁ ପଠାଇ ଦିଆଯାଇଥିଲା । ଶୁକ୍ରବାର ତାଙ୍କର ପାର୍ଥିବ ଶରୀରକୁ ସଂସ୍କାର କରାଗଲା । ସିଆଚୀନର ବରଫ ପାହାଡରେ ଭାରତୀୟ ସୈନ୍ୟ ବାହୀନର ଏହି ୧୦ ଜଣ ବୀର ଯବାନଙ୍କର ବୀରଗତି ପ୍ରାପ୍ତ ହୋଇଛି । କିନ୍ତୁ ଦୀର୍ଘ ୬ ଦିନ ବରଫ ଅତଡା ତଳେ ସଂଘର୍ଷ କରି ଏଭଳି ଚମତ୍କାର ଜୀବନ ସଂଘର୍ଷରେ ହାରିଯାଇ ବୀରଗତି ପ୍ରାପ୍ତ ହୋଇଥିବା ହନୁମନ୍ତସ୍ପାଙ୍କ ମୃତ୍ୟୁ ସମନ୍ତ ଭାରତୀୟଙ୍କୁ ହୃଦୟକୁ ଆନ୍ଦୋଳିତ କରିଦେଇଛି  । ଏହି ବୀର ଯବାନ ମାନେ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ଦେଶ ମାତୃକାକୁ ରକ୍ଷା କରିବାକୁ କିଭଳି ଭାବେ କଷ୍ଟ, ସଂଘର୍ଷ ମୟ ଜୀବନ ଦେଶର ଦୁର୍ଗମ ଅଞ୍ଚଳ, ସିମାରେଖାରେ ବିତାଉଛନ୍ତି,ତାହାର ଏକ ନଗ୍ନ ଉଦାହରଣ ଛାଡି ଯାଇଛନ୍ତି ହନୁମନ୍ତସ୍ପା । ଦେଶ ବାସୀଙ୍କୁ ସୁରକ୍ଷା ଦେବାରେ ଏହି ବୀର ଯବାନ ମାନେ ପ୍ରତି ମୁହୂର୍ତ୍ତରେ ଏଭଳି ଜୀବନ ମୃତ୍ୟୁର ଯୁଦ୍ଧ ଲଢୁଛନ୍ତି ଯାହା ଏହା ହେଉଛି ଗୋଟିଏ ପ୍ରମାଣ । ଅତିତରେ ଏଭଳି ଅନେକ ବିରଳ ଉଦାହରଣ ସହ ଆମକୁ ବିଜୟର ଆନନ୍ଦ ଦେଇଛନ୍ତି ଏହି ବୀରମାନେ । ଅତୀତରର ସେହି ରୋମାଞ୍ଚକର ଭାରତ –ପାକିସ୍ତାନ, ଭାରତ-ଚୀନ ଯୁଦ୍ଧ ହେଉ କି ଭୟାନକ ପାକିସ୍ତାନର ଷଡଯନ୍ତ୍ର କାରଗୀଲ ଯୁଦ୍ଧ କିମ୍ବା ବିଭିନ୍ନ ସମୟରେ ଦେଶ ଉପରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ।  ସବୁ ସମୟରେ ଦେଶ ମାତୃକାକୁ ସୁରକ୍ଷା ଦେବା ସହିତ ସେମାନଙ୍କ ବଳିଦାନ,ତ୍ୟାଗ ଆମକୁ ସୁଖ ଓଶାନ୍ତିରେ ସୋଇବାର ଅଭୟ ପ୍ରଦାନ କରିଛି । ପ୍ରକୃତରେ ଏମାନେ ଆମ ସମସ୍ତଙ୍କ ପାଇଁ ଆଦର୍ଶ, ଚିର ନମସ୍ୟ ମଧ୍ୟ । ଜନ୍ମଭୂମୀର ଏହି ଅଗ୍ରଦୂତ, ଜାଗ୍ରତ ପ୍ରହରୀ ମାନଙ୍କ ବଳିଦାନ ଆମ ମାନଙ୍କର ସୁଖ, ଶାନ୍ତି ଓ ପ୍ରଗତୀର ମୁଳମନ୍ତ୍ର  ହୋଇପାରିଛି ଯାହାକି ସମସ୍ତ ଭାରତୀୟ ଅନୁଭବ କରିବାର ସମୟ ଆସିଛି....... ମୋବାଇଲ-9778697036 

Share :