ପାଗ ପରିବର୍ତ୍ତନ: ମାଟି ଶୋଷୁଛି ଅଧିକ ଜଳ

ପାଗ ପରିବର୍ତ୍ତନ: ମାଟି ଶୋଷୁଛି ଅଧିକ ଜଳ

Share :

ପାଗ ପରିବର୍ତ୍ତନ ଯୋଗୁଁ ଶୁଷ୍କ ସ୍ଥଳଭାଗ ଅଧିକ ମାତ୍ରାରେ ଜଳ ଶୋଷଣ କରୁଛି । ଏଥିଯୋଗୁଁ ସମୁଦ୍ରର ଜଳ ପନ ବୃଦ୍ଧି ପ୍ରକ୍ରିୟା ଧିମେଇ ଯାଇଛି । ଆମେରିକାର ନାସା ତରଫରୁ ହୋଇଥିବା ଏକ ସଦ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଗବେଷଣା ଅନୁସାରେ ପାଗ ପରିବର୍ତ୍ତନ ଓ ବିଶ୍ବ ତାପନ ଯୋଗୁଁ ବରଫ ପାହାଡ଼ ତରଳିବା ଥମି ନାହିଁ । ବରଂ ଗତ ଦଶନ୍ଧିରେ ଅଧିକ ତୁଷାର ସ୍ତର ତରଳିଛି । ତେବେ ବିଶ୍ବ ତାପନ ଓ ପାଗ ପରିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀର ମହାଦେଶୀୟ ସ୍ଥଳଭାଗ ଏହି ସମୟ ମଧ୍ୟରେ ଅଧିକ ଜଳ ଶୋଷଣ କରିଛି । ଆକଳନ ଅନୁସାରେ ଏହି ସମୟ ମଧ୍ୟରେ ସ୍ଥଳଭାଗ ଅଧିକ ୩.୨ ଲକ୍ଷ କୋଟି ଟନ ଜଳ ଶୋଷି ନେଇଛି । ଏସବୁ ଜଳ ମୃତ୍ତିକା, ଭୂତଳ ଜଳସ୍ତର ଏବଂ ହ୍ରଦ ଆଦିରେ ସଂରକ୍ଷିତ ରହିଛି । ଏଥିଯୋଗୁଁ ସମୁଦ୍ର ଜଳ ପତ୍ତନ ଉଚ୍ଚତା ବୃଦ୍ଧି ପ୍ରାୟ ୨୦ ପ୍ରତିଶତ ଧିମେଇ ଯାଇଛି । ନାସା ଉପଗ୍ରହ ପଠାଇଥିବା ତଥ୍ୟକୁ ଅନୁଶୀଳନ କରି ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଜଳବାୟୁ ଜନିତ ତରଳ ଜଳର ସଂରକ୍ଷଣ ଓ ପରିମାଣ ଆକଳନ କରିବା ସହିତ ସମୁଦ୍ର ଜଳ ସ୍ତର ଉପରେ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ବୈଜ୍ଞାନିକଙ୍କ ମତ ଅନୁସାରେ ଏହି ପ୍ରକ୍ରିୟାରେ ସ୍ଥଳଭାଗରେ ଯେତେ ଜଳ ଠୁଳ ହୋଇଛି ତାହାକୁ ଏକାଠି କଲେ ତାହା ହୁରୋନ ହ୍ରଦର ଜଳ ସହିତ ସମାନ ହେବ । ହୁରୋନ ହେଉଛି ପୃଥିବୀର ସପ୍ତମ ବୃହତ୍ତମ ହ୍ରଦ । ସମସ୍ତେ ଜାଣନ୍ତି ଯେ ପ୍ରତି ବର୍ଷ ସମୁଦ୍ରର ବିପୁଳ ପରିମାଣର ଜଳ ବାଷ୍ଫୀକରଣ ପ୍ରକ୍ରିୟାରେ ବାୟୁମଣ୍ଡଳର ଉପର ସ୍ତରକୁ ଉଠେ । ପରେ ତାହା ବର୍ଷା ଓ ତୁଷାର ହୋଇ ଝରିପଡ଼େ । ଏହି ବର୍ଷା ଓ ତୁଷାରରୁ କିଛି କିଛି ସ୍ଥଳଭାଗରେ ପଡ଼ି ମାଟିରେ ଭେଦି ଯାଏ ଓ ନଈ ନାଳ ଦେଇ ପୁଣି ସମୁଦ୍ରକୁ ଫେରିଯାଏ । କିନ୍ତୁ ବିଶ୍ବ ତାପନ ଓ ପାଗ ପରିବର୍ତ୍ତନ ଯୋଗୁଁ ଏହି ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ ଘଟିଛି । ମଣିଷମାନେ ଚାଷ ଓ ନିଜ ପାଇଁ ଅଧିକ ପରିମାଣରେ ଭୂତଳ ଜଳ ବ୍ୟବହାର କରିବା ଫଳରେ ମୃତ୍ତିକାର ଜଳୀୟ ଅଂଶ କମି ଯାଇଛି । ଏହି ଜଳର କିଛି ଅଂଶ ପୁଣି ସମୁଦ୍ରକୁ ଫେରିଯାଇଛି । ଏହା ଫଳରେ ଭୂତଳ ଭଣ୍ଡାର ଖାଲି ହୋଇଛି ଓ ମୃତ୍ତିକା ଶୁଷ୍କ ହୋଇଛି । ତେବେ ଏହି ପରିବର୍ତ୍ତନ ସମୟରେ ଜଳଚକ୍ରରେ ମଧ୍ୟ ପ୍ରାକୃତିକ ଭାବେ ପରିବର୍ତ୍ତନ ଘଟିଛି । ବର୍ଷା ଓ ବରଫ ଆକାରରେ ପଡ଼ୁଥିବା ଜଳକୁ ମୃତ୍ତିକା ଅଧିକ ମାତ୍ରାରେ ଶୋଷଣ କରିଛି ଓ ତାହାକୁ ଭୂତଳ ଜଳଭଣ୍ଡାରର ଶୂନ୍ୟସ୍ଥାନ ପୂରଣ କରିବାରେ ବିନିଯୋଗ କରିଛି । ସେହିପରି ଆଉ କିଛି ଜଳ ଶୁଷ୍କ ମାଟି ଶୋଷି ନେଇଛି । ଏ ସଂପର୍କରେ ମତ ପ୍ରକାଶ କରିଛନ୍ତି ନାସାର ଜେଟ ପ୍ରୋପୁଲସନ ଲାବୋରେଟୋରିର ବୈଜ୍ଞାନିକ ଜେ. ଟି. ରିଗର । ସେ କହିଛନ୍ତି ଯେ ଜଳସେଚନ ଓ ପାନୀୟ ପାଇଁ ବ୍ୟବହୃତ ହେଉଥିବା ଭୂତଳ ଜଳ ସମୁଦ୍ରକୁ ନିଗିଡ଼ିଯିବା ପ୍ରକ୍ରିୟା ଅବ୍ୟାହତ ରହିଛି । କିନ୍ତୁ ଭୂତଳ ଜଳ ଭଣ୍ଡାରର ଖାଲିସ୍ଥାନ ପୂରଣ ପ୍ରକ୍ରିୟା ଏହି ପ୍ରକ୍ରିୟାକୁ ପ୍ରଭାବିତ କରିବା ଫଳରେ ତୁଷାର ତରଳ ପ୍ରକ୍ରିୟାରେ ସମୁଦ୍ର ଜଳପନ ଯେଉଁ ବେଗରେ ବୃଦ୍ଧି ପାଇବା କଥା ପାଇନାହିଁ, ଧିମେଇ ଯାଇଛି । ତାଙ୍କ କଥା ଅନୁସାରେ ଏହି ପରିବର୍ତ୍ତନ ପ୍ରକ୍ରିୟାରେ ଆର୍ଦ୍ରଭୂମି ଅଧିକ ଆର୍ଦ୍ର ହୋଇଛି ଓ ଶୁଷ୍କାଂଚଳ ଅଧିକ ଶୁଷ୍କ ହୋଇଛି । ଏହି ଗବେଷଣା ସନ୍ଦର୍ଭ ବିଜ୍ଞାନ ପତ୍ରିକା ସାଇନ୍ସରେ ପ୍ରକାଶ ପାଇଛି ।

Share :