ଭୁଲ୍ ରହିଗଲା କେଉଁଠି ?

ଭୁଲ୍ ରହିଗଲା କେଉଁଠି ?

Share :

ରତ୍ନେଶ୍ବର ସାହୁ ଯଦିଓ ଆମେ ଦୀର୍ଘଦିନ ଧରି ଗୋଟିଏ ବା ଦୁଇଟି ରାଜନୈତିକ ଦଳ ଦ୍ବାରା ଗତ ୭୦ ବର୍ଷ ଧରି ଶାଶିତ ହୋଇଆସୁଅଛୁ ତଥାପି ଆଜି କାହିଁକି ଆମେ ବିଭିନ୍ନ ସମସ୍ୟାରେ ରହି ଯାଇଛୁ । ମହିଳାମାନଂକ ଉପରେ ଅତ୍ୟାଚାର, କନ୍ୟା ଭ୍ରୁଣ ହତ୍ୟା, ଯୌନ ନିର୍ଯାତନା, ଶିଶୁମାନଂକ ଉପରେ ଅତ୍ୟାଚାର, କୃଷକ ଆତ୍ମହତ୍ୟା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା, ଯୁବକ ମାନଂକ ହାତରେ ଛୁରୀ, ବନ୍ଧୁକ ଭଳି ମାରଣାସ୍ତ୍ର, ବେକାରୀ, ଦେଶାନ୍ତର, ବାସହୀନ, ଖାଦ୍ୟର ଦରଦାମ ବୃଦ୍ଧି ଏବଂ ଦିନକୁ ଦିନ କ୍ରୟ କରିବାର କ୍ଷମତା ହ୍ରାସ ଭଳି ସମସ୍ୟା ଦ୍ବାରା ପ୍ରାୟ ସମସ୍ତେ ଆକ୍ରାନ୍ତ । ଏହିଭଳି ସ୍ଥିତିରେ ଅନେକ ଲୋକ ପ୍ରତିକ୍ରିୟା ହୀନ ହୋଇ ପଡିଛନ୍ତି । ଦିନ ଥିଲା ସେତେବେଳେ ଜଣକର ଗୋଟିଏ ମହଲା ଘର ଥିଲା ବେଳେ ଅନ୍ୟର ବାସଘର ଟିଏ ନ ଥିଲା ଆଜି ଜଣକର ୧୦ ମହଲା ଘର ଥିଲା ବେଳେ ଅନେକ ଭଡାରେ, ବାରଣ୍ଡIରେ, ଗଛ ତଳେ, ରାସ୍ତା କଡରେ ଜୀବନ ବିତାଇବାକୁ ବାଧ୍ୟ । କିନ୍ତୁ ଆମର ଆୟ କିମ୍ବା ସମ୍ପତ୍ତିକୁ ହିସାବ କରାଯାଏ ମୁଣ୍ଡ ପିଛା ଆୟ । ତାହାର ଫର୍ମୁଲା ହେଲା ମୋଟ ସମ୍ପତ୍ତି ହରଣ ଦେଶର ବା ରାଜ୍ୟର ମୋଟ ଜନସଂଖ୍ୟା । କି ସୁନ୍ଦର ହିସାବ କହିଲେ ! ମୋର କିଛି ନାହିଁ ଏବଂ ଆପଣଙ୍କ ସମ୍ପତ୍ତିକୁ ମୋ ସମ୍ପତ୍ତି ବୋଲି ସରକାରୀ ହିସାବରେ ଦେଖାଇବା । କୃଷି ହିସାବ ମଧ୍ୟ ଠିକ ଏହିଭଳି ଦିନକୁ ଦିନ ଦାଦନ ଶ୍ରମିକ ଅନ୍ୟତ୍ର ଦେଶାନ୍ତର ହୋଇ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି କିନ୍ତୁ ଆମେ ହିସାବ କରୁଛୁ ଆମର କୃଷି ଆୟ ବଢିଛି ବୋଲି ! କୃଷିକ୍ଷେତ୍ରକୁ ଅବହେଳା କରାଯାଉଛି ବୋଲି ଦିନକୁ ଦିନ କୃଷକ ଆତ୍ମହତ୍ୟା କରୁଥିଲା ବେଳେ ସେହି ଅଂଚଳରେ କେଉଁ ଗ୍ରାମରେ କେତେ ପରିମାଣର ଜମି ଚାଷ ହୋଇଛି, ଜଳସେଚନ ସୁବିଧା କିପରି, ଭାଗ ଚାଷୀ କେତେ, କିପ୍ରକାର ଫସଲ ହୋଇଛି ଏହି ସବୁ ହିସାବ ଆପଣମାନେ ପାଇବା ସମ୍ଭବପର ନୁହେଁ । କିନ୍ତୁ ଚାଷ ହୋଇଛି ବୋଲି ରିପୋର୍ଟ୍ ଆସୁଛି ଏହା ଆଖି ଥାଉ ଥାଉ ଅନ୍ଧ ଭଳି ନୁହେଁ କି ? ୧୦ ବର୍ଷ ତଳେ ଇଂଜିନିୟର ପାଠ ପଢିବା ପାଇଁ ଘରୋଇକଳ ଗୁଡିକୁ ଆଖି ବନ୍ଦ କରି ଅନୁମତି ପ୍ରଦାନ କରି ଦିଆଗଲା । କିନ୍ତୁ ସେହି ଅନୁଷ୍ଠାନ ଗୁଡିକରୁ ଯେଉଁମାନେ ଶିକ୍ଷିତ ହୋଇ ବାହାରିବେ ସେମାନଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ବିଷୟରେ ସଠିକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ସେହି ଅନୁଷ୍ଠାନ ଗୁଡିକ କି ମାନର ଶିକ୍ଷା ଦେଉଛନ୍ତି? ଯଦି ସେମାନେ ନିଯୁକ୍ତି ନ ପାଇଲେ କିପରି ନିଜେ ଘରୋଇ ଭାବେ କିଛି କାରଖାନାରେ ତିଆରି କରି ସେଗୁଡିକୁ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ ନିଶ୍ଚିତ କରାଗଲା ନାହିଁ । ସମସ୍ତେ ପ୍ରାୟ ସାର୍ଟିଫିକେଟ୍ ପାଇବା ଉଦ୍ଦେଶ୍ୟରେ ପାଠ ପଢିଲେ କିନ୍ତୁ ଜ୍ଞାନ ପାଇବା ଉଦ୍ଦେଶ୍ୟରେ ନୁହେଁ । ଫଳରେ ଯଦିଓ ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ଇଂଜିନିୟର ବାହାରିଲେ କିନ୍ତୁ କେହି ବି ଏହି ଶିକ୍ଷାକୁ ନିଜର ଭବିଷ୍ୟତ ବୋଲି ଧରିଲେ ନାହିଁ । ଯଦି ୫ ଜଣ ଇଂଜିନିୟର ମିଶି କିଛି ଉତ୍ପାଦନ କରି ବହୁଦେଶୀୟ କମ୍ପାନୀମାନେ ଯେପରି ଗ୍ରାହକମାନଂକୁ ନିଜ ଆଡକୁ ଆକୃଷ୍ଟ କରି ପାରିଛନ୍ତି ସେହିଭଳି ନିଜେ ନିଜର ପରିଚୟ ସୃଷ୍ଟିକରି ପାରିଥାନ୍ତେ । ଆଉ ଏକ କାରଣ ହେଲା ଆମମାନଂକ ମଧ୍ୟରୁ ଅନେକ କମ୍ ପରିଶ୍ରମରେ ଆଶାତିତ ରୋଜଗାର କରିବାର ଲାଳସା । ଅନେକ ଏଠି ନିଜର ରୋଜଗାରରେ ଯେତିକି ଖୁସି ନୁହନ୍ତି ଅନ୍ୟର ରୋଜଗାର ଦେଖି ଅଧିକ ଦୁଃଖୀ ହୁଅନ୍ତି । ସେହି ଲୋକଟିର ରୋଜଗାର ଏବଂ ପରିଶ୍ରମ ପ୍ରତି ଆମେ ନଜର ଦେଉଛୁ କି ? ଆମେ କଣ ଅସତ୍ ଉପାୟ ପ୍ରତି ଧ୍ୟାନ ଦେବା ? ନିଜର ଜ୍ଞାନ ଏବଂ କିଛି କରିପାରିବାର କ୍ଷମତା ଉପରେ ନିଜେ ବିଶ୍ବାସ ରଖୁନେ? ଯଦି ଆମେ ମଧ୍ୟ ଅସତ ଉପାୟ ଉପରେ ବିଶ୍ବାସ ରଖୁଛେ ତେବେ କାହିଁକି ଅନ୍ୟ ଲୋକଟି ଖରାପ ବୋଲି ଭାବୁଛେ ଏବଂ କହୁଛେ? ସମସ୍ତେ ଏଠାରେ ସରକାରୀ ଚାକିରୀ ଖୋଜିବାରେ ବ୍ୟସ୍ତ ରହିଲେ । କିନ୍ତୁ ଆଜି ନିଜ ପାଇଁ ନିଜେ କିଛି ରୋଜଗାର କରିବା ପାଇଁ ଚାହିଁଲେ ନାହିଁ । ପିଅନ ଚାକିରୀ ପାଇଁ ନିଜର ଶିକ୍ଷାଗତ ଯୋଗ୍ୟତାର ଅହଂକାରକୁ ଛାଡିଦେଲେ । ଜଣେ ଇଂଜିନିୟର, ଏମ୍.ଏ ପାଠ ପଢିଥିବା ଲୋକଟି ଯଦି ନିଜର ଶିକ୍ଷାଗତ ଯୋଗ୍ୟତାର ଅହଂକାର ରଖିଲେ ନାହିଁ ତେବେ ଏହି ଶିକ୍ଷା କେଉଁ କାମର? ସମସ୍ତେ ପ୍ରାୟ ଏଠାରେ ରିସ୍କ୍ ନେବା ପାଇଁ ପ୍ରସ୍ତୁତ ନୁହନ୍ତି । ଚାଷ କାମ ଏକ ନିକୃଷ୍ଟ ଧରଣର ବୋଲି ଧରି ନିଆଗଲା ଫଳରେ ଆଜି ଚାଷ ଜମି ପଡିଆ କିନ୍ତୁ ଲୋକେ ପରିବା କିଲୋ ପ୍ରତି ୪୦ ଟଙ୍କIରୁ ଅଧିକ ଦର ଦେଇ କିଣିବା ପାଇଁ ପ୍ରସ୍ତୁତ । ଯଦି କୃଷି ଇଂଜିନିୟର ମାନେ ନିଜର ଜ୍ଞାନକୁ ଏହି ସ୍ଥାନରେ ବ୍ୟବହାର କରନ୍ତେ ତେବେ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହୋଇ ପାରନ୍ତା । ଲୋକେ ଅନ୍ୟର କଥାକୁ ଆଖି ବନ୍ଦ କରି ବିଶ୍ବାସ କରି ଚାଲିଲେ । କିନ୍ତୁ ପ୍ରଶ୍ନ କଲେ ନାହିଁ ଯେ ଯେଉଁ ଲୋକଟି ଯେଉଁ ମତ ଦେଉଛି ତାହା କେତେଦୁର ସତ ? ଅନ୍ୟର ଅନୁଗାମୀ ହେବା ଖରାପ ନୁହେଁ କିନ୍ତୁ ଯଦି ସେହି ଲୋକଟି ତୁମକୁ ଖରାପ ରାସ୍ତା ଦେଖାଏ, ମଦ ପିଇବା ପାଇଁ ଉତ୍ସାହିତ କରେ, କେବଳ ତୁମେ ତାହାର ପାଦ ତଳେ ରହିବାକୁ କୁହେ ଏବଂ ତୁମ ଜୀବନ ସହ ଖେଳୁଛି ତାହାହେଲେ ସେହି ଲୋକଟି ପ୍ରତି ତୁମର ଅନୁଗାମୀ ମାନସିକତା କେତେଦୁର ଗ୍ରହଣୀୟ ତାହା ନିଜେ ଚିନ୍ତା କରିବାକୁ ପଡିବ । 

Share :